ଧରାପଡ଼ିଲା ୧୮୫ କିଲୋର କଳା ମକର!

ଧରାପଡ଼ିଲା ୧୮୫ କିଲୋର କଳା ମକର!

Share :

ଧାମରା ମୁହାଁଣରେ ଧରା ପଡ଼ିଛି ୧୮୫ କିଲୋ ଓଜନର ଏକ ବ୍ଲାକ୍ ମାର୍ଲିନ ବା ମକାଇରା ଇଣ୍ଡିକା ମାଛ। ଏହାକୁ ମକର ମାଛ ବୋଲି ମଧ୍ୟ କୁହାଯାଏ। ପିଠି କଳା ଏହି ପ୍ରଜାତିର ମାଛ ସାଧାରଣତଃ ପ୍ରଶାନ୍ତ ମହାସାଗରର ଶୀତଳ ଜଳରେ ବସବାସ କରନ୍ତି। ବୋଧହୁଏ ମାଛଟି ଖାଦ୍ୟ ସନ୍ଧାନରେ ଭାରତ ମହାସାଗର ଦେଇ ବଙ୍ଗୋପସାଗରକୁ ଚାଲି ଆସିଛି। ବିଶ୍ୱ ତାପନ ଯୋଗୁଁ ଗଭୀର ସାଗରରେ ସୃଷ୍ଟି ହୋଇଥିବା ପରିବର୍ତ୍ତିତ ପରିବେଶ ମଧ୍ୟ ଏହାର କାରଣ ହୋଇପାରେ। ଧାମରାରେ ଧରା ପଡ଼ିଥିବା ମାଛଟିର ଲମ୍ୱ ୧୧ ଫୁଟ। ଏହାର ଉପର ଥଣ୍ଟ ବହୁତ ଲମ୍ୱା ଓ ଖଣ୍ଡା ପରି। ଏହା ତା’କୁ ଛୋଟ ମାଛ ଶିକାର କରିବାରେ ସାହାଯ୍ୟ କରେ। ମାଛଟିକୁ ଧରିଥିବା ଧୀବର ଏହାକୁ ପଶ୍ଚିମ ବଙ୍ଗର ଦିଘାରେ ୮,୫୦୦ ଟଙ୍କାରେ ବିକ୍ରି କରିଦେଇଛନ୍ତି। ପଶ୍ଚିମ ବଙ୍ଗ ମତ୍ସ୍ୟ ବିଭାଗର ଅତିରିକ୍ତ ନିଦ୍ଦେର୍ଶକ ରାମକୃଷ୍ଣ ସର୍ଦ୍ଦାର କହିଛନ୍ତି ଯେ ଏ ପ୍ରକାର ମାଛ ସମୁଦ୍ର ଭିତରେ ଘଣ୍ଟାକୁ ୧୨୯ କିଲୋମିଟର ବେଗରେ ଗତି କରିପାରନ୍ତି। ଏହା ମଧ୍ୟ ଜଳର ୭୦-୮୦ ଫୁଟ ଉପରକୁ ଲଣ୍ଠ ପ୍ରଦାନ କରିପାରନ୍ତି। ଉଷ୍ମ ସମୁଦ୍ର ସ୍ରୋତରେ ଏ ପ୍ରକାର ମାଛ ହଜାର ହଜାର ମାଇଲ ପରିଭ୍ରମଣ କରିଥାନ୍ତି। ଆମେରିକାରେ ଏ ପ୍ରକାର ମାଛ ଅତ୍ୟନ୍ତ ଲୋକପ୍ରିୟ। ସେଠା ଲୋକମାନେ ଏହାକୁ ମନୋରଂଜନ ଧର୍ମୀ ଜଳକ୍ରୀଡ଼ାର ସାଥୀ ଭାବେ ବ୍ୟବହାର କରିଥାନ୍ତି।

Share :