ଏଣିକି କାରଖାନାରୁ ମିଳିବ ‘ଅହିଂସା ମାଂସ’!

ଏଣିକି କାରଖାନାରୁ ମିଳିବ ‘ଅହିଂସା ମାଂସ’!

Share :

ଖୁବ୍ ଶୀଘ୍ର ବଜାରକୁ ଆସିବ ଅହିଂସା ମାଉଁସ! ଏ ମାଂସ ଖାଇବାକୁ ଆଉ କୌଣସି ଜୀବହତ୍ୟା କରିବାକୁ ପଡ଼ିବ ନାହିଁ । କାରଖାନାରୁ ଉତ୍ପାଦିତ ହେବ । ପରୀକ୍ଷାଗାରରେ ପ୍ରସ୍ତୁତ ହୋଇସାରିଲାଣି । ଖାଲି ଫ୍ୟାକ୍ଟ୍ରି ଲାଗିଲେ ହେଲା । ଏଇ ଭାଷାରେ ନହେଲେ ମଧ୍ୟ ଠିକ୍ ଏହିପରି କିଛି ସୂଚନା ଦେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ । ଶ୍ରୀମତୀ ଗାନ୍ଧୀ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଜଣେ ପ୍ରାଣୀ ଓ ପରିବେଶ ପ୍ରେମୀ ଭାବେ ଜଣାଶୁଣା । ଅଗଷ୍ଟ ୨୩ ତାରିଖ ହାଇଦ୍ରାବାଦଠାରେ ‘ପୁଷ୍ଟି-ଖାଦ୍ୟ ପ୍ରଯୁକ୍ତି ବିପ୍ଳବ’ ଶୀର୍ଷକ ଏକ ସମ୍ମିଳନୀରେ ଅଭିଭାଷଣ ପ୍ରଦାନ କରି ସେ କହିଛନ୍ତି ଯେ ପରୀକ୍ଷାଗାରରେ ନିର୍ମଳ ମାଂସ ବା ଅହିଂସା ମାଂସ ସଫଳତାର ସହିତ ପ୍ରସ୍ତୁତ ହୋଇସାରିଲାରି । ପଶୁମାନଙ୍କର ଷ୍ଟେମ ସେଲ୍ରୁ ଏହି ମାଉଁସକୁ ବୃଦ୍ଧି କରାଯାଇଛି । ବିଦ୍ୟୁତ ଓ ସୂଚନା ପ୍ରଯୁକ୍ତି ପରେ ଏହା ହେଉଛି ମଣିଷର ଅନ୍ୟ ଏକ ଯୁଗାନ୍ତକାରୀ ଉଦ୍ଭାବନ । ଏହି ସମ୍ମିଳନୀରେ ଶ୍ରୀମତୀ ଗାନ୍ଧୀ କହିଛନ୍ତି ଯେ ପରୀକ୍ଷାଗାର-ପ୍ରସ୍ତୁତ ଏହି ନିର୍ମଳ ବା ଅହିଂସା ମାଂସ ଖାଇବାକୁ ଏକ ସର୍ଭେରେ ଭାଗ ନେଇଥିବା ପ୍ରାୟ ୬୬ ପ୍ରତିଶତ ଉପଭୋକ୍ତା ସହମତି ପ୍ରକାଶ କରିଛନ୍ତି । ଏବେ ନିର୍ମଳ ମାଂସ ଉତ୍ପାଦନ ପ୍ରଯୁକ୍ତିର ବିକାଶ କରିବାକୁ ଅନେକ ସୂଚନା ପ୍ରଯୁକ୍ତି କମ୍ପାନୀ ପ୍ରଚୁର ଅର୍ଥ ବିନିଯୋଗ କରୁଛନ୍ତି । ସେ କହିଛନ୍ତି ଯେ ୪୬ ପ୍ରତିଶତ ଉପଭୋକ୍ତା ଏହା ନିୟମିତ କିଣିବାକୁ ମତ ଦେଇଥିବାବେଳେ ୫୩ ପ୍ରତିଶତ ପାରମ୍ପାରିକ ମାଂସ ବଦଳରେ ଏହା ଗ୍ରହଣ କରିବାକୁ ରାଜି ହୋଇଛନ୍ତି । ଏହାକୁ ସେଲୁଲାର ମାଂସ ବୋଲି ମଧ୍ୟ କୁହାଯାଉଛି । ଏହା ବିକଶିତ ହୋଇସାରିଲାରି । କାଲି ବାଣିଜ୍ୟିକ ଭିତ୍ତିରେ ଉତ୍ପାଦନ ହେବା ବାକି ରହିଛି । ମେନକା କହିଛନ୍ତି ଆମେ ଯଦି ଏହାକୁ ବିଦେଶରୁ ଆମଦାନୀ କରିବା ତେବେ ବ୍ୟୟବହୁଳ ହେବ । ଏହାକୁ ଦେଶ ଭିତରେ ପ୍ରସ୍ତୁତ କଲେ ସୁଲଭ ଦରରେ ଚାରି ଆଡ଼େ ମିଳିବ । ଆସନ୍ତା ୫ ବର୍ଷ ଭିତରେ ଯେପରି ଭାରତ ବଜାରରେ ଏହି ମାଂସ ବିକ୍ରି ହୁଏ ତାହା ନିଶ୍ଚିତ କରିବାକୁ ଜ୍ଞାନକୌଶଳ ବିକାଶ କରିବା ନିମନ୍ତେ ସେ ବୈଜ୍ଞାନିକମାନଙ୍କୁ ଆହ୍ୱାନ ଦେଇଛନ୍ତି । ଏ ପ୍ରଯୁକ୍ତି ବିଷୟରେ ସାଧାରଣରେ ପ୍ରକାଶ ପାଇଲେ କ୍ଷୁଦ୍ର ଶିଳ୍ପୋଦ୍ୟୋଗୀମାନେ ମଧ୍ୟ ଗ୍ରାମାଞ୍ଚଳରେ ନିର୍ମଳ ମାଂସ କାରଖାନା ସ୍ଥାପନ କରିପାରିବେ । ସମ୍ମିଳନୀରେ ଭାଗ ନେଇଥିବା କେତେକ ବିଶେଷଜ୍ଞ କହିଛନ୍ତି ଯେ ଏ ଦିଗରେ ଗବେଷଣା ଯେପରି ଦ୍ରୁତଗତିରେ ଆଗେଇ ଚାଲିଛି ଖୁବଶୀଘ୍ର ବିଅର ବ୍ରିୱେରି ପରି ମାଂସ ବ୍ରିୱେରି ମଧ୍ୟ ଦେଖିବାକୁ ମିଳିବ । ଭାରତରେ କୁକୁଡ଼ା ମାଂସ ଉତ୍ପାଦନ କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜନ କରିଥିବା ଭେଙ୍କିଜ୍ ଗୋଷ୍ଠୀ ଏବେ ଏହି ନିର୍ମଳ ମାଂସ ଜ୍ଞାନକୌଶଳ ହାସଲ କରିବାକୁ କଥାବାର୍ତ୍ତା ଚଳେଇଛି । ଏବେ ନୂଆ କରି ଏହି ଜ୍ଞାନକୌଶଳ ବିକଶିତ ହୋଇଥିବାରୁ ଏହା ବ୍ୟୟସାପେକ୍ଷ ରହିଛି । ସେହିପରି ଭାରତରେ ଏଯାଏଁ ଏନେଇ କୌଣସି ନିୟନ୍ତ୍ରଣମୂଳକ ନୀତି ନିର୍ଦ୍ଦେଶାବଳି ପ୍ରସ୍ତୁତ ହୋଇନାହିଁ । ଏଭଳି କାରଖାନା ପ୍ରସ୍ତୁତ ମାଂସର ଗୋଟିଏ ମନ୍ଦ ଦିଗ ହେଉଛି ବହୁଳ ପରିମାଣରେ ଏହାର ଉତ୍ପାଦନ ହେଲେ ଏହା ସଂକ୍ରାମକ ରୋଗର ବ୍ୟାହକ ହେବାର ଆଶଙ୍କା ରହଛି ।

Share :