ସ୍ମାର୍ଟ ସିଟି ଭୁବନେଶ୍ବର

ସ୍ମାର୍ଟ ସିଟି ଭୁବନେଶ୍ବର

Share :

ଅଭୟ କୁମାର ରଥ   ଭୁବନେଶ୍ବର ସ୍ମାର୍ଟ ସିଟି ଭାବେ ବିକଶିତ ହେବ | କେନ୍ଦ୍ର ସରକାର ଆମ ଦେଶରେ ୧୦୦ଟି ସ୍ମାର୍ଟ ସିଟି ବିକାଶ କରିବାକୁ ଘୋଷଣା କରିବା ପରେ ପ୍ରଥମ ପର୍ଯ୍ୟାରେ ୨୦ଟି ସହରର ତାଲିକା ପ୍ରକାଶ ପାଇଛି | ଏହି ତାଲିକାର ସର୍ବାଗ୍ରେ ରହିଛି ଭୁବନେଶ୍ବର | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶଗସ୍ତ ସମୟରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି, ଭାରତର ଭିତ୍ତିଭୂମି ବିକାଶ କ୍ଷେତ୍ରରେ, ବିଶେଷ କରି, ପ୍ରତିରକ୍ଷା ଏବଂ ସ୍ମାର୍ଟ ସିଟି ବିକାଶରେ ଭାରତକୁ ୧୦୦୦ କୋଟି ଡଲାର ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ  ବ୍ରିଟେନର ପ୍ରଧାନମନ୍ତ୍ରୀ ଡେଭିଡ କାମେରୁନ ଭାରତର ଅମରାବତି, ଇନ୍ଦୋର ଓ ପୁନେକୁ ସ୍ମାର୍ଟ ସିଟି କରିବାରେ ସମସ୍ତ ପ୍ରକାର ସହାୟତା ଦେବାକୁ ପ୍ରତିଶ୍ରୁତିବଦ୍ଧ | ଆମ ଦେଶରେ ଏବେ ସହରାଞ୍ଚଳରେ ବାସକରୁଥିବା ଲୋକଙ୍କ ସଂଖ୍ୟା ମୋଟ୍ ଲୋକ ସଂଖ୍ୟାର 30 ପ୍ରତିଶତ ହେବାବେଳେ ୨୦୩୦ ମସିହା ବେଳକୁ ଏହା ୪୦ ପ୍ରତିଶତକୁ ବୃଦ୍ଧି ପାଇବାନେଇ ବିଶେଷାଜ୍ଞମାନଙ୍କ ଆକଳନରୁ ଜଣାପଡିଛି |  ୨୦୫୦ ମସିହା ବେଳକୁ ଆମ ଦେଶର ମୋଟ ୮୪ କୋଟି ଲୋକ ସହରରେ ବାସ କରୁଥିବେ ଏବଂ ଏହା ମୋଟ ଜନସଂଖ୍ୟାର ହାରାହାରି ୫୦ ପ୍ରତିଶତ ହୋଇସାରିଥିବ | ଭାରତ ସରକାରଙ୍କ ସହରାଞ୍ଚାଳ ବିକାଶ ମନ୍ତ୍ରାଣାଳୟ ପକ୍ଷରୁ ପ୍ରକାଶିତ ପୁସ୍ତିକାରେ ସ୍ମାର୍ଟ ସିଟି ଗୁଡିକର ବିକାଶ ପାଇଁ ୩ଟି ମୁଖ୍ୟ ଭିତ୍ତିଭୂମିକୁ ଆଧାର କରି ନିଷ୍ପତ୍ତି ଗ୍ରହଣ କରିଛନ୍ତି, ଯଥା-ଭୌତିକ, ସାମାଜିକ ଓ ଆନୁଷ୍ଠାନିକ |  ଶକ୍ତି, ଜଳଯୋଗାଣ, ଭୂତଳ ନାଳ, କମ୍ପୁଟର ସେବା, ରାସ୍ତା, ରେଳ  ବିମାନ ବନ୍ଦର ସଂଯୋଗ, ବାସଗୃହ, ବିପର୍ଯୟ ପ୍ରଶମନ ଓ ପରିଚାଳନା ପ୍ରଭୃତି ଭୌତିକ ଭିତ୍ତିଭୂମି ଅନ୍ତର୍ଗତ ହୋଇଥିବା ବେଳେ ଶିକ୍ଷା, ସ୍ବାସ୍ଥ୍ୟସେବା, କ୍ରୀଡା, ସଂସ୍କୃତି, କଳା, ନୃତ୍ୟ, ଗୀତ, ପର୍ଯ୍ୟଟନ ତଥା ଉପେକ୍ଷିତ ବର୍ଗଙ୍କ ବିକାଶ ସାମାଜିକ ଭିତ୍ତିଭୂମି ଏବଂ ଧନ ଜୀବନର ସୁରକ୍ଷା,  ଟିକସ ଆଦାୟ,  ପ୍ରଶାସନର ସ୍ବଚ୍ଛତା ଓ ଉତ୍ତର ଦାୟୀତ୍ବ, ପରିବେଶ ସୁରକ୍ଷା, କାରିଗରୀ କୌଶଳ ବିକାଶ, ଆବଶ୍ୟକ ସେବା ପ୍ରଦାନକୁ ତ୍ବରାନ୍ବିତ କରିବା ସଙ୍ଗେ ସଙ୍ଗେ ଆଇନର ଶାସନ, ନିଷ୍ପତି ଗ୍ରହଣ ପ୍ରକ୍ରିୟାରେ ଜନସାଧାରଣଙ୍କ ଯୋଗଦାନ, ସୂଚନା ଓ ସଂଚାର ପ୍ରଯୁକ୍ତି ବିଦ୍ୟା ସମ୍ପକିର୍ତ ସେବା ପ୍ରଦାନ ଓ ନାଗରିକ ପରାମର୍ଶ ବ୍ୟବସ୍ଥା ଇତ୍ୟାଦି ଆନୁଷ୍ଠାନିକ ଭିତ୍ତିଭୂମିରେ ଅନ୍ତର୍ଭୁକ୍ତ କରାଯାଇଥିବା ସୂଚନା ମିଳିଛି | ଆହୁରି ମଧ୍ୟ ସମଗ୍ର ଦେଶରେ ୧୦୦ଟି ସ୍ମାର୍ଟ ସିଟିର ପ୍ରତିଷ୍ଠା ସମେତ ନିଆଯାଇଥିବା ସିଦ୍ଧାନ୍ତ ମୁତାବକ ୪ ନିୟୁତ ଲୋକ ସଂଖ୍ୟା ବିଶିଷ୍ଟ ୯ଟି ଉପନଗରୀ (ସାଟେଲାଇଟ୍) ୧ ନିୟୁତରୁ ୪ ନିୟୁତ ଲୋକ ସଂଖ୍ୟା ବିଶିଷ୍ଟ ୪୪ଟି ସହର, ୧୭ଟି କେନ୍ଦ୍ରଶାସିତ ଅଞ୍ଚଳ ଓ ରାଜ୍ୟମାନଙ୍କର ରାଜଧାନୀ, ପର୍ଯ୍ୟଟନ ଓ ଧାର୍ମିକ ଦୃଷ୍ଟିକୋଣରୁ ଗୁରୁତ୍ବ ଥିବା ୧୦ଟି ସହର ୫ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ୨୦ଟି ସହର ଏହି ଯୋଜନାର ଅନ୍ତର୍ଭୁକ୍ତ ହେବେ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି | ସର୍ବସାଧାରଣଙ୍କ ମନରେ ଗୋଟିଏ  ପ୍ରଶ୍ନ ଉଙ୍କି ମାରୁଛି ଯେ, ସ୍ମାର୍ଟ ସିଟି କଣ? କିପରି ଏହାର ସମାଧାନ ହୋଇପାରିବ? ସ୍ମାର୍ଟ  ସିଟିରେ କେଉଁ ସବୁ ବିଷୟ ସ୍ଥାନ ପାଇବ ? ସ୍ମାର୍ଟ ସିଟିର ଅର୍ଥ ହେଲା ମନୋନୀତ ସହରକୁ ସର୍ବାନ୍ତକରଣରେ ଅତି ସୁନ୍ଦର ଓ ପରିପୂର୍ଣ କରିବା, ଯଥା ରାସ୍ତା ଘାଟର ପ୍ରଶସ୍ତିକରଣ, ୨୪ଘଣ୍ଟିଆ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ, ହାତ ପାହାନ୍ତାରେ ଉନ୍ନତ ସ୍ବାସ୍ଥ୍ୟସେବା, ଗୁଣାମତ୍କ ଶିକ୍ଷାର ପ୍ରସାର, ଉଆଇ-ଫାଇ ସୁବିଧା, ଦ୍ରୁତ ଓ ନିରାପଦ ଗମନାଗମନରେ ସୁବିଧା, ଅବସର ବିନୋଦନସ୍ଥଳୀ, ଉଦ୍ୟାନ, ପରିବେଶ ପାଇଁ ସବୁଜ ବଳୟ, ସହରତଳି ଅଞ୍ଚଳରେ ସାମାଜିକ ବନ ପ୍ରକଳ୍ପ, ମୁକ୍ତ ଓ ସୁସ୍ଥ ବାୟୁ ଉପଲବ୍ଧ ପ୍ରଭୁତ୍ତି ଅନେକ ବ୍ଯବସ୍ଥା ସହିତ ଜୀବନ ଯେପରି ନିରାପଦଭାବେ ଗତୀଶୀଳ, ଚଳଚଞ୍ଚଳ, ସୁନ୍ଦର, ଓ ଉପଭୋଗ୍ୟ ହୋଇପାରିବ, ସେଗୁଡିକର ବିଧିବଦ୍ଧ ବ୍ୟବସ୍ଥା କରିବା | ଏହା ବ୍ୟତୀତ ସ୍ମାର୍ଟ ସିଟି କରାଯିବାର କେତେଗୁଡ଼ିଏ ମହତ ଉଦ୍ଦେଶ୍ୟ ରହିଛି ତନ୍ନଧ୍ୟରୁ ମୁଖ୍ୟ ଉଦ୍ଦେଶ୍ୟ ଗୁଡିକ ହେଲା- ଜୀବନ ଶୈଳୀର ପରିବର୍ତ୍ତନ, ସାଧାରଣ ଲେକଙ୍କ ଜୀବନରେ ଉନ୍ନତି ହେବ, ଦକ୍ଷତା ବୃଦ୍ଧି ହେବା ସହ ଅଧିକ ଗବେଷଣା ଭିତ୍ତିକ କାର୍ଯ୍ୟ କରାଯାଇପାରିବ, ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଗମନାଗମନଠାରୁ ଆରମ୍ଭକରି ଶିକ୍ଷା, ଯୋଗାଯୋଗ ବ୍ୟବସ୍ଥାକୁ ସଦୃଢ କରାଯିବା ସଙ୍ଗେ ସଙ୍ଗେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ହେବା ଦ୍ବାରା ଜନ ସାଧାରଣଙ୍କ ଜୀବନପ୍ରଣାଳୀ ସହଜସାଧ୍ୟ ହୋଇପାରିବ, ଜିପିଆରଏସ ଉଆଇ-ଫାଇ ସେବା ଭଳି ସବୁ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାରେ ଉପଯୋଗ ହେବା ଦ୍ବାରା ସମୟ ବଞ୍ଚିବ | ସେହିପରି ସ୍ବଚ୍ଛ ବେତନଭୋଗୀ କର୍ମଚାରୀ ଏବଂ ବସ୍ତିବାସିନ୍ଦାମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦ୍ବାରା ଯେଭଳି ଉପକୃତ ହେବେ, ବାଇ-ଫାଇ ଏବଂ ସ୍ମାର୍ଟ ପ୍ରୋଜେକ୍ଟ ଦ୍ବାରା ମଧ୍ୟମ ଏବଂ ଉଚ ଶ୍ରେଣୀର ଲୋକମାନେ ସେମିତି ଉପକୃତ ହୋଇପାରିବେ, ପ୍ରଣୀତ ଯୋଜନା ଠିକଭାବେ କାର୍ଯ୍ୟକାରୀ ହେଲେ, ବସ୍ତିତିବାସିନ୍ଦାମାନେ ଚାଳ ଛପରରେ ନରହି ଛାତ ଘରେ ରହିପାରିବେ, ରାସ୍ତା, ଆଲୋକ, ଡ୍ରେନେଜ, ସ୍ବରେଜ ଜଳଯୋଗାଣ ଆଦି ସବୁ କ୍ଷେତ୍ରରେ ସହରର ବିକାଶ ଘଟିବ, ଭିଆଇପି, ଭିଭିଆଇପିଙ୍କଠାରୁ ଆରମ୍ଭ କରି ବସ୍ତିରେ ରହୁଥିବା ସାଧାରଣ ଲୋକଙ୍କ ଉନ୍ନତି ପାଇଁ ସାମନ୍ତରାଳଭାବେ ଯୋଜନା ପ୍ରସ୍ତୁତି କରାଯିବାର ରାସ୍ତାଖୋଲିବ | ସମସ୍ତଙ୍କୁ ବ୍ୟକ୍ତିଗତଭାବେ ଗାଡିମୋଟର ବ୍ୟବହାର ନକରି ସାଧାରଣ ପରିବହନ ବ୍ୟବସ୍ତା ବ୍ୟବହାର କରିପାରିବେ | ପରିବେଶକୁ ସଫା ସୁତୁରା ରଖିବା ପାଇଁ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଧ୍ୟାନ ଆକର୍ଷଣ କରାଯାଇପାରିବ ଏବଂ ବସ୍ତି ସଂଖ୍ୟା ହ୍ରାସ କରାଯାଇ ସହରକୁ ବସ୍ତିମୁକ୍ତ ଅଞ୍ଚଳ କରାଯିବାର ଉଦ୍ଦେଶ୍ୟ ନିହିତଥିବା ସୂଚନା ମିଳେ | ଅନ୍ୟ ଏକ ପ୍ରଶ୍ନ ଉଠୁଛି ଯେ ସ୍ମାର୍ଟ ସିଟି ମାଧ୍ୟମରେ ଏସବୁର କିପରି ସମାଧାନ କରାଯିବ? ସମସ୍ତ ସେବାଗୁଡିକ ଇ-ଗଭର୍ଣ୍ଣାନ୍ସ ଏବଂ ନାଗରିକ ସେବା ମାଧ୍ୟମରେ ଆବଶ୍ୟକତା ପୂରଣ କରାଯାଇପାରିବ ବୋଲି ବ୍ୟବସ୍ଥା ରହିଛି | ଏଗୁଡିକ ହେଲା ସରକାରଙ୍କ ସୂଚନା, ଇଲେକ୍ଟ୍ରୋନିକ ସେବା ଡେଲିଭରି, ନାକରିକ ନିଯୁକ୍ତି, ସିଟିଜେନ ସିଟିଜ୍ ଆଇଜ ଏବଂ ଇୟର, ଭିଡିଓ ଅପରାଧ ପର୍ଯ୍ୟାଲୋଚନା | ଏତଦ ବ୍ୟତୀତ, ସ୍ମାର୍ଟ ସମାଧାନ କ୍ଷେତ୍ରରେ, ପ୍ରଥମତଃ ବର୍ଜ୍ୟବସ୍ତୁ ପରିଚାଳନା ଅର୍ଥାତ ବର୍ଜ୍ୟବସ୍ତୁର ଶକ୍ତି ଓ ଇନ୍ଧନ, ବର୍ଜ୍ୟବସ୍ତୁର କମ୍ପୋଷ୍ଟ, ଅପରିଷ୍କାର ଜଳର ବିଶୋଧନ ଏବଂ ନିର୍ମାଣ ଓ ଭଙ୍ଗା ଭଙ୍ଗି ବର୍ଜ୍ୟବସ୍ତୁର ହ୍ରାସ | ଦ୍ବିତୀୟତଃ ଜଳ ପରିଚାଳନା କ୍ଷେତ୍ରରେ ସ୍ମାର୍ଟ ମିଟର ଓ ପରିଚାଳନା, ଲିକ ଚିହ୍ନଟ, ପ୍ରତିରୋଧାମତ୍କ ଦେଖାରଖା ଓ ଜଳର ମାନ ପର୍ଯ୍ୟାଲୋଚନା | ତୃତୀୟତଃ, ଶକ୍ତି ପରିଚାଳନା କ୍ଷେତ୍ରରେ ସ୍ମର୍ାଟ ମିଟର ଓ ପରିଚାଳନା, ଅକ୍ଷୟ ଶକ୍ତି ଉତ୍ସ ଏବଂ ଶକ୍ତି ନିପୁଣ ଓ ସବୁଜ ବିଲ୍ଡିଙ୍ଗ | ଚତୁର୍ଥରେ ସହରାଞ୍ଚଳ ଗମନାଗମନ କ୍ଷେତ୍ରରେ ସ୍ମାର୍ଟ ପାର୍କିଂ, କୁଶଳ ଟ୍ରାଫିକ ପରିଚାଳନା, ସମ୍ବନିତ ମଲ୍ଟି-ମୋଡାଲ ପରିବହନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବିଶେଷ କରି ଟେଲି- ଶିକ୍ଷା, ବାଣିଜ୍ୟ ସୁବିଧା କେନ୍ଦ୍ର ଏବଂ ଦକ୍ଷତା ବିକାଶ କେନ୍ଦ୍ର ଆଦି କ୍ଷେତ୍ରଗୁଡିକରେ ସ୍ମାର୍ଟ ସମାଧାନ କରାଯାଇପାରିବ | ଓଡିଶାର ମନ୍ଦିରମାଳିନୀ ସହର ରୂପେ ପରିଚିତ ରାଜଧାନୀ ଭୁବନେଶ୍ବର ସ୍ମାର୍ଟ ସିଟି ଘୋଷିତ ହେବାପରଠାରୁ ଏହାର ଗୁରୁତ୍ବ କ୍ରମଶଃ ବୃଦ୍ଧି ପାଉଛି | ସର୍ବପ୍ରଥମେ ରାଜଧାନୀ ଭୁବନେଶ୍ବର ୧୯୪୮ରେ ଏନଏସି, ୧୯୭୯ରେ ମୁନିସିପାଲିଟି ଏବଂ ୧୯୯୪ରେ ମହାନଗର ନିଗମର ମାନ୍ୟତା ହାସଲ କରିସାରିଛି | ବହୁ ଘାତପ୍ରତିଘାତ ଅତିକ୍ରମ କରି ସରକାରଙ୍କ ପ୍ରୋତ୍ସାହନରେ ବିଏମସିର କଳେବର ତଥା ଜନସଂଖ୍ୟା ବୃଦ୍ଧି ପାଇଥିଲେ ମଧ୍ୟ ଏହା ଅଧିନସ୍ତ ଅନେକ ଅଞ୍ଚଳ ଅଶାନୁରୂପେ ବିକଶିତ ହୋଇପାରିନାହିଁ | ଏଥିପାଇଁ ସମୟ ଯଦିଓ ମୂଳ କାରଣ ନୁହେଁ ପ୍ରଭାଶାଳୀ ତଥା ବଳିଷ୍ଠ ଯୋଜନା ପ୍ରଣୟନ ସହିତ ତ୍ବରିତ ରୂପାୟନ ଏକାନ୍ତ ଜରୁରୀ | ବର୍ତ୍ତମାନ ସୁଦ୍ଧା ବିଏମସି ୬୭ଟି ଉଆର୍ଡ଼ରେ ବିଭକ୍ତ ହୋଇ ପ୍ରତି ଉଆର୍ଡ଼ରୁ ଜଣେ ଲେଖାଏଁ କର୍ପୋରେଟର ପ୍ରତିନିଧିତ୍ବ କରୁଥିଲା ବେଳେ ସର୍ବୋପରି ମେୟର ଏବଂ ମ୍ୟୁନିସପାଲ୍ କମିଶନରଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଭୁବନେଶ୍ବର ମହାନଗରନିଗମ ଚଳଚଞ୍ଚଳ ହୋଇଉଠିଛି | ରାଜଧାନୀ ଭୁବନେଶ୍ବର ସ୍ମାର୍ଟ ସିଟି ମାନ୍ୟତା ମିଳିବା ପୂର୍ବରୁ ଚୌଦ୍ବାର, କଟକ, ଭୁବନେଶ୍ବର ଏବଂ ଖୋର୍ଦ୍ଧାକୁ ନେଇ ଗ୍ରେଟର୍ ଭୁବନେଶ୍ବର ପରିକଳ୍ପନା କରାଯାଇଛି | ଆହୁରି ବାକିଆ କାର୍ଯ୍ୟଗୁଡ଼ିକ ମଧ୍ୟରେ କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ | ରାଜଧାନୀରେ ଦିନକୁ ମାତ୍ର ୪୦% ଲୋକଙ୍କୁ ଘଣ୍ଟେରୁ ଦୁଇ ଘଣ୍ଟା ପାନୀୟ ଜଳ ଯୋଗାଣ ସମ୍ଭବ ହୋଇଥିବା ବେଳେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ସମ୍ଭବପର ହୋଇପାରି ନାହିଁ | ଅପରାଧ ନିୟନ୍ତ୍ରଣ ଓ ଅପରାଧୀଙ୍କୁ ଠାବ କରିବା ପାଇଁ ସମଗ୍ର ସହରାଞ୍ଚଳରେ ସିସିଟିଭି କ୍ୟାମେରା ଲାଗିପାରି ନାହିଁ | ସମସ୍ତ ଗରିବ ଶ୍ରେଣୀର ଲୋକଙ୍କୁ ବାସଗୃହ ଯୋଗାଇ ଦିଆଯାଇପାରି ନାହିଁ | ସହରର ନିକଟବର୍ତ୍ତୀ ଅଞ୍ଚଳରେ ସବୁଜିମା ସୃଷ୍ଟି ହୋଇପାରି ନାହିଁ | ପରନ୍ତୁ ସହର ମଧ୍ୟରେ ରାସ୍ତା ନିର୍ମାଣ ଓ ପ୍ରଶସ୍ତିକରଣ ସମୟରେ ଅନେକ ଗଛ କଟାଯାଇ ସବୁଜିମାକୁ ଧ୍ବଂସ କରିଦିଆଯାଇଛି | ଭୁବନେଶ୍ବରକୁ କଂକ୍ରିଟ୍ ଜଙ୍ଗଲରେ ପରିଣତ ନକରି କିଭଳି ସମଗ୍ର ଅଞ୍ଚଳ ସବୁଜ ବୟଳ ଅନ୍ତର୍ଭୁକ୍ତ ହୋଇପାରିବ, ସେଥିପ୍ରତି ଦୃଷ୍ଟି ଦିଆଯିବା ବାଞ୍ଛନୀୟ |  ଭୁବନେଶ୍ବରରେ ବୃକ୍ଷଲତା ଅଭାବ ସାଙ୍ଗକୁ କ୍ରମଶଃ କଂକ୍ରିଟ୍ ଜଙ୍ଗଲ ବୃଦ୍ଧି ପାଉଥିବା ହେତୁ ଏଠାରେ ତାପମାତ୍ରା  ୫୦ ଡିଗ୍ରୀକୁ ଛୁଇଁଲାଣି | ହାଉସିଂରେ ଗ୍ରୀନ୍ ବିଲ୍ଡିଙ୍ଗ୍ କନସେପ୍ଟକୁ ଗୁରୁତ୍ବାରୋପ କରାଯିବା ଆବଶ୍ୟକ | ସ୍ମାର୍ଟ ସିଟି ପାଇଁ ଟ୍ରାଫିକ୍ ବ୍ୟବସ୍ଥା ଏକ ପ୍ରମୁଖ ସମସ୍ୟା ହୋଇଥିବା ବେଳେ ରାସ୍ତାଗୁଡ଼ିକ ସିଧା ଓ ଚଉଡ଼ା ହେବା ଆବଶ୍ୟକ ମଧ୍ୟ | ପରିକଳ୍ପିତ ଗ୍ରେଟର୍ ଭୁବନେଶ୍ବର ପାଇଁ ମେଟ୍ରୋ ଟ୍ରେନ୍ ପ୍ରଚଳନର ଆବଶ୍ୟକତା ରହିଛି | ବର୍ଷା ସମୟରେ ରାଜଧାନୀର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡ଼ୁଥିବା ବେଳେ ଜଳ ନିଷ୍କାସନ ପାଇଁ ଆଖତ୍ଦୃଶିଆ ପଦକ୍ଷେପ ନିଆଯିବା ଏକାନ୍ତ ଜରୁରୀ | ରାଜଧାନୀର ପ୍ରତ୍ୟେକ ୟୁନିଟ୍ ଓ କଲୋନୀଗୁଡ଼ିକୁ ବାଉଣ୍ଡାରୀ ନିର୍ମାଣ କରାଯାଇ ପ୍ରବେଶ ଓ ପ୍ରସ୍ଥାନ ପଥରେ ସିସିଟିଭି କ୍ୟାମେରା ସ୍ଥାପନ ହେବା ଉଚିତ | ଏହାଦ୍ବାରା ସମ୍ପୃକ୍ତ ୟୁନିଟ୍/ କଲୋନୀ ମଧ୍ୟକୁ ପ୍ରବେଶ/ପ୍ରସ୍ଥାନ କରୁଥିବା ଅପରାଧୀଙ୍କ ବିଶୃଙ୍ଖଳା/ଅପରାଧଜନିତ କାର୍ଯ୍ୟକଳାପ ନିୟନ୍ତ୍ରଣ କରାଯିବାରେ ସହାୟକ ହୋଇପାରିବ | ରାଜଧାନୀରେ ବିଦ୍ୟୁତ୍ ସମସ୍ୟାରେ ଲୋକେ ଜର୍ଜରିତ | ଚାହିଦା ତୁଳନାରେ ଯୋଗାଣ କମ୍ ହେଉଥିବାରୁ ଅଘୋଷିତ ବିଦ୍ୟୁତ୍ କାଟ ପ୍ରାୟତଃ ଲାଗି ରହିଛି | ଅଧିକାଂଶ ସମୟ ଲୋ-ଭୋଲ୍ଟେଜ୍ ରହୁଥିବାରୁ ପଙ୍ଖା, ଫ୍ରିଜ୍ ଓ ମଟର ଚାଳିବାରେ କଷ୍ଟ ହେଉଛି | ଖରାଦିନରେ ବିଦ୍ୟୁତ୍ କାଟ ଓ ଲୋ-ଭୋଲ୍ଟେଜ୍ ସମସ୍ୟା ଅସମ୍ଭାଳ ସ୍ମାର୍ଟ ସିଟି ପ୍ରଚଳନରେ ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଣର ଆବଶ୍ୟକତା ଥିବାରୁ ଏଥିନେଇ ସନ୍ଦେହ ଉପୁଜିଥିବା ଜଣାଯାଏ | ଏଣୁ ଏଥିପାଇଁ ବିକଳ୍ପ ବ୍ଯବସ୍ଥା ଗ୍ରହଣ କରାଯିବା ଉଚିତ | ପ୍ରତି ଉଆର୍ଡ଼ରେ ପାର୍କ, ଖେଳ ପଡ଼ିଆ, ଜରାନିବାସ, କମ୍ପୁଟର ହଲ୍, କଲ୍ୟାଣ ମଣ୍ଡପର ଆବଶ୍ୟକତା ରହିଛି ଏବଂ ପ୍ରତି ଘରଠାରୁ ଅତି ବେଶିରେ ୮୦୦ ମିଟର ବ୍ୟବଧାନରେ ପବ୍ଲିକ୍ ଟ୍ରାନ୍ସପୋର୍ଟର ବ୍ୟବସ୍ଥା ଉପଲବ୍ଧ ହେବା ଜରୁରୀ ମନେହୁଏ | ରାଜଧାନୀର ସମଗ୍ର ଅଞ୍ଚଳରେ ସ୍ମାର୍ଟ ହେଲଥକେୟାର ସେବା ଏବଂ ସରକାରୀ କାର୍ଯ୍ୟ ପାଇଁ ସିଙ୍ଗଲ୍ ଉଇଣ୍ଡୋ ସିଷ୍ଟମ୍, ପ୍ରଚଳନ ହେବାର ବ୍ୟବସ୍ଥାକୁ ତ୍ବରାନ୍ବିତ କରାଯିବା ଉଚିତ | ସମସ୍ତ ସରକାରୀ କାର୍ଯ୍ୟ କ୍ଷିପ୍ର ଗତିରେ ଏବଂ ସ୍ବଚ୍ଛ ଭାବରେ ପରିଚାଳିତ ହେଲେ ନିବେଶକମାନଙ୍କ ଆସ୍ଥା ଓ ବିଶ୍ବାସ ଦୃଢ଼ୀଭୂତ ହେବ ଯଦ୍ବାରା ବ୍ୟବସାୟ ଓ ରୋଜଗାର ଫନ୍ଦା ଅଧିକ ସୁଗମ ହେବ | ଶିକ୍ଷା ବ୍ଯବସ୍ଥାକୁ ସ୍ମାର୍ଟ କରାଯାଇ ଆଇଟି ନେଟବାର୍କ ସହିତ ଜଡ଼ିତ କରାଯାଇ ଏବଂ ଉନ୍ନତ ଧରଣର ଟେକ୍ନୋଲୋଜି ବ୍ୟବହାର କରାଯିବାର ଆବଶ୍ୟକତା ରହିଛି | ସହରର ପ୍ରତିଟି ରାସ୍ତା ପାର୍ଶ୍ବରେ ଏବଂ ଖୋଲା ସ୍ଥାନରେ ଅଧିକରୁ ଅଧିକ ବୃକ୍ଷ ରୋପଣ କରାଯିବାକୁ ଅଗ୍ରାଧିକାର ଦିଆଯିବା ସର୍ବାଦୌ ଜରୁରୀ ଯଦ୍ବାରା ସହରର ପରିବେଶ ସନ୍ତୁଳନ ରକ୍ଷା କରାଯାଇପାରିବ | ସରକାରୀ ଦପ୍ତର ଏବଂ ଷ୍ଟ୍ରିଟ୍ ଲାଇଟଗୁଡ଼ିକୁ ସୌର ଶକ୍ତି ମାଧ୍ୟମରେ ପରିଚାଳନା କରାଯିବାକୁ ବିହୀତ ପଦକ୍ଷେପ ଗ୍ରହଣ କରାଯିବା ଉଚିତ | ଟ୍ରାଫିକ୍ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ ହାଇଟେକ୍ ପଦ୍ଧତି ଗ୍ରହଣ କରାଯାଇ ଆବଶ୍ୟକ ସ୍ଥଳେ ଅଡ଼ିଓ ସିଷ୍ଟମଯୁକ୍ତ ଟ୍ରାଫିକ୍ ସିଗ୍ନାଲ ଲଗାଯିବା ନିହାତି ଆବଶ୍ୟକ |  ପ୍ରଶାନ୍ତି ବିହାର, ଭୁବନେଶ୍ବର-14, ମୋ: 9438605550

Share :