ବ୍ୟାଡ୍‌ ନ୍ୟୁଜ ଓଡ଼ିଶା!

ବ୍ୟାଡ୍‌ ନ୍ୟୁଜ ଓଡ଼ିଶା!

Share :

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ବେଲଟିକିରି ଡ୍ରିମ ସେଣ୍ଟର ଆଶ୍ରୟ ଗୃହ କେଳେଙ୍କାରୀ ପଦାକୁ ଆସିବା ପରେ ଗୁଡ଼୍‌ ନ୍ୟୁଜ ଇଣ୍ଡିଆ ବ୍ୟାଡ୍‌ ନ୍ୟୁଜ ଓଡ଼ିଶାରେ ପରିଣତ ହୋଇଛି। ଏହି କେଳେଙ୍କାରୀ ପୁଣି ଥରେ ଓଡ଼ିଶା ସରକାରଙ୍କ ଦୁର୍ନୀତି ଓ ଅପାରଗତାର ପ୍ରମାଣ ହୋଇଯାଇଛି। ୧. ଫାଦର ଫୟାଜ ରହମାନଙ୍କ ଗୁଡ଼୍‌ ନ୍ୟୁଜ ଇଣ୍ଡିଆ ଓଡ଼ିଶା ସରକାରଙ୍କ ଅଧୀନରେ ପଞ୍ଜୀକୃତ ହୋଇନାହିଁ। ଅଥଚ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍‌ରେ ଏହି ସଂସ୍ଥାର ରାଜ୍ୟରେ ୨୫ଟି ଆଶ୍ରୟ ଗୃହର ତାଲିକା ରହିଛି। ଏହା କିପରି ସମ୍ଭବ? ଏଥିରେ କେଉଁ ମନ୍ତ୍ରୀ, ସଚିବା ବା ଅନ୍ୟ ଅଧିକାରୀଙ୍କ ହାତ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ବଞ୍ଚାଇବା ପାଇଁ କେବେ କ୍ରାଇମ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେବେ? ୨. ବେଲଟିକିରି ଘଟଣା ପଦାକୁ ଆସିବା ପରେ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଲେ ଯେ ଏଣିକି ରାଜ୍ୟରେ ଥିବା ସମସ୍ତ ବେଆଇନ ଆଶ୍ରୟ ଗୃହ ବନ୍ଦ ହେବ। ଏହାର ଅର୍ଥ ମନ୍ତ୍ରୀ ମହାଶୟ ଜାଣିଥିଲେ ଯେ ରାଜ୍ୟରେ ଅନେକଗୁଡ଼ିଏ ଆଶ୍ରୟ ଗୃହ ବେଆଇନ ଭାବେ ଚାଲିଛି। ସେଗୁଡ଼ିକୁ ଚଳାଇ ରଖିବାରେ ମନ୍ତ୍ରୀଙ୍କର କି ସ୍ବାର୍ଥ ଥିଲା ବା ଅଛି? ତାଙ୍କର ବା ତାଙ୍କ ମୁଖ୍ୟମନ୍ତ୍ରୀଙ୍କର ବା ତାଙ୍କ ସରକାରର ଅନ୍ୟ କୌଣସି ମନ୍ତ୍ରୀ ବା ଅଧିକାରୀଙ୍କର ଖୀରସ୍ତାନୀ ନେତା ବା ନେତ୍ରୀଙ୍କ ସହିତ କିଛି ସଂପର୍କ ଅଛି କି? କାହା କଥା ଓ ସ୍ବାର୍ଥରେ କାମ କରୁଥିଲେ ମନ୍ତ୍ରୀ? ଭୁବନେଶ୍ବରର ବିଦଗ୍ଧ କବି ଅମିମନ୍ୟୁ ସାମନ୍ତସିଂହାରଙ୍କ ନାମରେ ନାମିତ ସଡ଼କକୁ ରାତାରାତ ମଦର ଟେରେସାଙ୍କ ନାମରେ ନାମିତ କରାଯିବା ପଛରେ ଯେଉଁ ସ୍ବାର୍ଥ ରହିଥିଲା ସେହି ସ୍ବାର୍ଥ ପାଇଁ ସରକାର ରାଜ୍ୟରେ ଖୀରସ୍ତାନ ମିଶନାରୀଙ୍କ ଧର୍ମାନ୍ତରଣକୁ ପରୋକ୍ଷରେ ପ୍ରୋତ୍ସାହନ ଦେଉଥିଲେ କି? ୩. ରାଜ୍ୟର ୨୫ ଜାଗାରେ ତିଆରି ହେଲା ଗୁଡ଼୍‌ ନ୍ୟୁଜ ଇଣ୍ଡିଆର ଆଶ୍ରୟ ଗୃହ। ସେଥିପାଇଁ ଜମି କିଣା ଯାଇଥିବ। ଘର ତିଆରି ପାଇଁ ଇଟା, ବାଲି, ସିମେଣ୍ଟ, ରଡ଼୍‌ ଇତ୍ୟାଦି କିଣା ଯାଇଥିବ। ଜମି କାରବାର ପରିଚାଳନା କରୁଥିବା ରାଜସ୍ବ ବିଭାଗ ଅଧିକାରୀମାନେ ସେହି ଜମିରେ ଚାଷ ହେଲା କି ଘର ତିଆରି ହେଲା କେବେ ଯାଞ୍ଚ କଲେନି କାହିଁକି? ସଂପୃକ୍ତ ଗ୍ରାମର ୱାର୍ଡ଼ ମେମ୍ବର, ଗ୍ରାମରକ୍ଷୀ, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ କେମିତି କିଛି ଜାଣିପାରିଲେ ନାହିଁ ଯେ ସେଠି ସତରେ କ’ଣ ହେଉଛି? ନିରାଶ୍ରୟକୁ ଆଶ୍ରୟ ଦିଆଯାଉଛି ନା ଯୌନ ଶୋଷଣ କରାଯାଉଛି? ୪. କିଏ ଫେସ୍‌ବୁକ୍‌ରେ କ’ଣ ଲେଖିଲା ତା’ ଉପରେ ଓଡ଼ିଶାରେ ସର୍ବବ୍ୟାପୀ ବିଜୁ ଜନତା ଦଳର ନେତା ଓ କର୍ମୀ ଏବଂ ଏହି ଦଳାଧୀନ ସରକାରର ଅମଲାମାନେ ଯେମିତି ତୀକ୍ଷ୍ଣ ନଜର ରଖିଛନ୍ତି ସେହିପରି ନଜର କାହିଁକି ରାଜ୍ୟ ଓ ରାଜ୍ୟବାସୀଙ୍କର ଭଲମନ୍ଦ ବିଷୟ ଉପରେ ରଖି ନାହାନ୍ତି? ଓଡ଼ିଶାର ଲଘୁ ଓ ଗୁରୁ ଖଣିଜ ପଦାର୍ଥ, ଜମି, ଜଳ ଓ ଜଙ୍ଗଲ ଚୋରି ହୋଇଯାଉଛି, ଓଡ଼ିଶା ମାଟିରେ ବିଦେଶୀମାନେ ଆସି ଯୌନ ଶୋଷଣ କରୁଛନ୍ତି, ଧର୍ମାନ୍ତରଣ କରୁଛନ୍ତି, ତାହା ବିଜେଡି ନେତା ଓ ସରକାରୀ ବାବୁମାନଙ୍କୁ ଦେଖା ନଯିବାର କାରଣ କ’ଣ ସେମାନେ କ୍ଷମତାନ୍ଧ ନା ସ୍ବାର୍ଥାନ୍ଧ? ୫. କେବଳ ବେଲଟିକିରିରେ ନୁହେଁ, ଏହିପରି ଘଟଣା ରାଜ୍ୟର ଅନ୍ୟ ବହୁ ଅଞ୍ଚଳରେ ଘଟୁଛି। ଏଇ ଘଟଣା ପଦାକୁ ଆସିବା ପରେ ରାଜ୍ୟ ସରକାର ପ୍ରାୟ ଡଜନେ ଆଶ୍ରୟ ଗୃହ ବନ୍ଦ କରିସାରିଲେଣି। ବିନା ଅଭିଯୋଗ ପ୍ରମାଣରେ ଏସବୁ ଆଶ୍ରୟ ଗୃହକୁ ସରକାର ବନ୍ଦ କରିଛନ୍ତି କି? ଯଦି ସେପରି କରିଥିବେ ତେବେ ତାହା ରାଜ୍ୟ ସରକାରଙ୍କର ବେଆଇନ କାର୍ଯ୍ୟ। ବେଆଇନ ସଂସ୍ଥା ବର୍ଷବର୍ଷ ଚାଲିବା ପ୍ରତି ଆଖିବୁଜି ଦେବା ଯେପରି ଅପରାଧ ବିନା ଅଭିଯୋଗ ଓ ପ୍ରମାଣରେ ଆଶ୍ରୟ ଗୃହଗୁଡ଼ିକୁ ବନ୍ଦ କରିଦେବା ମଧ୍ୟ ବେଆଇନ କାର୍ଯ୍ୟ। ଯଦି ଅଭିଯୋଗ ଓ ପ୍ରମାଣ ସହିତ ସରକାର ଏସବୁ ଗୃହକୁ ବନ୍ଦ କରିଥିବେ ତେବେ ତାହା ସରକାରଙ୍କ ଅପାରଗତା ଓ ଅବହେଳାର ପ୍ରମାଣ। ଏତେଦିନ ଧରି ସରକାର ଆଖିବୁଜି ବସିଥିଲେ କାହିଁକି? ହଠାତ କେମିତି ସବୁ ବେଆଇନ କାମ ସରକାରଙ୍କୁ ଦେଖାଗଲା?

Share :