ଚିଟ୍‌ ଫଣ୍ଡ ଜମାକାରୀଙ୍କୁ ସରକାରଙ୍କ ଚିଟ୍‌!

ଚିଟ୍‌ ଫଣ୍ଡ ଜମାକାରୀଙ୍କୁ ସରକାରଙ୍କ ଚିଟ୍‌!

Share :

ସ୍ବତନ୍ତ୍ର ପ୍ରତିନିଧି ପ୍ରଥମେ କଂପାନୀସବୁ ଠକିଥିଲେ। ଏବେ ସରକାର ଠକୁଛନ୍ତି। ଚିଟ୍‌ ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଆରମ୍ଭ ହୋଇଛି ବୋଲି ଘୋଷଣା କରି ନିର୍ବାଚନ ପୂର୍ବରୁ ଲୋକଙ୍କୁ ଭଣ୍ଡେଇବାର ଚେଷ୍ଟା ସୂଚନା ଅଧିକାର ଆଇନ ଯୋଗୁଁ ପଦାକୁ ଆସିଛି। ଏ ସଂପର୍କରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗାଯାଇଥିଲେ ବି ସରକାର ତାହା ପ୍ରଦାନ ନକରି ପ୍ରଶ୍ନ ଆଡ଼େଇ ଯାଇଛନ୍ତି। କେଇ ଦିନ ତଳେ ଚିଟ୍‌ ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହେଲା ବୋଲି ରାଜ୍ୟ ସରକାରଙ୍କ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା। ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଏ ସଂପର୍କରେ ଏକ ବଡ଼ ଖବର ପ୍ରକାଶ ପାଇଥିଲା। ଏ ଖବର ପ୍ରକାଶ ପାଇବା ପରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଏ ସଂପର୍କରେ ସରକାରୀ ତଥ୍ୟ ଜାଣିବାକୁ ଉଦ୍ୟମ କରିଥିଲେ। ୨୦୧୯ ଜାନୁଆରୀ ୪ ତାରିଖରେ ସେ ଓ ସଂଯୁକ୍ତ ପାଣିଗ୍ରାହୀ ନାମ୍ନୀ ଅନ୍ୟ ଜଣେ କର୍ମୀ ରାଜ୍ୟର ଗୃହ ବିଭାଗକୁ ସୂଚନା ଅଧିକାର ଆବେଦନ ଫର୍ମରେ ଏ ସଂପର୍କରେ ତଥ୍ୟ ମାଗିଥିଲେ। ସେମାନ ଜାଣିବାକୁ ଚାହିଁଥିଲେ ଯେ ରାଜ୍ୟର କେଉଁ କେଉଁ ଜିଲ୍ଲାର କେତେ କେତେ ଲୋକ ଚିଟ୍‌ ଫଣ୍ଡ କମ୍ପାନୀଗୁଡ଼ିକରେ ଟଙ୍କା ଜମା ରଖିଥିଲେ? ସେହିପରି ଜମା ଟଙ୍କା ଫେରିପାଇଥିବା ଲୋକମାନଙ୍କର ନାମ ଓ ଠିକଣା ମଧ୍ୟ ସେମାନେ ଜାଣିବାକୁ ଆବେଦନ କରିଥିଲେ। ଗୃହ ବିଭାଗ ଏ ଦରଖାସ୍ତର ଉତ୍ତର ନେଦେଇ ତାହାକୁ ଅର୍ଥ ବିଭାଗକୁ ପଠାଇଦେଲା। ଅର୍ଥ ବିଭାଗ ୨୦୧୮ ଜାନୁଆରୀ ୨୪ ତାରିଖରେ ଯେଉଁ ଉତ୍ତର ପଠାଇଲେ ସେଥିରେ କିଏ କେତେ ଟଙ୍କା ପାଇଲେ ତାହା ଉଲ୍ଲେଖ ନଥିଲା। ବରଂ ଅର୍ଥ ବିଭାଗର ଜନ ସୂଚନା ଅଧିକାରୀ ଜଣେଇଥିଲେ ଯେ ଯେହେତୁ ତଦନ୍ତ କମିଶନ, ସିବିଆଇ ଓ ଓଡ଼ିଶା କ୍ରାଇମ ବ୍ରାଞ୍ଚ ପୁଲିସ ଏହି ମାମଲାର ତଦନ୍ତ କରୁଛନ୍ତି ସିବିଆଇ କୋର୍ଟରେ ମାମଲା ବିଚାରାଧୀନ ରହିଛି ତେଣୁ ଏ ସଂପର୍କରେ ତଥ୍ୟ ପ୍ରକାଶ କରାଯାଇ ପାରିବ ନାହିଁ। ଅର୍ଥ ବିଭାଗର ଜନ ସୂଚନା ଅଧିକାରୀ ଏହି ଯେଉଁ ଉତ୍ତର ପ୍ରଦାନ କରିଛନ୍ତି ତାହା ସଂପୂର୍ଣ୍ଣ ବିଭ୍ରାନ୍ତିକର। ଆବେଦନକାରୀ ଯଦି ତଦନ୍ତ ପ୍ରକ୍ରିୟା ନେଇ ସୂଚନା ମାଗିଥାନ୍ତେ ତେବେ ସୂଚନା ଅଧିକାର ଆଇନର ୮(୧)(ଜ) ଧାରା ଅନୁସାରେ ତାହାକୁ ପ୍ରତ୍ୟାଖ୍ୟାନ କରାଯାଇ ପାରିଥାନ୍ତା। କିନ୍ତୁ ଆବଦନକାରୀ ତଦନ୍ତ ବା ବିଚାର ପ୍ରକ୍ରିୟା ସଂପର୍କରେ ତଥ୍ୟ ମାଗି ନଥିଲେ। ସେମାନେ କେବଳ ଜାଣିବାକୁ ଚାହିଁଥିଲେ ଯେ ସରକାର ଏଯାଏଁ ଯେତେ ଜମାକାରୀଙ୍କୁ ଟଙ୍କା ଫେରସ୍ତ କଲେଣି ସେମାନଙ୍କର ତାଲିକା ଏବଂ ଫେରସ୍ତ ହେଉଥିବା ଟଙ୍କା କେଉଁ ସୂତ୍ରରୁ ଆସିଲା ତାହାର ତଥ୍ୟ ଦିଆଯାଉ। ଏ ତଥ୍ୟ ତଦନ୍ତ ଓ ବିଚାର ପ୍ରକ୍ରିୟାକୁ ପ୍ରଭାବିତ କରିବାର କୌଣସି ସମ୍ଭାବନା ନାହିଁ। ସୂଚନା ଅଧିକାର ଆଇନ ମଧ୍ୟ ଏହା ବାରଣ କରିନାହିଁ। ତଥାପି ଅର୍ଥ ବିଭାଗ ଏ ତଥ୍ୟ ପ୍ରକାଶ କରିନାହାନ୍ତି। ତେଣୁ ଏଥିରୁ ସନ୍ଦେହ କରାଯାଏ ଯେ ସରକାର ଚିଟ୍‌ ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରି ନାହାନ୍ତି। ଟଙ୍କା ଫେରସ୍ତ କରିଥିଲେ ସେ ସଂପର୍କୀତ ତଥ୍ୟ ପ୍ରଦାନ କରିବାକୁ ସରକାର ନିଜ ଆଡ଼ୁ ପସନ୍ଦ କରିଥାନ୍ତେ। କାରଣ ତାହା ସରକାରଙ୍କ ପ୍ରଚାର କାମରେ ଲାଗିଥାନ୍ତା। ସରକାର ଟଙ୍କା ଫେରସ୍ତ ନକରି କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଭୁଆଁ ବୁଲେଇ ଆଗାମୀ ନିର୍ବାଚନରେ ଭୋଟ ନେବା ପାଇଁ ଟଙ୍କା ଫେରସ୍ତ ଆରମ୍ଭ ହେଲାଣି ବୋଲି ଗଣମାଧ୍ୟମ ଜରିଆରେ ପ୍ରଚାର କରିଥିବା ସନ୍ଦେହ କରିଛନ୍ତି ସୂଚନା ଅଧିକାରୀ କର୍ମୀ ପ୍ରଦୀପ ପ୍ରଧାନ। ସୂଚନାଯୋଗ୍ୟ ଯେ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ସରକାରଙ୍କ ସମୟରେ ପ୍ରଣୀତ ହୋଇଥିବା ବହୁମୁଖୀ ସମବାୟ ଆଇନ ଅନୁସାରେ ରାଜ୍ୟରେ ଛତୁଫୁଟିଲା ଭଳି ଚିଟ୍‌ ଫଣ୍ଡ ସଂସ୍ଥା ଖୋଲିଥିଲା। କେନ୍ଦ୍ର ସରକାରଙ୍କର ସମାନ ଧରଣର ବହୁରାଜ୍ୟ ସମବାୟ ଆଇନର ଫାଇଦା ନେଇ ଅନ୍ୟ ରାଜ୍ୟରେ ଖୋଲିଥିବା ଅନେକ ଚିଟ୍‌ ଫଣ୍ଡ ସଂସ୍ଥା ମଧ୍ୟ ଓଡ଼ିଶାରେ ଜମା ସଂଗ୍ରହ କରିଥିଲେ। ଏହି ଚିଟ୍‌ ଫଣ୍ଡ ସଂସ୍ଥାଗୁଡ଼ିକ କି କାରବାର କରୁଛନ୍ତି, ଲୋକଙ୍କୁ ଠକୁଛନ୍ତି କି ଲାଭ ଦେଉଛନ୍ତି ସେ ସଂପର୍କରେ ଓଡ଼ିଶା ସରକାରଙ୍କର କୌଣସି ନିଘା ନଥିଲା। ବରଂ କେତେକ ସରକାରୀ ଅଧିକାରୀ ଓ ଶାସକ ବିଜୁ ଜନତା ଦଳର ନେତାମାନଙ୍କ ସହଯୋଗ ଓ ସଂପୃକ୍ତିରେ ୪୦ ଉପରେ ଚିଟ୍‌ ଫଣ୍ଡ ସଂସ୍ଥା ଚଢ଼ା ସୁଧ ଓ ଲାଭର ପ୍ରତିଶ୍ରୁତି ଦେଇ ଅନ୍ୟୁନ ୨୦ ଲକ୍ଷ ଜମାକରୀଙ୍କଠାରୁ ପ୍ରାୟ ୩୦ ହଜାର କୋଟି ଟଙ୍କା ଉଠେଇନେଲେ। ଅନେକ ଏଭଳି ଚିଟ୍‌ ଫଣ୍ଡ ସଂସ୍ଥା ସହିତ ରାଜ୍ୟ ସରକାର ବୁଝାମଣା କରିଥିବା କଥା ପରେ ଜଣାପଡ଼ିଥିଲା। ଏହା ଥିଲା ରାଜ୍ୟର ସରଳ ଲୋକମାନଙ୍କୁ ରାଜ୍ୟ ସରକାରଙ୍କର ପରୋକ୍ଷ ଠକେଇ। ପରେ ଏ ସଂପର୍କରେ ସିବିଆଇ ତଦନ୍ତ ଦାବି କରି ସୁପ୍ରିମ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ହେଲା। ରାଜ୍ୟ ସରକାର ରାଜ୍ୟବାସୀଙ୍କ ଆର୍ଥିକ ସ୍ବାର୍ଥକୁ ଅଗ୍ରାଧିକାର ଦେଉଥିଲେ ନିଜ ଆଡ଼ୁ ସିବିଆଇକୁ ତଦନ୍ତ ଦେଇଥାନ୍ତେ। ଅଥଚ ସୁପ୍ରିମ କୋର୍ଟଙ୍କ ହସ୍ତେକ୍ଷପ ଲୋଡ଼ାଯିବା ପରେ ରାଜ୍ୟ ସରକାର ସିବିଆଇ ତଦନ୍ତ ଦାବିକୁ ବିରୋଧ କରି ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚରେ ଓକିଲ ନିଯୁକ୍ତ କଲେ। ଶେଷରେ ସୁପ୍ରିମ କୋର୍ଟ ଠକେଇର ବ୍ୟାପକତା ବିଚାର କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ। ରାଜ୍ୟ ସରକାର ଲୋକଙ୍କ ହିତ ଚାହିଁଥିଲେ ସିବିଆଇକୁ ସହଯୋଗ କରିଥାନ୍ତେ। ମାତ୍ର ସରକାର ତଦନ୍ତରେ ସହଯୋଗ କରିବା ପରିବର୍ତ୍ତେ ତଦନ୍ତ ଭଣ୍ଡୁର ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥିଲେ। ସବୁ ଚିଟ୍‌ ଫଣ୍ଡ ସଂସ୍ଥାର ଠିକଣା ଦିଆଗଲା ନାହିଁ। ସମବାୟ ବିଭାଗରେ ଅନେକ ଚିଟ୍‌ ଫଣ୍ଡ ସଂସ୍ଥାର ଫାଇଲ ହଜିଗଲା। ସିବିଆଇ କାହାକୁ ଜେରା ପାଇଁ ଡାକିଲେ ବିଜେଡି କର୍ମୀମାନେ ଯାଇଁ ସିବିଆଇ ଅଫିସ ଘେରାଉ କଲେ। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ରାଜ୍ୟ ସରକାର ସିବିଆଇର ତଦନ୍ତକାରୀ ଅଧିକାରୀମାନଙ୍କୁ ଆବଶ୍ୟକ ପୁଲିସ ସହାୟତା ଓ ଅଫିସର ଘର ଯୋଗାଇଦେଲ ନାହିଁ। ଏହା ସହିତ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଜମାକାରୀ ଚିହ୍ନଟ ଉଦ୍ଦେଶ୍ୟରେ ଏକ ବିଚାର ବିଭାଗୀୟ ତଦନ୍ତ କମିଶନ ଗଠନ କରାଗଲା। ଏହି କମିଶନ ଏଯାଏଁ ସମସ୍ତ ଜମାକାରୀଙ୍କୁ ଚିହ୍ନଟ କରିପାରି ନାହାନ୍ତି। କେବେ ସମସ୍ତ ଜମାକାରୀ ଚିହ୍ନଟ ହେବେ ଏବଂ କେବେ ସେମାନେ ଟଙ୍କା ଫେରିପାଇବେ ତାହାର କିଛି ଠିକ ଠିକଣା ନାହିଁ। ଟଙ୍କା ପୁଣି କିଏ ଫେରେଇବେ ତାହା ସ୍ଥିର ହୋଇନାହିଁ। ରାଜ୍ୟ ସରକାର ଯଦି ନିଜ ପାଣ୍ଠିରୁ ଟଙ୍କା ଫେରେଇବେ ତେବେ ସେଥିପାଇଁ ବଜେଟ ବ୍ୟବସ୍ଥା କରିବାକୁ ପଡ଼ିବ। ଏହା ହୋଇନାହିଁ। ରାଜ୍ୟ ସରକାର ଯଦି ଟଙ୍କା ଫେରେଇବେ ତେବେ ତାହା ଚିଟ୍‌ ଫଣ୍ଡ ସଂସ୍ଥାଗୁଡ଼ିକୁ ସିଧାସଳଖ ସହାୟତା ହେବ।

Share :