ମୋ ଚାକିରି ଗଲା, କାହାର ଦୋଷ?

ମୋ ଚାକିରି ଗଲା, କାହାର ଦୋଷ?

Share :

ଦେବେନ୍ଦ୍ର ପୃଷ୍ଟି ମତେ କୁହାଗଲା, ଫେସବୁକ୍‌ରେ ତୁମେ ଓଡ଼ିଶା ସରକାରଙ୍କ ସମାଲୋଚନା କରୁଛ, ତାହା ଆମ ପାଇଁ କ୍ଷତିକାରକ ହେଉଛି। ତେଣୁ ସମ୍ମାନଜନକ ଭାବେ ବିଦାୟ ନେଇଯାଆନ୍ତୁ। ମୁଁ ମାଲିକଙ୍କ କଥା ମାନି ଇସ୍ତଫା ଦେଲି। ଏଥିରେ ପଣ୍ଡାବାବୁ, ପାଣ୍ଡିଆନବାବୁ ବା ପଟ୍ଟନାୟକବାବୁଙ୍କର କି ଦୋଷ? ବିଶ୍ବ କପ୍ ହକି ଉଦଘାଟନ ଉତ୍ସବକୁ ଓଟିଭି, ନିର୍ଭୟ ଓ ଆର୍ଗସକୁ ପାସ୍‌ ମିଳିଲା ନାହିଁ। ଏହା ସରକାରଙ୍କ ଛୋଟଲୋକି ନା ବଡ଼ପଣ? ଏକଥା ମୁଁ କାହିଁକି ଲେଖିଲି? ମୁଁ କାହିଁକି ଲେଖିଲି ଯେ ସଲମାନ ଖାଁକୁ ଯେଉଁ ଟଙ୍କା ଦିଆଗଲା ତାହାର ଦାତା ହୋଇଥାଇପାରନ୍ତି ଓଡ଼ିଶା ସରକାର। କାରଣ ଓଡ଼ିଶା ସରକାର ହିଁ ହକି ଇଣ୍ଡିଆର ପାଞ୍ଚ ବର୍ଷିଆ ପ୍ରାୟୋଜକ। ଏକଥା ନିଜେ ଓଡ଼ିଶା ସରକାର ପୃଷ୍ଠା ପୃଷ୍ଠା ବିଜ୍ଞାପନ ଦେଇ ପ୍ରଚାର କରାଇଛନ୍ତି। ବିଜୁ ଜନତା ଦଳରେ ଜଣେ ଦି’ଜଣଙ୍କୁ ଛାଡ଼ି ଆଉ ସମସ୍ତେ ଫର୍ଣ୍ଣିଚର ଓ ଶୋପିସ୍‌ ହେବାକୁ କିଏ କହିଥିଲା? ଏଥିରେ ସୁପ୍ରିମୋ ଓ ତାଙ୍କ ସୁପର୍‌ ପାୱାରର ଦୋଷ କ’ଣ? ଏହା ମୁଁ କାହିଁକି ଫେସବୁକ୍‌ରେ ଲେଖିଲି? ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ପ୍ରମୁଖ ଏହି ଦଳକୁ ଯାଇଁ ପୁଣି ଥରେ ଫର୍ଣ୍ଣିଚର ଓ ଶୋପିସ୍‌ ହେଲେ ମୋର କ’ଣ ଯାଏଆସେ? ନବୀନବାବୁ ୨୦ ବର୍ଷ ଓଡ଼ିଶାର ନେତା ହେବା ସତ୍ତ୍ବେ ଓଡ଼ିଆ ଭାଷା ଶିଖିଲେ ନାହିଁ। ସେଥିରେ ତାଙ୍କର କି ଦୋଷ? ଓଡ଼ିଶା ଲୋକେ ତାଙ୍କୁ ପ୍ରତି ନିର୍ବାଚନରେ ଅଧିକରୁ ଅଧିକ ଭୋଟ ଦେଇ ଚାଲିଛନ୍ତି, ସେଥିରେ ତାଙ୍କର ଦୋଷ କ’ଣ? ସେ ଚୌକିଦାର ଭଳି ସଚିବାଳୟକୁ ଜଗିଛନ୍ତି, ତେଣେ ରାଜ୍ୟର ପ୍ରାକୃତିକ ସଂପଦ, ରାଜକୋଷ, କେନ୍ଦ୍ରୀୟ ଅନୁଦାନ ସବୁ ଲୁଟ୍‌ ହେବାରେ ଲାଗିଛି ସେଥିରେ ତାଙ୍କର କି ଦୋଷ? ଓଡ଼ିଆ ଲୋକମାନେ ଏ ଲୁଟ୍‌ପାଟ୍‌ର ଅଂଶୀଦାର ନୁହନ୍ତି କି? ରାଜ୍ୟରେ କଂଗ୍ରେସ ଓ ବିରୋଧୀ ଦଳ ନେତାମାନେ ସରକାରଙ୍କ ପକେଟ ଉଷୁମ ନେଲେ। ସେଥିରେ ସରକାରଙ୍କ ଦୋଷ କ’ଣ? ଅନୈତିକ ସରକାରୀ ସୁଖସୁବିଧା ପାଇଁ, ଅର୍ଥ ଓ କ୍ଷମତା ପାଇଁ ଅନେକ ସଂପାଦକ/ମାଲିକ ସରକାରଙ୍କ ଦୋଷତ୍ରୁଟି ଲୋକଙ୍କୁ ଜଣେଇବା ପରିବର୍ତ୍ତେ ଘୋଡ଼େଇ ପକେଇଲେ ଓ ଗୁଣଗାନ କଲେ। ଏଥିରେ ସରକାରଙ୍କ ଦୋଷ କ’ଣ? ଜନମତକୁ ସଂଗଠିତ, ନିୟନ୍ତ୍ରିତ ଓ ଦିଶାନିର୍ଦ୍ଦିଷ୍ଟ କରିବା ହେଉଛି ଗଣତନ୍ତ୍ରରେ ଏକ ରାଜନୀତିକ ସଫଳତା। ଏ କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ। ସେମାନେ ସେହି ଦାୟିତ୍ବ ତୁଲାଉଛନ୍ତି। ଏଥିରେ ପଟ୍ଟନାୟକ କମ୍ପାନୀର କ’ଣ ଦୋଷ? ଗଣମାଧ୍ୟମ ହେଉଛି ଘୋଡ଼ା ଛଅ ଟଙ୍କାକୁ ଦାନା ନଅ ଟଙ୍କାର ବ୍ୟବସାୟ। ଏହା ତିଷ୍ଠିବା ପାଇଁ ବିଜ୍ଞାପନ ଓ କଳାଟଙ୍କା ଉପରେ ଅଧିକ ନିର୍ଭରଶୀଳ। ଏଥିରେ ପଣ୍ଡା, ପାଣ୍ଡିଆନ ଓ ପଟ୍ଟନାୟକଙ୍କର ଦୋଷ କ’ଣ? ସାମ୍ବାଦିକମାନେ ପାଦଚଟା, ଚାନ୍ଦାଖିଆ, ବ୍ଲାକମେଲର ନହେଲେ ଅଳ୍ପ ଦରମାରେ ଚଳିବା ସମ୍ଭବ ନୁହେଁ। ଏଥିରେ ତୃତୀୟ ମହଲାର ଦୋଷ କ’ଣ? ଚତୁର ଓ ଲୋଭୀ ସାମ୍ବାଦିକମାନେ ସରକାରଙ୍କ ପାଖଲୋକ ହେବା ଓ ବୋଲ ମାନିବାରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ କାର୍ଯ୍ୟାଳୟର ଦୋଷ କ’ଣ? ମୁଁ ପଢ଼ିଥିବା ବହି ଓ ଶୁଣିଥିବା ଉପଦେଶ ଅନୁସାରେ ଟିକେ ଅଲଗା ପ୍ରକାର ହୋଇଗଲି। ଏଥିରେ ମୋ ମାଲିକ ଓ ସରକାରର ଦୋଷ କ’ଣ? ସମସ୍ତେ କହନ୍ତି, ସୁସ୍ଥ ଓ ପ୍ରଗତିଶୀଳ ସମାଜ ପାଇଁ ନିର୍ଭୀକ ଓ ସତ୍ୟନିଷ୍ଠ ସାମ୍ବାଦିକତା ଜରୁରୀ। ମୁଁ ସେଇଆ କରି ସବୁଠୁ ତଡ଼ା ଖାଉଛି। ସେଥିରେ ସେ ପ୍ରବଚନ ଦେଉଥିବା ଲୋକର କି ଦୋଷ? ମୁଁ ତାଙ୍କ କଥା ଶୁଣି ନଥିଲେ ହେଇନଥାନ୍ତା! ନେତା ଓ ସଂପାଦକଙ୍କ ପ୍ରବଚନକୁ ଏକାନରେ ଶୁଣି ସେ କାନରେ ଉଡ଼େଇ ଦେଇଥିଲେ ମୋର କ’ଣ କ୍ଷତି ହେଇଥାନ୍ତା? ମୋ ମାଲିକମାନେ ଖୁବ୍‌ ଭଲ ଲୋକ। ଭଦ୍ରଲୋକ ବି। ସେମାନଙ୍କୁ ଯଦି କିଏ ଠକିଲା, ମିଛସତ କହିଲା, କାମ ନକରି ଦରମା ନେଲା, କାମ କରୁଥିବା ଲୋକ ବିରୋଧରେ ଷଡ଼ଯନ୍ତ୍ର କଲା ତେବେ ସେଥିରେ ସରକାରଙ୍କର ଦୋଷ କ’ଣ? ତିନି ବର୍ଷ ଉପରେ ହେଲାଣି କିଛି ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ପରାମର୍ଶ ମାନି କୋଟିକୋଟି ଟଙ୍କା ପାଣିରେ ପଡ଼ିଲା। ଏଥିରେ ପାଣିର କି ଦୋଷ? ମିଛୁଆ, ଗାଲୁଆ ଓ ଅପାରଗଙ୍କ ମେଳରେ କାମ କଲେ ଯାହା ହେବା କଥା ହେଲା। ଏଥିରେ ମୋର ଦୋଷ ନା ମାଲିକର ଦୋଷ?

Share :