ଖାଲି ପଡ଼ିଛି ୨୪ ଲକ୍ଷ ପଦ, ନିଯୁକ୍ତି ନାହିଁ!

ଖାଲି ପଡ଼ିଛି ୨୪ ଲକ୍ଷ ପଦ, ନିଯୁକ୍ତି ନାହିଁ!

Share :

ଦେଶ ଓ ରାଜ୍ୟରେ ବେକାରଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଶିକ୍ଷିତ ଓ ତାଲିମପ୍ରାପ୍ତ ଯୁବକଯୁବତୀମାନେ ଚାକିରି ସନ୍ଧାନରେ ଘୂରି ବୁଲୁଛନ୍ତି। ପିଅନ ପଦବୀ ପାଇଁ ହଜାର ହଜାର ସଂଖ୍ୟାରେ ସ୍ନାତକ ଓ ସ୍ନାତକୋତ୍ତର ପିଲା ଦରଖାସ୍ତ କରୁଛନ୍ତି। ଅଥଚ ଜାତୀୟ ଓ ରାଜ୍ୟ ସ୍ତରରେ ଲକ୍ଷଲକ୍ଷ ସରକାରୀ ପଦବୀ ପୂରଣ କରାଯାଉ ନାହିଁ। ସଂସଦରେ ବିଭିନ୍ନ ସମୟରେ ପଚରାଯାଇଥିବା ତଥ୍ୟରୁ ଏବେ ଜଣାପଡ଼ିଛି ଯେ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଏବେ ପ୍ରାୟ ୨୪ ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଛି। ନିକଟରେ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ଉପସ୍ଥାପିତ ହୋଇଥିବା ତଥ୍ୟ ଅନୁସାରେ ସମଗ୍ର ଦେଶରେ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଏଥି ମଧ୍ୟରେ କେନ୍ଦ୍ର ପ୍ରାୟୋଜିତ ସର୍ବଶିକ୍ଷା ଅଭିଯାନରେ ଖାଲିଥିବା ପଦବୀ ସଂଖ୍ୟା ମଧ୍ୟ ଅନ୍ତର୍ଭୁକ୍ତ। ସେହିପରି ୨୦୧୮ ମାର୍ଚ୍ଚ ୨୭ ତାରିଖରେ ଲୋକସଭାରେ ଉପସ୍ଥାପିତ ହୋଇଥିବା ଏକ ଉତ୍ତର ଅନୁସାରେ ଦେଶର ଜିଲ୍ଲାଗୁଡ଼ିକରେ ସଶସ୍ତ୍ର ପୁଲିସ ବଳ ଓ ଦେୱାନୀ ପ୍ରଶାସନ କ୍ଷେତ୍ରରେ ୪.୪ ଲକ୍ଷ ପଦବୀ ପୂରଣ ନହୋଇ ଫାଙ୍କା ପଡ଼ିଛି। ଲୋକସଭାରେ ପ୍ରଦତ୍ତ ହୋଇଥିବା ଅନ୍ୟ ଏକ ଉତ୍ତର ଅନୁସାରେ ରାଜ୍ୟ ସଶସ୍ତ୍ର ପୁଲିସ ବଳରେ ମଧ୍ୟ ୯୦ ହଜାର ପଦବୀ ଫାଙ୍କା ପଡ଼ିଛି। ମୋଟ ଉପରେ ହିସାବ କଲେ ପୁଲିସ ବିଭାଗରେ କେବଳ ୫.୪ ଲକ୍ଷ ପଦବୀ ଖାଲି ପଡ଼ିଛି। ୨୦୧୮ ଜୁଲାଇ ୧୮ ତାରିଖରେ ଲୋକସଭାରେ ପ୍ରଦତ୍ତ ହୋଇଥିବା ଅନ୍ୟ ଏକ ଉତ୍ତର ଅନୁସାରେ ଦେଶର ବିଭିନ୍ନ ଅଦାଲତରେ ୫୮୦୦ ପଦବୀ ଖାଲି ପଡ଼ିଛି। ସେହିପରି ପ୍ରତିରକ୍ଷା ବାହିନୀ ଓ ଅର୍ଦ୍ଧସାମରିକ ବାହିନୀରେ ମଧ୍ୟ ୧.୨ ଲକ୍ଷ ପଦବୀ ଖାଲି ପଡ଼ିଛି। ୨୦୧୮ ମାର୍ଚ୍ଚ ୧୬ ତାରିଖର ଏକ ଉତ୍ତର ଅନୁସାରେ ଭାରତୀୟ ରେଳବାଇରେ ୨.୫ ଲକ୍ଷ ଅଣ-ଗେଜେଟେଡ଼ ପଦବୀ ଖାଲି ପଡ଼ିଛି। ଅବଶ୍ୟ ଏଥିରୁ ୮୯ ହଜାର ପଦବୀ ପୂରଣ କରିବାକୁ ନିକଟରେ ବିଜ୍ଞପ୍ତି ପ୍ରକାଶ ପାଇଛି। ସଂସଦରେ ଉପସ୍ଥାପିତ ଅନ୍ୟ ଏକ ଉତ୍ତର ଅନୁସାରେ ଡାକ ବିଭାଗରେ ୫୪ ହଜାର ପଦବୀ ଖାଲି ପଡ଼ିଛି। ୨୦୧୮ ଫେବୃଆରୀ ୬ ତାରିଖରେ ରାଜ୍ୟସଭାରେ ଦିଆଯାଇଥିବା ଏକ ଉତ୍ତର ଅନୁଯାୟୀ ଡାକ କେନ୍ଦ୍ରଗୁଡ଼ିକରେ ୧.୫ ଲକ୍ଷ ପଦବୀ ପୂରଣ ହୋଇନାହିଁ। ସେହିପରି ଦେଶରେ ଏବେ ୧୬ ହଜାର ଡାକ୍ତର, ନର୍ସ ଓ ଅନ୍ୟ ମେଡିକାଲ ପଦବୀ ଖାଲି ପଡ଼ିଛି। ଦେଶରେ ଏବେ ଏତେ ପଦପଦବୀ ଖାଲି ପଡ଼ିଥିଲେ ବି ଶିକ୍ଷତ ଓ ତାଲିମପ୍ରାପ୍ତ ଯୁବକଯୁବତୀମାନଙ୍କୁ ସେଥିରେ ନିଯୁକ୍ତ କରାଯାଉ ନାହିଁ। ଓଲଟି ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଅନେକ ପଦପଦବୀ କ୍ଷେତ୍ରରେ ଅବସର ବୟସସୀମା ବୃଦ୍ଧି କରାଯାଉଛି। ଏହା ଯୁବପିଢ଼ିଙ୍କ ନିଯୁକ୍ତି ସମ୍ଭାବନାର ଗତିରୋଧ କରୁଛି।

Share :