ସୂର୍ଯ୍ୟଙ୍କୁ ସ୍ପର୍ଶ କରିବ ମଣିଷ!

ସୂର୍ଯ୍ୟଙ୍କୁ ସ୍ପର୍ଶ କରିବ ମଣିଷ!

Share :

ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କୁ ସ୍ପର୍ଶ କରିବାକୁ ମାନବ ସମାଜ ଆରମ୍ଭ କରିଛି ପ୍ରଥମ ଯାତ୍ରା। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଏହି ଉଦ୍ଦେଶ୍ୟରେ ସୂର୍ଯ୍ୟଙ୍କ ପାଖକୁ ପ୍ରେରଣ କରିଛି ପାର୍କର ସୋଲାର ପ୍ରୋବ୍। ଶନିବାର ଉତ୍କ୍ଷେପଣ ସମୟରେ ତ୍ରୁଟି ଦେଖାଯିବାରୁ ତାହା ସ୍ଥଗିତ ରହିଥିଲା। ରବିବାର ସକାଳେ କେପ୍ କାନାଭେରାଲ ଏୟାର ଫୋର୍ସ ଷ୍ଟେସନର ୩୭ ସ୍ପେଶ୍ ଲଞ୍ଚ କମ୍ପ୍ଲେକ୍ସରୁ ପାର୍କର ସୋଲାର ପ୍ରୋବକୁ ସଫଳତାର ସହିତ ମହାକାଶକୁ ଉତ୍କ୍ଷେପିତ କରାଯାଇଛି। କାର୍ ସାଇଜ୍ର ପାର୍କର ସୋଲାର ପ୍ରୋବ୍କୁ ମହାକାଶକୁ ବୋହି ନେଇଛି ଏକ ବଡ଼ ଧରଣର ରକେଟ୍। ସୋଲାର ପ୍ରୋବ୍ ଯାନଟି ସୂର୍ଯ୍ୟଙ୍କଠାରୁ ୪୦ ଲକ୍ଷ ମାଇଲ୍ ଦୂରରେ ଥିବା ସୂର୍ଯ୍ୟଙ୍କ ବାୟୁମଣ୍ଡଳକୁ ସ୍ପର୍ଶ କରିବ। ଏହା ସୂର୍ଯ୍ୟଙ୍କ ଅରା ବା ପ୍ରଭା ବା କରୋନା ଉପରେ ଗବେଷଣା କରିବ। ସୂର୍ଯ୍ୟଙ୍କ ବାହ୍ୟ ମଣ୍ଡଳକୁ କରୋନା କୁହାଯାଏ। ଏହା ସୂର୍ଯ୍ୟଙ୍କ ପୃଷ୍ଠଠାରୁ ବି ଅଧିକ ଉତ୍ତପ୍ତ। ପାର୍କର ସୋଲାର ପ୍ରୋବ ୭ ବର୍ଷ ଭିତରେ ସୂର୍ଯ୍ୟଙ୍କ କରୋନା ଭିତରେ ୨୪ ଥର ଯିବାଆସିବା କରିବ। ସୂର୍ଯ୍ୟଙ୍କ କରୋନା ନିକଟରେ ୧୩୭୦ ଡିଗ୍ରୀ ସେଲସିୟସ ତାପାମାତ୍ରା ସହ୍ୟ କରି ଏହା ଭିତରେ ଥିବା ଯନ୍ତ୍ରଗୁଡ଼ିକ ଯେପରି ସହନଶୀଳ ୨୯ ଡିଗ୍ରୀ ସେଲସିୟସ ତାପମାତ୍ରା ଭିତରେ ରହିପାରିବେ ସେଥିନିମନ୍ତେ ଯାନଟିର ଉପରେ ଏକ ଉତ୍ତାପ ନିରୋଧୀ ଖୋଳ ଖଂଜାଯାଇଛି। ପୂର୍ବରୁ କୌଣସି ଯାନ ସୂର୍ଯ୍ୟଙ୍କ ଏତେ ନିକଟକୁ ଯାଇନାହିଁ ଯେତେ ନିକଟକୁ ନାସାର ଏହି ପାର୍କର ସୋଲାର ପ୍ରୋବ୍ ଯିବ। ହିସାବ ଅନୁସାରେ ସୂର୍ଯ୍ୟ ପୃଷ୍ଠର ୬.୧ ନିୟୁତ କିଲୋମିଟର ଦୂରତା ମଧ୍ୟରେ ସୌର ପ୍ରଭା ବା କରୋନା ଉପରେ ଗବେଷଣ କରିବ ଏହି ଯାନ। ପୂର୍ବରୁ ଯେତେ ସୌରଯାନ ପଠାଯାଇଛି ସେମାନଙ୍କଠାରୁ ସୂର୍ଯ୍ୟଙ୍କର ୭ ଗୁଣ ନିକଟତର ହେବ ଏହି ଯାନ। ପୂର୍ବରୁ ହେଲିୟସ-୨ ନାମକ ଏକ ଗବେଷଣା ଯାନ ସୂର୍ଯ୍ୟଙ୍କ ନିକଟକୁ ଯାଇଥିଲା। ଏହି ଯାନଟି ୧୯୭୬ ମସିହାରେ ପଠାଯାଇଥିଲା। ଏହା ସୂର୍ଯ୍ୟଙ୍କଠାରୁ ୪୩ ନିୟୁତ କିଲୋମିଟର ଦୂରରେ ସୂର୍ଯ୍ୟଙ୍କ ସଂପର୍କରେ କିଛି ତଥ୍ୟ ସଂଗ୍ରହ କରିଥିଲା। ପୃଥିବୀଠାରୁ ସୂର୍ଯ୍ୟଙ୍କ ଦୂରତା ହେଉଛି ପ୍ରାୟ ୧୫ କୋଟି କିଲୋମିଟର। ସୂର୍ଯ୍ୟଙ୍କ ପ୍ରଖର ତେଜରୁ ହିଁ ସୃଷ୍ଟି ହୋଇଥାଏ ସୌର ପବନ। ଏହି ସୌର ପବନରେ ଭରପୂର ରହିଥାନ୍ତି ଶକ୍ତିମାନ କଣିକା ସମୂହ। ଏହି କଣିକା ସମୂହ ଯୋଗୁଁ ସୃଷ୍ଟି ହୋଇଛି ସୌର ଜଗତ। ସୌର ପବନର ଗତି ଓ ପ୍ରକୃତି ସଂପର୍କରେ ଏବେ ଯାଏଁ କେହି କିଛି ସ୍ଥିର ଓ ନିଶ୍ଚିତ ନୁହନ୍ତି। ଏଥିଯୋଗୁଁ ପୃଥିବୀର ଚୁମ୍ୱକୀୟ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହୋଇଥାଏ। ଏହା ମଧ୍ୟ ଆମ ଗ୍ରହର ଯୋଗାଯୋଗ ମାଧ୍ୟମକୁ ସଂପୂର୍ଣ୍ଣ ଅଚଳ କରିଦେବାର ସାମର୍ଥ୍ୟ ରଖିଛି। ନାସା ବୈଜ୍ଞାନିକମାନଙ୍କର ଆଶା ଯେ ଏହି ଗବେଷଣା ପ୍ରକଳ୍ପରୁ ସେମାନେ ଯେଉଁ ତଥ୍ୟ ସଂଗ୍ରହ କରିବେ ତଦ୍ୱାରା ପୃଥିବୀର ମହାକାଶ ପରିବେଶରେ ଘଟୁଥିବା ପରିବର୍ତ୍ତନ ସଂପର୍କରେ ଭବିଷ୍ୟବାଣୀ କରିପାରିବେ। ନାସାର ଲିଭିଙ୍ଗ ଉଇଥ ଏ ଷ୍ଟାର କାର୍ଯ୍ୟକ୍ରମର ଅଂଶବିଶେଷ ଏହି ପ୍ରକଳ୍ପର ମୋଟ ବ୍ୟୟ ଅଟକଳ ହେଉଛି ୧୫୦ କୋଟି ଡଲାର। ପ୍ରକଳ୍ପର ଆୟୁସ ୭ ବର୍ଷ। ଏହି ୭ ବର୍ଷ ମଧ୍ୟରେ ପାର୍କର ପ୍ରୋବ୍ ମହାକାଶ ଯାନ ଶୁକ୍ର ଗ୍ରହ ପାଖ ଦେଇ ୭ ଥର ଯାତାୟାତ କରିବ ଓ ଧୀରେ ଧୀରେ ସୂର୍ଯ୍ୟ ଚାରିପଟରେ ନିଜର ପ୍ରଦକ୍ଷିଣରୁ ଓହରଯିବ। ଏହି ସମୟ ଭିତରେ ପାର୍କର ପ୍ରୋବ ଯାନ ସୌର ପବନ, ବିଦ୍ୟୁତ ଓ ଚୁମ୍ୱକୀୟ କ୍ଷେତ୍ର, କରୋନାଲ ପ୍ଲାଜମା ଏବଂ ଶକ୍ତିସଂପନ୍ନ କଣିକା ସମୂହ ଉପରେ ଅନୁଧ୍ୟାନ କରିବ। ଚୁମ୍ୱକ ଶକ୍ତି ସଂପନ୍ନ କରୋନାର ଆଭ୍ୟନ୍ତରୀଣ ପ୍ରକ୍ରିୟା ସଂପର୍କରେ ତଥ୍ୟ ସଂଗ୍ରହ କରିବାକୁ ମଧ୍ୟ ନାସା ଲକ୍ଷ୍ୟ ରଖିଛି।

Share :