ସମାଜର ଇଏ କି ରୂପ?

ସମାଜର ଇଏ କି ରୂପ?

Share :

ଜୁନ ୨୪ ତାରିଖ । ବରଗଡ଼ ଅତାବିରା ଅଞ୍ଚଳରେ ଜମିବାଡ଼ି ଗଣ୍ଡଗୋଳକୁ ନେଇ ଘଟିଗଲା ଏକ ଅଭାବନୀୟ ଅଘଟଣ । ବାପା ନିଜ ପୁଅକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା । ଜୁନ ୨୩ ତାରିଖ । ଗଞ୍ଜାମ ସାନଖେମୁଣ୍ଡି ଅଞ୍ଚଳରେ ପାଠ ନପଢ଼ି ସବୁବେଳେ ମୋବାଇଲରେ ଖେଳୁଥିବା ଯୁକ୍ତ ୨ ଶ୍ରେଣୀର ପୁଅକୁ ବାପା ଗାଳି କରିବାରୁ ରାତିରେ ପୁଅ ଆତ୍ମହତ୍ୟା କଲା । ତାହା ଦେଖି ବାପା ବି ଆତ୍ମହତ୍ୟା କଲେ । ଜୁନ ୧୫ ତାରିଖ । ଅନୁଗୁଳ ଜିଲ୍ଲା କିଶୋର ନଗର ଅଂଚଳରେ ପୁଅ ମଦ ନିଶାରେ ନିଜ ବାପା ଓ ମା’ଙ୍କୁ ପିଟିପିଟି ମାରିଦେଲା । ସେହି ଦିନ ଦେବଗଡ଼ ଜିଲ୍ଲାରେ ପୁଅ ନିଜ ବାପାଙ୍କୁ ଗୁଳି କରି ହତ୍ୟା କଲା । ଏସବୁ ଘଟଣା କେଉଁ ପ୍ରକାର ସମାଜର ପ୍ରତିଛବି ହୋଇପାରେ? ଏହା କ’ଣ ଶିକ୍ଷା, ସଂସ୍କାର ଓ ସଚେତନତାର ପରିପ୍ରକାଶ? ସାମାଜିକ ସୁଖଶାନ୍ତିର ପରିଣତି? ସାଧାରଣତଃ ଶାନ୍ତିପ୍ରିୟ ବୋଲି ବର୍ଣ୍ଣିତ ଓଡ଼ିଶାରେ ବଢ଼ି ଚାଲିଛି ଏଭଳି ହିଂସା ଓ ଅପରାଧ । ଉପରୋକ୍ତ ଅଘଟଣାଗୁଡ଼ିକ ବିରଳ ନୁହେଁ । କିଛି ବର୍ଷ ହେଲାଣି ପ୍ରାୟ ଦୈନନ୍ଦିନ ରାଜ୍ୟର ଗଣମାଧ୍ୟମ ସୌଜନ୍ୟରୁ ଏଭଳି ଅଘଟଣ ବିଷୟରେ ଜାଣିବାକୁ ମିଳୁଛି । କ’ଣ ଏହାର କାରଣ? କାହିଁକି ଲୋକମାନେ ଏଭଳି ଜହ୍ଲାଦ ଅବସ୍ଥାକୁ ଖସି ଯାଉଛନ୍ତି? କାହିଁକି ଟିକେ ଟିକେ କଥାରେ ଘଟିଯାଉଛି ହତ୍ୟା ଓ ଆତ୍ମହତ୍ୟା ପରି ଜଘନ୍ୟ ବର୍ବରତା? ଲୋକମାନେ ଯଦି ସୁଖଶାନ୍ତିରେ କାଳାତିପାତ କରୁଥାନ୍ତେ, ଉପଯୁକ୍ତ ଶିକ୍ଷା ଓ ସଂସ୍କାର ପାଉଥାନ୍ତେ ତେବେ କ’ଣ ଏଭଳି ଘଟଣାସବୁ ଘଟୁଥାନ୍ତା? ଓଡ଼ିଶାରେ ପାରିବାରିକ ମୂଲ୍ୟବୋଧର ଚେର ବହୁ ଗଭୀର ବୋଲି ବିଶ୍ୱାସ କରାଯାଏ । ମହାଭାରତୀୟ ପରମ୍ପରାର ଶ୍ରବଣ କୁମାର ଉପାଖ୍ୟାନ ବିଷୟରେ ଓଡ଼ିଶାର ପ୍ରାୟ ସବୁ ଗାଁରେ ଚର୍ଚ୍ଚା ହୁଏ । ଆମ ରାଇଜରେ ମଧ୍ୟ ପୁରାଣର ସେହି ଶ୍ରବଣ କୁମାରମାନେ କେଉଁଠି କେଉଁଠି ରହିଥିବେ । ଓଡ଼ିଶାର ବାପା ଓ ମା’ମାନେ ନାନାଦି ଅଭାବ ଭିତରେ ପେଟରୁ କାଟି ନିଜ ପିଲାମାନଙ୍କୁ ଲାଳନପାଳନ କରିଥାନ୍ତି । ଆଶା ଥାଏ ସେମାନେ ବଡ଼ ହେଲେ ସେମାନଙ୍କର ବାର୍ଦ୍ଧକ୍ୟ ଅବସ୍ଥାରେ ସହାୟ ହେବେ, ଯତ୍ନ ନେବେ । ଅନେକ ବାପାମା’ ସେମାନଙ୍କ ପିଲାଙ୍କର ରୋଗବ୍ୟାଧି ଭଲ କରିବା ଓ ଶିକ୍ଷା ବା ବୃତ୍ତିଗତ ତାଲିମ ପାଇଁ ନିଜର ସମସ୍ତ ସମ୍ବଳ ମଧ୍ୟ ବିକି ଦେଇଥାନ୍ତି । ଏଭଳି ଏକ ସମାଜରେ ପୁଅମାନେ ଶିଖନ୍ତି କ’ଣ? ବୁଝନ୍ତି କ’ଣ? ବାପାମା’ଙ୍କ ଦାୟିତ୍ୱର ବୋଝ ହାଲକା କରିବାକୁ ସେମାନଙ୍କର କ’ଣ କିଛି ଉତ୍ତରଦାୟିତ୍ୱ ନଥାଏ? ଏକଥା ସେମାନଙ୍କୁ ଶିଖାଇବ କିଏ? ଲକ୍ଷ୍ୟ କରିବାର କଥା ଯେ ଏଭଳି ଘଟଣାସବୁ ଅଧିକତର ରାଜ୍ୟର ଗ୍ରାମାଞ୍ଚଳରେ ଘଟୁଛି । ଗ୍ରାମୀଣ ଓଡ଼ିଶା ପୂର୍ବରୁ ପାରିବାରିକ ମୂଲ୍ୟବୋଧ ଉପରେ ଦୃଢ଼ ଭାବେ ପ୍ରତିଷ୍ଠାଲାଭ କରିଥିଲା । ଜନ୍ମ, ବ୍ରତୋପନୟନ, ବିବାହ ଓ ମୃତ୍ୟୁ ଆଦି ସମୟର ସାମାଜିକ କର୍ମକାଣ୍ଡଗୁଡ଼ିକରେ ପିତାପୁତ୍ର ସଂପର୍କର ଯେଉଁ ସଂକେତ ଓ ସୂଚନା ମିଳେ ତାହା ଯେ ଆଜିକାଲି ଲୁପ୍ତ ହୋଇଗଲାଣି ତାହା କ୍ରମବର୍ଦ୍ଧିଷ୍ଣୁ ଉପରୋକ୍ତ ଘଟଣାଗୁଡ଼ିକରୁ ବୁଝାପଡ଼େ । ଏକ ବସ୍ତୁ-ସର୍ବସ୍ୱ ଦୁନିଆରେ, ଏକ ସ୍ୱାର୍ଥକୈନ୍ଦ୍ରିକ ସଂସ୍କାରରେ, ଏକ ଉତ୍ତରଦାୟିତ୍ୱହୀନ ସାମାଜିକ ବ୍ୟବସ୍ଥାରେ, ଏକ ସ୍ନେହମମତାହୀନ ପରିବାର ଭିତରେ ଏଭଳି ଅନେକ ଘଟଣା ଘଟେ । କେଉଁଠି ଘଟେ ଏଭଳି ଜଘନ୍ୟ ହତ୍ୟା ଓ ଆତ୍ମହତ୍ୟା, କେଉଁଠି ଘଟେ ଅବହେଳା ଓ ଅତ୍ୟାଚାର । ଅନେକ କାରଣରୁ ଏବେ ଗ୍ରାମୀଣ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ । ମଦ୍ୟାଦି ନିଶା ପ୍ରଭାବରେ କିଶୋର ବୟସର ବାଳକମାନେ ମଧ୍ୟ ଉନ୍ମତ୍ତ ଓ ଉନ୍ମାଦ । ସହଜ ସୁଖ ଓ ଭୋଗ ବିଳାସର ସନ୍ଧାନରେ ଆଳସ୍ୟର ରାଜୁତି । ଟିଭି ଓ ସିନେମାଦି ଗଣମାଧ୍ୟମ ଜରିଆରେ ଓଡ଼ିଶାର ସାମାଜିକ ବ୍ୟବସ୍ଥା ଭିତରକୁ ଧସେଇ ପଶିଆସୁଛି ସମ୍ବେଦନହୀନ ଅପସଂସ୍କୃତିର ଅନେକ ବାର୍ତ୍ତା । ଆର୍ଥିକ ଅଭିବୃଦ୍ଧି ଓ ଆଧୁନିକତାର ଜୟଗାନ ଭିତରେ ପରିବାର ଓ ସମାଜ ହୋଇଯାଉଛି ଅପାଙ୍କ୍ତେୟ । ସ୍ୱାର୍ଥଭିତ୍ତିକ ସଂସ୍କୃତିର ପରିପ୍ରସାର ଯୋଗୁଁ ବଢ଼ି ଚାଲିଛି ବ୍ୟକ୍ତିକୈନ୍ଦ୍ରିକ ମୂଲ୍ୟବୋଧର ପ୍ରଚାର ଓ ପ୍ରତିଷ୍ଠା । ଏହାରି ଭିତରେ ହଜି ହଜି ଯାଉଛି ଭାରତୀୟ ଧର୍ମ, ଦର୍ଶନ ଓ ସଂସ୍କାର । ସ୍ନେହ, ପ୍ରେମ, ମମତା, ଶାନ୍ତି, ସଂହତି, ତ୍ୟାଗ, ସେବା ଆଦି ଆଚରଣ ଏବେକାର ସ୍ୱାର୍ଥ ଓ ସମୃଦ୍ଧି ଭିତ୍ତିକ ସମାଜରେ ଗୁରୁତ୍ୱହୀନ । ପରିବାରରେ ଏସବୁ ବିଷୟକ ଶିକ୍ଷା ମିଳୁ ନାହିଁ । ଶିକ୍ଷାୟତନରେ ମଧ୍ୟ ଏହା ଆଉ ପାଠ୍ୟକ୍ରମରେ ନାହିଁ । କେହି ଆଉ ଗୁରୁ ଓ ମୁରବୀ ମାନୁ ନାହାନ୍ତି । ଭଲ କଥା କହିଲେ ଭେଲ ବୁଝୁଛନ୍ତି ଉତ୍ତର ପିଢ଼ି । ଉତ୍ତର-ଆଧୁନିକ ସମାଜ ନବ୍ୟ-ସାମନ୍ତବାଦୀ ନବ୍ୟ-ପୁଞ୍ଜିବାଦୀ ସଂସ୍କୃତିରେ ବ୍ୟକ୍ତିର ଗୁରୁତ୍ୱ ବଢ଼ି ଚାଲିଛି, ପରିବାର ଓ ସମାଜ ଗୁରୁତ୍ୱ ହରାଇ ଚାଲିଛି । ଏଇ ଅଧୋଗତି ହିଁ ଡାକି ଆଣୁଛି ଏଭଳି ଅନେକ ବିପର୍ଯ୍ୟୟ । ଆତ୍ମସଂଯମ ଓ ଆତ୍ମନିୟନ୍ତ୍ରଣ କ’ଣ ଲୋକେ ବୁଝୁ ନାହାନ୍ତି । ଲୋଭ, ମୋହ, ମଦ ଓ ମାତ୍ସର୍ଯ୍ୟ ଆଦି ଦ୍ୱାରା ପ୍ରଭାବିତ ମଣିଷ ଅହଂକାର, ବଳ, ଦର୍ପ, କାମ ଓ କ୍ରୋଧର ପ୍ରଦର୍ଶନ କଲେ କ’ଣ ହୁଏ ତାହା କେହି ଆଉ ବୁଝୁ ନାହାନ୍ତି କି କେହି ବୁଝଉ ନାହାନ୍ତି । ଏସବୁ ମୂଲ୍ୟବୋଧକୁ ପୁରୁଣାକାଳିଆ ବା ଗାନ୍ଧୀଯୁଗର ମୂଲ୍ୟବୋଧ କହି ତାତ୍ସଲ୍ୟ କରାଯାଉଛି । ଆପେ ବଞ୍ଚିଲେ ବାପର ନାଁ ବୋଲି ପ୍ରଚାର ଚାଲିଛି । ସେଥିପାଇଁ ଦରକାର ପଡ଼ିଲେ ବାପାକୁ ମଧ୍ୟ ହତ୍ୟା କରାଯାଉଛି । ସେହିପରି ଅନେକ ବାପା ମଧ୍ୟ ନିଜ ସନ୍ତାନସନ୍ତତିଙ୍କୁ ହତ୍ୟା କରିବାକୁ ପଛାଉ ନାହାନ୍ତି । ଏହା ଭାରତୀୟ ସମାଜର ଲକ୍ଷଣ ନୁହେଁ । ଓଡ଼ିଶା ସମାଜର ମଧ୍ୟ ଚରିତ୍ର ନୁହେଁ । ଏ ସଭ୍ୟତା ଓ ସଂସ୍କାରକୁ ରୋକିବାକୁ ହେବ । ନହେଲେ ଭାରତର ପରିବାର-ସଂସ୍କାର ସବୁଦିନ ପାଇଁ ଲୋପ ପାଇବ । ଆମେରିକାରେ ଯେପରି ଗୋଟିଏ କଥା କୁହାଯାଏ- ତମ ପିଲା ଓ ମୋ ପିଲା ମିଶି ଆମ ପିଲାଙ୍କୁ ପିଟୁଛନ୍ତି- ସେହିପରି ଅବସ୍ଥା ହେବ ଆମ ସମାଜର । ଅଳ୍ପ ଚିହ୍ନାରେ ବିବାହ, ଅଳ୍ପ କଥାରେ ଛାଡ଼ପତ୍ର ଓ କଥାକଥାରେ ହତ୍ୟା ଆଦି ଘଟଣାର ତୀବ୍ରତା ସମ୍ଭାଳିବାକୁ ଓଡ଼ିଶାର ଅନେକ ଲୋକଙ୍କର ମାନସିକ ଶକ୍ତି ଓ ସାହସ ନାହିଁ । ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ମଧ୍ୟ ଅନେକ ଲୋକଙ୍କର ଆର୍ôଥକ ସମ୍ବଳ ନାହିଁ ।

Share :