ବିରୋଧୀ ଫେଲ୍!

ବିରୋଧୀ ଫେଲ୍!

Share :

ସୂର୍ଯ୍ୟମଣି ମିଶ୍ର ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକର ଏକ ଜନସମାବେଶରେ ଉଦ୍ବୋଧନ ଦେଇଯାଇଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସେ ଯେପରି କହିବେ ବୋଲି ଆଶା କରାଯାଉଥିଲା, ସେପରି କହିଲେ ନାହିଁ। କାରଣ ମୋଦିଙ୍କ ପାଖରେ ଖବର ଅଛି ନବୀନଙ୍କର ଓଡ଼ିଶାରେ ଲୋକପ୍ରିୟତା ଏବେ ବି ସବୁଠୁ ଉଚ୍ଚରେ ଅଛି। ବିଜେପିର କିଛି ନେତାଙ୍କ ମଧ୍ୟରେ ଚର୍ଚ୍ଚା ଚାଳିଛି ମୋଦି ୨୦୧୯ ଲୋକସଭା ନିର୍ବାଚନରେ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହେବେ। ମୋଦି ଏହାକୁ ଆଖିବ ଆଗରେ ରଖି ନବୀନଙ୍କ ବିରୋଧରେ ଯେପରି କହିବା କଥା, ତାହା କହିନାହାନ୍ତି। ବିଜେପିର ରାଜ୍ୟ ନେତାଙ୍କ ଆଶା ମୋଦି ପୁରୀରୁ ପ୍ରାର୍ଥୀ ହେଲେ ବିଜେପି ଅତିକମ୍ରେ ୫୦ ବିଧାନସଭା ଆସନରେ ବିଜୟୀ ହେବ। କାରଣ ମୋଦି ଉତ୍ତରପ୍ରଦେଶର ବାରଣାସୀରୁ ପ୍ରାର୍ଥୀ ହେବା କାରଣରୁ ବିଜେପି ଉତ୍ତର ପ୍ରଦେଶରେ ସରକାର ଗଠନ କରିବାରେ ସଫଳ ହେଲା। କିନ୍ତୁ ମୋଦି ଜାଣିଛନ୍ତି ଉତ୍ତର ପ୍ରଦେଶ ରାଜନୈତିକ ଚିତ୍ର ଓଡ଼ିଶାରେ ନାହିଁ। ସେଠାରେ ସମାଜବାଦୀ ପାର୍ଟି ସରକାର ଲୋକପ୍ରିୟତା ହରାଇଥିଲା। କିନ୍ତୁ ଓଡ଼ିଶାରେ ଉତ୍ତରପ୍ରଦେଶ ସ୍ଥିତି ନାହିଁ। ବରଂ ସର୍ବାଧିକ ସମୟଧରି ଶାସନ କ୍ଷମତାରେ ଥିବା ପଶ୍ଚିମବଙ୍ଗର ଜ୍ୟୋତି ବସୁ ଏବଂ ତ୍ରିପୁରାର ମାଣିକ୍ ସରକାରଙ୍କ ରେକର୍ଡକୁ ନବୀନ ପଟ୍ଟନାୟକ ଭାଙ୍ଗିବେ। ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ ଶାହା ଯଦିଓ ପୂର୍ବରୁ କହିସାରିଛନ୍ତି ଯେ ଯେଯାଏ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ କେରଳରେ ବିଜେପି ସରକାର ଗଠନ ନକରିପାରିଛି, ସେଯାଏ ବିଜେପି ପାଇଁ ସ୍ୱର୍ଣ୍ଣଯୁଗ ଆରମ୍ଭ ହୋଇ ପାରିବ ନାହିଁ। ଗତ ପଞ୍ଚାୟତ ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ବିଜେପି ଦ୍ୱିତୀୟ ସ୍ଥାରେ ପହଞ୍ଚିବା-କଂଗ୍ରେସ ଦଳକୁ ପଛକୁ ଠେଲିଦେବା, ବିଜେଡିର କେତେକ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ହରାଇଥିବା ନେଇ ବିଜେପି ୨୦୧୯ରେ ସରକାର ଗଠନ କରିବ ବୋଲି ସ୍ୱପ୍ନ ଦେଖିଛି। ଦଳର ସଭାପତି ଅମିତ ଶାହା ୨୦୧୯ ବିଧାନସଭା ନିର୍ବାଚନରେ ଦଳ ୧୨୦ ଆସନରେ ବିଜୟୀ ହେବବୋଲି ମିଶନ-୧୨୦ ଘୋଷଣା କରିଛନ୍ତି। କିନ୍ତୁ ବାସ୍ତବତା ହେଲା ବିଜେପିର ସ୍ଥିତି ଯାହା ଅଧିକ ହେଲେ ୪୦ ବିଧାନସଭା ଆସନରେ ବିଜୟୀ ହୋଇପାରେ। କାରଣ ବିଜେଡିର ସ୍ଥାନୀୟ କ୍ଷେତ୍ରରେ ଗୋଷ୍ଠୀ କନ୍ଦଳ ରହିଛି। କଂଗ୍ରେସ ଦଳର ମଧ୍ୟ ଆଭ୍ୟନ୍ତରୀଣ କଳହ ଅତୁଟ ରହିଛି। କିନ୍ତୁ ନବୀନ ପଟ୍ଟନାୟକ ଯେ ଆଉ ଥରେ ମୁଖ୍ୟମନ୍ତ୍ରୀ ହେବେ ଏନେଇ ଅନୌପଚାରିକ କଥାବାର୍ତ୍ତା ବେଳେ ଏକାଧିକ ରାଜ୍ୟ ବିଜେପି ନେତା ସ୍ୱୀକାର କରିଛନ୍ତି। ୨୦୦୦ ମସିହାରେ ବିଜେପି ସହ ବିଜେଡି ମେଣ୍ଟ କରିଥିଲେ। ବିଜେଡି ୬୭ ବିଧାନସଭା ଓ ୧୦ ଲୋକସଭା ଆସନରେ ବିଜୟୀ ହୋଇଥିଲା। ୨୦୦୯ରେ ବିଜେପି ସହ ଥିବା ମେଣ୍ଟ ଭାଙ୍ଗି ବିଜେଡି ଏକାକୀ ନିର୍ବାଚନକୁ ସାମ୍ନା କରିଥିଲା। ୨୧ ଲୋକସଭା ଆସନରୁ ୧୪, ୧୪୭ ବିଧାନସଭା ଆସନରୁ ୧୦୩ ଆସନରେ ବିଜୟୀ ହୋଇଥିଲା। ୨୦୧୪ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେଡି ୧୧୭ ବିଧାନସଭା ଓ ୨୦ ଲୋକସଭା ଆସନରେ ବିଜୟୀ ହୋଇଥିଲା। ଏହି ଫଳାଫଳ ପ୍ରମାଣିତ କରିଥିଲା ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବେ ବି ଅତୁଟ ରହିଛି।୨୦୦୯ରୁ ୨୦୧୪ ଅନ୍ୟ କୌଣସି ଦଳର ସମର୍ଥନ ଆବଶ୍ୟକ କରିନାହାନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବରଂ ୨୦୦୯ରେ ଏନ୍ସିପି, ସିପିଆଇ, ସିପିଆଇଏମ୍ ବିଜେଡି ସମର୍ଥନରେ କେତେକ ଆସନରେ ବିଜୟୀ ହୋଇଥିଲେ। କଂଗ୍ରେସ ଏବଂ ବିଜେପି ସହ ସମଦୂରତା ବଜାୟ ରଖିଛନ୍ତି। ଏହା ସତ୍ୟ ଯେ ଚିଟ୍ଫଣ୍ଡ ମହାଠକେଇ ଏବଂ ୬୦ ହଜାର କୋଟିରୁ ଅଧିକ ଟଙ୍କାର ଖଣିଦୁର୍ନୀତି ମାମଲା ସିବିଆଇ ନିକଟରେ ରହିଛି। ସିବିଆଇ ତଦନ୍ତ ଶିଥିଳ କରିଦେବାରେ ସଫଳ ହୋଇଛନ୍ତି ନବୀନ। ସମଦୂରତା ଫର୍ମୁଲା ନବୀନଙ୍କ ବିଚକ୍ଷଣ କୁଟନୀତିକୁ ସୂଚାଇ ନବୀନ ରାଷ୍ଟପତି ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ କରିଥିବାବେଳେ, ଉପରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେଇ ସମଦୂରତା ରକ୍ଷା କରିଛନ୍ତି। ନୋଟବନ୍ଦୀ, ଜିଏସ୍ଟି ପ୍ରସଙ୍ଗରେ ମୋଦି ସରକାରକୁ ସମର୍ଥନ ଜଣାଇଥିବା ବେଳେ ସାଂପ୍ରଦାୟିକ ଶକ୍ତି ସହ ସାଲିସ୍ କରାଯିବ ନାହିଁ ବୋଲି କହିବାକୁ ପଛାଇନାହାନ୍ତି। ନିକଟରେ କର୍ଣ୍ଣାଟକରେ କଂଗ୍ରେସ ସମର୍ଥିତ ଜେଡିଏସ୍ର କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମମତା ବାନାର୍ଜୀ, ମାୟାବତୀ, ଅଖିଳେଶ ଯାଦବଙ୍କ ସହ ପ୍ରମୁଖ ବିଜେପି ବିରୋଧୀ ନେତା ଏକାଠି ହୋଇଥିଲେ ହେଁ ନବୀନ ନିଜେ ଏହି ବିଜେପି ବିରୋଧୀ ଶିବିରରେ ଯୋଗ ଦେଇନଥିଲେ କି ଦଳ ପକ୍ଷରୁ କାହାରିଙ୍କୁ ପ୍ରତିନିଧି ଭାବେ ପଠାଇ ନଥିଲେ। ନବୀନଙ୍କର ବଡ଼ ରାଜନୈତିକ କୌଶଳ ହେଲା କେନ୍ଦ୍ରୀୟ ଅବହେଳା ବିରୋଧରେ ଅଭିଯୋଗ କରିବା। କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ସମୟରେ ଯେପରି ଓଡ଼ିଶା ବିରୋଧରେ କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରିଥିଲେ, ଏବେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ବିରୋଧରେ ସମାନ ଅଭିଯୋଗ କରିଛନ୍ତି। ଲୋକସଭା ଏବଂ ବିଧାନସଭା ନିର୍ବାଚନ ୨୦୧୯ରେ ହେବ। ପାଖାପାଖି ୧୮ ମାସ ନିର୍ବାଚନ ଡେରି ରହିଛି। ତେବେ ନିର୍ବାଚନ ଦିନ ପାଖେଇ ଆସୁଥିବାରୁ ବିଜେଡି ସୁପ୍ରିମୋ ମହାନଦୀ, ସ୍ୱତନ୍ତ୍ରରାଜ୍ୟ ପାହ୍ୟା, ବିଜୁବାବୁଙ୍କୁ ଭାରତରତ୍ନ, ହକିକୁ ଜାତୀୟ ଖେଳର ମାନ୍ୟତା, ଖଣିଜ ରୟାଲ୍ଟି ବୃଦ୍ଧି ଭଳି ପ୍ରସଙ୍ଗକୁ ନେଇ କେନ୍ଦ୍ର ନିକଟରେ ଦାବି କରିଥିବା ବେଳେ ତେଲରେ ଏବଂ ମହାନଦୀ ସୁରକ୍ଷା ପ୍ରସଙ୍ଗକୁ ନେଇ ଆନ୍ଦୋଳନ ଚଳାଇ ରଖିଛନ୍ତି। ଖଣି ଏବଂ ଚିଟ୍ଫଣ୍ଡ ଦୁର୍ନୀତି-ଠକେଇ ନେଇ ସିବିଆଇ ତଦନ୍ତ ହେଲେ ବିଜେଡି ବିରୋଧରେ ପ୍ରତିକୂଳ ପ୍ରଭାବ ପକାଇବ। ଜନସମର୍ଥନ ହ୍ରାସ ପାଇବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ତେଣୁ ଅତି କୌଶଳପୂର୍ଣ୍ଣ ଭାବରେ ବିଜେପି ସହ ଏବଂ କଂଗ୍ରେସ ସହ ସଂପର୍କ ରଖିଛନ୍ତି ନବୀନ। ବିଜେପି ଏବଂ କଂଗ୍ରେସ ସହ ସମଦୂରତା ରକ୍ଷା କରିଛି ବିଜେଡି। ସାମ୍ୱାଦିକ, ଭୁବନେଶ୍ୱର, ଫୋନ୍: ୯୪୩୮୦୦୬୨୧୫

Share :