ବିଜୁଳି କ୍ଷତି ରୋକିବାରେ ଓଡ଼ିଶା ତଳେ

ବିଜୁଳି କ୍ଷତି ରୋକିବାରେ ଓଡ଼ିଶା ତଳେ

Share :

ଚଳିତ ବର୍ଷ ମେ ମାସରେ ସରବରାହ ଓ ବିତରଣ କ୍ଷେତ୍ରରେ ୩୮.୨ ପ୍ରତିଶତ ବିଦ୍ୟୁତ ଶକ୍ତି କ୍ଷତି କରିଛି ଓଡ଼ିଶା । ଏହା ହେଉଛି ଦେଶରେ ସର୍ବାଧିକ । କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ତରଫରୁ ଜାରି ହୋଇଥିବା ତଥ୍ୟ ଅନୁସାରେ ଜାତୀୟ ସ୍ତରରେ ଏହି ହାର ହେଉଛି ୨୨ ପ୍ରତିଶତ । ଗତ ବର୍ଷ ତୁଳନାରେ ଏହା ୫.୩ ପ୍ରତିଶତ କମ୍ । କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ତରଫରୁ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ଦେଶରେ ଯେତେ ବିଜୁଳି ଶକ୍ତି ଉତ୍ପାଦିତ ହେଉଛି ତାହାର ଏକ ପଞ୍ଚମାଂଶରୁ ଅଧିକ ବିଜୁଳି ସରବରାହ ଓ ବିତରଣ ବା ଟ୍ରାନ୍ସମିଶନ ଓ ଡିଷ୍ଟ୍ରିବ୍ୟୁସନ କ୍ଷତି ଆକାରରେ ନଷ୍ଟ ହେଉଛି । ଚଳିତ ବର୍ଷ ମେ ମାସରେ ଏହି ହାର ୨୨ ପ୍ରତିଶତକୁ କମିଛି । ବର୍ଷକ ତଳେ ଏହି ହାର ଥିଲା ୨୭.୩ ପ୍ରତିଶତ । ତେବେ ଓଡ଼ିଶା ପରି କେତେକ ରାଜ୍ୟରେ ଏହି କ୍ଷତି ଏହାର ପ୍ରାୟ ଦୁଇ ଗୁଣ ଅଧିକ । ଚଳିତ ମେ ମାସରେ ଓଡ଼ିଶା ଏ ବାବଦରେ ୩୮.୨ ପ୍ରତିଶତ ବିଜୁଳି ଶକ୍ତି ହରାଇଛି । ସେହିପରି ମଧ୍ୟ ପ୍ରଦେଶର ସଂଚରଣ ଓ ବିତରଣ ବିଦ୍ୟୁତ କ୍ଷତି ହେଉଛି ୩୭.୭ ପ୍ରତିଶତ ଏବଂ ପଶ୍ଚିମ ବଙ୍ଗର ୩୧.୪୪ ପ୍ରତିଶତ । କେତେକ ରାଜ୍ୟ କିନ୍ତୁ ନିଜର ବିଦ୍ୟୁତ ପରିଚାଳନାରେ ଯଥେଷ୍ଟ ଉନ୍ନତି କରିଛନ୍ତି । ହିମାଚଳ ପ୍ରଦେଶର ବିଦ୍ୟୁତ ଟ୍ରାନ୍ସମିଶନ ଓ ଡିଷ୍ଟ୍ରିବ୍ୟୁସନ କ୍ଷତି ହେଉଛି ମାତ୍ର ୯.୫ ପ୍ରତିଶତ । ଏ କ୍ଷେତ୍ରରେ ହିମାଚଳ ପ୍ରଦେଶ ହେଉଛି ଦେଶର ସର୍ବାଧିକ ସଫଳ ରାଜ୍ୟ । ଏହି ତାଲିକାରେ ହିମାଚଳ ପ୍ରଦେଶ ତଳକୁ ସ୍ଥାନ ପାଇଛନ୍ତି ତାମିଲନାଡ଼ୁ (୧୪ ପ୍ରତିଶତ) ଏବଂ କେରଳ (୧୫.୨୬ ପ୍ରତିଶତ) । ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ହିମାଚଳ ପ୍ରଦେଶ ବ୍ୟତିତ ଉତ୍ତର ଓ ପୂର୍ବ ଭାରତର ଅନ୍ୟ ସମସ୍ତ ରାଜ୍ୟ ସଂଚରଣ ଓ ବିତରଣ କ୍ଷେତ୍ରରେ ଜାତୀୟ ହାରଠାରୁ ଅଧିକ ବିଦ୍ୟୁତ ହରାଉଛନ୍ତି । ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ଏ କ୍ଷେତ୍ରରେ ଜାତୀୟ ହାରଠାରୁ କମ୍ ବିଦ୍ୟୁତ ହରାଉଛନ୍ତି । ଗତ ବର୍ଷକ ମଧ୍ୟରେ ଏ କ୍ଷେତ୍ରରେ ତାମିଲନାଡ଼ୁ ସର୍ବାଧିକ ସଫଳତା ହାସଲ କରିଛି । ୨୦୧୭ ମେ ମାସରେ ଏହି ରାଜ୍ୟର ଟ୍ରାନ୍ସମିଶନ ଓ ଡିଷ୍ଟ୍ରିବ୍ୟୁସନ ବା ଟି ଆଣ୍ଡ ଡି କ୍ଷତି ୨୨ ପ୍ରତିଶତ ଥିଲାବେଳେ ଚଳିତ ବର୍ଷ ମେ ମାସରେ ଏହା ୧୪ ପ୍ରତିଶତକୁ ହ୍ରାସ ପାଇଛି । ଦେଶରେ ବିଦ୍ୟୁତ ବିତରଣ କମ୍ପାନୀମାନେ ହିଁ ଏହି କାର୍ଯ୍ୟ କରିଥାନ୍ତି । ବିଦ୍ୟୁତ ସରବରାହ ଓ ବିତରଣ କ୍ଷତି କମ୍ କରିବା ପାଇଁ ଭାରତ ସରକାର ୨୦୧୫ ମସିହାରେ ଉଦୟ ନାମକ ଏକ ଯୋଜନା ପ୍ରଚଳନ କରିଛନ୍ତି । ଏହି ଯୋଜନାରେ ବିତରଣ କମ୍ପାନୀଗୁଡ଼ିକର ଦକ୍ଷତା ବୃଦ୍ଧି ପାଇବାର ବ୍ୟବସ୍ଥା ରହିଛି । ଯୋଜନା ଅନୁସାରେ ରାଜ୍ୟ ସରକାରଗୁଡ଼ିକ ସେମାନଙ୍କ ଦ୍ୱାରା ନିୟୋଜିତ ହୋଇଥିବା ବିତରଣ କମ୍ପାନୀଗୁଡ଼ିକର ଋଣ ବୋଝର ୭୫ ପ୍ରତିଶତ ବହନ କରିବେ ଏବଂ ସେମାନଙ୍କ ଋଣ ଭରଣା ବାବଦକୁ ସୋଭରେନ ବଣ୍ଡ ଜାରି କରିବେ । ଏଯାଏଁ ଦେଶର ୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଏହି ଯୋଜନାରେ ସାମିଲ ହୋଇସାରିଛନ୍ତି । କେବଳ ଓଡ଼ିଶା ଓ ପଶ୍ଚିମ ବଙ୍ଗ ଏହି ଯୋଜନାରେ ଏଯାଏଁ ସମିଲ ହୋଇନାହାନ୍ତି ।

Share :