ମଙ୍ଗଳ ମେରୁ ତଳେ ଜଳ!

ମଙ୍ଗଳ ମେରୁ ତଳେ ଜଳ!

Share :

ଲୋହିତ ଗ୍ରହ ମଙ୍ଗଳର ଦକ୍ଷିଣ ମେରୁରେ ଥିବା ତୁଷାର ଟୋପି ତଳେ ଠାବ ହୋଇଛି ଏକ ତରଳ ଜଳର ହ୍ରଦ । ରାଡାର ଜରିଆରେ ଏହା ଠାବ ହୋଇଥିବା ନେଇ ଦାବି କରିଛି ଇଟାଲୀର ମହକାଶ ସଂସ୍ଥା । ଏ ସଂପର୍କୀତ ଏକ ପ୍ରବନ୍ଧ ସାଇନ୍ସ ପତ୍ରିକାରେ ପ୍ରକାଶ ପାଇଛି । ୟୁରୋପୀୟ ମହାକାଶ ସଂସ୍ଥାର ମାର୍ସ ଏକ୍ସପ୍ରେସ ମହାକାଶ ଯାନରେ ଖଞ୍ଜା ଯାଇଥିବା ମାର୍ସ ଆଡଭାନ୍ସଡ ରାଡାର ଫର୍ ସବ୍ସର୍ଫେସ ଆଣ୍ଡ ଆୟୋନୋସ୍ଫିୟର ସାଉଣ୍ଡିଂ ଇନ୍ଷ୍ଟ୍ରୁମେଣ୍ଟ ବା ସଂକ୍ଷେପରେ ମାର୍ସିସ ସଂଗ୍ରହ କରିଥିବା ପ୍ରମାଣରୁ ଏହା ଜଣାପଡ଼ିଛି । ୨୦୧୨ ମେ ମାସରୁ ୨୦୧୫ ଡିସେମ୍ବର ମାସ ମଧ୍ୟରେ ମଙ୍ଗଳର ଦକ୍ଷିଣ ତୁଷାର ଟୋପି ବା ପ୍ଲାନମ ଅଷ୍ଟ୍ରାଲେ ଅଂଚଳର ସର୍ବେକ୍ଷଣ କରିଥିଲା ମାର୍ସିସ । ଏହି ସମୟରେ ମାର୍ସିସ ଗ୍ରହଣ କରିଥିବା ମଙ୍ଗଳ ପୃଷ୍ଠ ଓ ମେରୁ ତୁଷାର ତଳର ରାଡାର ସ୍ପନ୍ଦନ ଏବଂ ରେଡିଓ ତରଙ୍ଗର ପରିମାପକୁ ମାର୍ସ ଏକ୍ସପ୍ରେସକୁ ପଠାଇଥିଲା । ଏହି ସ୍ପନ୍ଦନରେ ପ୍ରତିଫଳିତ ହୋଇଛି ୨୯ ପ୍ରକାର ରାଡାର ସଂଗୃହୀତ ନମୂନା । ଏସବୁ ସ୍ପନ୍ଦନ ଚିତ୍ରରୁ ମଙ୍ଗଳ ପୃଷ୍ଠର ଏକ ମାଇଲ ତଳେ ସୃଷ୍ଟି ହୋଇଥିବା ପ୍ରଚଣ୍ଡ ପରିବର୍ତ୍ତନର ସଂକେତ ଦିଏ । ଏହି ପରିବର୍ତ୍ତନ ଦେଖାଉଥିବା ଅଂଚଳ ୧୨.୫ ମାଇଲ ଯାଏଁ ପରିବ୍ୟାପ୍ତ । ଏହା ଗ୍ରୀନଲ୍ୟାଣ୍ଡ ଓ ଆଣ୍ଟାର୍କଟିକ୍ ତୁଷାର ସ୍ତର ତଳେ ରହିଥିବା ହ୍ରଦ ପରି ଚିହ୍ନଟ କରିଛନ୍ତି ଗବେଷକ ଦଳ । ରାଡାରରେ ଏହି ଚିତ୍ର ଅତ୍ୟନ୍ତ ଉଜ୍ଜ୍ୱଳ ଦିଶୁଥିବାରୁ ଏହା ଜଳ ବୋଲି ସୂଚିତ ହେଉଛି । ଏହା ଅନ୍ୟ କିଛି ହୋଇନପାରେ ବୋଲି ଗବେଷକ ଦଳ ସେମାନଙ୍କ ପ୍ରବନ୍ଧରେ ଉଲ୍ଲେଖ କରିଛନ୍ତି । ମଙ୍ଗଳର ମେରୁ ତୁଷାର ତଳେ ତରଳ ଜଳ ଥିବା ନେଇ ୩୧ ବର୍ଷ ତଳେ ଅନୁମାନ କରାଯାଇଥିଲା । ଏହା ପରେ ଏ ନେଇ କେତେକ ସଂକେତ ମିଳିଥିଲା । ଫୋନିକ୍ସ ଲାଣ୍ଡରରେ କେତେକ ଘନୀଭୂତ ଜଳବିନ୍ଦୁ ଲାଗିଥିବା ନେଇ କେତେକ ଗବେଷଣା ପ୍ରବନ୍ଧରେ ଉଲ୍ଲେଖ କରାଯାଇଥିଲା । ସେହିପରି ମଙ୍ଗଳ ପୃଷ୍ଠରେ ଥିବା କେତେକ ଢାଲୁ ଅଂଚଳରେ ଋତୁକାଳୀନ ଜଳ ପ୍ରବାହ ନେଇ ମଧ୍ୟ ଅନୁମାନ କରାଯାଉଥିଲା । କିନ୍ତୁ ଏ ନେଇ ନିର୍ଦ୍ଦିଷ୍ଟ ପ୍ରମାଣ କିଛି ମିଳି ନଥିଲା । ଏବେ ମଙ୍ଗଳ ମେରୁର ତୁଷାର ତଳେ ଏତେ ଗଭୀରରେ ଏହି ଜଳ ଥିବ ବୋଲି ଅନୁମାନ କରାଯାଉଛି ଯେ ତାହା ସ୍ୱାଭାବିକ ଭାବେ ବରଫ ଆକାରରେ ରହିବା କଥା । କିନ୍ତୁ ମଙ୍ଗଳରେ ପୂର୍ବରୁ ମିଳିଥିବା ମ୍ୟାଗ୍ନେସିୟମ, କାଲସିୟମ ଏବଂ ସୋଡିୟମ ଯୋଗୁଁ ଏହି ଜଳ ବରଫ ଆକାରରେ ଜମାଟ ନବାନ୍ଧି ତରଳ ଲୁଣି ପାଣି ଆକାରରେ ରହିଥିବ ବୋଲି ଆକଳନ କରାଯାଉଛି । ପୃଥିବୀରେ ଆଣ୍ଟାର୍କଟିକ୍ ବରଫ ତଳେ ବାର୍ଷିକ ହାରାହାରି ବିଯୁକ୍ତ ୭୬ ଡିଗ୍ରୀ ଫାରେନହାଇଟରେ ମଧ୍ୟ ହ୍ରଦ ରହିଛି । ଏଠି ଲୁଣି ସମୁଦ୍ର ୮.୬ ଡିଗ୍ରୀ ଫାରେନହାଇଟରେ ମଧ୍ୟ ତରଳ ଅବସ୍ଥାରେ ରହିପାରେ ବୋଲି ଗବେଷଣାରୁ ଜଣାପଡ଼ିଛି । ତେବେ ନ୍ୟାସନାଲ ଅସେନିକ ଆଣ୍ଡ ଆଟମୋସ୍ଫେରିକ ଆଡମିନିଷ୍ଟ୍ରେସନର ରିପୋର୍ଟ ଅନୁସାରେ ୨୮.୪ ଡିଗ୍ରୀ ଫାରେନହାଇଟ୍ ତାପମାତ୍ରାରେ ଲୁଣି ପାଣି ବି ବରଫ ପାଲଟିଯାଇପାରେ । ପୃଥିବୀ ପରି ମଙ୍ଗଳ ମେରୁର ତୁଷାର ସ୍ତର ପାଗ ପରିବର୍ତ୍ତନ ସହିତ ପରିବର୍ତ୍ତିତ ହୋଇଥାଏ । ଏହି ତୁଷାର ସ୍ତର କିପରି ପରିବର୍ତ୍ତନର ସାମ୍ନା କରୁଛି ତାହା ଉପରେ ଗବେଷଣା ହେଲେ ମଙ୍ଗଳର ଭିନ୍ନ ଭିନ୍ନ ପାଗ ସଂପର୍କରେ ଜଣାପଡ଼ିବ । ତେବେ ସତରେ କ’ଣ ମଙ୍ଗଳ ମେରୁ ତଳେ ତରଳ ଜଳର ହ୍ରଦ ବହୁଛି? ଅନ୍ୟ ରାଡାରଗୁଡ଼ିକ ଏ ସଂପର୍କରେ ଏଯାଏଁ କୌଣସି ପ୍ରମାଣ ସଂଗ୍ରହ କରିପାରି ନାହାନ୍ତି । ମଙ୍ଗଳ ଅଭିଯାନରେ ଥିବା ରିକନ୍ନେସାଁ ଅର୍ବିଟରରେ ଲାଗିଥିବା ଶରଦ ବା ଶାଲୋ ରାଡାର ଏପରି ତଥ୍ୟ ପାଇନାହିଁ । ଶରଦ ରାଡାରର ଉପ ମୁଖ୍ୟ ପରିଚାଳକ ନାଥାନିଏଲ ପୁଜିଗ୍ କହିଛନ୍ତି ଯେ ଆମେ ସହସ୍ରାଧିକ ତଥ୍ୟକୁ ଏକାଠି ଅନୁଶୀଳନ କଲୁଣି । କିନ୍ତୁ ଏଭଳି ସଂକେତ କିଛି ପାଇନାହୁଁ । ଏବେ ଆମେ ମାର୍ସିସରୁ ମିଳିଥିବା ତଥ୍ୟ ନେଇ ତାହା ଉପରେ ଗବେଷଣା କରିବୁ । ଏହି ତଥ୍ୟର ୩-ଡି ଇମେଜ୍ ପ୍ରସ୍ତୁତ କରିବା ପରେ କ’ଣ ମିଳିବ ତାହା ଜାଣିବାକୁ ଆମର ଆଗ୍ରହ ରହିଛି ବୋଲି କହିଛନ୍ତି ପୁଜିଗ୍ ।

Share :