ସୂର୍ଯ୍ୟ ସନ୍ଧାନରେ ଯିବ ନାସା!

ସୂର୍ଯ୍ୟ ସନ୍ଧାନରେ ଯିବ ନାସା!

Share :

ସୂର୍ଯ୍ୟଙ୍କ ଖୁବ ନିକଟକୁ ଯାନ ପଠାଇବ ନାସା । ଅତିଶୟ ଉତ୍ତପ୍ତ ବାତାବରଣରେ ସୋଲାର କରୋନା ବା ସୌର ତେଜ ଯୋଗୁଁ ଉତ୍ପନ୍ନ ହେଉଥିବା ସୌର ପବନର କଳଣା କରିବ ଆମେରିକାର ଜାତୀୟ ଏରୋନୋଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ । ଏ ଦିଗରେ ପ୍ରସ୍ତୁତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ । ଅଗଷ୍ଟ ୬ ତାରିଖରେ କେପ କାନାଭୋରାଲରୁ ସୂର୍ଯ୍ୟଙ୍କ ନିକଟକୁ ପ୍ରେରଣ ହେବ ନାସାର ପାର୍କର ସୋଲାର ପ୍ରୋବ୍ ନାମକ ମହାକାଶ ଯାନ । ପୂର୍ବରୁ କୌଣସି ଯାନ ସୂର୍ଯ୍ୟଙ୍କ ଏତେ ନିକଟକୁ ଯାଇନାହିଁ ଯେତେ ନିକଟକୁ ନାସାର ଏହି ପାର୍କର ସୋଲାର ପ୍ରୋବ୍ ଯିବ । ହିସାବ ଅନୁସାରେ ସୂର୍ଯ୍ୟ ପୃଷ୍ଠର ୬.୧ ନିୟୁତ କିଲୋମିଟର ଦୂରତା ମଧ୍ୟରେ ସୌର ତେଜ ଉପରେ ଗବେଷଣ କରିବ ଏହି ଯାନ । ପୂର୍ବରୁ ଯେତେ ସୌରଯାନ ପଠାଯାଇଛି ସେମାନଙ୍କଠାରୁ ସୂର୍ଯ୍ୟଙ୍କର ୭ ଗୁଣ ନିକଟତର ହେବ ଏହି ଯାନ । ପ୍ରକଳ୍ପର ଜଣେ ବୈଜ୍ଞାନିକ ତଥା ଜନ୍ସ ହୋପକିନ୍ସ ବିଶ୍ୱବିଦ୍ୟାଳୟ ପ୍ରୟୋଗତ୍ମକ ପଦାର୍ଥ ବିଜ୍ଞାନ ଗବେଷଣାଗାରର ପ୍ରାଧ୍ୟାପକ ନିକୋଲା ଫକ୍ସ କହନ୍ତି, ‘ତୁମେ ଯେଉଁଠିକୁ ପୂର୍ବରୁ କେବେ ଯାଇନାହଁ ସେଠାକୁ ଗବେଷଣା ଯାନ ପଠାଇବା ନିଶ୍ଚିତ ଭାବରେ ଏକ ଉଚ୍ଚାକାଙ୍କ୍ଷୀ ଯୋଜନା । ପୁଣି ସୂର୍ଯ୍ୟଙ୍କ ତେଜର ବଳୟ ଭିତରକୁ ଯିବା ତତୋଧିକ ମହତ୍ମାକାଙ୍କ୍ଷା । ପୂର୍ବରୁ ହେଲିୟସ-୨ ନାମକ ଏକ ଗବେଷଣା ଯାନ ସୂର୍ଯ୍ୟଙ୍କ ନିକଟକୁ ଯାଇଥିଲା । ଏହି ଯାନଟି ୧୯୭୬ ମସିହାରେ ପଠାଯାଇଥିଲା । ଏହା ସୂର୍ଯ୍ୟଙ୍କଠାରୁ ୪୩ ନିୟୁତ କିଲୋମିଟର ଦୂରରେ ସୂର୍ଯ୍ୟଙ୍କ ସଂପର୍କରେ କିଛି ତଥ୍ୟ ସଂଗ୍ରହ କରିଥିଲା । ପୃଥିବୀଠାରୁ ସୂର୍ଯ୍ୟଙ୍କ ଦୂରତା ହେଉଛି ପ୍ରାୟ ୧୫ କୋଟି କିଲୋମିଟର । ସୂର୍ଯ୍ୟଙ୍କ ପ୍ରଖର ତେଜରୁ ହିଁ ସୃଷ୍ଟି ହୋଇଥାଏ ସୌର ପବନ । ଏହି ସୌର ପବନରେ ଭରପୂର ରହିଥାନ୍ତି ଶକ୍ତିମାନ କଣିକା ସମୂହ । ଏହି କଣିକା ସମୂହ ଯୋଗୁଁ ସୃଷ୍ଟି ହୋଇଛି ସୌର ଜଗତ । ସୌର ପବନର ଗତି ଓ ପ୍ରକୃତି ସଂପର୍କରେ ଏବେ ଯାଏଁ କେହି କିଛି ସ୍ଥିର ଓ ନିଶ୍ଚିତ ନୁହନ୍ତି । ଏଥିଯୋଗୁଁ ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହୋଇଥାଏ । ଏହା ମଧ୍ୟ ଆମ ଗ୍ରହର ଯୋଗାଯୋଗ ମାଧ୍ୟମକୁ ସଂପୂର୍ଣ୍ଣ ଅଚଳ କରିଦେବାର ସାମର୍ଥ୍ୟ ରଖିଛି । ନାସା ବୈଜ୍ଞାନିକମାନଙ୍କର ଆଶା ଯେ ଏହି ଗବେଷଣା ପ୍ରକଳ୍ପରୁ ସେମାନେ ଯେଉଁ ତଥ୍ୟ ସଂଗ୍ରହ କରିବେ ତଦ୍ୱାରା ପୃଥିବୀର ମହାକାଶ ପରିବେଶରେ ଘଟୁଥିବା ପରିବର୍ତ୍ତନ ସଂପର୍କରେ ଭବିଷ୍ୟବାଣୀ କରିପାରିବେ । ମେରିଲାଣ୍ଡ ସ୍ଥିତ ନାସାର ଗୋଡାର୍ଡ ସ୍ପେସ୍ ଫ୍ଲାଇଟ୍ ସେଣ୍ଟରର ସୌର ବିଜ୍ଞାନୀ ଆଲେକ୍ସ ୟଙ୍ଗ କୁହନ୍ତି, ‘ଆମେ ଯେମିତି ଆମ ପୃଥିବୀର ପାଣିପାଗ ବିଷୟରେ ଭବିଷ୍ୟବାଣୀ କରିପାରୁଛୁ ସେମିତି ମହାକାଶର ପାଣିପାଗ ବିଷୟରେ ଭବିଷ୍ୟବାଣୀ କରିବା ହେଉଛି ଆମ ଗବେଷଣାର ମୌଳିକ ଗୁରୁତ୍ୱ ।’ ନାସାର ଲିଭିଙ୍ଗ ଉଇଥ ଏ ଷ୍ଟାର କାର୍ଯ୍ୟକ୍ରମର ଅଂଶବିଶେଷ ଏହି ପ୍ରକଳ୍ପର ମୋଟ ବ୍ୟୟ ଅଟକଳ ହେଉଛି ୧୫୦ କୋଟି ଡଲାର । ପ୍ରକଳ୍ପର ଆୟୁସ ୭ ବର୍ଷ । ଏହି ୭ ବର୍ଷ ମଧ୍ୟରେ ପାର୍କର ପ୍ରୋବ୍ ମହାକାଶ ଯାନ ଶୁକ୍ର ଗ୍ରହ ପାଖ ଦେଇ ୭ ଥର ଯାତାୟାତ କରିବ ଓ ଧୀରେ ଧୀରେ ସୂର୍ଯ୍ୟ ଚାରିପଟରେ ନିଜର ପ୍ରଦକ୍ଷିଣରୁ ଓହରଯିବ । ଏହି ସମୟ ଭିତରେ ଗୋଟିଏ କାର୍ ସାଇଜ୍ର ଏହି ପାର୍କର ପ୍ରୋବ ଯାନ ସୌର ପବନ, ବିଦ୍ୟୁତ ଓ ଚୁମ୍ବକୀୟ କ୍ଷେତ୍ର, କରୋନାଲ ପ୍ଲାଜମା ଏବଂ ଶକ୍ତିସଂପନ୍ନ କଣିକା ସମୂହ ଉପରେ ଅନୁଧ୍ୟାନ କରିବ । ଚୁମ୍ବକ ଶକ୍ତି ସଂପନ୍ନ କରୋନାର ଆଭ୍ୟନ୍ତରୀଣ ପ୍ରକ୍ରିୟା ସଂପର୍କରେ ତଥ୍ୟ ସଂଗ୍ରହ କରିବାକୁ ମଧ୍ୟ ନାସା ଲକ୍ଷ୍ୟ ରଖିଛି । ଆମେରିକାର ସୌର ଜ୍ୟୋତିପଦାର୍ଥ ବିଜ୍ଞାନୀ ୟୁଜେନ୍ ନିଉମାନ ପାର୍କରଙ୍କ ନାମ ଅନୁସାରେ ଏହି ମହକାଶ ଯାନ ନାମିତ ହୋଇଛି । ଏହା ସୂର୍ଯ୍ୟଙ୍କ ନିକଟରେ ଅକଳ୍ପନୀୟ ଉତ୍ତାପ ଓ ବିକିରଣ ମଧ୍ୟରେ କାର୍ଯ୍ୟ କରିବ । ସୂର୍ଯ୍ୟଙ୍କ କରୋନା ନିକଟରେ ୧୩୭୦ ଡିଗ୍ରୀ ସେଲସିୟସ ତାପାମାତ୍ରା ସହ୍ୟ କରି ଏହା ଭିତରେ ଥିବା ଯନ୍ତ୍ରଗୁଡ଼ିକ ଯେପରି ସହନଶୀଳ ୨୯ ଡିଗ୍ରୀ ସେଲସିୟସ ତାପମାତ୍ରା ଭିତରେ ରହିପାରିବେ ସେଥିନିମନ୍ତେ ଯାନଟିର ଉପରେ ଏକ ଉତ୍ତାପ ନିରୋଧୀ ଖୋଳ ଖଂଜାଯାଇଛି ।

Share :