ଅଧିକ ୪ ବର୍ଷ ବଞ୍ଚନ୍ତେ ଭାରତୀୟ!

ଅଧିକ ୪ ବର୍ଷ ବଞ୍ଚନ୍ତେ ଭାରତୀୟ!

Share :

ଭାରତର ବ୍ୟାପକ ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତିବର୍ଷ ଦେଶ ୫୦ ହଜାର କୋଟି ଟଙ୍କାର କ୍ଷତି ସହ୍ୟ କରୁଛି । ଏହି ପ୍ରଦୂଷଣ ଯୋଗୁଁ ଦେଶର ବହୁ ଲୋକ ରୁଗ୍ଣ ଜୀବନ ବିତାଇବା ସହିତ ଅନେକ ଲୋକଙ୍କର ଆୟୁସ କମିଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ମାନକ ଅନୁସାରେ ବାୟୁର ମାନ ନିଶ୍ଚିତ କରାଗଲେ ଭାରତର ଲୋକମାନେ ହାରାହାରି ଅଧିକ ୪ ବର୍ଷ ବଞ୍ଚିପାରନ୍ତେ ବୋଲି ଚିକାଗୋ ୟୁନିଭର୍ସିଟି ଓ ହାର୍ଭାଡ଼ କେନେଡି ସ୍କୁଲ ତରଫରୁ ପ୍ରକାଶ କରାଯାଇଥିବା ଏକ ଅନୁଧ୍ୟାନ ରିପୋର୍ଟରେ ଉଲ୍ଲେଖ ରହିଛି । ଏହି ରିପୋର୍ଟ ଅନୁସାରେ ନିରାପଦ ବାୟୁ ଥିବା ଅଞ୍ଚଳ ବାହାରେ ଭାରତର ପ୍ରାୟ ୬୬ କୋଟି ଲୋକ ବସବାସ କରୁଛନ୍ତି । ପ୍ରଦୂଷିତ ବାୟୁ ଯୋଗୁଁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ନାନାଦି ଫୁସ୍ଫୁସ୍ ରୋଗରେ ପୀଡ଼ିତ ହେଉଛନ୍ତି । ତା’ଛନା ଅନ୍ୟାନ୍ୟ ରୋଗବ୍ୟାଧିରେ ପଡ଼ି ସାରା ଜୀବନ ରୁଗ୍ଣ ରହୁଛନ୍ତି । ଏହି କାରଣରୁ ଅନେକ ଲୋକ ଅକାଳରେ ମୃତ୍ୟୁବରଣ କରୁଛନ୍ତି । ରୋଗ, ଚିକିତ୍ସା ଓ ଅନ୍ୟାନ୍ୟ କାରଣରୁ ଭାରତର ବାର୍ଷିକ ପ୍ରାୟ ୫୦ ହଜାର କୋଟି ଟଙ୍କାର କ୍ଷତି ହେଉଛି । ଏହା ନିୟନ୍ତ୍ରଣ କରିବା ପାଇଁ ଭାରତ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ନିର୍ଦ୍ଧାରିତ ମାନକ ଅନୁସାରେ ବାୟୁର ମାନ ନିୟନ୍ତ୍ରଣ କରିବା ଉଚିତ ବୋଲି ରିପୋର୍ଟରେ କୁହାଯାଇଛି । ଏହା ନିୟନ୍ତ୍ରଣ କରିବା ପାଇଁ ଯେଉଁସବୁ ସଂସ୍ଥା ବା ବ୍ୟକ୍ତି ବାୟୁ ପ୍ରଦୂଷଣ କଲା ଭଳି ବାଷ୍ଫ ଓ ବର୍ଜ୍ୟ ନିର୍ଗତ କରୁଛନ୍ତି ସେମାନଙ୍କ ଉପରେ ଜୋରିମାନା ଧାର୍ଯ୍ୟ କରିବା ସହିତ ପ୍ରଦୂଷଣକାରୀଙ୍କ ତାଲିକା ସର୍ବସାଧାରଣରେ ପ୍ରକାଶ କରିବା ଉଚିତ ବୋଲି ରିପୋର୍ଟରେ ପରାମର୍ଶ ଦିଆଯାଇଛି ।

Share :