ହୋସ୍‌ରେ ନାହାନ୍ତି ନବୀନ ସରକାର!

ହୋସ୍‌ରେ ନାହାନ୍ତି ନବୀନ ସରକାର!

Share :

ଦେବେନ୍ଦ୍ର ପୃଷ୍ଟି ଲୋକଙ୍କୁ ମୃଦୁ ପାନୀୟ ନାଁରେ ପଇଡ଼ ବିକୁ ନାହାନ୍ତି ସରକାର। ପେପ୍ସି କି କୋକାକୋଲା ବି ବିକୁ ନାହାନ୍ତି। ବିକୁଛନ୍ତି ମଦ। ଅବକାରୀ ରାଜସ୍ୱ ବୃଦ୍ଧି ଆଳରେ ମଦକୁ ମୃଦୁ ପାନୀୟ ଭଳି ଚଳେଇଛନ୍ତି ସରକାର। ସହରର ଗଳିକନ୍ଦି, ହାଟ ବଜାର, ହୋଟେଲ ମୋଟେଲ ସବୁଠି ମିଳେ ମଦ। ବାର୍ ଓ ଅଫ୍ ଶପ୍ ଯାହାକୁ ଯେତେ। ବଢ଼ୁଛି ମଦ ବିକ୍ରି। ବଢ଼ୁଛି ରାଜସ୍ୱ। ବଢ଼ୁଛି ବି ମଦ୍ୟପାନ ଜନିତ ନାନାଦି ଘଟଣା ଓ ଦୁର୍ଘଟଣା। ଅବାରିତ ମଦ୍ୟ ପ୍ରସାରଣ ଆମର ଉପକାର କରୁଛି ନା ଅପକାର? ମଦ-ରାଜସ୍ୱ ସରକାରଙ୍କୁ ସୁସ୍ଥ କରୁଛି ନା ଜନତାଙ୍କୁ ରୁଗ୍ଣ ଓ ଅସୁସ୍ଥ? ଲୋକେ ମଦ ପିଇଲେ ଲାଭ କାହାର? କ୍ଷତି କାହାର? ସରକାର ଏହାର ତର୍ଜମା କରନ୍ତି ନାହିଁ। ମହିଳାମାନେ ବିରୋଧ କରନ୍ତି। ରାଜ୍ୟର ମା’ ଓ ଭଉଣୀମାନଙ୍କ ନେତୃତ୍ବରେ ସାରା ରାଜ୍ୟରେ ଏବେ ମଦ ବିରୋଧୀ ଆନ୍ଦୋଳନ। କେଉଁଠି ଉତ୍ତ୍ୟକ୍ତ ମହିଳାମାନେ ମଦଭାଟି ଓ ଦୋକାନ ଭାଙ୍ଗୁଛନ୍ତି ତ କେଉଁଠି ଅତିଷ୍ଠ ଜନତା ମଦ ବିରୋଧରେ ସଚେତନତା ପ୍ରସାରଣ କରୁଛନ୍ତି। ମଦ ଯଦି ମଣିଷର ସ୍ୱାସ୍ଥ୍ୟ ଓ ସମାଜ ପାଇଁ ହିତକର ତେବେ ଏମାନେ ତା’ ବିରୋଧରେ ଆନ୍ଦୋଳନ କାହିଁକି କରୁଛନ୍ତି? କାହିଁକି ଏସବୁ ସ୍ଲୋଗାନ? ବେଶି ଦିନ ତଳର କଥା ନୁହେଁ। ଏଇ ୨୦୧୮ ଜୁନ ୧୬ ତାରିଖର ଘଟଣା। ମଦ ନିଶାରେ ଚୁର୍ ଦୁଃଖିଶ୍ୟାମ ବାଘେର ତା’ ସ୍ତ୍ରୀକୁ ପିଟୁଥିଲା। ଏହା ଦେଖି ତା’ର ବାପାମା ପ୍ରତିବାଦ କଲେ। ନିଶାଗ୍ରସ୍ତ ଦୁଃଖିଶ୍ୟାମ ସେତେବେଳକୁ ହିତାହିତ ଜ୍ଞାନ ହରେଇଥିଲା। ସେ ସ୍ତ୍ରୀକୁ ଛାଡ଼ି ବାପାମା’ଙ୍କୁ ପିଟିପିଟି ମାରିଦେଲା। ଜୁଲାଇ ୧୧ ତାରିଖ। ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମର ଏକ ଘଟଣା। ସୋରାଡ଼ା ବ୍ଲକ ସିଦ୍ଧପୁର ଗାଁର ମନ୍ଦିର ପୂଜକ ଅଭିରାମ ଦାସ ଓ ପୁଅ ବାବୁଲା ଏଳାସାଙ୍ଗରେ ମଦ ପିଇବାକୁ ଗଲେ। ମଦ ପିଇବା ପରେ ୫ ଟଙ୍କା ନିଅଂଟ ପଡ଼ିଲା। ଏହାକୁ ନେଇ ବାପ-ପୁଅଙ୍କ ମଧ୍ୟରେ କଳି ହେଲା। କଳିରୁ ହାତାହାତି। ଶେଷରେ ପୁଅ ବାବୁଲାର ମାଡ଼ରେ ପ୍ରାଣ ହରେଇଲେ ବାପ ଅଭିରାମ। ନଭେମ୍ୱର ୧୦। କେନ୍ଦୁଝର ବାମେବାରୀ ବଲଦା ଅଂଚଳର ଚାରିବା ମୁଣ୍ଡା ନିଶାସକ୍ତ ପୁଅ ମଙ୍ଗଳ ମୁଣ୍ଡାର ଅତ୍ୟାଚାର ସହି ପାରିଲାନି। ତା’କୁ ପିଟିପିଟି ମାରିଦେଲା। ଡିସେମ୍ୱର ୨୨ ତାରିଖ। କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଡୁମୁକା ଗାଁର କଥା। ଜମିବାଡ଼ି ଗଣ୍ଡଗୋଳକୁ ନେଇ ନିଜ ମା’ଙ୍କୁ ହତ୍ୟାକଲା ନିଶାଗ୍ରସ୍ତ ତପନ କାଣ୍ଡି। ଏମିତି ଘଟଣା ରାଜ୍ୟ ସାରା। ବଢ଼ୁଛି ହତ୍ୟା ଓ ଧର୍ଷଣ। ବହୁବିଧ ଅପରାଧ। ମଦ ପାଇଁ ବଢ଼ୁଛି ଚୋରୀ ଓ ଛିନତାଇ। ଲୁଟ୍ ଓ ରାହାଜାନୀ। ୨୦୧୮ ମେ ମାସରେ ରାଜ୍ୟ ସରକାର ବିଧାନସଭାରେ ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ ରାଜ୍ୟରେ ନାବାଳିକା ଦୁଷ୍କର୍ମ ଘଟଣା ବଢ଼ିଚାଲିଛି। ୨୦୧୪ରୁ ୨୦୧୭ ମଧ୍ୟରେ ୪ ହଜାର ୩୪୯ ଜଣ ନାବାଳିକାଙ୍କୁ ଧର୍ଷଣ କରାଯାଇଛି। ୩୮୫ ଜଣଙ୍କୁ ଗଣଧର୍ଷଣ କରାଯାଇଛି। ୨୦୧୪ରେ ୧୦୫୦ ଜଣ ନାବାଳିକ ଦୁଷ୍କର୍ମର ଶିକାର ହୋଇଥିବାବେଳେ ୨୦୧୫ରେ ୧୨୧୨, ୨୦୧୬ରେ ୧୨୦୪ ଓ ୨୦୧୭ରେ ୧୨୮୩ ଜଣ ନାବାଳିକାଙ୍କୁ ଧର୍ଷଣ କରାଯାଇଥିଲା। ଏତଥ୍ୟ ଦେଇଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼଼ିଶା ସରକାରଙ୍କ ତଥ୍ୟ ଅନୁସାରେ ୨୦୧୭ର ପ୍ରଥମ ୯ ମାସ ତୁଳନାରେ ୨୦୧୮ର ପ୍ରଥମ ୯ ମାସ ମଧ୍ୟରେ ରାଜ୍ୟରେ ହତ୍ୟା, ଡକାୟତି, ସଶସ୍ତ୍ର ଡକାୟତି ଆଦି ଅପରାଧ ବୃଦ୍ଧି ପାଇଛି। ୨୦୧୭ ପ୍ରଥମ ୯ ମାସରେ ରାଜ୍ୟରେ ୧୧୦୩ ଜଣ ଲୋକଙ୍କୁ ହତ୍ୟା କରାଯାଇଥିଲା। ୨୦୧୮ର ପ୍ରଥମ ୯ ମାସ ମଧ୍ୟରେ ଏହି ସଂଖ୍ୟା ୧୧୬୧କୁ ବୃଦ୍ଧି ପାଇଛି। ସେହିପରି ଡକାୟତି ୩୭୫ରୁ ୩୯୬କୁ ଏବଂ ରବରି ୧୫୪୨ରୁ ୧୬୨୨କୁ ବୃଦ୍ଧି ପାଇଛି। ମୋଟ ଉପରେ ହିସାବ କଲେ ରାଜ୍ୟରେ ଗତ ତିନି ବର୍ଷ ମଧ୍ୟରେ ବାର୍ଷିକ ହାରାହାରି ୧.୦୩ ଲକ୍ଷ ଅପରାଧ ସଂଘଟିତ ହୋଇଛି। ଏସବୁ ଅପରାଧ ପଛରେ ମଦର ବି ଏକ ଭୂମିକା ଅଛି। ମଦ ପାଇଁ କିମ୍ୱା ମଦ ଯୋଗୁଁ ଅନେକ ଅସାମାଜିକ କାର୍ଯ୍ୟ ଓ ଅପରାଧ ସଂଘଟିତ ହୋଇଥାଏ। ମଦ ଯୋଗୁଁ ପରିବାର ଭିତରେ ବହିଯାଉଛି ଅନେକ ଝଡ଼। ପାରିବାରିକ ହିଂସାର ପ୍ରମୁଖ କାରଣ ହେଉଛି ମଦ। କେଉଁଠି ମଦ୍ୟପ ସ୍ୱାମୀ ସ୍ତ୍ରୀ ପିଲାଛୁଆଙ୍କୁ ବାଡ଼ଉଛି ତ କେଉଁଠି ମଦ୍ୟପ ପୁଅର ଅତ୍ୟାଚାରର ସାମ୍ନା କରୁଛି ମା’। ମଦପାଣିରେ ବୋହିଯାଉଛି ପରିବାରର ରୋଜଗାର। ପିଲାର ପାଠପଢ଼ା ଖର୍ଚ୍ଚ ଭରିପାରୁନି ମଦ୍ୟପ ବାପ। ସ୍ତ୍ରୀ ଓ ପିଲାଙ୍କ ଦେହ ଖରାପ ହେଲେ ଡାକ୍ତର ଦେଖେଇ ହଉନି। ମଦପିଆ ଖର୍ଚ୍ଚ ବୁକେଇ ଯାଉଛି। ଭାଟିରେ ବନ୍ଧା ପଡ଼ୁଛି ରାସନ କାର୍ଡ଼। ଜମିବାଡ଼ି ବିକ୍ରି ହେଇଯାଉଛି। ଉଜୁଡ଼ି ଯାଉଛି ପରିବାର। ଶୁଣିବାକୁ ମିଳୁଛି ଅନେକ ଟାହିଟାପରା। ଲାଲ ଲାଲ ଆଖି, ଟଳମଳ ପାଦ ଓ ବଙ୍କାତେଢ଼ା କଥା, ମଝିରେ ମଝିରେ ଝୁଂଟି ପଡ଼ି ବେହୋସ- ମଦୁଆର ଏଇ ଭାବମୂର୍ତ୍ତିକୁ କେତେ ପସନ୍ଦ କରନ୍ତି ସାଧାରଣ ଜନତା? ସ୍ୱାମୀ ଓ ପୁଅ ମୁହଁରୁ ବାହାରୁଥିବା ମଦଗନ୍ଧ ଓ ଅଶ୍ରାବ୍ୟ ଗାଳିକୁ କେତେ ପସନ୍ଦ କରନ୍ତି ସ୍ତ୍ରୀ ଓ ମା’? ମଦ କ’ଣ ପରିବାର ପାଇଁ ଭଲ? ସମାଜ ପାଇଁ ହିତକର? ମଦ ଯୋଗୁଁ ବଢ଼ୁଛି ନାନାଦି ରୋଗ। ନିୟମିତ ମଦ୍ୟପାନ କଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ। ମସ୍ତିଷ୍କ ଓ ସ୍ନାୟୁ ଦୁର୍ବଳ ହୋଇଯାଏ। ହାଡ଼ ପୁରିଆ ହୋଇଯାଏ। ପେଟରେ ନାନାଦି ସମସ୍ୟା ସୃଷ୍ଟି ହୁଏ। ଅବସାଦ ଓ ଅବସନ୍ନତା ମାଡ଼ିବସେ। ଜୀବନ ହୋଇଯାଏ ଦୁର୍ବିସହ, ଶରୀର ଯନ୍ତ୍ରଣାର ଜତୁଗୃହ। ନିୟମିତ ମଦ୍ୟପାନ କରୁଥିବା ଲୋକକୁ ଅଚିରେ ଲିଭର ସିରୋସିସ ହୋଇପାରେ। କେବଳ ଏଇ ରୋଗ ନୁହେଁ, ଅଭ୍ୟାସଗତ ମଦ୍ୟପଙ୍କୁ ୬୦ରୁ ଅଧିକ ରୋଗ ହେବାର ଆଶଙ୍କା ଥାଏ। ନିୟମିତ ମଦ୍ୟପାନ ଯୋଗୁଁ ହେଉଥିବା କେତେକ ମାରାତ୍ମକ ରୋଗ ହେଲା (୧) ଆନିମିଆ ବା ରକ୍ତହୀନତା, (୨) କର୍କଟ, (୩) ହୃଦଘାତ ଓ ଅନ୍ୟାନ୍ୟ ହୃଦରୋଗ, (୪) ସିରୋସିସ ଅଫ୍ ଲିଭର, (୫) ଡିମେନ୍ସିଆ ବା ସ୍ୃତିହୀନତା, (୬) ଅବସାଦ, (୭) ମୃଗୀବାତ, (୮) ଗଣ୍ଠିବାତ, (୯) ଉଚ୍ଚ ରକ୍ତଚାପ, (୧୦) ଯକ୍ଷ୍ମା, (୧୧) ନିମୋନିଆ, (୧୨) ଏଡ୍ସ ଓ ଅନ୍ୟାନ୍ୟ ସଂକ୍ରାମକ ଯୌନ ରୋଗ, (୧୩) ସ୍ନାୟବିକ ଦୁର୍ବଳତା, (୧୪) ପାନକ୍ରିଆଟିସ, (୧୫) ଅଲ୍ସର, ଓ (୧୬) ଅଷ୍ଟିଓପୋରୋସିସ୍। ଏଥିରୁ ଅଧିକାଂଶ ରୋଗ ଦୁରାରୋଗ୍ୟ ଓ ପ୍ରାଣଘାତୀ। ଚିକିତ୍ସା ମଧ୍ୟ ଅତ୍ୟନ୍ତ ବ୍ୟୟବହୁଳ। ଓଡ଼ିଶାର କେତେ ଲୋକଙ୍କର ଏସବୁ ରୋଗର ଚିକିତ୍ସା କରିବା ପାଇଁ ଆବଶ୍ୟକ ସମ୍ୱଳ ଓ ସାଧନ ଅଛି? ଏଥିରୁ କେତେ ରୋଗର ଚିକିତ୍ସା ପାଇଁ ସରକାର ଯୋଗାଇ ଦେଉଛନ୍ତି ମେଡିକାଲ ଓ ଔଷଧ ଖର୍ଚ୍ଚ? ନିରାମୟ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏସବୁ ରୋଗର ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ପାଣ୍ଠି ଓ ସୁବିଧା ଅଛି କି? ମଦ୍ୟପାନ ଯୋଗୁଁ ଏସବୁ ରୋଗ ଭୋଗ କରୁଥିବା ଲୋକମାନଙ୍କ ପରିବାର ଅବସ୍ଥା କ’ଣ? ରୋଗ ଯନ୍ତ୍ରଣାରେ ଜର୍ଜରିତ ଲୋକମାନେ ଚିକିତ୍ସା ପାଇଁ ଖର୍ଚ୍ଚାନ୍ତ ହେଉଛନ୍ତି, ଜମିବାଡ଼ି ବିକୁଛନ୍ତି, ରୋଜଗାର ହରେଇ ଗରୀବ ହେଉଛନ୍ତି। ଆର୍ଥିକ ଓ ପାରିବାରିକ ସଂକଟରେ ପଡ଼ିଲେ ମାଡ଼ି ବସୁଛି ଅବସାଦ। ଅବସାଦରୁ ମୁକ୍ତି ପାଇଁ ମଦପିଆ ବଢ଼ି ଯାଉଛି। ସେଥିପାଇଁ ଅଧିକ ଅର୍ଥାଭାବ। ଅଧିକ ଅବସାଦ। ଏ ଚକ୍ର ଏମିତି ଚାଲିଛି। ମଦ ପିଇ ସରକାରୀ ତହବିଲ ଭରିବାକୁ ଯାଇ ସର୍ବସ୍ୱାନ୍ତ ହେଉଛନ୍ତି ଗରୀବ ଜନତା। କେବଳ ରୋଗ ନୁହେଁ, ନିୟମିତ ଓ ଅତ୍ୟଧିକ ମଦ୍ୟପାନ ଯୋଗୁଁ ବଢ଼ୁଛି ସଡ଼କ ଦୁର୍ଘଟଣା। ନିଶାଗ୍ରସ୍ତ ଅବସ୍ଥାରେ ଦୁର୍ଘଟଣା ହୋଇପାରେ ପ୍ରାଣଘାତୀ। ଅନେକ ସମୟରେ ମଦ ପିଇଥିବା ଲୋକ ଗାଡ଼ି ଚଳେଇଲାବେଳେ ଭାରସାମ୍ୟ ରକ୍ଷା କରିପାରେ ନାହିଁ। ବେଳେବେଳ ଆଖିକୁ ସାମ୍ନାର ଦୃଶ୍ୟ ଠିକ ଭାବେ ଦେଖାଯାଏ ନାହିଁ। ନିଶାଗ୍ରସ୍ତ ଅବସ୍ଥାରେ ବିପଦ ଆପଦକୁ ଠିକ ଭାବେ ବୁଝିପାରେ ନାହିଁ ଚାଳକ। ତେଣୁ ହୁଏ ଦୁର୍ଘଟଣା। ପ୍ରାଣଯାଏ ନହେଲେ ମିଳେ ଆଜୀବନ ଯନ୍ତ୍ରଣା। ଓଡ଼଼ିଶାରେ ମଦ ଦୋକାନ ଓ ମଦ ବିକ୍ରି ବୃଦ୍ଧି ସାଙ୍ଗକୁ ବର୍ଷକୁ ବର୍ଷ ବଢ଼ି ଚାଲିଛି ଦୁର୍ଘଟଣା ଓ ଅକାଳ ମୃତ୍ୟୁ। ୨୦୧୮ ନଭେମ୍ୱର ୧୭ ତାରିଖରେ ଖୋଦ ରାଜ୍ୟ ସରକାର ବିଧାନସଭାରେ ଉପସ୍ଥାପିତ କରିଥିବା ତଥ୍ୟ ଅନୁସାରେ ୨୦୦୮ରୁ ୨୦୧୮ ସେପ୍ଟେମ୍ୱର ମାସ ମଧ୍ୟରେ ଓଡ଼଼ିଶାର ୪୩ ହଜାର ୩୧୨ ଲୋକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବାବେଳେ ଆହତ ହୋଇଛନ୍ତି ୫୭ ହଜାର ୬୮୪ ଜଣ ଲୋକ। ଏହି ସମୟ ମଧ୍ୟରେ ରାଜ୍ୟରେ ଘଟିଛି ସମୁଦାୟ ୧ ଲକ୍ଷ ୪ ହଜାର ୭୧୩ ସଡ଼କ ଦୁର୍ଘଟଣା। ୨୦୧୩ ପରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ବାର୍ଷିକ ହାରାହାରି ପ୍ରାୟ ୪ ହଜାର ଲୋକଙ୍କର ମୃତ୍ୟୁ ହେଉଛି। ଗତ ତିନି ବର୍ଷରେ ଜାତୀୟ ସ୍ତରରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହାର ୩ ପ୍ରତିଶତ କମିଥିବାବେଳେ ଓଡ଼଼ିଶାରେ ୭.୩୮ ପ୍ରତିଶତ ବୃଦ୍ଧି ପାଇଛି। ଏହାର କାରଣ କ’ଣ? ମଦ ପ୍ରସାରଣ ନୁହେଁ ତ? ଦୁର୍ଘଟଣା ଯୋଗୁଁ ଯଦି ବି ଜୀବନ ବଂଚିଯାଏ ଚାଲିଯାଇପାରେ କୌଣସି ଅଙ୍ଗ। କିଏ ଗୋଡ଼ ହରେଇ ପାରେ। କିଏ ହରେଇପାରେ ହାତ। କାହାର ମେରୁଦଣ୍ଡ ସାରା ଜୀବନ ପାଇଁ ଦୁର୍ବଳ ହୋଇଯାଇପାରେ। ସାରା ଜୀବନ ପାଇଁ ବିକଳାଙ୍ଗ ଓ ପରନିର୍ଭରଶୀଳ ହୋଇପାରନ୍ତି କେହି କେହି। ସାମାନ୍ୟ ରାଜସ୍ୱ ପାଇଁ ମଦ ପ୍ରସାରଣ କରୁଥିବା ସରକାର କ’ଣ ଏଇଆ ଚାହାନ୍ତି? ଓଡ଼ିଶାବାସୀ ଅଙ୍ଗହୀନ ଅକର୍ମା ହୋଇଯାନ୍ତୁ? ଅନ୍ୟର ଦାନ ଓ ଦୟାରେ ବଂଚନ୍ତୁ ସ୍ୱାଭିମାନୀ ଓଡ଼ିଆ? ଏହା ଏକ ଚକ୍ରାନ୍ତ ନୁହେଁ କି? ରାଜ୍ୟ ସରକାର ୨୦୧୬ ମସିହାରେ ପ୍ରକାଶ କରିଥିବା ଏକ ତଥ୍ୟ ଅନୁସାରେ ତା’ ପୂର୍ବ ୧୫ ବର୍ଷ ମଧ୍ୟରେ ରାଜ୍ୟରେ ମଦ ବିକ୍ରି ୧୦ ଗୁଣ ଓ ଅବକାରୀ ରାଜସ୍ୱ ୨୨ ଗୁଣ ବୃଦ୍ଧି ପାଇଛି। ପରବର୍ତ୍ତୀ ଦୁଇ ବର୍ଷ ମଧ୍ୟରେ ଅବକାରୀ ରାଜସ୍ୱ ଆଉ କେଇ ୫ ଗୁଣ ବୃଦ୍ଧି ପାଇଛି। ୧୯୯୯-୨୦୦୦ ଆର୍ଥିକ ବର୍ଷରେ ରାଜ୍ୟ ସରକାର ମଦ ଉପରୁ ମୋଟ ୧୧୪ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଥିଲେ। ୨୦୧୬-୧୭ ଆର୍ଥିକ ବର୍ଷକୁ ତାହା ୩୮୭୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ବିଜୁ ପଟ୍ଟନାୟକ ଦ୍ୱିତୀୟ ଦଫା ମୁଖ୍ୟମନ୍ତ୍ରୀ ଥିଲାବେଳେ ଜଣେ ଆଦିବାସୀ ମହିଳାଙ୍କ କଥା ଶୁଣି ରାଜ୍ୟରେ ଦେଶୀ ମଦ ନିଷିଦ୍ଧ କରିଥିଲେ। ଏହା ରାଜ୍ୟର ଆଦିବାସୀ ଓ ଦଳିତ ଜନତାଙ୍କ ଆର୍ଥିକ ଦୁର୍ଗତିର ଅନ୍ୟତମ କାରଣ ବୋଲି ମହିଳା ଜଣକ କହିଥିଲେ। କେବଳ ଆଦିବାସୀ ଓ ଦଳିତ ନୁହନ୍ତି, ପଛୁଆ ଓ ଅନ୍ୟ ବର୍ଗର ଲୋକମାନେ ମଧ୍ୟ ମଦ କବଳରେ ପଡ଼ି ଆର୍ଥିକ ଅନଟନର ସାମ୍ନା କରୁଛନ୍ତି। କିନ୍ତୁ ଓଡ଼ିଶାର ନବୀନ ପଟ୍ଟନାୟକଙ୍କ ସରକାର ରାଜ୍ୟରେ କିପରି ଅଧିକ ମଦ ବିକ୍ରି ହେବ, ଅଧିକରୁ ଅଧିକ ଲୋକ କିପରି ମଦ ପିଇ ମାତାଲ ହେବେ ସେଇ ବ୍ୟବସ୍ଥା କରିଛନ୍ତି। ସେଇ ବ୍ୟବସ୍ଥାରେ ରାଜ୍ୟରେ ବଢ଼ି ଚାଲିଛି ମଦ ବିକ୍ରି। ୨୦୧୬ ମସିହାରେ ତତ୍କାଳୀନ ଅବକାରୀ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ବିଧାନସଭାରେ ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ ୧୯୯୯-୨୦୦୦ ଆର୍ଥିକ ବର୍ଷରେ ରାଜ୍ୟରେ ବିକ୍ରି ପାଇଁ ୪୬.୨୦ ଲକ୍ଷ ଲିଟର ଭାରତ ତିଆରି ବିଦେଶୀ ମଦ ଉଠା ଯାଇଥିଲା। ୨୦୧୫-୧୬ ବର୍ଷ ବେଳକୁ ତାହାର ପରିମାଣ ୪୫୫.୭୦ ଲକ୍ଷ ଲିଟରକୁ ବୃଦ୍ଧି ପାଇଥିଲା। ସେହିପରି ୧୯୯୯-୨୦୦୦ ବର୍ଷରେ ୫୪.୪୩ ଲକ୍ଷ ଲିଟର ବିୟର ବିକ୍ରି ପାଇଁ ଉଠିଥିବାବେଳେ ୨୦୧୫-୧୬ ବର୍ଷକୁ ତାହାର ପରିମାଣ ୪୮୫.୪୩ ଲକ୍ଷ ଲିଟରକୁ ବୃଦ୍ଧି ପାଇଥିଲା। ଡାକ୍ତର ରାଉତଙ୍କ ତଥ୍ୟ ଅନୁସାରେ ୨୦୦୪-୦୫ ବର୍ଷରେ ୪୫.୮୮ ଲକ୍ଷ ଲିଟର ଦେଶୀ ମଦ ବିକ୍ରି ହୋଇଥିଲାବେଳେ ୨୦୧୫-୧୬ ବର୍ଷକୁ ଏହି ପରିମାଣ ୧୦୨.୬୨ ଲକ୍ଷ ଲିଟରକୁ ବୃଦ୍ଧି ପାଇଥିଲା। ୧୯୯୯-୨୦୦୦ ବର୍ଷରେ ଆଉଟ-ଷ୍ଟିଲ ବା ଓଏସ୍ ମଦ ବିକ୍ରି ପରିମାଣ ୭୧.୦୧ ଲକ୍ଷ ଲିଟର ଥିଲାବେଳେ ୨୦୧୫-୧୬ ବର୍ଷ ବେଳକୁ ତାହା ୬୦୨.୭୨ ଲକ୍ଷ ଲିଟରରେ ପହଂଚିଥିଲା। ଏହି ସମୟ ମଧ୍ୟରେ ମୋଟ ମଦ ବିକ୍ରି ପରିମାଣ ୯.୫୯ ପ୍ରତିଶତ ବୃଦ୍ଧି ପାଇଥିଲା। ୨୦୦୦ ମାର୍ଚ୍ଚ ୫ ତାରିଖରେ ବିଜୁ ଜନତା ଦଳର ନେତା ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ। ତାଙ୍କ ପୌରୋହିତ୍ୟରେ ରାଜ୍ୟରେ ମଦ ବିକ୍ରି ବର୍ଷକୁ ବର୍ଷ ବଢ଼ି ଚାଲିଛି। ତାଙ୍କ ସରକାର ସମୟରେ ଅବକାରୀ ରାଜସ୍ୱ ବୃଦ୍ଧି ପାଇବା ସହିତ ରାଜ୍ୟରେ ମଦ୍ୟପାନ ମଧ୍ୟ ବୃଦ୍ଧି ପାଇଛି। ଅଠର ବର୍ଷର ହିସାବ କଲେ ଜଣାଯାଏ ଯେ ନିର୍ବଚନ ସମୟରେ ହିଁ ମଦ ବିକ୍ରି ପରିମାଣ ଢେର ଗୁଣ ବଢ଼ିଛି। ୧୯୯୯-୨୦୦୦ ବର୍ଷରେ ରାଜ୍ୟରେ ମଦରୁ ୧୧୪.୮୧ କୋଟି ଟଙ୍କା ରାଜସ୍ୱ ଅର୍ଜନ ହୋଇଥିଲାବେଳେ ୨୦୧୫-୧୬ ବର୍ଷ ବେଳକୁ ତାହା ୨୫୬୮.୬୭ କୋଟି ଟଙ୍କାରେ ପହଂଚିଥିଲା। ବିକ୍ରି କର ଓ ପ୍ରବେଶ କରକୁ ହିସାବ କଲେ ସେହିବର୍ଷ ମଦ ବାବଦରେ ରାଜ୍ୟ ସରକାରଙ୍କ ମୋଟ ଆୟ ପରିମାଣ ଥିଲା ୩୩୮୮.୯୦ କୋଟି ଟଙ୍କା। ୨୦୧୬-୧୭ ବର୍ଷରେ ଏହି ପରିମାଣ ୩୮୭୭.୮୭ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ନବୀନ ସରକାରଙ୍କ ମଦ ନୀତି ଯୋଗୁଁ ହିଁ ରାଜ୍ୟରେ ବୃଦ୍ଧି ପାଉଛି ମଦୁଆଙ୍କ ସଂଖ୍ୟା ଓ ମଦ୍ୟପାନର ପରିମାଣ। ନବୀନ ପଟ୍ଟନାୟକଙ୍କ ପ୍ରଥମ ୧୫ ବର୍ଷର ମୁଖ୍ୟମନ୍ତ୍ରିତ୍ୱ ସମୟରେ ରାଜ୍ୟରେ ମୁଣ୍ଡ ପିଛା ମଦ୍ୟପାନ ପରିମାଣ ୫୦୦ ପ୍ରତିଶତ ବୃଦ୍ଧି ପାଇଛି। ୨୦୦୧-୦୨ ବର୍ଷରେ ରାଜ୍ୟରେ ମୁଣ୍ଡପିଛା ୭୦୦ ମିଲିଲିଟର ମଦ୍ୟପାନ ହେଉଥିଲା। ୨୦୧୫ ବେଳକୁ ଏହା ୫ ଲିଟରକୁ ବୃଦ୍ଧି ପାଇଛି। ଲିକର, ୱାଇନ, ବିୟର- ରାଜ୍ୟରେ ବଢ଼ିଛି ସବୁ ପ୍ରକାର ମଦର ଉପଭୋଗ। ସରକାରୀ ତଥ୍ୟ ଅନୁସାରେ ୨୦୧୦-୧୧ରୁ ୨୦୧୫-୧୬ ମଧ୍ୟରେ ୱାଇନ୍ ଉପଭୋଗ ୮୩ ପ୍ରତିଶତ ବୃଦ୍ଧି ପାଇଥିଲା। ୨୦୧୧ ପରଠାରୁ ବିୟର ପାନ କ୍ଷେତ୍ରରେ ଓଡ଼ିଶାର ଦେଶର ପ୍ରଥମ ୧୦ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ଓଡ଼ିଆ ଲୋକମାନେ ଏବେ ବାର୍ଷିକ ମୁଣ୍ଡ ପିଛା ପ୍ରାୟ ୨ ଲିଟର ବିୟର ପାନ କରୁଛନ୍ତି। ଜାତୀୟ ନମୂନା ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ଅନୁସାରେ ମଧ୍ୟ ପ୍ରଦେଶ, ବିହାର, ଛତିଶଗଡ଼ ଓ ଝାଡ଼ଖଣ୍ଡ ତୁଳନାରେ ଓଡ଼ିଶାର ସହରାଂଚଳ ଲୋକମାନେ ଅଧିକ ମଦ୍ୟପାନ କରୁଛନ୍ତି। ଏହି ସଂସ୍ଥାର ରିପୋର୍ଟ କହେ ଯେ ଓଡ଼ିଶାର ଅଧିକ ସଂଖ୍ୟକ ସହରବାସୀ ୱାଇନ ଓ ବିୟର ତୁଳନାରେ ଦେଶୀ ମଦ ପିଇଥାନ୍ତି। ଓଡ଼ିଶାର ୮ ପ୍ରତିଶତ ସହରବାସୀ ଦେଶୀ ମଦ ପିଉଥିବାବେଳେ ବିୟର ଓ ୱାଇନ କ୍ଷେତ୍ରରେ ଏହି ହାର ହେଉଛି ଯଥାକ୍ରମେ ୫ ଓ ୨ ପ୍ରତିଶତ। ତେବେ ଗ୍ରାମାଂଚଳର ଲୋକମାନେ ତୁଳନାତ୍ମକ ଭାବେ ଅଧିକ ପରିମାଣରେ ତାଡ଼ି ଓ ମହୁଲି ମଦ ପିଉଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରାଜ୍ୟର ଖୋର୍ଦ୍ଧା, ଗଂଜାମ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, କଳାହାଣ୍ଡି ଓ ବଲାଙ୍ଗୀର ଆଦି ଜିଲ୍ଲାରେ ଦ୍ରୁତଗତିରେ ବଢ଼ି ଚାଲିଛି ମଦ୍ୟପଙ୍କ ସଂଖ୍ୟା ଓ ମଦବିକ୍ରିର ପରିମାଣ। କିଏ ପିଉଛି ଆସ୍କା ଫର୍ଟି ତ କିଏ ପିଉଛି ଫେମସ୍ ଗ୍ରାଉସ୍। କିଏ ପିଉଛି ଜନି ୱାକର ତ କିଏ ପିଉଛି ଅଫିସର୍ସ ଚଏସ। ରାଜ୍ୟର ଅପରାଧ ରେକର୍ଡ଼କୁ ଅନୁଶୀଳନ କଲେ ସ୍ପଷ୍ଟ ବାରି ହୁଏ ଯେ ଯେଉଁ ଜିଲ୍ଲାରେ ଯେତେ ଅଧିକ ମଦ ବିକ୍ରି ସେହି ଜିଲ୍ଲାରେ ସେତେ ଅଧିକ ଅପରାଧ। ଯେଉଁଠି ଅଧିକ ଦାରିଦ୍ର୍ୟ ସେଠି ବି ମଦ୍ୟପାନ ଅଧିକ। ଉଦାହରଣ ଆଦିବାସୀ ଅଧ୍ୟୁସିତ ଜିଲ୍ଲା। ତେବେ ମହୁଲି, ଚାଉଳି, ସଲପ, ତାଡ଼ି, ହାଣ୍ଡିଆ ଆଦି ପିଇ ଆଦିବାସୀ ଭୋକ ମାରେ, ଅଳ୍ପ ଖର୍ଚ୍ଚରେ ଚଳେଇନିଏ। ଏସବୁ ବଦଳରେ ବିଦେଶୀ ପିଇଲେ ଖର୍ଚ୍ଚ ଅଧିକ, କ୍ଷତି ତତୋଧିକ। ଦୁଃଖ ଓ ପରିତାପର ବିଷୟ ଯେ ରାଜ୍ୟ ସରକାର ରାଜ୍ୟ ସାରା ମଦ ଦୋକାନ ଖୋଲିବାକୁ ଯେତେ ତତ୍ପର ଡାକ୍ତରଖାନା ଖୋଲିବାକୁ ସେତିକି ତତ୍ପର ନୁହନ୍ତି। ରାଜ୍ୟରେ ଏବେ ୪ ହଜାର ସରିକି ମଦ ଦୋକାନ। ମାତ୍ର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସଂଖ୍ୟା ହେଉଛି ପ୍ରାୟ ୧୭୦୦। ଏ ହେଉଛି ଆମ ସରକାରଙ୍କ ନୀତି। ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାକୁ ଚୁଲିକୁ ଠେଲି ସରକାର ମଦ ପ୍ରସାରଣରେ ମାତିଛନ୍ତି। ମଦ ପିଇ ଲୋକେ ମାତାଲ ହେଲେ, ରୋଗଗ୍ରସ୍ତ ହେଲେ, ଦୁର୍ଘଟଣାରେ ମୃତାହତ ହେଲେ ସେଥିକି ସରକାରଙ୍କ ଚିନ୍ତା ନାହିଁ। ଗାଁ ଗାଁରେ ମଦୁଆଙ୍କ ଯୋଗୁଁ ମା’ ଭଉଣୀଙ୍କ ଇଜ୍ଜତ ଯାଉଛି। ସରକାର ସେମାନଙ୍କୁ ନ୍ୟାୟ ଦେବା ବଦଳରେ ଇଜ୍ଜତ ଲୁଣ୍ଠନକାରୀଙ୍କୁ ପରୋକ୍ଷରେ ସୁରକ୍ଷା ଦେଉଛନ୍ତି। ମା’ ଭଉଣୀମାନେ ମଦ ବିରୋଧରେ ଆନ୍ଦୋଳନ କରୁଛନ୍ତି। ସରକାର ସେମାନଙ୍କୁ ପୁଲିସ ଲଗାଇ ଗୁଳି କରୁଛି। କେନ୍ଦ୍ରାପଡ଼ା ଜିଲ୍ଲାର ନମତାରା ଏବେ ବି ଏପରି ଘଟଣାର ସାକ୍ଷୀ। ସେଠି ମଦ ବିରୋଧରେ ଆନ୍ଦୋଳନ କରି ଗୁଳି ଖାଇଥିବା ମହିଳାଙ୍କ ପାଖରେ ଏବେ ବି ପହଂଚି ନାହିଁ ପ୍ରଶାସନ। ପ୍ରଶ୍ନ ଉଠେ, ସରକାର କାହାର? ମା’ର ନା ମଦର? ମଦ କ’ଣ ସରକାରଙ୍କ ପରିଭାଷାରେ ମା’ର ସମ୍ମାନ? କେଇ ଦିନ ତଳେ ଢେଙ୍କାନାଳ ଜିଲ୍ଲା ବଳରାମପୁରରେ ସରକାରଙ୍କ ପ୍ରସ୍ତାବିତ ଏକ ମଦ କାରଖାନା ବିରୋଧରେ ଲୋକେ ଆନ୍ଦୋଳନ କଲେ। ଏଇ ମଦ କାରଖାନା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୮ ନଭେମ୍ୱର ୩ ତାରିଖରେ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଅଧୀନରେ ସେଠାରେ ମଦ କାରଖାନା ପାଇଁ ସରକାର ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ଇଡ଼କୋ ସେଥିପାଇଁ ଜମି ଦେଇଥିଲା। ଜଙ୍ଗଲ କିସମର ଜମିକୁ ବେଆଇନ ଭାବେ ପତିତ ଜମି ଦର୍ଶାଇ ଜମି ଦିଆଯାଇଥିଲା। ସେଠାରେ ଥିଲା ସହସ୍ରାଧିକ ଶାଳ, ପିଆଶାଳ, ଶାଗୁଆନ ଆଦି ବିଭିନ୍ନ କିସମର ଗଛ ଓ ଅନେକ ଔଷଧୀୟ ଗୁଳ୍ମ। ଗାଁ ଲୋକଙ୍କ ବିରୋଧ ସତ୍ୱେ ଦିନେ ସକାଳେ ହଠାତ ସରକାର ପୁଲିସ ଜଗାଇ ମେସିନ୍ ଲଗାଇ ପ୍ରାୟ ହଜାରେ ଗଛ କାଟିଦେଲେ। ଏହା ବିରୋଧରେ ଲୋକେ ଜାଗିଲେ। ରାଜନୀତି ତେଜିଲା। ବିପକ୍ଷର ବିଭିନ୍ନ ନେତା ସେଠାକୁ ଯାଇଁ ଜନ ଆନ୍ଦୋଳନକୁ ସମର୍ଥନ କଲେ। ଏଥିରେ ଧରା ପଡ଼ିଗଲା ମୁଖ୍ୟମନ୍ତ୍ରୀଙ୍କ କାରସାଦି। ତେଣୁ ଶେଷରେ ବାଧ୍ୟ ହୋଇ ସେ କାରଖାନା ବାତିଲା ହେଲା ବୋଲି ଘୋଷଣା କଲେ। ବଳରାମପୁରରେ ଯଦି ସରକାର ଲୋକଙ୍କ କଥା ଶୁଣିଲେ ଅନ୍ୟତ୍ର କାହିଁକି ଶୁଣୁ ନାହାନ୍ତି? କାହିଁକି ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନକୁ ଦମନ କରାଯାଉଛି? କାହିଁକି ପୁଲିସ ମଦ ବେପାରୀଙ୍କୁ ସୁରକ୍ଷା ଦେଉଛି? କେଉଁ ସ୍ୱାର୍ଥରେ? ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ଯୋଗୁଁ ଭୋଟ ରାଜନୀତିରେ ମଦର ଭୂମିକା ବଢ଼ି ଚାଲିଛି। ପୂର୍ବରୁ ଯେ ଅନ୍ୟ ଦଳଗୁଡ଼ିକ ଭୋଟ ସମୟରେ ମଦପାଣି ବାଂଟୁ ନଥିଲେ ତା’ ନୁହେଁ। ଗଲା ୪/୫ଟି ନିର୍ବାଚନରେ କିନ୍ତୁ ଭୋଟ ସମୟରେ ମଦ ବ୍ୟବହାର ବଢ଼ି ଯାଇଛି। ଭୋଟ୍ ସମୟରେ ଗାଁ ଗାଁରେ ମିଳୁଛି ମଦ ପାଉଚ ଓ ବୋତଲ। ମଦ ଓ ମାଂସର ଭୋଜି କରୁଛନ୍ତି ଦଳୀୟ କର୍ମୀ। ଭୋଟଦାତାଙ୍କୁ ବି ମଦ ପିଆଇ ଭୋଟ ଆଦାୟ କରାଯାଉଛି। ଆଶ୍ଚର୍ଯ୍ୟର କଥା ହେଉଛି ଶାସକ ବିଜୁ ଜନତା ଦଳର ମୂଳ ସମ୍ୱିଧାନ ଅନୁସାରେ ଦଳରେ ମଦ୍ୟପାନ ନିଷିଦ୍ଧ। ମଦ ପିଉଥିବା ଲୋକ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ହୋଇପାରିବ ନାହିଁ ବୋଲି ବିଜେଡି ସମ୍ୱିଧାନରେ ଉଲ୍ଲେଖ ରହିଛି। ଏ କଥା ଉଲ୍ଲେଖ କରିଛନ୍ତି ବିଶିଷ୍ଟ ସାମ୍ୱାଦିକ ରୁବେନ ବାନାର୍ଜୀ ତାଙ୍କ ଲିଖିତ ନବୀନ ପଟ୍ଟନାୟକ ବହିରେ। ତାହାକୁ କେହି ଏଯାଏଁ ଖଣ୍ଡନ କରି ନାହାନ୍ତି। ତେବେ ସତରେ କ’ଣ ବିଜେଡିର କୌଣସି ନେତା ବା କର୍ମୀ ମଦ ପିଅନ୍ତି ନାହିଁ? ଯଦି ବିଜେଡି ନେତା ଓ କର୍ମୀ ମଦ ପିଅନ୍ତି ନାହିଁ ତେବେ ରାଜ୍ୟବାସୀଙ୍କ ପାଇଁ କାହିଁକି ମଦର ବନ୍ୟା ସୃଷ୍ଟି କରିଛନ୍ତି? ଲୋକଙ୍କୁ ମଦୁଆ କରି ନିଜେ କ୍ଷମତାର ମଉଜ ନେବାକୁ? ସେହି ବହିରେ ରୁବେନ ଲେଖିଛନ୍ତି ନବୀନବାବୁ ଫେମସ୍ ଗ୍ରାଉଜ୍ ନାମକ ଏକ ଦାମୀ ହୁଇସ୍କି ପିଅନ୍ତି। ସେ ନିଜେ ପିଅନ୍ତି ବୋଲି କ’ଣ ରାଇଜ ସାରା ଲୋକଙ୍କୁ ମଦ ପିଆଇବାକୁ ଯୋଜନା କରିଛନ୍ତି? ଯୋଜନା କରିଛନ୍ତି ମଦ ମାଧ୍ୟମରେ ଘରେ ଘରେ ଆର୍ଥିକ ଅନଟନ, କଳି ତଳରାଳ, ମାଡ଼ଗାଳି ପୂରେଇ ପରିବାର ଉଜାଡ଼ିବାକୁ? ଉଜାଡ଼ିବାକୁ ଗାଁର ପରିବେଶ, ଶାନ୍ତି ଓ ସୌହାର୍ଦ୍ଦ୍ୟ? ଓଡ଼ିଶାବାସୀ ହିଁ ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ଉଚିତ। କାରଣ ସମସ୍ୟା ସରକାରଙ୍କର ନୁହେଁ, ସମାଜର। ଲୋକ ନଚେତିଲେ ସରକାର ଚେତିବେ ନାହିଁ। ମଦ ନିଶାରେ ଚୁର୍‌ ସରକାରଙ୍କର ଏବେ ହୋସ୍‌ ନାହିଁ।

Share :