ଦୁଇ ବାଳୁତ

ଦୁଇ ବାଳୁତ

Share :

ମୂଳ ଲେଖା-ଖଲିଲ ଜିବ୍ରାନ, ଅନୁବାଦ- ରବି ନାରାୟଣ ସେନାପତି ରାଜକୁମାର ବାଲକୋନୀରେ ଉପସ୍ଥିତ ହୋଇ, ତତ୍ରାହୂତ ବିଶାଳ ଓ ବିବିଧ ପ୍ରଜାକୁଳଙ୍କୁ ଉଦବୋଧନ ଦେଲେ। ସକଳ ପ୍ରଜାକୁଳଙ୍କୁ ଅଭିନନ୍ଦନ! ଏକ ମହାନ ଶୁଭ ସୂଚନା ଯେ ଆପଣଙ୍କ ପ୍ରିୟ ମୋ ମହତ ରାଜବଂଶରେ ନୂତନ କୁଳଚନ୍ଦ୍ରମା ଜନ୍ମ ହୋଇଛନ୍ତି। ଏ ଦେଶର ମହାଭାଗ୍ୟ। ନିଃସନ୍ଦେହ ଆପଣ ମାନେ ଗର୍ବ ଅନୁଭବ କରୁଛନ୍ତି। ଗୌରବାନ୍ବିତ ବଂଶ ପରମ୍ପରାର ନବୀନ ବାର୍ତ୍ତାବହଙ୍କୁ ସ୍ବାଗତ ଜଣାଇ ଖୁସିରେ ନାଚଗୀତ କରନ୍ତୁ। ସମବେତ ଜନତା, ଆନନ୍ଦ ବିଭୋର ସ୍ବରରେ ଧନ୍ୟବାଦର ପଦ୍ୟାବଳୀ ଗାନ କଲେ। ଉଚ୍ଛ୍ବସିତ ସଙ୍ଗୀତ, ଗଗନ ପବନ ପ୍ରକମ୍ପିତ କଲା। ନହେବ କେମିତି! ନବରକୁ ଆସିଗଲେ ସେହି ଏକ ହିଁ ସମ୍ଭାବନା, ନୂତନ ପୀଡକ! ଉତ୍ପୀଡନର ଗଳାଫାଶକୁ ଆହୁରି ଭିଡି ଦେଇ ଦୁର୍ବଳ ଉପରେ କଡ଼ାକଡ଼ି ଶାସନାଧିକାର ସାବ୍ୟସ୍ତ କରିବେ, ଶରୀରକୁ କରିବେ ଶୋଷଣ ଓ ଆତ୍ମାର ଅମରତ୍ବକୁ ଉପହାସ କରିବେ। ସେହି ଭବିଷ୍ୟର ଅନିବାର୍ଯ୍ୟତା ଜାଣି ସୁଦ୍ଧା ଜନତା ପାନ ଓ ଗାନର ହର୍ସ୍ବଲ୍ଲାସ ମଧ୍ୟରେ ନୂତନ ଅମିରଙ୍କ ପାଇଁ ଗର୍ବ ପ୍ରକାଶ କରୁଥିଲେ। ସେହି ବୃଥା ଉଲ୍ଲାସ କାଳରେ, ସେ ମୁଲକରେ ଅନ୍ୟ ଏକ ଜୀବନର ଉଦୟ ହୋଇଲା। ସମବେତ ବିଶାଳ ଜନତା, ନିଜକୁ ଯଥା ସମ୍ଭବ ନ୍ୟୁନ କରି ଏକ ସମ୍ଭାବ୍ୟ ନିରଙ୍କୁଶ କ୍ଷମତାର ପ୍ରଶଂସା ଗାନ କଲାବେଳେ ସ୍ବର୍ଗର ଅପ୍ସରୀଏ ଦୁର୍ବଳର ଏ ଅନନ୍ୟୋପାୟ ଅସହାୟତରେ ବିଳାପ କରୁଥିଲେ ଏବଂ ସେତିକିବେଳେ ରୁଗ୍ଣ ମହିଳା ଜଣେ ପରିତ୍ୟକ୍ତ ଝୁମ୍ପୁଡିର ମାଟି ଉପରେ ଅସହାୟ ଅବସ୍ଥାରେ ପଡି ରହିଥିଲେ। କଡ଼ରେ ନବଜାତ ସନ୍ତାନଟି ଅଖା ଓ ଛିଡ଼ା କନାରେ ଗୁଡ଼ାଇ ହୋଇ ଅନାହାରରେ ମୃତ୍ୟୁର ଅପେକ୍ଷାରେ ଥାଏ। ଦୀନ ଦୁଃଖୀ ଯୁବତୀଟିକୁ ମାନବିକତା ଦୂରାଇ ଦେଇଥାଏ। ଅତ୍ୟାଚାରୀ ଯୁବରାଜଙ୍କ ମୃତ୍ୟୁ ଯନ୍ତାରେ ସ୍ବାମୀ ତା’ର ଶିକାର ହୋଇ ସାରିଥାଏ। ଏକାକିନୀ ମହିଳାଙ୍କୁ ଈଶ୍ବର ସହାୟତାର କରୁଣା ନିଗାଡ଼ି ସେହି କ୍ଷୁଦ୍ର ଭବିଷ୍ୟତକୁ ପଠାଇଥାନ୍ତି, ସମସ୍ତ ଦୁଃଖ ହରଣ ନିମିତ୍ତ। କ୍ରମେ ଜନତା ଅପସରି ଗଲେ। ଶୀତଳ ନୀରବତା ଚତୁର୍ଦ୍ଦିଗକୁ ପ୍ରଶାନ୍ତ କରିଲା। ମୁମୂର୍ଷୁ ମାତା ବଳ ସଂଗ୍ରହ କରି ଧନମଣିକୁ କୋଳାଇ ନେଇ ଅପଲକ ଲୋତକ ପ୍ଳାବିତ ନୟନରେ ଚାହିଁ ରହିଲା। ସତେ ଅବା ଅଶ୍ରୁରେ ଡୁବନ ଦିଆଇ ନାମ କରଣ କରିବ। ଅନାହାର କ୍ଳୀଷ୍ଟ କ୍ଷୀଣ ସ୍ବରରେ ଅମୃତର ସନ୍ତାନକୁ କହିଲା, ଧନରେ କି କାରଣେ ସ୍ବର୍ଗୀୟ ଆନନ୍ଦ ତ୍ୟାଗ କରି ଏ ଅଭାଗିନୀର ଦୁଃଖ କଷ୍ଟର ପାର୍ଥିବ କୋଳ ମଣ୍ଡନ କଲୁ? ଯନ୍ତ୍ରଣାରେ ଭାଗ ବସାଇବାକୁ? ପରୀ ରାଜ୍ୟର ନନ୍ଦନକାନନରେ ମୁକ୍ତ ବିଚରଣ କରିବା ଛାଡ଼ି ଆସିଲୁ ମନୁଷ୍ୟର ଏ ଦୟନୀୟ, କ୍ଳେଶପୂର୍ଣ୍ଣ, ହୃଦୟହୀନ ଶୋଷଣଧର୍ମୀ ପୃଥିବୀକୁ? ବୁନ୍ଦା ବୁନ୍ଦା ଲୁହ ବ୍ୟତୀତ ମୋ ପାଖରେ କିଛି ନାହିଁ; ଶୁଷ୍କ ସ୍ତନ ମୁହିଁ, ଜିଇଁ କି ପାରିବୁ ନିରୋଳା ଏ ଅଶ୍ରୁ ପାନ କରି? ମୋ ପାଖରେ ସିଲ୍କ ବସ୍ତ୍ର ନାହିଁ। ଢଙ୍କାଇ ପାରିବୁ ନିଜକୁ ମୋ ଥରଥର ନଗ୍ନ ବାହୁ ଓ ରୁଗ୍ଣ ବକ୍ଷ ପୋଷାକର ଉଷ୍ମତାରେ? ଅତି କ୍ଷୁଦ୍ର ଜୀବମାନେ ବି ଶ୍ୟାମଳ କ୍ଷେତ୍ରମାନଙ୍କରୁ ଉଦର ଭରଣ କରି, ନାଚ କୁଦରେ ଫେରି ଆସନ୍ତି ନିରାପଦ ଆଶ୍ରୟକୁ। ପକ୍ଷୀକୁଳ ଶସ୍ୟ ଖୁଦ ସଂଗ୍ରହ କରି ନୀଡ଼କୁ ଫେରନ୍ତି, କଳରବ ଉତ୍ତାରେ ବୃକ୍ଷ ଡାଳରେ ସୁଖ ନିଦ୍ରା ଯାଆନ୍ତି। କି ସୁନ୍ଦର ମା ଖୁଆଏ ଛୁଆକୁ! କିନ୍ତୁ ମୋ ନୟନ ପିତୁଳା, ତୋର କିଛି ନାହିଁ, କେବଳ ଯାହା ଏକ ମମତାମୟୀ ବେସାହାରା ମାଆ। ଅତଃପର ନବଜାତକୁ ଦୁଇ ବାହୁରେ ଆବୃତ୍ତ କରି, ଶୁଷ୍କ ସ୍ତନରେ ଜଡ଼ାଇ ଧରିଲା ସତେ ଅବା ଶିଶୁଟି ଯହୁଁ ଆସିଥିଲା ତହିଁ ଏକାକାର ହୋଇଗଲା। ତା’ପରେ ଅଗ୍ନି ବର୍ଷୀ ଦୃଷ୍ଟିରେ ଆକାଶକୁ ଚାହିଁ ବିଳାପ କରି ଉଠିଲା, ହେ ଈଶ୍ବର, ମୋ ଦୁର୍ଭାଗା ଦେଶବାସୀଙ୍କୁ ସଦୟ ହୁଅନ୍ତୁ! ସେହି ମୁହୁର୍ତ୍ତରେ ମେଘମାଳା ଚନ୍ଦ୍ରମାକୁ ମୁକୁଳାଇ ଘୁଞ୍ଚିଗଲେ, ଭଙ୍ଗା ଘରେ ଚକାଜହ୍ନର ବିଛୁରିତ ଚହଟ କିରଣ ଚମକାଇ ଦେଇ ଥିଲା ମାତା ପୁତ୍ରଙ୍କୁ। ଥିଲା କି ଜୀବନ?

Share :