ବିକଳ୍ପକୁ ନେଇ ଆତଙ୍କିତ ନବୀନ!

ବିକଳ୍ପକୁ ନେଇ ଆତଙ୍କିତ ନବୀନ!

Share :

ଦେବେନ୍ଦ୍ର ପୃଷ୍ଟି ଓଡ଼ିଶା ରାଜନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ବିକଳ୍ପହୀନ ହୋଇ ରହିନାହାନ୍ତି। ବିରୋଧୀ ଦଳରେ ତ ତାଙ୍କର ଦୃଢ଼ ବିକଳ୍ପ ସୃଷ୍ଟି ହୋଇସାରିଲେରି। ତାଙ୍କ ନିଜ ଦଳ ଭିତରେ ବି ଏବେ ଅନେକ ବିକଳ୍ପ। ନିଜକୁ ନିର୍ବିକଳ୍ପ ଓ ନିଷ୍କଣ୍ଟକ କରିବାକୁ ଯାଇଁ ସେ ଯେଉଁ ଚାଲ୍‌ ଚଳାଇ ଆସିଛନ୍ତି ଏବେ ସେହି ଚାଲ୍‌ ଭିତରେ ସେ ଫଶିଯିବାର ଆଶଙ୍କା ସୃଷ୍ଟି ହୋଇଛି। ୧୯୯୭ ମସିହାରେ ବିଜୁବାବୁଙ୍କ ଦେହାନ୍ତ ଯୋଗୁଁ ଛେଉଣ୍ଡ ବୋଧ କରିଥିବା ତାଙ୍କର ଅନୁଗତମାନଙ୍କ ଅନୁରୋଧ ଓ କାକୁତିମୀନତି ପରେ ଅତ୍ୟନ୍ତ ଉଦାସୀନ ଓ ଅମନଯୋଗୀ ଭାବେ ଓଡ଼ିଶା ରାଜନୀତିରେ ପ୍ରବେଶ କରିଥିବା ନବୀନ ପଟ୍ଟନାୟକ ପ୍ରଥମେ ନିଜ ଦଳ ଭିତରୁ ସମ୍ଭାବ୍ୟ ବିକଳ୍ପମାନଙ୍କୁ ବଦନାମ ନହେଲେ ବହିଷ୍କାର କରି ନିଜକୁ ନିର୍ବିକଳ୍ପ କରିବାର ଯୋଜନାବଦ୍ଧ ଉଦ୍ୟମ ଆରମ୍ଭ କରିଥିଲେ। ଏହି କ୍ରମରେ ବିଜୟ ମହାପାତ୍ର, ନଳିନୀ ମହାନ୍ତି, ଼ରାମକୃଷ୍ଣ ପଟ୍ଟନାୟକ, ଦିଲ୍ଲୀପ ରାୟ, ପ୍ୟାରୀ ମୋହନ ମହାପାତ୍ର, ପ୍ରଫୁଲ୍ଲ ଘଡ଼ାଇ ଓ ଡାକ୍ତର ଦାମୋଦର ରାଉତ ପ୍ରମୁଖ ଜଣକ ପରେ ଜଣେ ବଳି ପଡ଼ିଥିଲେ। ସେହିପରି ବିରୋଧୀ ପକ୍ଷରେ ଯେପରି କୌଣସି ବିକଳ୍ପ ସୃଷ୍ଟି ନହୁଅନ୍ତି ସେ ବାବଦରେ ମଧ୍ୟ ସେ ଚାଲ୍‌ ଚଳେଇ ସଫଳ ହୋଇଥିଲେ। ତାଙ୍କର ଚାଲ୍‌ ଯୋଗୁଁ ହିଁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ୨୦୦୦ ମସିହା ପରଠାରୁ କ୍ରମାଗତ ଭାବେ ଦୁର୍ବଳ ଓ ବିଭକ୍ତ ହେବାରେ ଲାଗିଥିଲା। ତାଙ୍କର ଅନୁଚରମାନେ ବିଭିନ୍ନ ଉପାୟରେ କଂଗ୍ରେସ ବିଧାୟକ ଦଳରେ ଗୋଷ୍ଠୀ ବିଭେଦ ସୃଷ୍ଟି କରିବା ସହିତ କଂଗ୍ରେସରେ ନେତୃତ୍ବଗତ ଅସ୍ଥିରତା ଅବ୍ୟାହତ ରଖିବାରେ ସଫଳ ହୋଇଥିଲେ। ପ୍ରଥମେ ସେ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ତାଙ୍କ ପରିବାରକୁ ‘ମ୍ୟାନେଜ’ କରିବାରେ ସଫଳ ହୋଇଥିଲେ। ତାଙ୍କର ଏହି ଯୋଜନା କାର୍ଯ୍ୟକାରୀ କରିଥିଲେ ସେତେବେଳେ ତାଙ୍କର ମୁଖ୍ୟ ପରାମର୍ଶଦାତା ବା ମାର୍ଗଦର୍ଶକ ଥିବା ପ୍ୟାରୀ ମୋହନ ମହାପାତ୍ର। ପ୍ୟାରୀ ମୋହନଙ୍କୁ ଜାନକୀ ବଲ୍ଲଭଙ୍କ ରାଜନୀତିକ ବିଚକ୍ଷଣତା ଓ ତାଙ୍କ ଜାମାତା ତଥା ସମ୍ବାଦ ସଂପାଦକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଉଚ୍ଚାକାଙ୍‌କ୍ଷା ବିଷୟରେ ଜଣାଥିଲା। ପ୍ରଥମେ ଜିନ୍ଦଲ ଓ ବେଦାନ୍ତ କମ୍ପାନୀ ଜରିଆରେ ଜାନକୀ ବଲ୍ଲଭଙ୍କୁ ଓ ଓଏସଏଫସି ଏବଂ ଇପିକଲ୍‌ ଋଣାଦି ଅସ୍ତ୍ର ଜରିଆରେ ସୌମ ରଂଜନଙ୍କୁ ‘ମ୍ୟାନେଜ’ କରାଯାଇଥିଲା। ବିଜ୍ଞାପନ ଓ ଶିଳ୍ପାଂଚଳ ଜମି ଆଦିକୁ ମଧ୍ୟ ଏଥିପାଇଁ ପ୍ରଲୋଭନର ପ୍ୟାକେଟ୍ ଭାବେ ବ୍ୟବହାର କରାଯାଇଥିଲା। ବିଚକ୍ଷଣ ପ୍ୟାରୀ ମୋହନ ନିଜକୁ ଓ ନବୀନଙ୍କୁ ନିଷ୍କଣ୍ଟକ ରଖିବା ପାଇଁ ଗଣମାଧ୍ୟମରେ ଅନେକ କାହାଣୀର ଗଛ ଲଗାଉଥିଲେ। ସେ ବାବଦରେ ଅନେକ ଖର୍ଚ୍ଚ ହେଉଥିଲା। ବିଜେଡିର ଯେଉଁ ନେତା ତାଙ୍କ ବୋଲ ମାନୁ ନଥିଲେ ଏବଂ ପ୍ରଶାସନର ଯେଉଁ ଅଫିସର ତାଙ୍କ କଥା ଶୁଣୁ ନଥିଲେ ସେମାନଙ୍କ ସଂପର୍କରେ ନାନାଦି କଥା ଲଗେଇ ଜୁଟେଇ ଲେଖାଯାଉଥିଲା। ସମ୍ବାଦପତ୍ରର ଆୟ ବୃଦ୍ଧି କରିବା ପାଇଁ ଏହା ଏକ ବ୍ୟାବସାୟିକ କୌଶଳ ହୋଇଯାଇଥିଲା। ୧୯୮୪ ମସିହାରେ ଦୈନିକ ଭାବେ ଆତ୍ମପ୍ରକାଶ କରିଥିବା ସ୍ବର୍ଗତ ଚିତ୍ତ ପରିଡ଼ାଙ୍କ ସମ୍ବାଦର ପ୍ରକାଶକ ସଂସ୍ଥା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ ୨୦୦୦ ମସିହା ଯାଏଁ ସେତେଟା ଉଲ୍ଲେଖନୀୟ ସଫଳତା ହାସଲ କରିପାରି ନଥିଲା। ୧୯୮୪-୯୦ ଯାଏଁ ରାଜ୍ୟରେ କଂଗ୍ରେସ ସରକାର ଥିଲା। ସେହି ୬ ବର୍ଷ ଭିତରେ ସମ୍ବାଦ ସରକାରଙ୍କ ମୁଖପାତ୍ର ଭାବେ ପାଠକୀୟ ବିଶ୍ବାସନୀୟତା ହାସଲ କରିପାରି ନଥିଲା। ୧୯୯୦-୯୫ ମଧ୍ୟରେ ବିଜୁବାବୁଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ବିରୋଧୀ କାଗଜ ଭାବେ ସମ୍ବାଦର ଲୋକପ୍ରିୟତା ଓ ପ୍ରସାରଣ ବହୁଗୁଣ ବୃଦ୍ଧି ପାଇଥିଲା। କିନ୍ତୁ ୧୯୯୫-୨୦୦୦ ମଧ୍ୟରେ ରାଜ୍ୟରେ ପୁନର୍ବାର କଂଗ୍ରେସ ଦଳର ସରକାର ଚାଲିବାରୁ ଇଷ୍ଟର୍ଣ୍ଣ ମିଡିଆର ଦୁର୍ବଳ ହେବା ସହିତ ଅନେକ ପ୍ରକାଶନ ବନ୍ଦ ହୋଇଗଲା। ମୋଟ ଉପରେ ଦେଖିଲେ ୧୯୮୪ ମସିହାରୁ ୨୦୦୦ ମଧ୍ୟରେ ସୌମ୍ୟବାବୁଙ୍କ ନେତୃତ୍ବଗତ ଦକ୍ଷତା ଓ ବ୍ୟାବସାୟିକ ବିଚକ୍ଷଣତା ସତ୍ତ୍ବେ ସନ୍‌ ଟାଇମ୍ସ, ସୁଶ୍ରୀ, ଫୁଲଝରି, ସିନେ ସମ୍ବାଦ, ଟିଉଜ ଡେ ଆଦି ପ୍ରକାଶନ ବନ୍ଦ ହୋଇଯାଇଥିଲା। ଏହି ସମୟ ମଧ୍ୟରେ ପୃଥ୍ବୀ ମୋଟର୍ସ ମଧ୍ୟ ଆରମ୍ଭ ହୋଇ ବନ୍ଦ ହୋଇସାରିଥିଲା। ମାତ୍ର, ୨୦୦୦ରେ ନବୀନ ପଟ୍ଟନାୟକ କ୍ଷମତା ଆରୋହଣ କରିବା ପରଠାରୁ ସୌମ୍ୟ ରଂଜନ ପଟ୍ଟନାୟକ ଏବଂ ଇଷ୍ଟର୍ଣ୍ଣ ମିଡିଆର ଲାଭାର୍ଜନ ହୁ ହୁ ହୋଇ ବୃଦ୍ଧି ପାଇଥିଲା। ଏହି ୧୮ ବର୍ଷ ଭିତରେ ସୌମ୍ୟଙ୍କ ଦକ୍ଷତା ଓ ବିଚକ୍ଷଣତା ଯୋଗୁଁ ସମ୍ବାଦ ରାଜ୍ୟର ଏକ ନମ୍ବର କାଗଜ ହେବାର ଗୌରବ ଅର୍ଜନ କରିଥିଲା। ଏହି ସମୟ ମଧ୍ୟରେ ରେଡିଓ ଚକ୍‌ଲେଟ୍‌, କନକ ଟିଭି, ପ୍ରାୟ ଅଧ ଡଜନେ ଯାତ୍ରା ପାର୍ଟି ପ୍ରତିଷ୍ଠା ଲାଭ କଲେ। ଭଲ ବ୍ୟବସାୟ ହେଲା। ପ୍ରିଣ୍ଟ, ଇଲେକ୍‌ଟ୍ରୋନିକ୍ସ, ଡିଜିଟାଲ ଓ ଟ୍ରାଡିସନାଲ ମିଡିଆ କ୍ଷେତ୍ରରେ ସୌମ୍ୟ ରଂଜନ ବ୍ୟାରନ୍‌ ହୋଇଗଲେ। କେଏମବିବି ଓ ସୋମାକ୍‌ ନାମରେ ଦୁଇଟି ଶିକ୍ଷାନୁଷ୍ଠାନର ପ୍ରତିଷ୍ଠା ମଧ୍ୟ ଏହି ସମୟର କଥା। ଏହି ସମୟ ମଧ୍ୟରେ ତାଙ୍କର ସଫଳତା ଓ ବ୍ୟାପ୍ତି ଏତେ ବୃଦ୍ଧି ପାଇଲା ଯେ କେହି କେହି ତାଙ୍କୁ ଓଡ଼ିଶାର ରୁପର୍ଟ ମୁର୍ଡକ ଭାବେ ବର୍ଣ୍ଣନା କଲେ। ଆଉ ଏହି ସମୟ ମଧ୍ୟରେ ଓଡ଼ିଶା ରାଜନୀତିରେ କଂଗ୍ରେସ ପାର୍ଟି ତଳିତଳାନ୍ତ ହୋଇଗଲା। ସୌମ୍ୟବାବୁ, ତାଙ୍କ ଭାଇ ନିରଂଜନ ପଟ୍ଟନାୟକ ଓ ଶ୍ବଶୁର ଜାନକୀ ବଲ୍ଲଭ ପଟ୍ଟନାୟକ କଂଗ୍ରେସ ପାର୍ଟିରେ ଥାଇ ମଧ୍ୟ ପ୍ରତି ନିର୍ବାଚନରେ ଦଳର ଭୋଟ ହାର ଓ ବିଧାୟକ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଲା। ଆଉ ଏହି ସମୟ ମଧ୍ୟରେ ବି ବୃଦ୍ଧି ପାଇଲା ପ୍ରଦେଶ କଂଗ୍ରେସ ନେତୃତ୍ବ ନେଇ ଆତ୍ମଘାତୀ ଦଳୀୟ କନ୍ଦଳ। ବାରମ୍ବାର ନେତୃତ୍ବ ପରିବର୍ତ୍ତନ ଓ ଅସନ୍ତୋଷର ବାତାବରଣ କଂଗ୍ରେସକୁ ଦୁର୍ବଳ କଲା ଓ ସମାନୁପାତରେ ବିଜୁ ଜନତା ଦଳ ଏବଂ ଏହାର ନେତା ନବୀନ ପଟ୍ଟନାୟକ ଶକ୍ତିଶାଳୀ ହେଲେ। କଂଗ୍ରେସରେ ତାଙ୍କର ବିକଳ୍ପ ଲୋପ ପାଇଲେ, ନିଜ ଦଳରେ ବି ଶତ୍ରୁ କେହି ରହିଲେ ନାହିଁ। ଏହି ସମୟ ମଧ୍ୟରେ ରାଜ୍ୟବାସୀଙ୍କୁ ଜଣେଇ ଦିଆଗଲା ଯେ ପ୍ରଦେଶ କଂଗ୍ରେସ ସଭାପତି ପଦ ପାଇଁ ପ୍ରାର୍ଥୀ ଚୟନ କରନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ! ଏହି ସମୟ ମଧ୍ୟରେ ୨୦୦୯ ଯାଏଁ ଭାରତୀୟ ଜନତା ପାର୍ଟି ନବୀନଙ୍କ ସହିତ ଥିଲା। ଏହା ପରଠାରୁ ବିଜେଡି ଓ ବିଜେପିର ରାସ୍ତା ଅଲଗା ହୋଇଥିଲେ ବି କଂଗ୍ରେସ ତାହାର ଫାଇଦା ନେଇପାରିଲା ନାହିଁ। କାରଣ ସେତେବେଳକୁ ପ୍ରଦେଶ କଂଗ୍ରେସକୁ ନିଜ ଅକ୍ତିଆରରେ ରଖିବା ପାଇଁ ପଟ୍ଟନାୟକ ପରିବାର ଓ ଅନ୍ୟମାନଙ୍କ ମଧ୍ୟରେ ଘମାଘୋଟ ରାଜନୀତିକ ପ୍ରତିଯୋଗିତା ଆରମ୍ଭ ହୋଇସାରିଥିଲା। ଏହା କ୍ରମେ ରାଜନୀତିକ ଶତ୍ରୁତାରେ ପରିଣତ ହୋଇ କଂଗ୍ରେସ ପାର୍ଟିର ଧ୍ବଂସ ସାଧନ କଲା। ଏହି ସମୟ ମଧ୍ୟରେ ଏକଦା ଜାନକୀ ବଲ୍ଲଭଙ୍କର ଏକାନ୍ତ ଅନୁଗତ ଥିବା ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ। ଯୁବ କଂଗ୍ରେସ ସଭାପତି ରୋହିତ ପୂଜାରୀ, ଛାତ୍ର କଂଗ୍ରେସ ମୁଖ୍ୟ ଚିନ୍ମୟ ସାହୁ, ବିଧାୟକ ଦଳ ସଂପାଦକ ଅନୁପ ସାଏ, ସାଂସଦ ପିନାକୀ ମିଶ୍ର ପ୍ରମୁଖ ବହୁ ଜାନକୀ ଅନୁଗତ ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ଶକ୍ତିଶାଳୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କଲେ। ଏହି ସମୟ ମଧ୍ୟରେ ହିଁ ନବୀନ ପଟ୍ଟନାୟକ ହୋଇଗଲେ ବିକଳ୍ପହୀନ ଏବଂ ନିଷ୍କଣ୍ଟକ। ୨୦୧୪ ନିର୍ବାଚନରେ ଲୋକ ବିକଳ୍ପ ଖୋଜିଲେ ବି କାହାକୁ ପାଇଲେ ନାହିଁ। ତେଣୁ ଦେୟାର ଇଜ୍‌ ନୋ ଅଲ୍‌ଟରନେଟିଭ ବା ଟିନା ଫ୍ୟାକ୍ଟର ବରକରାର ରହିଲା ଓ ନବୀନ ତାଙ୍କ ବିଧାୟକଙ୍କ ସଂଖ୍ୟା ୧୦୩ରୁ ୧୧୭କୁ ବୃଦ୍ଧି କଲେ। ଏବେ କିନ୍ତୁ ପରିସ୍ଥିତି ବଦଳିଗଲାଣି। ୨୦୦୯ରୁ ୨୦୧୪ ଯାଏଁ କଂଗ୍ରେସ ନେତୃତ୍ବାଧୀନ ଉପା ସରକାରରେ ମନ୍ତ୍ରୀ ଥାଇ ବି ଶ୍ରୀକାନ୍ତ ଜେନା ଯାହା କରିପାରି ନଥିଲେ ୨୦୧୪ରୁ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରରେ ମନ୍ତ୍ରୀ ଥାଇ ଧର୍ମେନ୍ଦ୍ର ପ୍ରଧାନ ତାହା କରି ଦେଖାଇଦେଲେ। ସେତେବେଳେ ଶ୍ରୀକାନ୍ତଙ୍କୁ ପଟ୍ଟନାୟକ ପରିବାର ବିରୋଧ କରୁଥିଲେ କି କ’ଣ ସେଥିପାଇଁ ପଟ୍ଟନାୟକ ପରିବାର କଥା ପଡ଼ିଲେ ଏବେ ବି ଶ୍ରୀକାନ୍ତ ରକ୍ତ ଚାଉଳ ଚୋବାଉଛନ୍ତି। ରାଜ୍ୟ ରାଜନୀତିର ଦୁଇ ପ୍ରଭାବଶାଳୀ ଓ କ୍ଷମତାଶାଳୀ ପଟ୍ଟନାୟକ ପରିବାର କଥା କହି ସେ ଦଳରୁ ବହିଷ୍କୃତ ହୋଇଛନ୍ତି, ଯାହା ବିଜେଡି ପାଇଁ ମଧ୍ୟ ଅନ୍ୟ ଏକ ଫାଇଦା। ତେବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦୟ ନବୀନଙ୍କୁ ଆଉ ବିକଳ୍ପହୀନ ରଖିନାହିଁ। ଏବେ ସମଗ୍ର ରାଜ୍ୟରେ ଧର୍ମେନ୍ଦ୍ର ପ୍ରଧାନ ନବୀନଙ୍କ ବିକଳ୍ପ ଭାବେ ପ୍ରତୀୟମାନ। ଧର୍ମେନ୍ଦ୍ରଙ୍କୁ ଭୟ କରି ବିଜେପିରେ ତାଙ୍କ ବିରୋଧୀ ଶକ୍ତି ଉଦୟ କରିବା ଦିଗରେ ଦଳର ଦିଲ୍ଲୀ ନେତାମାନଙ୍କୁ ଧରି କୌଶଳ ପ୍ରୟୋଗ ହୋଇଥିଲେ ମଧ୍ୟ ତାହା ଏଯାଏଁ ସଫଳ ହୋଇନାହିଁ। ତେବେ ଏହାର ପ୍ରଭାବରେ ରାଜ୍ୟ ବିଜେପିର ପ୍ରଗତିର ଗତି ଅନେକଟା ଧିମେଇ ଯାଇଛି। ଏହାର ସଂପୂର୍ଣ୍ଣ ଶ୍ରେୟ ନେବେ ନବୀନ ପଟ୍ଟନାୟକ। ଧର୍ମେନ୍ଦ୍ରଙ୍କୁ ଆକ୍ରମଣାତ୍ମକ ଅଭିଯାନ ଯୋଗୁଁ ୨୦୧୭ ପଂଚାୟତ ନିର୍ବାଚନରେ କଂଗ୍ରେସକୁ ତୃତୀୟ ସ୍ଥାନକୁ ଠେଲି ବିଜେପି ଦ୍ବିତୀୟ ସ୍ଥାନକୁ ଉଠିଗଲା। କାରଣ ସେତେବେଳ ଯାଏଁ ଲୋକେ ବୁଝି ଯାଇଥିଲେ ଯେ କଂଗ୍ରେସକୁ ଭୋଟ ଦେବା ଅର୍ଥ ବିଜେଡି ଭୋଟ ଦେବା ସହିତ ସମାନ। ତେଣୁ ସେହି ନିର୍ବାଚନରେ ଅନେକ କଂଗ୍ରେସ କର୍ମୀ ମଧ୍ୟ ବିଜେପିକୁ ସମର୍ଥନ କରିଥିଲେ। ଏହାର ଅନ୍ୟତମ କାରଣ ବି କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ। ସେ ଯାହା ହେଉ, ଏହି ସମୟ ମଧ୍ୟରେ ଧର୍ମେନ୍ଦ୍ର ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଉଦୟ ହେଲେ। ପ୍ରତାପ ଷଡ଼ଙ୍ଗୀ, ଅପରାଜିତ ଷଡ଼ଙ୍ଗୀ, କନକ ବର୍ଦ୍ଧନ ସିଂହଦେଓ, ସମ୍ବିତ ପାତ୍ର ପ୍ରମୁଖଙ୍କ ନାମ ନେଇ ବିଜେଡି ଓ କଂଗ୍ରେସ ଶିବିରରୁ ଯେତେ ଗୁଜବ ଉଠିଲେ ବି ମୋଦୀ ସରକାରଙ୍କର ଅନ୍ୟତମ ବରିଷୋଠ ମନ୍ତ୍ରୀ ତଥା ଓଡ଼ିଶା ବିଜେପିର ଅନ୍ୟତମ ବରିଷ୍ଠ ନେତା ଜୁଆଲ ଓରାମ ଧର୍ମେନ୍ଦ୍ରଙ୍କୁ ହିଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ତେଣୁ ସେ ଏବେ ନବୀନଙ୍କର ଆନୁଷ୍ଠାନିକ ବିକଳ୍ପ ବୋଲ କୁହାଯାଇପାରେ। ସେହିପରି ନିରଂଜନ ପଟ୍ଟନାୟକ ପୁଣି ଥରେ ପ୍ରଦେଶ କଂଗ୍ରେସ ସଭାପତି ହେବା ପରେ ଦଳର କେତେକ ବିଧାୟକ ଓ ବରିଷ୍ଠ ନେତା ତାଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିସାରିଲେଣି। ତାଙ୍କ ନେତୃତ୍ବରେ କଂଗ୍ରେସ ଜିତିବ ଓ ସରକାର ଗଠନ କରିବ ବୋଲି ତାରା ପ୍ରସାଦ ବାହିନୀପତିଙ୍କଠାରୁ ଆରମ୍ଭ କରି ଡକ୍ଟର ପ୍ରଫୁଲ୍ଲ ମାଝୀଙ୍କ ଯାଏଁ ଏକାଧିକ ବିଧାୟକ କହି ଚାଲିଛନ୍ତି। ଏହା ନିରଂଜନଙ୍କ ମହତ୍ବାକାଙ୍‌କ୍ଷାକୁ ତେଜୀୟାନ କରିଛି। ‘କଂଗ୍ରେସ ଉଠିବ, ଓଡ଼ିଶା ହସିବ’ ସ୍ଲୋଗାନ ଦେଇ ନିରଂଜନ ନବୀନ ପଟ୍ଟନାୟକ ସରକାରଙ୍କୁ ଦୈନିକ ଭିତ୍ତିରେ ଟୁଇଟର ଓ ଅନ୍ୟ ମଞ୍ଚରେ ତୀବ୍ର ସମାଲୋଚନା କରିଚାଲିଛନ୍ତି। ଟୁଇଟରରେ ନିରଂଜନ ଯେପରି ନବୀନ ସରକାରର ମୁଖା ଖୋଲିବାରେ ବ୍ୟସ୍ତ ସେଥିପ୍ରତି ସୌମ୍ୟଙ୍କ ‘ସମ୍ବାଦ’ର ଅଦୌ ଦରଦ ନଥିଲେ ବି କଂଗ୍ରେସ ଲୋକମାନେ ତାଙ୍କର ବାର୍ତ୍ତା ତୃଣମୂଳ ସ୍ତରକୁ ନେବାରେ ସଫଳ ହେଲେଣି। ନବୀନ ଓ ଧର୍ମେନ୍ଦ୍ରଙ୍କ ଭଳି ନିରଂଜନ ମଧ୍ୟ ନିଜର ଏକ ଉତ୍ସର୍ଗୀକୃତ ସାମାଜିକ ଗଣମାଧ୍ୟମ ଓ ରାଜନୀତିକ ଟିମ୍‌ ଗଠନ କରିଛନ୍ତି। ୨୦୧୯ ଜାନୁଆରୀ ୨୫ ତାରିଖରେ ରାହୁଳ ଗାନ୍ଧୀ ଭୁବନେଶ୍ବର ତମାଣ୍ଡୋ ସଭାରେ ଯେଉଁ ଭାଷାରେ ନବୀନ ପଟ୍ଟନାୟକଙ୍କର ସମାଲାଚନା କଲେ ସେଥିରୁ ଏହି ସୂଚନା ମିଳିଲା ଯେ ରାଜ୍ୟରେ କଂଗ୍ରେସ ପୁଣି ଥରେ ବିଜେଡିର ବିକଳ୍ପ ହେବାକୁ ଉଦ୍ୟମରତ ଏବଂ ଏହି ଉଦ୍ୟମର ସାରଥୀ ହେଉଛନ୍ତି ନିରଂଜନ ପଟ୍ଟନାୟକ। ଅନ୍ୟପକ୍ଷରେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା ସୌମ୍ୟଙ୍କ ସମେତ ଅନେକ ନେତା ମଧ୍ୟ ସାମର୍ଥ୍ୟ ଓ ଆକାଙ୍‌କ୍ଷା ଦୃଷ୍ଟିରୁ ନବୀନ ପଟ୍ଟନାୟକଙ୍କର ବିକଳ୍ପ ହୋଇପାରିବେ। ନିଜକୁ ଏକଦା ବିଜୁ ପଟ୍ଟନାୟକଙ୍କର ମିନି ଅବତାର ଭାବେ ଉପସ୍ଥାପିତ କରିଥିବା ସୌମ୍ୟ ରଂଜନ ପଟ୍ଟନାୟକଙ୍କର ଓଡ଼ିଶା ମୁଖ୍ୟମନ୍ତ୍ରୀ ହେବାର ସମସ୍ତ ଯୋଗ୍ୟତା ରହିଛି। କହିବାକୁ ଗଲେ ନବୀନ ପଟ୍ଟନାୟକଙ୍କଠାରୁ ସେ ଅଧିକ ଯୋଗ୍ୟ ଓ ଦକ୍ଷ। ଅଧିକ ଶିକ୍ଷିତ ଓ ଅଭିଜ୍ଞ ମଧ୍ୟ। ସେହିପରି କଂଗ୍ରେସ ତ୍ୟାଗ କରି ଜାନୁଆରୀ ୨୪ ତାରିଖରେ ବିଜେଡିରେ ମିଶିଥିବା ନବ କିଶୋର ଦାସ ମଧ୍ୟଙ୍କର ମଧ୍ୟ ମହତ୍ବାକାଙ୍‌କ୍ଷା ରହିଛି। ତାଙ୍କର ଲୋକ ବଳ ଓ ଅର୍ଥ ବଳ ବିଷୟରେ ପଶ୍ଚିମ ଓଡ଼ିଶାବାସୀ ଭଲ ଭାବେ ଅବହିତ। ନିର୍ବାଚନ ପରେ ସୌମ୍ୟ ବା ନବଙ୍କ ନେତୃତ୍ବରେ ମୂଳ କଂଗ୍ରେସ ନେତାମାନ ଘରବାହୁଡ଼ା ଦେଲେ ନବୀନଙ୍କ ଆସନ ଟଳମଳ ହେବାର ଆଶଙ୍କା ରହିଛି। ଏ ଦୁହିଁଙ୍କ ବ୍ୟତିତ ବିଜେଡି ଅପେକ୍ଷା ତଲିକାରେ ଥିବା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କର ଯୋଗ୍ୟତା ଓ ଦକ୍ଷତା ମଧ୍ୟ ଢେର ଅଧିକ। ସେମାନେ ବି ନବୀନଙ୍କର ବିକଳ୍ପ ହୋଇପାରିବେ। ଡାକ୍ତର ଦାମୋଦର ରାଉତଙ୍କର ବିକଳ୍ପ ହେବାର ସମସ୍ତ ଯୋଗ୍ୟତା ଥିଲେ ମଧ୍ୟ ତାଙ୍କର ବୟସ ଓ ପାରିବାରିକ ସ୍ଥିତି ତାଙ୍କୁ ସେଥିରୁ ନିବୃତ୍ତ ରଖିପାରେ।

Share :