ବ୍ରହ୍ମପୁରର ଦୁଃଖ ଏଲ୍‌ ଆଣ୍ଡ ଟି!

ବ୍ରହ୍ମପୁରର ଦୁଃଖ ଏଲ୍‌ ଆଣ୍ଡ ଟି!

Share :

ହେମାଙ୍ଗ ପ୍ରସାଦ ରାଉଳ ଆମେରିକା ଜାପାନ ଉପରେ ପରମାଣୁ ବୋମା ପକାଇଲା ପରେ ଜାପାନର ଦୁଇଟି ସହର ଯେଭଳି ଅବସ୍ଥା ହୋଇଥିଲା ସେଭଳି ଭ୍ରମ ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଲାଣି। ଯୁଆଡେ଼ ଦେଖିବ ଖାଲି ଗର୍ତ୍ତ, ମାଟିର ପାହାଡ଼, ଧୂଳିମୟ ପରିବେଶ। ରାସ୍ତାରେ ଗାଡ଼ିମଟରରେ ଯିବା ତ ଦୂରର କଥା ପଥଚାରି ଚାଲିଚାଲି ମଧ୍ୟ ଯିବା ସହଜ ହେଉନି। ସହରରରେ କେଉଁଠି ମାଟିର ପାହାଡ଼ ତ କେଉଁଠି ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ମାଷ୍ଟର ପ୍ଲାନ୍ କରି ନୂତନ ସହର ନିର୍ମାଣ କଲାଭଳି ବ୍ରହ୍ମପୁର ସହର ବର୍ତ୍ତମାନ ଦୃଶ୍ୟମାନ ହେଉଛି। କିନ୍ତୁ ମାଷ୍ଟର ପ୍ଲାନ୍ କରିବା ପରେ ଭଗ୍ନବସ୍ତୁକୁ ସଜାଡ଼ିବାର ଯେଉଁ ସଦିଚ୍ଛା ରହିଥାଏ ତାହା ବର୍ତ୍ତମାନ ନ ଦେଖାଯିବାରୁ ସହର ବର୍ତ୍ତମାନ ବହୁ ପୁରାତନ ଅବସ୍ଥାକୁ ଚାଲିଆସିଛି। ଜାନବିଲି ପ୍ରକଳ୍ପରୁ ଜଳଯୋଗାଣ ପାଇଁ ଏଲ୍‌ ଆଣ୍ଡ ଟି କଂପାନୀ ରାସ୍ତାଖୋଳି ପାଇପ୍ ବିଛାଇବା କାମ ଯୋଗୁଁ ଏଭଳି ହୋଇଛି। ବର୍ତ୍ତମାନ ମହାନଗର ନିଗମର ଭାଗ୍ୟ ପ୍ରଶାସନ ହାତରେ। ପ୍ରଶାସନ ଏବଂ ଶାସନ କଳ ନିଜର ଅନ୍ୟକାମରେ ବ୍ୟସ୍ତ ରହିଥବାବେଳେ ଏଲ୍‌ ଆଣ୍ଡ ଟି ଠିକା ସଂସ୍ଥା ତା’ର ମନମର୍ଜି କରି ସହରକୁ କୋଡ଼ିଏ ବର୍ଷ ତଳକୁ ଠେଲି ନେଇଛି। ଏଲ୍ ଆଣ୍ଡ ଟି ସହର କଳେବର କରିବା ପାଇଁ ପାନୀୟ ଜଳ ସମସ୍ୟାର ସମାଧାନ ଓ ବଡ଼ ମେଡ଼ିକାଲ୍ ଏମ୍‌କେସିଜିର ଠିକାଦାରୀ ଦେଇ ଯାହା ଭେଟି ଦେଲେ ଜନତାଙ୍କ ବ୍ୟଥା ବଳି ପଡ଼ିଲାଣି। ହଜାରେ କୋଟି ଟଙ୍କାର ଜାନବିଲ୍ ପ୍ରକଳ୍ପ ଓ ୪୫୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବଡ଼ ମେଡ଼ିକାଲ୍ର ଗୃହ ନିର୍ମାଣରେ ଏଲ ଆଣ୍ଡ ଟି ଦାୟିତ୍ୱ ନେଇ କି ସୁଖ ହେଲା ସରକାର ଜାଣନ୍ତି। ବଡ଼ ମେଡ଼ିକାଲ୍ରେ କୋଠାମାନେ ଏକ ମହାସ୍ତୁପ ଭଳି ଠିଆ ହୋଇଛନ୍ତି। କେଉଁ କୋଠାରୁ ପାଣି ଗଳୁଛି, କେଉଠି ରୂପରଙ୍ଗ ବଦଳିବା ସହ ସିମେଣ୍ଟ କାମ ଦୁର୍ବଳ ହୋଇ ଫାଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରି ଗଲାପରେ ମଧ୍ୟ ମେଡ଼ିକାଲ୍ କାମ ଅସଂପୂର୍ଣ୍ଣ ପରି ମନେହୁଏ। ଏଭଳି ପରିସ୍ଥିତିରେ ଏଲ୍‌ ଆଣ୍ଡ ଟିକୁ ଜାନବିଲି ପ୍ରକଳ୍ପ କାମ ଦେଇ ସହରବାସୀ ବେଶ୍ ଚିନ୍ତିତ। ସୁଦୀର୍ଘ ୫୫ କିଲୋମିଟର ଋଷିକୂଲ୍ୟା ନଦୀପଠା ଜାନବିଲିଠାରୁ ଜଳଯୋଗାଣ ବ୍ୟବସ୍ଥା କରିବା ପାଇଁ ବିଶ୍ୱସ୍ତରୀୟ ଟେଣ୍ଡରରେ ଏଲ ଆଣ୍ଡ ଟି ସୁଯୋଗ ପାଇ କାମ କରିବା ଆରମ୍ଭ କରିଲା। ଏକ ନିର୍ଦ୍ଦିଷ୍ଟ ସମୟ ଅବଧି ଭିତରେ ବ୍ରହ୍ମପୁର ଜଳଯୋଗାଣର ବ୍ୟବସ୍ଥା ସରକାର ସୁଧାରିବାର ପ୍ରତିଶ୍ରୁତି ଦେଲେ ଏବଂ ଏଲ୍‌ ଆଣ୍ଡ ଟି ବଡ଼ବଡ଼ ନଳାମାନଙ୍କୁ ରାସ୍ତାରେ ବାଟଘାଟରେ, ନଳାରେ, କେନାଳରେ ଯେଉଁଠି ପାରିଲା ସେଇଠି ଗଳାଇ ଦେଇ ଲୋକଙ୍କ ମନରେ କିଛି ଗୋଟେ କାମ ଚାଲିଛିର ଆଲୋଚନା ହେଲା। ଯୁଦ୍ଧକାଳୀନ ଭିତ୍ତିରେ ନିର୍ବାଚନ ପୂର୍ବରୁ ଜାନବିଲି ଜଳ ଯୋଗାଣ ବ୍ୟବସ୍ଥା ବ୍ରହ୍ମପୁରକୁ ଭେଟିଦେବାର ବିଚାର ମଳିନ ପଡ଼ିଗଲାଣି। ରାସ୍ତାରେ ଥିବା ଜଳଯୋଗାଣ ବ୍ୟବସ୍ଥା ହେଉ କି ରାସ୍ତାଘାଟ କଲଭର୍ଟ ଦେଇ ସବୁ କିଛି ବ୍ୟବସ୍ଥାକୁ ଠପ୍ କରିଦେଇ ଆଲଆଣ୍ଡଟି କାମ ଚାଲିଛି। କିଏ ପଚାରିବ ଓ କାହାକୁ ପଚାରିବ? ବଡ଼ବଡ଼ ନଳାଗୁଡ଼ିକୁ ରାସ୍ତା କଡ଼ରେ ଗହ୍ୱର ଖୋଳି ପୋତିବା ପାଇଁ ଦିନରାତି ଶ୍ରମିକ ପରିଶ୍ରମ କରିବାର ଦୃଶ୍ୟ ସହର ଦେଖୁଛି। କିନ୍ତୁ ଯାହା ସହରବାସୀଙ୍କୁ କ୍ଷତି ସହିବାକୁ ପଡ଼ୁଛି ହୁଏତ ଆଉ ଏକ ଦଶନ୍ଧି ଅପେକ୍ଷା କରିବାକୁ ପଡ଼ିପାରେ। ସହର ସାରା ରାସ୍ତାପାର୍ଶ୍ୱ ଖୋଳିଦେଇ ଜଳଯୋଗାଣ କରିବାର ଚିତ୍ର ଫୁଟି ଉଠୁଛି। କିନ୍ତୁ ତା’ପରେ ରାସ୍ତାରେ ଯିବାଆସିବା ଆଦୌ ସହଜ ହେଉନି। ବିଡ଼ମ୍ୱନାର ଚିତ୍ର ହେଉଛି ଲୋଚାପଡ଼ା ରୋଡ଼ ବ୍ରଜନଗର, ଜଗଦଳପୁର, ନିମଖଣ୍ଡି, ତୁଳସୀନଗର ରାସ୍ତା। ଦୈନିକ ହଜାର ହଜାର ଜନସାଧାରଣ ଏଇ ପଥ ଦେଇ ଯିବା ସମୟରେ ରାସ୍ତା ସଂକୀର୍ଣ୍ଣ ହୋଇ ଦୁର୍ଘଟଣା ଘଟୁଛି। ଧୂଳି ଧୂମମୟ ପରିବେଶରେ ଲୋକମାନେ ଯିବା ନିଶ୍ଚୟ ସ୍ୱାସ୍ଥ୍ୟପାଇଁ ମଧ୍ୟ ହିତବିରୋଧି। ସହର ଭିତରେ ରାସ୍ତାଖୋଳା ସହର ବାହାରେ ବଡ଼ ବଡ଼ କଲଭର୍ଟ ଖୋଳିଦେଇ ଆଲ୍ଆଣ୍ଡଟି ସବୁପ୍ରକାର ବିପର୍ଯ୍ୟସ୍ତ ଚେହେରା ଭେଟି ଦେଇଛି ଏଇ ଶ୍ରେଷ୍ଠ ନଗରୀ ବ୍ରହ୍ମପୁରକୁ। ମାଳମାଳ ଶ୍ରମିକ ରାତି ପାହିଲେ ସହର ଓ ସହର ବାହାରେ ବୁଲୁଛନ୍ତି। କିନ୍ତୁ ଯେଉଁ କ୍ଷତ ତିଆରି ବେଳେ ରାସ୍ତାରେ, ରାସ୍ତା କଡ଼ରେ ତା’ର ପରିସ୍ଥିତି ଜଟିଳ। ବ୍ରହ୍ମପୁର ମହାନଗର ନିଗମର ଅବଧି ଶେଷ ହେବା ଛଅମାସ ପୂର୍ବରୁ ବ୍ରହ୍ମପୁର ସହରର ରାସ୍ତାଘାଟ, ଡ୍ରେନେଜ୍ର ବହୁ ଆଖିଦୃଶିଆ କାର୍ଯ୍ୟ କରାଯାଇଥିଲା। ଏଥିନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଛି। ପାଣିସମସ୍ୟା ପାଇଁ ସହରରେ ପାଇପଲାଇନ୍ ପକେଇବା ଏକପ୍ରକାର ନିଶ୍ଚିତ ଥିବାବେଳେ କୌଣସି ପ୍ରକାର ଭବିଷ୍ୟତକୁ ଆଖିଆଗରେ ନରଖି ସରକାରଙ୍କ କୋଟିକୋଟି ଟଙ୍କା ଖର୍ଚ୍ଚ କରି ପୁଣି ଏଲ୍‌ ଆଣ୍ଡ ଟି ଦ୍ୱାରା ପାଇପ୍ ଲାଇନ୍ ବିଛାଇବାରେ ଉକ୍ତ କାମଗୁଡ଼ିକୁ ନଷ୍ଟ ହେବା ପ୍ରଶାସନ ଜାଣିସୁଦ୍ଧା ଅତି ତରବରିଆ ଭାବେ ଟଙ୍କା ଆତ୍ମସାତ୍ କରିବା ଉଦ୍ଦେଶ୍ୟରେ ଅତି ନିମ୍ନମାନର ରୋଡ୍‌ କାମ ଏବଂ ଡ୍ରେନ୍ କାମ କରାଯାଇଥିଲା। ପ୍ରଶାସନ ଏସବୁ ଜାଣି ଆଖି ବନ୍ଦ କରି କାମ କରିଥିଲା। ବର୍ତ୍ତମାନ ଯାହାବି ଉନ୍ନୟନମୂଳକ କାର୍ଯ୍ୟ ହୋଇଥିଲା, ସବୁକିଛି ଭାଙ୍ଗି ଚୁର୍ମାର ହୋଇଯାଇଛି। ପୁଣିଥରେ ଏଗୁଡ଼ିକ ସଜାଡ଼ିବା ପାଇଁ ଛ’ ଟଙ୍କାର ଘୋଡ଼ାକୁ ନ’ ଟଙ୍କାର ଦାନ ସହିତ ସମାନ ହୋଇଛି। ଏହି ଭଗ୍ନକାମକୁ ପୁଣି ସଜାଡ଼ିବା ପାଇଁ ସରକାରଙ୍କ ରାଜକୋଶରୁ କୋଟିକୋଟି ଟଙ୍କା ଖର୍ଚ୍ଚ ହେବ। ବ୍ରହ୍ମପୁର ସହରର ରାସ୍ତା, ଡ୍ରେନେଜ୍ ସମସ୍ୟାର ସମାଧାନ କରିବା ପାଇଁ ବ୍ରହ୍ମପୁର ମହାନଗର ନିଗମ ଟେଣ୍ଡର ଦ୍ୱାରା ଭବିଷ୍ୟତକୁ ଦୃଷ୍ଟିରେ ନରଖି ଅତି ତରବରିଆ ଭାବେ ଏହି କାମ କରାଯାଇଥିବା ସହରରେ ବୁଦ୍ଧିଜୀବୀ ଚର୍ଚ୍ଚା କରୁଛନ୍ତି। ସବୁକିଛି ମାଷ୍ଟର ପ୍ଲାନ ପ୍ରଶାସନ ପାଖରେ ଥାଇ ସୁଦ୍ଧା ଭବିଷ୍ୟତକୁ ଆଖି ଆଗରେ ନରଖି ଅତି ଦେବାଳିଆ ମନୋବୃତ୍ତିରେ କାର୍ଯ୍ୟ କରାଯାଇଥିବା ସ୍ପଷ୍ଟ ବାରିହେଉଛି। ଯାହାକି ପୁଣିଥରେ ସହରକୁ ସଜାଡ଼ିବା ପାଇଁ ଅନେକ ଦିନ ଲାଗିଯାଇପାରେ। ଏଠାରେ ସୂଚନାଥାଉକି ଜାନବିଲି ପ୍ରକଳ୍ପ ବ୍ରହ୍ମପୁର ପାଣି ସମସ୍ୟା ନିଶ୍ଚିନ୍ତ ଭାବେ ଦୂର କରିବ। କିନ୍ତୁ ଏଲ୍‌ ଆଣ୍ଡ ଟି ଯେଉଁ ନୀତିରେ କାର୍ଯ୍ୟ କରୁଛି ତାହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କୌଣସି ଫଳକ ନଥାଇ ଏବଂ ଏହି କାର୍ଯ୍ୟ ସମ୍ୱନ୍ଧରେ କୌଣସି ସୂଚନା ସଠିକ୍ ଭାବରେ ମିଳିପାରୁନାହିଁ। କାର୍ଯ୍ୟ ମଧ୍ୟ କେଉଁ ଭିତ୍ତିରେ ହେଉଛି, ଏହା ମଧ୍ୟ ଅନୁସନ୍ଧାନ ସାପେକ୍ଷ। ଏଲ୍‌ ଆଣ୍ଡ ଟିର ଦୌରାତ୍ମ୍ୟ ବ୍ରହ୍ମପୁରବାସୀଙ୍କ ଆଖିରେ ଲୁହ ଆଣିଦେଇଛି।

Share :