କୁଆଁରୀ ମା’- କାହାର ଦୋଷ?

କୁଆଁରୀ ମା’- କାହାର ଦୋଷ?

Share :

ହେମାଙ୍ଗ ପ୍ରସାଦ ରାଉଳ ଓଡ଼ିଶାରେ ବେଳକୁ ବେଳ ସାଂଘାତିକ ଦୁର୍ଘଟଣା ସାମାଜିକ ଜୀବନକୁ ବିପନ୍ନ କରି ସମାଜ ଭିତରେ ଅସୁରକ୍ଷିତ ଭାବ ବଢ଼ାଇଦେବା ସହ ନୈତିକ ମାନବୀୟ ମୂଲ୍ୟବୋଧ କ୍ରମଶଃ ରୁଗ୍ଣ ପରି ମନେହୁଏ। ସଂପ୍ରତି ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଶିକ୍ଷାୟତନର ବିଧି ବ୍ୟବସ୍ଥା ଅନୁଶାସନ ନୀତି ନିୟମର ନଗ୍ନ ନମୂନା ଫୁଟି ଉଠୁଛି। ବିଦ୍ୟାଳୟ ଉନ୍ନତ, ନାଗରିକ ଚରିତ୍ରବାନ୍ ଛାତ୍ର ଗଠନର ପରିକଳ୍ପନା ବୃଥା ମାତ୍ର। ଆଦର୍ଶ, ନୀତି, ପବିତ୍ର ଶୁଦ୍ଧ ବିଚାର ଶିକ୍ଷା ପ୍ରଣାଳୀର ବିଧ୍ୱଂସ୍ତ ରୂପ ହେଉଛି ସରକାରୀ ବିଦ୍ୟାଳୟ ଓ ତା’ର ପରିବେଶ। ବନବାସୀ ବନବିଦ୍ୟାଳୟରେ ଛାତ୍ରୀ କେବଳ ଗୋଟିଏ ପ୍ରସବ କରିଲା ପରେ ଏତେ ଚହଳ କିନ୍ତୁ ସଂଦେହ ଏପରି ଘଟଣା ଘଟିଲା କେମିତି, କେଉଁମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଦାୟୀ? ଛାତ୍ରୀଟିଏ ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହ ବନ୍ଧୁତ୍ୱ ସଂପର୍କ ରଖି ଆଗରୁ କିଛି ସୂଚନା ଦେଇଥିଲେ ଏପରି ଘଟଣା କେବଳ ରୋକାଯାଇପାରିନଥାନ୍ତା ବରଂ ଶିକ୍ଷାୟତନର ବଦନାମରୁ ମୁକୁଳିବା ସହ ରାଜନେତାଙ୍କ ସ୍ୱର ଧର୍ମଘଟ ରୂପ ଧାରଣ କରିନଥାନ୍ତା। ଓଡ଼ିଶାରେ ନବୀନ ବାବୁଙ୍କ ଶାସନ ଦୁଇ ଦଶନ୍ଧିର। ଅତୀତରେ ମଧ୍ୟ ଓଡ଼ିଶା ରାଜନୀତିର ମଙ୍ଗୁଆଳମାନେ ନାରୀକୈନ୍ଦ୍ରିକ କୌଣସି ଇସ୍ୟୁକୁ ନେଇ କେବଳ ବଦନାମ ହୋଇନାହାନ୍ତି ବରଂ ରାଜନୀତିର କ୍ଷମତାରୁ ଅପସରି ଯାଇଛନ୍ତି। ଛବିରାଣୀ ହତ୍ୟାକାଣ୍ଡ, ଅଜନ୍ତା ମିଶ୍ର ଧର୍ଷଣ ପରେ ବହୁ ଚର୍ଚ୍ଚିତ କାଣ୍ଡ ଘଟିଯାଇଛି ଓ ସରକାର ହରଡ଼ଘଣାରେ ପଡ଼ି ବିଦାୟ ନେଇଛନ୍ତି। ବର୍ତ୍ତମାନ ବେବିନା, କୁନ୍ଦୁଲି ପୀଡିତାର ମୃତ୍ୟୁ ଓ ଆଜିର ଦାରିଙ୍ଗିବାଡ଼ି ଆଦିବାସୀ ବନ ବିଦ୍ୟାଳୟର ଛାତ୍ରୀ ଗର୍ଭିଣୀ ହୋଇ ପ୍ରସବ କରିବା ନିଶ୍ଚୟ ଆଜିର ଦିନରେ ନବୀନ ବାବୁଙ୍କ ପାଇ ବିରୋଧୀଙ୍କ ଷଣ୍ଡୁଆସୀ ଆକ୍ରମଣ ଯଥାର୍ଥ। କିନ୍ତୁ ପ୍ରଶ୍ନ ଉଠୁଛି ନବୀନ ବାବୁଙ୍କ ଯୋଜନାର ରେକର୍ଡ଼ ସୃଷ୍ଟି କରିଛି ସତ ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ମୌଳିକ ବ୍ୟବସ୍ଥାଗୁଡ଼ିକ ମଧ୍ୟ ଭୁଷୁଡ଼ି ପଡ଼ିଛି। ଶିକ୍ଷାୟତନରେ ଛାତ୍ରୀଟିକୁ ଗର୍ଭବତୀ କରାଇବାର ଉପାଦାନମାନେ ଆଜି ନୀରବି ଯାଇ ସତକୁ ମିଛ ମିଛକୁ ସତ କରିବା ପାଇଁ କୌଣସି ସୂତ୍ର ଅନୁସନ୍ଧାନରେ ନିଶ୍ଚୟ ଥିବେ। ଅନୁଶୀଳନରୁ ଜଣାଯାଏ ଯେ ଛାତ୍ରୀର ଶ୍ରେଣୀ ହେଉଛି ଅଷ୍ଟମ। ବୟସ ୧୨ ରୁ ୧୫ ମଧ୍ୟରେ। ତା’ର ଶାରୀରିକ କ୍ରିୟା ଓ ପ୍ରତିକ୍ରିୟା, ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପ୍ରବାସୀ ହଷ୍ଟ୍ରେଲର ବ୍ୟବସ୍ଥା ରହିଛି। ଯଦି ଝିଅପିଲାଟି ଗର୍ଭିଣୀ ହୋଇ ସନ୍ତାନ ପ୍ରସବ ଯାଏ କଥାଗଲା, ଏଇ ଭ୍ରୁଣକୁ ନେଇ ପ୍ରସବ ଭିତରେ ତା’ର ଶାରୀରିକ ଢ଼ାଞ୍ଚା ଓ ପରିବର୍ତ୍ତନ କେମିତି କାହାର ଦୃଷ୍ଟିକୁ ନ ଆସିଲା। ଚିକିତ୍ସା ବିଜ୍ଞାନରେ ଶାରୀରିକ ଭିତର ରୋଗର ଚିକିତ୍ସା କଷ୍ଟସାଧ୍ୟ ଓ ନିଦାନ ଜରୁରୀ। ଯେହେତୁ ଆଖିରେ ଦେଖି ରୋଗୀର ରୋଗ ନିର୍ଣ୍ଣୟ କେବଳ କରାଯାଏନି, କିଛି ପ୍ରଶ୍ନ ପଚାରିଥାନ୍ତି ଡ଼ାକ୍ତର । ଯଦି ସମ୍ଭବ ନହୁଏ କୌଣସି ନିଦାନ କେନ୍ଦ୍ରର ଆଶ୍ରୟ ନିଆଯାଇ ରୋଗୀର ରୋଗ ନିର୍ଣ୍ଣୟ ପରେ ବ୍ୟବସ୍ଥାପତ୍ର ଦିଆଯାଏ। ବିଡ଼ମ୍ୱନାର ବିଷୟ ନାବାଳିକା ଛାତ୍ରୀ ଗର୍ଭଧାରଣ ପରେ ଜଟିଳତା ଥିଲା କି, ଶିକ୍ଷକ ଶିକ୍ଷୟିତ୍ରୀ ଅବା ହଷ୍ଟେଲ ନିରୀକ୍ଷକଙ୍କ ତା’ର ଶାରୀରିକ ଅସଂଗତିକୁ ନିରୂପଣ କରିବାକୁ। ବସ୍ରେ ଗାଡ଼ିରେ ଯିବା ସମୟରେ ଯାତ୍ରୀଟିଏ ଗର୍ଭିଣୀକୁ ଦେଖିଲେ ଦୟାଭାବ ଦେଇ ବା ନୈତିକତା ଦୃଷ୍ଟିରୁ ଆସନଟିଏ ଦିଏ। ଶିକ୍ଷାଦାନ କରୁଥିବା ଗୁରୁ ପ୍ରତିଦିନ ଛାତ୍ରୀକୁ ଶିକ୍ଷା ଦିଏ କିନ୍ତୁ କେମିତି ଜାଣିପାରିଲେ ନି ସେଇ ଝିଅର ଶାରୀରିକ ପରିବର୍ତ୍ତନକୁ ଦେଖି ଯେ ସେ ଗର୍ଭିଣୀ ବୋଲି। ଏଥିରୁ ପ୍ରମାଣ ଆଧାରରେ ଶିକ୍ଷକଙ୍କୁ କାହିଁକି ଅନୁସନ୍ଧାନ ପରିସରକୁ ନିଆନଯିବ। ଯଦି ଛାତ୍ରୀ ଗର୍ଭିଣୀ ହେଲା ତେବେ ଶିକ୍ଷାଦାନ ସହ ଜଡ଼ିତ ପ୍ରତିଟି ଶିକ୍ଷକ, ଶିକ୍ଷୟିତ୍ରୀ ଓ ହଷ୍ଟେଲ ୱାର୍ଡେନଙ୍କ ଭୂମିକା ମଧ୍ୟ ସଂଦେହରେ। ହୁଏତ ଛାତ୍ରୀକୁ ଭୟଭୀତ କରାଯାଇ ତାକୁ ଶାରୀରିକ ନିର୍ଯ୍ୟାତନା ଦେଇଥିବା ପରେ ଏପରି ଅଘଟଣ ଘଟିଥିବା ଆମେ ସଂଦେହ କରୁ। ବର୍ତ୍ତମାନ ଆଖି ଆଗରେ ନିର୍ବାଚନ। ଏଭଳି ସମୟରେ ଏଭଳି ଇସ୍ୟୁ ଦେଖାଦେଲେ ବିଜେଡ଼ିର ଭାବମୂର୍ତ୍ତି କ୍ଷୁଣ୍ଣ ହେବା ନିଶ୍ଚିତ। ଏଭଳି ଏକ ହୀନ ଚକ୍ରାନ୍ତ ବିରୋଧୀ ବାଲା କରିଥାଇପାରନ୍ତି, ନାରୀ ଅପମାନକୁ ସମାଜ କେବେ ବି ଗ୍ରହଣ କରିପାରିବ ନାହିଁ। ଏହି ଇସ୍ୟୁକୁ ଢ଼ାଲ କରି ନିର୍ବାଚନ ବୈତରଣୀ ପାର ହେବାକୁ ବିରୋଧୀ ଚେଷ୍ଟା କରୁନାହାନ୍ତି ତ..! ଏହି ଘଟଣାକୁ ନେଇ ବର୍ତ୍ତମାନ କନ୍ଧମାଳରେ ଦଙ୍ଗା ପରି ପରିସ୍ଥିତି ସୃଷ୍ଟି ହୋଇଛି। ଏପରି ସ୍ଥଳେ ବିଜେଡ଼ି ଏକ ରାଜନୈତିକ ଚକ୍ରବ୍ୟୁରେ ଫସିଲା ପରି ମନେହେଉଛି। ପୀଡ଼ିତାକୁ ଢ଼ାଲ କରି ଯଦି ଏଭଳି ଚକ୍ରାନ୍ତ କରାଯାଇଥାଏ ତେବେ ଏହା ଗଣତନ୍ତ୍ର ପ୍ରତି ବିପଦଜନକ ବୋଲି କିଛି ବୁଦ୍ଧିଜୀବୀ ଚିନ୍ତାପ୍ରକଟ କରିଛନ୍ତି। ପୀଡ଼ିତାକୁ ନ୍ୟାୟ ଦାବି କରି କଂଗ୍ରେସ, ବିଜେପି ଏତେ ଜୋର୍ରେ ହାଙ୍ଗାମ କରୁଛନ୍ତି ଯେପରି ସରକାର ଏହି ବିଷୟ ସବୁ ଜାଣି ଚୁପ୍ ରହୁଛି। କିନ୍ତୁ ଏଠାରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ବିରୋଧୀ ଦଳ ଏହି ଘଟଣାକୁ ନେଇ ସିବିଆଇ ତଦନ୍ତ ସପକ୍ଷରେ କାହିଁକି ରହୁନାହାନ୍ତି। ଯଦି ସିବିଆଇ ଏହାର ତଦନ୍ତ କରେ ତେବେ ପ୍ରକୃତ ଦୋଷୀ ହରଡ଼ଘଣାରେ ପଡ଼ିପାରେ। ଯାହାକି ନିଜ ଖୋଳିଥିବା ଗାତରେ ନିଜେ ପଡ଼ିବା ଭଳି ପରିସ୍ଥିତି ସୃଷ୍ଟି ନହେବ କିଏ କହିବ? ଏଠାରେ ସୂଚନା ଥାଉକି ଏହାପଛରେ ଥିବା ମୁଖ୍ୟ ଖଳନାୟକ, ବର୍ତ୍ତମାନ ମଧ୍ୟ ପରଦା ପଛରେ ରହିଥିବା ମନେହେଉଛି। ତେଣୁ ଏଭଳି ଘଟଣାକୁ ଛୋଟ ନ ଭାବି ଏହାର ସିବିଆଇ ତଦନ୍ତ କରାଗଲେ ପ୍ରକୃତ ରହସ୍ୟର ପର୍ଦ୍ଦାଫାସ ହେବ ବୋଲି କିଛି ରାଜନୈତିକ ସମୀକ୍ଷକ କହିଛନ୍ତି। ତେଣୁ ଶିକ୍ଷାୟତନକୁ ଏଭଳି ରାଜନୈତିକ ଫାଇଦା ନେବା ଘଟଣାରୁ ଦୂରେଇ ରଖି ଏହାର ପ୍ରକୃତ ତଦନ୍ତ ହେବା ଜରୁରୀ। କାହିଁକି ନା ଏପରି ଅଘଟଣ ଯେ ଆଉ କୌଣସି ବିଦ୍ୟାଳୟ ଭାଗ୍ୟରେ ଲେଖାଯାଇ ଶିକ୍ଷାୟତନର ପବିତ୍ର ପରିସର ଦୂଷିତ ନହେଉ । ସେ ଯାହାହେଉ ସମସ୍ତେ ନିଜର ରାଜନୈତିକ ରୁଟି ସେକିବାରେ ବ୍ୟସ୍ତ। ଏହା ମଧ୍ୟରେ ପୀଡ଼ିତାର ଅବସ୍ଥା, ସେ କିଭଳି ଏହି ନିନ୍ଦା ଅପବାଦରୁ ମୁକୁଳିବ, ସେ ସମାଜ ଆଗରେ କିପରି ସମ୍ମାନରେ ଠିଆହେବ ଏହି ବିଷୟ ନେଇ କିଏ ମଧ୍ୟ ଚିନ୍ତା କରୁନାହାନ୍ତି। ଅଳ୍ପ ବୟସରେ କୌଣସି କାମୁକର ଶିକାର ହୋଇ କୁଆଁରୀ ମା’ ସାଜି ନିଜ ସନ୍ତାନକୁ ହରାଇବାର ଦୁଃଖ, ସେ ମା’ ହିଁ ଜାଣେ। ପୀଡ଼ିତା ସଂପୂର୍ଣ୍ଣ ସୁସ୍ଥ ହୋଇ ଫେରିବା ପରେ ଏହି ଘଟଣାକୁ ବିଜେଡ଼ି ଅତି ଗମ୍ଭୀରତାର ସହ ନେଇ ଯଦି ସିବିଆଇ ତଦନ୍ତ ପରିସରଭୁକ୍ତ କରେ, ତେବେ ଅସଲ ରହସ୍ୟର ମୁଖା ଖୋଲିବ ଏବଂ ପୀଡ଼ିତାଠାରୁ ପ୍ରକୃତ ରହସ୍ୟ ଜାଣିବା ପରେ ଏହା ଏକ ବିଲ୍ଫୋରକ ବାତାବରଣ ସୃଷ୍ଟି ହେବାର ଆଶଙ୍କାକୁ ଦୂରେଇ ଦିଆଯାଇନପାରେ। ଏପରି ଘଟଣା ଆମର ସାମାଜିକ, ସାଂସ୍କୃତିକ ଚଳଣୀର ରୁଗ୍ଣ ରୂପ ନେଇଛି। ତେଣୁ ନିରପେକ୍ଷ ତଦନ୍ତରେ ଅପେକ୍ଷାରେ ବୁଦ୍ଧିଜୀବୀ।

Share :