ଆତଙ୍କବାଦୀ ଖବର ଥିଲା ତୁଚ୍ଛା ହାବା!

ଆତଙ୍କବାଦୀ ଖବର ଥିଲା ତୁଚ୍ଛା ହାବା!

Share :

ଚାଷୀ ଆତ୍ମହତ୍ୟା ଓ ରାସନ କାର୍ଡ଼ ପ୍ରସଙ୍ଗ ହଜିଗଲା   ସନ୍ଦିଗ୍ଧ ଆତଙ୍କବାଦୀ ହାବା ହୋଇଗଲେ | ଆଉ ତା’ ସହିତ ହାବା ବାହାରିଗଲା ଓଡ଼ିଶା ପୁଲିସ ଭାବମୂର୍ତ୍ତିର | ତାଙ୍କ ମୁଖିଆଙ୍କ ପରି ଓଡ଼ିଶା ପୁଲିସ ଅଧିକାରୀମାନେ ଯେ ହାବା ମାରନ୍ତି ତାହା ଏବେ ସ୍ପଷ୍ଟ ହୋଇଗଲା | ଭୁବନେଶ୍ବର ଆର୍ଯ୍ୟ ମହଲର ହୋଟେଲ ଓ ଫେରାର ଆତଙ୍କବାଦୀ ପ୍ରସଙ୍ଗ ଯେ ଡାହା ମିଛ ଥିଲା ଓ ଏହି ମିଛ ପ୍ରସାରଣ ପଛରେ ଥିଲା ଅନ୍ୟ କିଛି ଗୋପନ ଉଦ୍ଦେଶ୍ୟ ତାହା ଶେଷରେ ସାବିତ ହେଲା | ପୁଲିସ ବି ଏହା ମାନିଲା | ହେଲେ ତିନି ଦିନ ପାଇଁ ଲୋକେ ଓ ଗଣମାଧ୍ୟମ ଫୁଲିଶ ହେଲେ ମାନେ ବୋକା ବନିଲେ | ମୂଳରୁ ଜଣାପଡ଼ୁଥିଲା ଘଟଣାଟି ମିଛ | କିନ୍ତୁ ରାଜ୍ୟର କେତେକ ଘରୋଇ ଟିଭି ଚାନେଲ ଓ ଚାଂଚଲ୍ୟ ପ୍ରସାରଣରେ ବିଶ୍ବାସ କରୁଥିବା ଖବରକାଗଜ ଏହି ମିଛରେ ଏମିତି ରଙ୍ଗ ଓ ପୁଟ ଦେଲେ ଯେ ବିଶେଷଜ୍ଞ ମଧ୍ୟ ଏହା ବିଶ୍ବାସ କରିବାକୁ ବାଧ୍ୟ ହେଲେ | ଘଟଣାଟି ଥିଲା ଏହିପରି: ଜାନୁଆରୀ ୨୫ ତାରିଖ ରାତି ୯ଟା ସମୟରେ କାଳେ ୪ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଆସି ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ଥିବା ଆର୍ଯ୍ୟ ମହଲ ହୋଟେଲରେ ରହିବାକୁ ଦି’ଟା ରୁମ ମାଗିଥିଲେ | ସେମାନେ ଇରାକରୁ ଆସିଛନ୍ତି ବୋଲି କହିଲେ | କିନ୍ତୁ ହୋଟେଲ କର୍ମଚାରୀ ପରିଚୟ ପ୍ରମାଣ ମାଗିବାରୁ ସେମାନେ ଫେରାର ହୋଇଗଲେ | ସେମାନେ ଦିଲ୍ଲୀ ନମ୍ବର ଥିବା ଏକ ଫୋର୍ଡ଼ ଆଇକନ ଗାଡ଼ି ନେଇ ଆସିଥିଲେ | ପୁଲିସ ସେଠି ପହଂଚିବା ଆଗରୁ ସେମାନେ ପଳାଇଲେ | ତହିଁ ପରଦିନ ଅର୍ଥାତ ଜାନୁଆରୀ ୨୬ ତାରିଖରେ ଏହି ଖବରଟି ଅତି ଚାଂଚଲ୍ୟ ସୃଷ୍ଟି କରୁଥିବା ଏକ ନିର୍ଦ୍ଦିଷ୍ଟ ଖବରକାଗଜରେ ପ୍ରକାଶ ପାଇଥିଲା | ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଥିଲା | ଏହି ଦିବସରେ ସାଧାରଣତଃ ସର୍ବାଧିକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଆଇଏସଆଇଏସ ଆତଙ୍କବାଦୀ ଆଡ଼ୁ ବିପଦ ରହିଛି ବୋଲି ଗୁଇନ୍ଦା ରିପୋର୍ଟ ପ୍ରକାଶ ପାଇଥିବାରୁ ରାଜ୍ୟର ପ୍ରାୟ ସମସ୍ତ ଟିଭି ଚାନେଲ ଏହାକୁ ଦିନ ତମାମ ଆଲୋଚନାରେ ରଖିଲେ | ବରିଷ୍ଠ ପୁଲିସ ଅଧିକାରୀମାନେ ଏହାକୁ ନେଇ ନାନାଦି ତଥ୍ୟ ପରିବେଷଣ କଲେ | ଭୁବନେଶ୍ବର ସାରା ନାକାବନ୍ଦୀ କରାଗଲା | ଯେଉଠି ଗୋଟେ ଫୋର୍ଡ଼ ଆଇକନ ଗାଡ଼ି ଦେଖିଲେ, ଯାଂଚ କଲେ | ଦିଲ୍ଲୀ ନମ୍ବର ଗାଡ଼ି ହୋଇଥିଲେ ଥାନାକୁ ନେଇ ଜେରା | ପୁଲିସ କମିଶନର ଆରପି ଶର୍ମା, କ୍ରାଇମ ବ୍ରାଂଚ ଆଇଜି ଅରୁଣ ବୋଥ୍ରାଙ୍କଠାରୁ ଆରମ୍ଭ କରି ନିଜେ ପୁଲିସ ଡିଜି କେବି ସିଂହ ମଧ୍ୟ ଏହି ଅସତ୍ୟର ପ୍ରଚାର ପ୍ରସାର ଦିଗରେ ଯଥେଷ୍ଟ ଉଦ୍ୟମ କଲେ | ଅବଶ୍ୟ ସେମାନେ ଗୋଟେ ମିଛକୁ ସତ ବୋଲା ଚଳାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଧରାପଡ଼ୁଥିଲା, ସେମାନଙ୍କ କଥାରୁ | ପ୍ରଥମେ କୁହାଗଲା, ହୋଟେଲ କର୍ମଚାରୀଙ୍କ ସନ୍ଦେହ ହେବାରୁ ସେମାନେ ପରିଚୟପତ୍ର ମାଗିଲେ | ପରେ ପୁଲିସ କହିଲା ଯେ ସେଠାରେ ସାଦା ପୋଷାକଧାରୀ ପୁଲିସ ଥିଲେ, ସେମାନେ ପରିଚୟ ପ୍ରମାଣ ମାଗିବାରୁ ସନ୍ଦିଗ୍ଧ ଆତଙ୍କବାଦୀ ତାଙ୍କୁ ଠେଲିଦେଇ ପଳାଇଲେ | ଜଣେ ରୁମ୍ ବୁକ୍ କରିବାକୁ ଆସିଥିଲା | ଆଉ ତିନି ଜଣ ଗାଡ଼ିରେ ଥିଲେ | ସମସ୍ତଙ୍କ ଉଚ୍ଚତା ୬.୫ ଫୁଟ ଉପରେ | ସମାନ ହିନ୍ଦୀ ଓ ଇଂରାଜୀରେ କଥା ହେଉଥିଲେ | ନିଜକୁ ଇରାକୀ ବୋଲି କହୁଥିଲେ | ସେମାନେ ଖସିଯିବା ପରେ ପୁଲିସ କହିଲା ସାରା ରାଜ୍ୟରେ ହାଇ ଆଲର୍ଟ ଜାରି ହୋଇଛି | ସବୁ ସୀମାକୁ ସିଲ୍ କରାଯାଇଛି | ଜାନୁଆରୀ ୨୬ ତାରିଖ ଏହି ପରି ଚାଂଚଲ୍ୟରେ ବିତିଗଲା | ଜାନୁଆରୀ ୨୭ ତାରିଖ ପୁଲିସ କହିଲା ଯେ ସନ୍ଦିଗ୍ଧ ଆତଙ୍କବାଦୀମାନ ଗିରିଶୋଳା ଚେକ୍ ଗେଟ୍ ଦେଇ ଆନ୍ଧ୍ର ପଳାଇଛନ୍ତି | ପୁଣି କେହି କହିଲେ ପଲାସା ବାଟେ ପଳାଇଛନ୍ତି | ଇତିମଧ୍ୟରେ ସମ୍ବଲପୁରର ବରଗଡ଼ ଓ ଭୁବନେଶ୍ବରର ବଡ଼ଗଡ଼ରେ ଦୁଇ ଦୁଇଟି ଗାଡ଼ି ଜବତ କରାଗଲା | ବଡ଼ଗଡ଼ରେ ଜବତ ଫୋର୍ଡ଼ ଆଇକନ ଗାଡ଼ିର ଦିଲ୍ଲୀ ନମ୍ବର ଥିଲା | ତାହାର ମାଲିକ କିଏ ଜଣାପଡ଼ିଲେନି | ବରଗଡ଼ରେ ଗୋଟେ ଦିଲ୍ଲୀ ନମ୍ବରର ସାଣ୍ଟ୍ରୋ ଗାଡ଼ି ଜବତ କରାଗଲା ଓ ସେଥିରେ ଥିବା ତିନି ଜଣ ଇରାନୀ ପର୍ଯ୍ୟଟକଙ୍କୁ ଅଟକ ରଖାଗଲା | ସେହି ୨୭ ତାରିଖ ବିଳମ୍ବିତ ସନ୍ଧ୍ୟାରେ ପୁଲିସ କହିଲା ଯେ ଓଡ଼ିଶାରୁ ଖସି ପଳାଇଥିବା ସନ୍ଦିଗ୍ଧ ଆତଙ୍କବାଦୀମାନେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ଧରାପଡ଼ିଛନ୍ତି | ଆଇଜି ଅରୁଣ ବୋଥ୍ରା କହିଲେ ଆର୍ଯ୍ୟ ମହଲ ହୋଟେଲର ସିସିଟିଭି ଫୁଟେଜ, ଗିରିଶୋଳା ଚେକ୍ ଗେଟ୍ ସିସିଟିଭି ଫୁଟେଜରେ ଥିବା ଲୋକଙ୍କ ସହିତ ବିଶାଖାପାଟଣାରେ ଧରାପଡ଼ିଥିବା ଲୋକଙ୍କ ଚେହେରା ମେଳ ଖାଉଛି | ତେଣୁ ସେମାନେ ହିଁ ସନ୍ଦିଗ୍ଧ ଆତଙ୍କବାଦୀ | ତାଙ୍କୁ ଜେରା କରିବାକୁ ସ୍ବତନ୍ତ୍ର ପୁଲିସ ଦଳ ବିଶାଖାପାଟଣା ପଠା ଯାଇଛି | ଦରକାର ହେଲ ସେଠାରୁ ସେମାନଙ୍କୁ ଭୁବନେଶ୍ବର ଅଣାଯିବ | କିନ୍ତୁ ସେହି ସନ୍ଧ୍ୟାରେ ଜଣାପଡ଼ିଥିଲା ଯ ସେମାନ ଫୋର୍ଡ଼ ଆଇକନ ଗାଡ଼ିରେ ଯାଇ ନଥିଲେ | ସେମାନ ଟୟୋଟା ଗାଡ଼ି ବ୍ୟବହାର କରିଥିଲେ | ପୁଲିସ ମୂଳରୁ କହିଥିଲା ଯେ ଫେରାର ଫୋର୍ଡ଼ ଆଇକନ ଗାଡ଼ି ନମ୍ବର ଥିଲା ଡିଏଲ-୪ସି-୯୬୪୫ | କିନ୍ତୁ ବିଶାଖାପାଟଣା ପୁଲିସ ଧରିଥିବା ଟୟୋଟା ନମ୍ବର ଥିଲା ଡିଏଲ-୮ସିଜି-୧୫୨୦ | ଗାଡ଼ିରେ ଥିଲେ ୫ ଜଣ, ୨ ମହିଳା ଓ ୩ ପୁରୁଷ | ସେମାନେ ସମସ୍ତେ ଇରାନୀ | ସେମାନେ ମଧ୍ୟ ପର୍ଯ୍ୟଟକ | ଶେଷରେ ଜାନୁଆରୀ ୨୮ ତାରିଖ ମଧ୍ୟାହ୍ନରେ ନିଜେ ଆଇଜି ବୋଥ୍ରା ଛେପ ଢୋକିଲେ ଓ କହିଲେ ଯେ ବିଶାଖାପାଟଣାରେ ଧରା ପଡ଼ିଥିବା ଲୋକମାନେ ଆତଙ୍କବାଦୀ ନୁହନ୍ତି | ସେମାନେ ହିଁ ଭୁବନେଶ୍ବର ଆର୍ଯ୍ୟ ମହଲ ହୋଟେଲରୁ ଫେରାର ହୋଇଥିଲେ | ଏହି ଆତଙ୍କବାଦୀ ହାବା ଭିତରେ କିନ୍ତୁ ଚାଷୀ ଆତ୍ମହତ୍ୟା ଓ ରାସନ କାର୍ଡ଼ ଦୁର୍ନତି ପ୍ରସଙ୍ଗ ଉଡ଼ିଗଲା | ଏହା ଉଡ଼ାଇବାକୁ ସରକାର ପ୍ରଥମେ ମନ୍ତ୍ରୀ ଦାମ ରାଉତ ଓ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ମଧ୍ୟରେ କଳି ଲଗାଇଥିଲେ | ସେହିପରି ଜଣେ ବିଜେପି ନେତାଙ୍କ ଜରିଆରେ ପୁରୀରେ ଇସ୍କନ ବାଲା ଆଉ ଗୋଟେ ଜଗନ୍ନାଥ ମନ୍ଦିର ତିଆରି କରୁଛନ୍ତି ବୋଲି ଅଭିଯୋଗ ହେଲା | ଏ ଦି’ଟା ବାଣ ଫୁସକିଯିବା ପରେ ଆତଙ୍କବାଦୀ ହାବା ସୃଷ୍ଟି କରାଯାଇଥିଲା ବୋଲି ଗଣମାଧ୍ୟମ ଓ ପୁଲିସ ପ୍ରଶାସନର କେତେ ଜଣ ବରିଷ୍ଠ ବ୍ୟକ୍ତିତ୍ବ ପରିଚୟ ପ୍ରଘଟ ନକରିବା ସର୍ତ୍ତରେ ମନ୍ତବ୍ୟ ଦେଇଛନ୍ତି |

Share :