ଗଂଜାମ ରାଜନୀତିରେ ସିବିଆଇ ଚଡ଼କ

ଗଂଜାମ ରାଜନୀତିରେ ସିବିଆଇ ଚଡ଼କ

Share :

ହେମାଙ୍ଗ ପ୍ରସାଦ ରାଉଳ ଓଡ଼ିଶା ରାଜନୀତିରେ ଗଂଜାମ ଜିଲ୍ଲା ଏକ ସମୃଦ୍ଧଶାଳୀ ଅଂଚଳ ଭାବରେ ବିଗତ ଦୁଇ ଦଶନ୍ଧି ଧରି ନିଜର ଛାପ ଛାଡ଼ିଛି ଶାସନ ତନ୍ତ୍ରର ବିଧି ଓ ବ୍ୟବସ୍ଥାରେ । ମୁଖ୍ୟମନ୍ତ୍ରୀଙ୍କ ସମେତ ଏକରୁ ଅନେକ ମନ୍ତ୍ରୀ, ବିଧାୟକ ଗଂଜାମ ଜିଲ୍ଲାରୁ ପ୍ରତିିନିଧିତ୍ୱ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ନେଇ ସ୍ୱଚ୍ଛ ଭାବମୂର୍ତ୍ତି ସ୍ୱଚ୍ଛ ଶାସନ କହି କ୍ଷମତା ପଦରେ ରହି ଯଥେଷ୍ଟ ଖେଳ ଖେଳି ଆସିଛନ୍ତି । ମନ୍ତ୍ରୀମାନଙ୍କ ମଧ୍ୟରେ ରାମକୃଷ୍ଣ ପଟ୍ଟନାୟକଙ୍କ ପରେ ସୂର୍ଯ୍ୟନାରାୟଣ ପାତ୍ର ପ୍ରଭୁତ୍ୱର ଅଧିକାରୀ ହୋଇ ନବୀନଙ୍କ ବିଶ୍ୱସ୍ତତାର ତାଲିକାରେ ରହି ଦୀର୍ଘବର୍ଷ ଧରି ମନ୍ତ୍ରୀ ପଦରେ ରହିଛନ୍ତି । ବିଜୁ ବାବୁଙ୍କ ସମୟରେ ମତ୍ସ୍ୟ, ପଶୁପାଳନ ରାଷ୍ଟ୍ରମନ୍ତ୍ରୀ ପଦରୁ ରାଜନୈତିକ ଜୀବନର ଅମଳିନ ସ୍ୱାକ୍ଷର ବହନ କରିଥିବା ସୂର୍ଯ୍ୟନାରାୟଣ ପାତ୍ର ଆଜି ପୁତ୍ର ବିପ୍ଳବ ପାତ୍ର ପାଇଁ ବହୁ କୋଟି ଟଙ୍କାର ପ୍ରଶ୍ନ ବଳୟରେ ଠିଆ ହେବାକୁ ଯାଉଛନ୍ତି । ଏହା ନିଶ୍ଚୟ ଗଂଜାମ ରାଜନୀତିରେ ଝଡ଼ ସୃଷ୍ଟି କରିବ । ଅର୍ଥତତ୍ତ୍ୱ ଚିଟଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ ବିପ୍ଳବ ପାତ୍ରଙ୍କୁ ଜେରା କରିବା ପରେ ମନ୍ତ୍ରୀଙ୍କ ଉତ୍ତର ଆଦୌ ସହଜରେ ଗ୍ରହଣୀୟ ହେବନି । ସିବିଆଇ ଜେରା କରିବ ପୁଅକୁ ଏବଂ ରାଜ୍ୟ ମନ୍ତ୍ରୀ ପରିଷଦର ସଭ୍ୟ କହିବେ ମୁଁ ଗଣମାଧ୍ୟମରୁ ଜାଣିଲି ସୂଚାଇ ଦେଉଛି ଯେ ଏମାନଙ୍କ କୃତିକୀର୍ତ୍ତିଠୁ ଅପକୀର୍ତ୍ତି ଭୟରେ ବୋଧେ ସବୁ ଜାଣି ନଜାଣିଲା ପରି ଏକ କୃତ୍ରିମ ଅଭିନୟ କରୁଛନ୍ତି । ଗଂଜାମ ଜିଲ୍ଲାରେ ସୂର୍ଯ୍ୟ ପାତ୍ରଙ୍କ ଘର । ରାଜନୈତିକ ଜୀବନ ଦୀର୍ଘ ତିନି ଦଶନ୍ଧି ଧରି ଚାଲିଆସିଛି । ସଂସଦୀୟ ନିର୍ବାଚନରେ ପରାସ୍ତ ହେବା ପରେ ବିଧାନସଭାକୁ ଯାଇ ରାଷ୍ଟ୍ରମନ୍ତ୍ରୀ । ପରେ ବହୁବାର ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ନବୀନ ପଟ୍ଟନାୟକଙ୍କ ଚାକର କହି ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମର୍ପଣର ସଂଦେଶ ଦେଇ ସମସ୍ତଙ୍କ ମନରେ ମିଶ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲେ । ପୁଅ ବିପ୍ଳବକୁ ସିବିଆଇ ଜେରା ପରେ ଗଣମାଧ୍ୟମ ସୂର୍ଯ୍ୟପାତ୍ରଙ୍କୁ ଏ ସଂକ୍ରାନ୍ତରେ ପ୍ରଶ୍ନ ପଚାରିବାରୁ ସେ ମୁଁ ଜାଣିନି ଏବଂ ସିବିଆଇ ସହ କଥା ହୋଇଛି କହିଥିଲେ । ଏହି ଦୁଇଟି କଥା ନିଶ୍ଚୟ ସଂଦେହକୁ ମଜବୁତ କରୁଛି । ବାପା ପୁଅ ନିଶ୍ଚୟ ସାଂଘାତିକ ଅଭିଯୋଗର ସମ୍ମୁଖୀନ ହେବା ସ୍ୱାଭାବିକ । ଗଂଜାମ ଜିଲ୍ଲା ଚିଟ୍ ଫଣ୍ଡର ଗଡ଼ । ଏଇଠୁ ବହୁ କୋଟି କୋଟି ଟଙ୍କା ବିଭିନ୍ନ ଚିଟ୍ଫଣ୍ଡ ସଂସ୍ଥା କେବଳ ଉଠାଇ ନାହାନ୍ତି ବରଂ ରାଜନେତାଙ୍କର ଛାତ୍ରଛାୟା ତଳେ ଉପକୃତ ହୋଇ କ୍ଷମତାଶାଳୀ ପ୍ରଭାବଶାଳୀ ନେତାଙ୍କ ଦ୍ୱାରା ଢ଼େର ସୁବିଧା ସୁଯୋଗ ପାଇଛନ୍ତି । ତଦନୁରୂପ କିଛି ବିଧାୟକ ଚିଟ୍ ଫଣ୍ଡ ଟଙ୍କାରେ ମାଲାମାଲ୍ ହୋଇଛନ୍ତି । ଏସବୁକୁ ତର୍ଜମା କଲେ ମନ୍ତ୍ରୀ ପୁଅଠୁ ସିବିଆଇର ଜେରା ଆରମ୍ଭର ଖଡ଼ିଛୁଆଁ ପର୍ବ ଆଗାମୀ ଦିନରେ ଗଂଜାମ ଜିଲ୍ଲାର ଅନେକ ବିଧାୟକଙ୍କ ଛାତି ଥରାଇବ ଏହା ଏକ ସାଙ୍କେତିକ ସଂଦେଶ । ଗଂଜାମ ଜିଲ୍ଲାର ଚିଟ୍ଫଣ୍ଡ କଂପାନୀମାନଙ୍କ ସହ ସଂପର୍କକୁ ନେଇ ଲୋକମାନଙ୍କ ମଧ୍ୟରେ କ୍ଷୋଭ ଦେଖାଦେଇଥିଲା । କୋଟି କୋଟି ଟଙ୍କାର ସଂପତ୍ତି ଅର୍ଜନ କରିଥିବା କିଛି ମୁଷ୍ଟିମେୟ ନେତା, ଲୋକ ପ୍ରତିନିଧି, ବିଧାୟକ ଓ ସାଂସଦମାନେ ଚିଟ୍ଫଣ୍ଡ ସଂସ୍ଥାମାନଙ୍କ ରଂଗୀନ କାର୍ଯ୍ୟକ୍ରମରେ ହେଉ ବା ବହୁବିଧ ଯୋଜନାର ଶୁଭାରମ୍ଭରେ ଉପସ୍ଥିତ ରହି ଉତ୍ସାହିତ କରୁଥିଲେ । ଏଇ ନେତାମାନେ ବିତ୍ତଶାଳୀ ପ୍ରଭାବଶାଳୀ ଓ କ୍ଷମତାଶାଳୀ । ଯଦି ଆଗାମୀ ଦିନରେ ସିବିଆଇର ଜେରା କାୟା ବିସ୍ତାର କରିିବ ଏଇମାନଙ୍କ ମଧ୍ୟରୁ ଅନେକ ଛନ୍ଦି ହେବା ସ୍ୱାଭାବିକ । ଦୁଇ ଦଶନ୍ଧିର ମୁଖ୍ୟମନ୍ତ୍ରୀଙ୍କ ଅତି ନିକଟତମ ନେତାଙ୍କର ଯଦି ଦୁର୍ନୀତିର, ଭ୍ରଷ୍ଟାଚାରର ଗନ୍ଧ ବାରି ହୁଏ ଜଣେ ଜଣେ ନେତାର କ୍ଷମତାର ଖେଳ ପ୍ରାୟତଃ ଅସ୍ତ ହେବା ଜଳଜଳ ଦିଶୁଛି । ଆଗାମୀ ନିର୍ବାଚନ ପୂର୍ବରୁ ସିବିଆଇର ଓଡ଼ିଶା ନେତାମାନଙ୍କୁ ଜେରା ହେଉବା ତଦନ୍ତ ହେଉ ଏହା ନିଶ୍ଚୟ ବିଜେଡ଼ି ପାଇଁ ଗଂଜାମ ଜିଲ୍ଲାରେ ଅଶୁଭଙ୍କର ସଂଦେଶ ଦେବ । କିନ୍ତୁ ବିରୋଧୀ ଦଳର ପ୍ରକୃତ ନେତୃତ୍ୱ ଅଭାବରୁ ବିଶେଷ କିଛି ଶାସକ ଦଳର କ୍ଷତି ହୋଇନପାରେ । ନୂଆ ମୁହଁ ନେତା, ଯୁବ ନେତୃତ୍ୱ ନେଇ ନବୀନ ପୁଣି ଗୋଟି ଚାଳନା କରି ସାର୍ଥକ ସାରଥୀର ବାର୍ତ୍ତା ଦେବେ ଗଂଜାମ ମାଟିରେ । ବିଜେପି ହୁଅନ୍ତୁ କି କଂଗ୍ରେସ ହୁଏତ ଏକ ଇସ୍ୟୁ ପାଇଁ ମନବଳାଇ କେବଳ କୁଶପୁତ୍ତଳିକା ଦାହ ଅବା ପ୍ରେସମିଟ୍ କରି ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ଇସ୍ତଫା ଦାବି କରିପାରନ୍ତି କିନ୍ତୁ ନବୀନଙ୍କ ଅଭେଦ୍ୟ ଗଡ଼ରେ ଏଇ ଦୁଇ ବିରୋଧୀଙ୍କ ସ୍ୱରକୁ ଲୁଚାଇ ଦେବେ ସପ୍ତରଥୀ । ନୂଆ ନବୀନଙ୍କ ଗଡ଼ ଅଭ୍ୟୁଦୟ ହେବ । ନୀତିର ସ୍ୱଚ୍ଛତାର ନବୀନଙ୍କ ଗଂଜାମ ୨୦୧୯ରେ ପୁଣି ଜାହିର କରିବ ନେତୃତ୍ୱ, ଏହା ମଧ୍ୟ ନିଃସଂଦେହ ।

Share :