ବିଜୟ ମହାପାତ୍ରଙ୍କ ସୁନିଆ  ସଂକଳ୍ପ!

ବିଜୟ ମହାପାତ୍ରଙ୍କ ସୁନିଆ ସଂକଳ୍ପ!

Share :

ସୂର୍ଯ୍ୟମଣି ମିଶ୍ର ବିଜେଡି ଦଳ ଗଠନର ପ୍ରତିଷ୍ଠାତା ସଦସ୍ୟ ଅନୁଭବୀ ତଥା ଅଭିଜ୍ଞ ନେତା ବିଜୟ ମହାପାତ୍ର ବିଜେଡିରୁ ତଡ଼ାଖାଇବା ପରେ ଗଠନ କଲେ ଓଡ଼ିଶା ଗଣପରିଷଦ। ଏହି ଦଳ ଜନସମର୍ଥନ ପାଇଲା ନାହିଁ। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ରାଜ୍ୟ ମଙ୍ଗ ଧରିଲେ। ଏହି ଦଳ ମଧ୍ୟ ତାକୁ କିଛି ଦିନ ପରେ ଦଳରୁ ତଡ଼ିଦେବା ପାଇଁ ଉଦ୍ୟମ କଲା। ଏହାଜାଣି ବରିଷ୍ଠ ତଥା ଅନୁଭବୀ ନେତା ବିଜୟ ମହାପାତ୍ର ବିଜେପିରେ ଯୋଗ ଦେଲେ। ଆଜି ଦିନରେ ବିଜେପିରେ ଅଛନ୍ତି କିନ୍ତୁ ବିଜେପି ଦଳ ତାଙ୍କୁ ଅଣଦେଖା କରିଚାଲିଛି। ବିଜେପି ନେତୃତ୍ୱ ବିରୋଧରେ କେତେବେଳେ ପ୍ରଥମରେ ତ ଆଉ କେତେବେଳେ ପରୋକ୍ଷରେ ମତ ଦେଇଚାଲିଛନ୍ତି ବିଜୟ। ବିଜୟଙ୍କ ମୁହଁରେ ବିଜେପି ବରୋଧୀ ସ୍ୱର ବିଜେଡିକୁ ଚୁହାଉଛି। ସବୁବେଳେ ଚର୍ଚ୍ଚାରେ ରହିଆସିଥିବା ବିଜୟ ମହାପାତ୍ର ବିଜେଡିରେ ଯୋଗ ଦେବାର ଦିନ ପାଖେଇ ଆସୁଛି ବୋଲି ରାଜନୀତି ଖଟିରେ ପ୍ରସଙ୍ଗ ହୋଇଛି। ସୁନିଆ ୨୦୦୭ରେ ବିଜୟ ମହାପାତ୍ର ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିବା ଚାରିପୃଷ୍ଠାର ବିବୃତ୍ତି ଥିଲା ଏହିପରି। ବିଜେଡି-ବିଜେପି ସରକାରର ଦୁର୍ନୀତି ଅତୀତର ଅନ୍ୟ ସବୁ ସରକାରକୁ ବଳିଯାଇଛି। ଏହାର ନେତା କହିଥିଲେ ‘ତମେ ଗାଁ ଜଗ। ମୁଁ ସେକ୍ରେଟେରିଏଟ୍ ଜଗିଛି। କେମିତି ଜଗିଛନ୍ତି, ତା ରାଜ୍ୟବାସୀ ଅଳ୍ପଦିନ ତଳେ ଜାଣିଗଲେ ଓ ନିଜ ଆଖିରେ ଦେଖିଲେ। ସ୍ବଚ୍ଛ ଦିବାଲୋକରେ ସେକ୍ରେଟେରିଏଟ୍ରେ ମୁଖ୍ୟମନ୍ତ୍ରୀଙ୍କ ରୁମ୍ ସାମ୍ନାରେ ବସୁଥିବା ଅଫିସ୍ରଙ୍କ ଟେବୁଲ୍ଉପରୁ ଲାଞ୍ଚ ଟଙ୍କା ଧରାପଡ଼ିଲା। ଭାତହାଣ୍ଡିରୁ ଗୋଟିଏ ଚିପିଲେ ଯଥେଷ୍ଟ। ତଥାପି ଏ ସରକାର ଅମଳରେ ଖଣି ଦୁର୍ନୀତି, ଜମି ଦୁର୍ନୀତି, ଠିକା କାମ (ଟେଣ୍ଡରରେ ଦୁର୍ନୀତି), ପରୀକ୍ଷାରେ ଦୁର୍ନୀତି, ପରୀକ୍ଷା ଫଳରେ ଦୁର୍ନୀତି, ସର୍ବଶିକ୍ଷା ଅଭିଯାନରେ ଦୁର୍ନୀତି, ଭେଜାଲ୍ ଔଷଧ, ମାର୍କସିଟ୍ ଜାଲିଆତି, ପଞ୍ଚାୟତ ଓ ବ୍ଲକ୍ସ୍ତରରେ ଦୁର୍ନୀତି, ପ୍ରିୟାପ୍ରୀତି କାରବାରରେ ସାଧାରଣ ଲୋକ ଅତିଷ୍ଠ ହୋଇପଡ଼ିଲେଣି। (ନୂଆ ସକାଳ-ନୂଆ ଓଡ଼ିଶା-ଦୃଢ଼ ସଂକଳ୍ପ-ପୃଷ୍ଠା୧) ପୃଷ୍ଠା-୨-ବିଜେଡି ମେଣ୍ଟ ସରକାରର ପାରିବାର ପଣିଆ ଓ ଅକ୍ଳାନ୍ତ ପରିଶ୍ରମର ପରିଣାମ ସ୍ୱରୂପ ଓଡ଼ିଶା ଏବେ ଦେଶର ସବୁଠାରୁ ଦରିଦ୍ର ରାଜ୍ୟ ଭାବେ ବିବେଚିତ ହୋଇଛି। ନବୀନଙ୍କ ଦୋନମ୍ୱରୀ ଶାସନରେ ସମାଜର ସବୁବର୍ଗର ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ଦୁର୍ନୀତିର ଚେର ପ୍ରଶାସନରେ ଏମିତି ବ୍ୟାପିଛି ଯେ ବିନା ହାତଗୁଞ୍ଜାରେ ଗୋଟିଏ ବିପିଏଲ୍ କାର୍ଡ ବା ଇନ୍ଦିରା ଆବାସ ଘର ଖଣ୍ଡେ ପାଇବା ଅସମ୍ଭବ ହୋଇପଡ଼ିଛି। ବିକାଶ ନାଁରେ ହରିଲୁଟ୍ କରିବାରେ ଏ ସରକାରର ରେକର୍ଡ ପୂର୍ବର ସବୁ ସରକାରକୁ ଟପିଯାଇଛି। ଓଡ଼ିଶାର କେବିକେ ଓ ପଶ୍ଚିମାଞ୍ଚଳରେ ହଜାର ହଜାର ପରିବାର ଉତ୍କଟ ଦାରିଦ୍ର୍ୟର କଷାଘାତ ସହିନପାରି ଦାଦନ ଘଟିବାକୁ ଯାଉଥିବା ବେଳେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଜାତୀୟ ନିଶ୍ଚିତ କର୍ମଯୋଗାଣ ଯୋଜନା ଜରିଆରେ ଆସୁଥିବା ଶହ ଶହ କୋଟି ଟଙ୍କା ଶାସକ ମେଣ୍ଟର କର୍ମୀ ଓ ଅଫିସରଙ୍କ ଦ୍ୱାରା ବାଟମାରଣା ହେଉଛି। ପୃଷ୍ଠା-୩-ଆଇନ ଶୃଙ୍ଖଳା ପରିସ୍ଥିତି କଥା ନକହିଲେ ଭଲ, ରାଜ୍ୟବାସୀ ପ୍ରତିଦିନ। ପ୍ରତି ମୁହୂର୍ତ୍ତରେ ଏହା ଅଙ୍ଗେ ନିଭାଉଛନ୍ତି। ହତ୍ୟା-ଧର୍ଷଣ, ଡକାୟତି ଓ ନାରୀ ନିର୍ଯାତନା ଭଳି ସଙ୍ଗୀନ ଅପରାଧ ବଢ଼ି ବଢ଼ି ଚାଲିଥିବା ବେଳେ ୪ର୍ଥ (ଶ୍ରେଷ୍ଠ ପୃଷ୍ଠା) ସଂକ୍ଷେପରେ କହିଲେ ଏଭଳି ଅକର୍ମା, ଅପରାଗ, ଦୁର୍ନୀତିଗ୍ରସ୍ତ, ଲୋକ ସ୍ୱାର୍ଥ ବିରୋଧୀ ସରକାର ଏଥିପୂର୍ବରୁ କେବେ ଓଡ଼ିଶା ଭାଗ୍ୟରେ ଜୁଟିନଥିଲ। କିନ୍ତୁ ବିଡ଼ମ୍ୱନାର କଥା ଯେ, ନିଜର ଯାବତୀୟ ଦୁଷ୍କର୍ମ ଓ ଦୁର୍ନୀତିକୁ ଘୋଡ଼ାଇବାକୁ ଯାଇ ନବୀନ ନିଶା ନିବାରଣ ଓ ଗଣିକା ସତୀତ୍ୱ ସଂପର୍କରେ ପ୍ରବଚନ ଦେବାଭଳି ଲାଗୁଛି। ଏଭଳି ଶଠତାପୂର୍ଣ୍ଣ ଆଚରଣର ଦୃଷ୍ଟାନ୍ତ ଅନ୍ୟ ରାଜ୍ୟମାନଙ୍କରେ ନାହିଁ। ସେ ଦୃଷ୍ଟିରୁ ଦେଖିଲେ ନବୀନ ଦୁର୍ନୀତି ଓ ତୁଳନାରେ ଏକ ନମ୍ୱର ମୁଖ୍ୟମନ୍ତ୍ରୀ ପାଇଁ ହକ୍ଦାର୍। ଯଦି ସେ ଦୁର୍ନୀତିରେ ଲିପ୍ତ ନୁହଁନ୍ତି ଓ ଓଡ଼ିଶାର ସ୍ୱାର୍ଥକୁ ବନ୍ଧାପକାଇ ଶିଳ୍ପପତିମାନଙ୍କ ଠାରୁ କୋଟି କୋଟି ଟଙ୍କା ହାତସଫେି କରୁନାହାନ୍ତି ଓ ତାଙ୍କ ସରକାର ସ୍ୱଚ୍ଛ ଓ ନିର୍ମଳ। ତେବେ ଗତ ୭ବର୍ଷରେ ଅନୁଷ୍ଠିତ ନିର୍ବାଚନମାନଙ୍କରେ ଶହ ଶହ କୋଟି ଟଙ୍କାର ଖର୍ଚ୍ଚ କେଉଁଠୁ ଉଠାଇଲେ। ସତ ସାହସ ଥିଲେ ରାଜ୍ୟବାସୀଙ୍କ ସାମ୍ନାରେ ପ୍ରକାଶ କରନ୍ତୁ। ଶେଷରେ ଏ ରାତି ପାହିବ। ନୂତନ ସୂର୍ଯ୍ୟୋଦୟ ସମଗ୍ର ଓଡ଼ିଶାକୁ ଉଦ୍ଭାଷିତ କରିବ। ଆସନ୍ତୁ ଦୃଢ଼ ସଂକଳ୍ପ ସହ ଆଜି ଏହି ଐତିହାସିକ ଅଭିଯାନରେ ସାମିଲ୍ ହେବା। ଏନ୍ସିପି ପକ୍ଷରୁ ଏହି ଅବସରରେ ଅନୁଷ୍ଠିତ ସଭାରେ ସ୍ୱର୍ଗତଃ ଅଶୋକ ଦାସ ଯୋଗ ଦେଇଥିଲେ। ଅନାଦି ସାହୁ, ପ୍ରଶାନ୍ତ, ଅମରଙ୍କ ଭଳି ରାଜ୍ୟ ନେତା, ଦଳର କେନ୍ଦ୍ରୀୟ ନେତା, ପିଏ ସାଙ୍ଗମା, ଡିପି ତ୍ରିପାଠୀ, ପ୍ରଫୁଲ୍ଲ ପଟେଲ୍ ଅଂଶ ଗ୍ରହଣ କରିଥିଲେ। ବିଜୟଙ୍କ ଏହି ବିଜେଡି-ବିଜେପି ବିରୋଧୀ ସଭା, ସେ ବେଳର ଲିଖିତ ବିବୃତ୍ତି ଏବେ ବିଜେପି ଏବଂ ବିଜେଡି ଶିବିରରେ। ବିଜେଡି କିପରି କେଉଁ ଉପାୟରେ - କେଉଁ ପଦବୀ ଦେଇ ବିଜୟଙ୍କୁ ଦଳକୁ ଫେରାଇ ଆଣିବ, ସେନେଇ ଚିନ୍ତା କରୁଥିବାବେଳେ ୨୦୦୭ ସୁନିଆ ଦିନର ଏହି ବିବୃତ୍ତି ବିଜେଡିକୁ ଫେରିଆସିବ ନେଇ ଅନିଶ୍ଚିତତାର ବାର୍ତ୍ତା ଦେଇଛି। ବିଜେପି ଶିବିରରେ ବିଜୟଙ୍କ ପୂର୍ବ ଭୂମିକା ଏବଂ ବର୍ତ୍ତମାନର ଦଳର ନେତାଙ୍କ ବିରୋଧରେ ମତକୁ ନେଇ ଚାଲିଛି ସମୀକ୍ଷା। ବିଜୟ ମଧ୍ୟ ସେଦିନର ବିଜେଡି-ବିଜେପି ମେଣ୍ଟ ସରକାର ବିରୋଧରେ ଦେଇଥିବା ମତ-ମନ୍ତବ୍ୟକୁ ମନେପକାଉଛନ୍ତି। ଦୁର୍ନୀତିର ଅବସାନ ହୋଇନି। ଚାଷୀ, ଗରିବ, ଆଦିବାସୀଙ୍କୁ ଦଳିତଙ୍କ ଦୁର୍ଦ୍ଦଶା ଦୂର ହୋଇନି। କହିଥିଲେ ନବୀନଙ୍କ ଶାସନ ଦୋନମ୍ୱରୀ-କିପରି କହିବେ ଏକନମ୍ୱରୀ।। କହିଥିଲେ ଓଡ଼ିଶା ଦେଶର ସବୁଠୁ ଦରିଦ୍ର ରାଜ୍ୟ। ୧୨ ବର୍ଷ ପରେ କିପରି କହିବେ ସମୃଦ୍ଧ ରାଜ୍ୟ! ସେତେବେଳେ କେବିକେ-ପଶ୍ଚିମାଞ୍ଚଳରୁ ହଜାର-ହଜାର ହଲୋକ ଦାଦନ ଖଟିବାକୁ ଯାଉଥିଲେ ଏବେ ଯାଉନାହାନ୍ତି ବୋଲି ବିଜେଡିରେ ଯୋଗଦେବା ପରେ କହିବେ କିପରି? କହିଥିଲେ ଏହି ସରକାର ଅମଳରେ ବେକାରୀ ଚରମ ସୀମାରେ ପହଞ୍ଚିଛି-ଏବେ କିପରି କହିବେ ବେକାର ସମସ୍ୟା ଦୂର ହୋଇଛି? କହିଥିଲେ ହତ୍ୟା-ଧର୍ଷଣ, ଡକାୟତି ଓ ନାରୀ ନିର୍ଯାତନା ଭଳି ସଙ୍ଗୀନ ଅପରାଧ ବଢ଼ି ବଢ଼ି ଚାଲିଛି। ଏବେ କିପରି କହିବେ ଏହା ହ୍ରାସ ପାଇଛି? ସେ ସମୟରେ କହିଥିଲେ ନବୀନ ଦୁର୍ନୀତି ଓ ଛଳନାରେ ଏକନମ୍ୱର ମୁଖ୍ୟମନ୍ତ୍ରୀ ପାଇଁ ହକ୍ଦାର, ଏବେ କିପରି କହିବେ ନବୀନ ସ୍ୱଚ୍ଛତା, ଦକ୍ଷତାରେ ଏକନମ୍ୱର ମୁଖ୍ୟମନ୍ତ୍ରୀ ପାଇଁ ହକ୍ଦାର? ଅନୁଭବୀ ତଥା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସମର୍ଥକ-ଅନୁଗତ କର୍ମୀଙ୍କ କହିବା କଥା - କାହିଁକି କହିପାରିବେନି। ଯଦି ଭୂପିନ୍ଦର ସିଂହ ବିରୋଧୀ ଦଳ ନେତା ପଦରେ ଥିବାବେଳେ ନବୀନ ସରକାରକୁ ଅପାରଗ, ଦୁର୍ନୀତିଗ୍ରସ୍ତ ସରକାର ବୋଲି କହି ବିଜେଡିରେ ଯୋଗ ଦେବା ପରେ ନବୀନଙ୍କ ଭଳି ସ୍ୱଚ୍ଛ, ଦକ୍ଷ ମୁଖ୍ୟମନ୍ତ୍ରୀ ସାରା ଦେଶରେ କହିପାରିଲେ। ଯଦି ସୁବାସ ସିଂହ ସିପିଆଇଏମ୍ରେ ଥିବା ବେଳେ ସକାଳୁ-ସନ୍ଧ୍ୟାଯାଏ ବିଜେଡି ସରକାରକୁ ଦୁର୍ନୀତିଗ୍ରସ୍ତ କହୁଥିଲେ-ବିଜେଡିରେ ଯୋଗ ଦେବା ପରେ ସ୍ୱଚ୍ଛତା ଓ ଦକ୍ଷତାର ପ୍ରମାଣପତ୍ର ଦେଇଚାଲିଛନ୍ତି। ‘ଆମ ଓଡ଼ିଶା’ ଦଳର ଅଧ୍ୟକ୍ଷ ସୌମ୍ୟ ରଂଜନ ପଟ୍ଟନାୟକ ବିଜେଡି ସରକାରକୁ ନିକ୍କମା ଏବଂ ଦୁର୍ନୀତିଗ୍ରସ୍ତ ବୋଲି କହିବା ସତ୍ତ୍ବେ ବିଜେଡିରେ ଯୋଗ ଦେଇ ନବୀନଙ୍କ ଶତପ୍ରଶଂସା କରିଚାଲିଛନ୍ତି। ଛାତି ଫୁଲାଇ ଗର୍ବର ସହ କହୁଛନ୍ତି - ମୋ ଦଳ ବିଜେଡି ସ୍ୱଚ୍ଛ, ମୋ ନେତା ନବୀନ ପଟ୍ଟନାୟକ ଦେଶର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ସବୁଠୁ ସ୍ୱଚ୍ଛ। ତେବେ ବିଜୟ ମହାପାତ୍ର ବିଜେଡିରେ ଯୋଗ ଦେବା ପରେ ସ୍ୱର ପରିବର୍ତ୍ତନ କରିପାରିବେ ନାହିଁ କାହିଁକି? ବିଜୟଙ୍କ ଶିବିରରେ ବିଜେଡିରେ ଯୋଗଦେବା ନେଇ ଅନୁକୂଳ ମତ ପ୍ରକାଶ ପାଇଥିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ବିଜେଡି ହାଇକମାଣ୍ଡ ଶିବିରରେ ବିଜୟବାବୁ ଦଳରେ ଯୋଗଦେବା ପରେ ସୁପ୍ରିମୋଙ୍କର ବିଶ୍ୱସ୍ତ ଓ ବଶମ୍ୱଦ ହେବେ କି ନାହିଁ - ଏହି ପ୍ରଶ୍ନର ଉତ୍ତର ଖୋଜା ଚାଲିଛି? ସାମ୍ୱାଦିକ, ଭୁବନେଶ୍ୱର, ଫୋନ୍: ୯୪୩୮୦୦୬୨୧୫

Share :