କାହିଁକି ମନେ ପଡ଼ିଲା ବିଧାନ ପରିଷଦ?

କାହିଁକି ମନେ ପଡ଼ିଲା ବିଧାନ ପରିଷଦ?

Share :

ସରଳ କୁମାର ଦାସ ଓଡିଶାରେ ଏକ ବିଧାନ ପରିଷଦ ଗଠନ ଉଦ୍ଦେଶ୍ୟରେ ସରକାରଙ୍କ ଦ୍ବାରା ଗଠିତ ପାଞ୍ଚଜଣିଆ ବିଧାୟକଙ୍କ କମିଟି ଆନ୍ଧ୍ର ପ୍ରଦେଶ ଓ ବିହାର ରାଜ୍ୟ ଗସ୍ତ କରି ସେଠାରେ ବିଧାନ ପରିଷଦର ଉପଯୋଗିତା ଓ କାର୍ଯ୍ୟକାରିତାକୁ ଅନୁଧ୍ୟାନ କରିବେ। ସେହି ରାଜ୍ୟ ଦୁଇଟିରେ ବିଧାନସଭା ପରେ ବିଧାନ ପରିଷଦ ଗଠିତ ହୋଇଥିଲା। ଏଥି ପୂର୍ବରୁ କମିଟି ୨୦୧୫ ମସିହା ଜାନୁଆରୀରେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ରାଜ୍ୟ ଗସ୍ତ କରିଥିଲେ, ଯେଉଁଠାରେ ବିଧାନସଭା ଗଠନ ହେବା ପୂର୍ବରୁ ବିଧାନ ପରିଷଦ ଥିଲା। ଦୀର୍ଘ ସାଢେ ତିନି ବର୍ଷ ଧରି ସରକାର ଚୁପଚାପ ବସି ରହିଲା ପରେ କାର୍ଯ୍ୟକାଳ ପୂରିବାକୁ ଆଉ କେଇ ମାସ ବାକି ଥିବା ବେଳେ ହଠାତ୍ ନିଦରୁ ଉଠି ବିଳିବିଳେଇଲା ପରି ମନେ ପଡିଗଲା କି ଆଉ ବିଧାନ ପରିଷଦ କଥା ! କମିଟିର ଦୁଇ ବିରୋଧୀ ଦଳ ସଦସ୍ୟ ଗତ ଥର ଗସ୍ତରେ ସାମିଲ ନଥିଲେ ଓ ଏଥର ସାମିଲ ହେବାକୁ ମନା କରିବା ଦ୍ବାର ସରକାର ଏ ପ୍ରସଙ୍ଗରେ ଯେ ସବୁ ଦଳକୁ ସାଙ୍ଗରେ ନେଇ ପାରିନାହାନ୍ତି, ତାହା ସ୍ପଷ୍ଟ। ସମ୍ବିଧାନର ଧାରା ୧୭୧ ଅନୁଯାୟୀ ଦ୍ବି-ସଦନୀୟ ବିଧାନମଣ୍ଡଳ ଥିବା ରାଜ୍ୟମାନଙ୍କରେ ବିଧାନ ପରିଷଦ ଉପର ସଦନର କାର୍ଯ୍ୟ କରିଥାଏ। ଏହି ସଦନର ସଭ୍ୟ ସଂଖ୍ୟା ବିଧାନସଭା ସଭ୍ୟ ସଂଖ୍ୟାର ଏକ ତୃତୀୟାଂଶ। ସେହି ଅନୁସାରେ ଓଡିଶାରେ ବିଧାନ ପରିଷଦ ସ୍ଥାପିତ ହେଲେ ଏହାର ସଭ୍ୟ ସଂଖ୍ୟା ୪୯ରେ ସୀମିତ ରହିବ। ଏମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ (୧୬ ଜଣ) ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ, ମ୍ୟୁନିସିପାଲିଟି ଆଦି ସ୍ଥାନୀୟ ପରିଷଦ ସଭ୍ୟଙ୍କ ଦ୍ବାରା ଓ ଆଉ ଏକ ତୃତୀୟାଂଶ (୧୬ ଜଣ) ବିଧାୟକଙ୍କ ଦ୍ବାରା ନିର୍ବାଚିତ ହେବେ। ବିଜ୍ଞାନ, ସାହିତ୍ୟ, କଳା, ସମବାୟ ଆନ୍ଦୋଳନ, ସମାଜସେବା ଆଦି କ୍ଷେତ୍ରରେ ପାରଦର୍ଶିତା ଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ରାଜ୍ୟପାଳ ଏକ ଷଷ୍ଠାଂଶ (୮ ଜଣ)ଙ୍କୁ ସଦସ୍ୟ ଭାବେ ମନୋନୀତ କରିବେ। ସେହିପରି ରାଜ୍ୟର ଗ୍ରାଜୁଏଟଙ୍କ ମଧ୍ୟରୁ ଏକ ଦ୍ବାଦଶାଂଶ (୪ ବା ୫ ଜଣ) ଓ ଶିକ୍ଷକ (ହାଇସ୍କୁଲ ବା ତଦୁର୍ଦ୍ଧ୍ବ)ଙ୍କ ମଧ୍ୟରୁ ଏକ ଦ୍ବାଦଶାଂଶ (୪ ବା ୫ ଜଣ) ସଭ୍ୟ ନିର୍ବାଚିତ ହେବେ। ବିଧାନ ପରିଷଦ ପ୍ରତିଷ୍ଠାର ଅନ୍ତନିର୍ହିତ ଉଦ୍ଦେଶ୍ୟ ହେଉଛି ଜ୍ଞାନ, ଦକ୍ଷତା ଓ ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ନୀତି ନିର୍ଦ୍ଧାରଣ ଓ ଆଇନ ପ୍ରଣୟନ ପ୍ରକ୍ରିୟାରେ ସାମିଲ କରି ସେଥିରୁ ଲାଭାନ୍ବିିତ ହେବା। ଭାରତ ସରକାରଙ୍କ ୧୯୩୫ର ଆଇନ ଅନୁଯାୟୀ ଦେଶ ସ୍ବାଧୀନତା ପୂର୍ବରୁ ଛଅଟି ବଡ ବଡ ରାଜ୍ୟରେ ଦ୍ବି-ସଦନୀୟ ବିଧାନ ମଣ୍ଡଳ ବ୍ୟବସ୍ଥା ପ୍ରଚଳିତ ଥିଲା। ସମ୍ବିଧାନ ପ୍ରଣୟନ ସଭାରେ ମତ ପାର୍ଥକ୍ୟ ସତ୍ତ୍ବେ ସମ୍ବିଧାନ ପ୍ରଣେତାମାନେ ବିଧାନ ପରିଷଦକୁ ଏକ ଅତିରିକ୍ତ ସଦନ ଭାବେ ଗ୍ରହଣ କରିଥିଲେ। ବର୍ତ୍ତମାନ ଦେଶର ୨୯ଟି ରାଜ୍ୟ ମଧ୍ୟରୁ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଉତ୍ତର ପ୍ରଦେଶ, ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ, ଜାମ୍ମୁ ଓ କାଶ୍ମୀର ଭଳି ମାତ୍ର ସାତଟି ରାଜ୍ୟରେ ବିଧାନ ପରିଷଦ ରହିଛି। ଆନ୍ଧ୍ର ପ୍ରଦେଶରେ ୧୯୫୮ରେ ପ୍ରତିଷ୍ଠିତ ବିଧାନ ପରିଷଦକୁ ୧୯୮୫ରେ ଉଚ୍ଛେଦ କରା ଯାଇଥିଲା, ଯାହା ୨୦୦୭ରେ ପୁନର୍ଗଠିତ ହେଲା। ଏହି ରାଜ୍ୟ ବିଭାଜନ ପରେ ଉଭୟ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟରେ ବିଧାନ ପରିଷଦ କାର୍ଯ୍ୟ କରୁଛି। ପଶ୍ଚିମବଙ୍ଗରେ ୧୯୫୨ରେ ପ୍ରତିଷ୍ଠିତ ବିଧାନ ପରିଷଦକୁ ୧୯୬୯ରେ ଉଚ୍ଛେଦ କରାଯାଇଛି। ବିଧାନ ପରିଷଦ ଗଠନ ପାଇଁ ୨୦୧୨ ଓ ୨୦୧୩ରେ ଯଥାକ୍ରମେ ରାଜସ୍ଥାନ ଓ ଆସାମ ବିଧାନସଭାରେ ଗୃହୀତ ପ୍ରସ୍ତାବ ଉପରେ ଏ ପର୍ଯ୍ୟନ୍ତ କୌଣସି ସଂସଦୀୟ ନିଷ୍ପତ୍ତି ନିଆଯାଇନାହିଁ। ଅବଶ୍ୟ ସଂସଦୀୟ ସ୍ଥାୟୀ କମିଟି ଉଭୟ ରାଜ୍ୟରେ ବିଧାନ ପରିଷଦ ଗଠନ ସପକ୍ଷରେ ମତ ଦେଇଥିଲେ ମଧ୍ୟ ରାଜ୍ୟମାନଙ୍କରେ ବିଧାନ ପରିଷଦ ସ୍ଥାପନ ପାଇଁ ଏକ ଜାତୀୟ ନୀତି ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ଏଥିରୁ ସ୍ପଷ୍ଟ ଯେ ରାଜ୍ୟ ବିଧାନସଭାରେ ଗୃହୀତ ପ୍ରସ୍ତାବକୁ ସଂସଦ ତୁରନ୍ତ ଗ୍ରହଣ କରିବ ବୋଲି କିଛି ମାନେ ନାହିଁ। ଦୁଇ ସଦନ ବିଶିଷ୍ଟ ଭାରତୀୟ ସଂସଦରେ ରାଜ୍ୟସଭା ଏକ ସ୍ଥାୟୀ ସଦନ ଓ ପ୍ରତି ଦୁଇ ବର୍ଷରେ ଏହାର ଏକ ତୃତୀୟାଂଶ ସଭ୍ୟ ଅବସର ନେଇ ତାଙ୍କ ସ୍ଥାନରେ ନୂଆ ସଦସ୍ୟ ନିର୍ବାଚିତ ହୋଇଥାନ୍ତି। ରାଜ୍ୟସଭା ଢାଞ୍ଚାରେ ବିଧାନ ପରିଷଦର ପରିକଳ୍ପନା କରାଯାଇଥିଲେ ମଧ୍ୟ ଏହା ଏକ ସ୍ଥାୟୀ ସଦନ ଭାବେ କାର୍ଯ୍ୟ କରିବା କ୍ଷେତ୍ରରେ କେତେକ ପ୍ରତିବନ୍ଧକ ରହିଛି। ସମ୍ବିଧାନର ଧାରା ୧୬୯ ଅନୁଯାୟୀ ସମ୍ପୃକ୍ତ ରାଜ୍ୟ ବିଧାନସଭାର ଅର୍ଦ୍ଧାଧିକ ସଭ୍ୟ ଓ ଭୋଟ ଗ୍ରହଣ ବେଳେ ଉପସ୍ଥିତ ଥିବା ସଦସ୍ୟଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ସଦସ୍ୟ ଚାହିଁଲେ ଏକ ରାଜ୍ୟର ବିଧାନ ପରିଷଦକୁ ବିଲୋପ ବା ପୁନର୍ଗଠନ କରିବା ପାଇଁ ବିଲ ଗୃହୀତ କରି ପାରିବେ ଓ ତାହା ସଂସଦର ଉଭୟ ସଦନରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଆଇନରେ ପରିଣତ ହୋଇ ପାରିବ। ଅର୍ଥାତ୍, ବିଧାନ ପରିଷଦର ତଥାକଥିତ ସ୍ଥାୟିତ୍ବ ଏକ ପାଣି ଫୋଟକା ଭଳି। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ତାମିଲନାଡୁ ବିଧାନ ପରିଷଦ। ସେଠାରେ ସ୍ବାଧୀନତା ପୂର୍ବରୁ ପ୍ରତିଷ୍ଠିତ ବିଧାନ ପରିଷଦ ଦୀର୍ଘ ଦିନ ଧରି କାର୍ଯ୍ୟ କରିବା ପରେ ୧୯୮୬ରେ ଏଡିଏମକେ ସରକାରଙ୍କ କାର୍ଯ୍ୟକାଳରେ ବିଧାନସଭାରେ ପାରିତ ବିଲ ଆଧାରରେ ସଂସଦ ତାହା ବିଲୋପ କରିବା ପାଇଁ ଆଇନ ପ୍ରଣୟନ କଲେ ଓ ନଭେମ୍ବର ୧, ୧୯୮୬ରେ ସେଠାରୁ ବିଧାନ ପରିଷଦ ଉଚ୍ଛେଦ ହେଲା। ୧୯୮୯ ଓ ୧୯୯୬ରେ ଡିଏମକେ ସରକାରଙ୍କ ଅମଳରେ ବିଧାନ ପରିଷଦର ପୁନର୍ଗଠନ ପାଇଁ ବିଲ ପାରିତ ହୋଇଥିଲେ ମଧ୍ୟ ତାହା ସଂସଦର ସ୍ବୀକୃତି ପାଇବା ପୂର୍ବରୁ ନବଗଠିତ ଏଡିଏମକେ ସରକାରଙ୍କ ଦ୍ବାରା ୧୯୯୧ ଓ ୨୦୦୧ରେ ପ୍ରସ୍ତାବ ପ୍ରତ୍ୟାହାରିତ ହୋଇଥିଲା। ସେହିପରି ୦୧୦ରେ ଡିଏମକେ ସରକାରଙ୍କ ସମୟରେ ବିଧାନ ପରିଷଦ ପୁନର୍ଗଠନ ସଂକ୍ରାନ୍ତୀୟ ପାରିତ ବିଲ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇବା ସତ୍ତ୍ବେ ସୁପ୍ରିମକୋର୍ଟଙ୍କ ରହିତାଦେଶ ଯୋଗୁ କାର୍ଯ୍ୟକାରୀ ହୋଇ ପାରି ନଥିଲା। ୨୦୧୧ରେ ଏଡିଏମକେ ଶାସନକୁ ଫେରିବା ପରେ ପୁନର୍ଗଠନକୁ ବିରୋଧ କରିବା ଯୋଗୁ ଏ ଯାଏଁ ସେଠାରେ ଆଉ ବିଧାନ ପରିଷଦ ଗଠନ ହୋଇ ପାରିନାହିଁ। ରାଜନୀତିର ପଶାପାଲିରେ ବିଧାନ ପରିଷଦ ଏକ କ୍ରୀଡନକ ପାଲଟିବାର ସମ୍ଭାବନା ଥିବାରୁ ଏହାର ସ୍ଥାୟିତ୍ବ କଥା ଦୂରେ ଥାଉ, ସ୍ଥିତି ସମ୍ପର୍କରେ ସନ୍ଦେହ ଉପୁଜିବା ସ୍ବାଭାବିକ। କୁହାଯାଏ ବିଧାନ ପରିଷଦ ହେଉଛି ନିର୍ବାଚନରେ ଅକୃତକାର୍ଯ୍ୟ ରାଜନେତାଙ୍କ ପାଇଁ ଏକ ଥଇଥାନ କେନ୍ଦ୍ର। ଓଡିଶାରେ ତାହା ସେହି ଭଳି ବ୍ୟବହୃତ ହେଲେ ବିଦବତ୍ତା ଓ ଦକ୍ଷତା ଥିବା ବ୍ୟକ୍ତିବିଶେଷ ସଭ୍ୟ ହେବାରୁ ବଞ୍ଚିତ ହେବେ ଓ ବିଧାନ ପରିଷଦର ପ୍ରକୃତ ଉଦ୍ଦେଶ୍ୟ ପୂରଣ ହୋଇପାରିବ ନାହିଁ। ଭବିଷ୍ୟତରେ ରାଜ୍ୟର ମୁଖ୍ଯମନ୍ତ୍ରୀ (ଏବର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପରି) ଜନତାଙ୍କ ଦ୍ବାରା ସିଧାସଳଖ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ନହୋଇ ବିଧାନ ପରିଷଦ ମାର୍ଫତ ହେବାର ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ। ତା ଛଡା ବିଧାନ ପରିଷଦ ପ୍ରତିଷ୍ଠା ହେବା ପରେ ସବୁ ବିଲ୍ ଉଭୟ ଗୃହରେ ଗୃହୀତ ହେବାର ଆବଶ୍ୟକତା ଥିବାରୁ ଏହା ଦ୍ବାରା ପ୍ରଗତିଶୀଳ ଆଇନ ପ୍ରଣୟନ ହେବାରେ ବିଳମ୍ବ ହୋଇପାରେ। ବିଧାନ ପରିଷଦ ସ୍ଥାପନ ହେଲେ ସେ ବାବଦରେ ହେବାକୁ ଥିବା ବାର୍ଷିକ ଅତିରିକ୍ତ ପ୍ରାୟ ୨୦-୨୫ କୋଟି ଟଙ୍କାର ବ୍ୟୟଭାର ବହନ କରିବାକୁ ରାଜ୍ୟ କେତେ ଦୂର ସକ୍ଷମ, ତାହା ବିଚାର୍ଯ୍ୟ। ବିଧାୟକ ପାଉଥିବା ସମସ୍ତ ପ୍ରାପ୍ୟ ଓ ସୁବିଧା ଏମଏଲସିଙ୍କୁ ମିଳିଥାଏ। ଏପରିକି ଜଣେ ଏମଏଲସି, ବିଧାୟକ ଓ ସାଂସଦ ଭାବେ କାର୍ଯ୍ୟ କରିଥିଲେ ଏକାଧିକ ପେନସନ ପାଇଥାନ୍ତି। ଆୟତନ ଓ ଜନସଂଖ୍ଯା ଦୃଷ୍ଟିରୁ ଅନେକ ବଡ଼ ତଥା ସ୍ବଚ୍ଛଳ ରାଜ୍ୟରେ ବିଧାନ ପରିଷଦ ନଥିବା ବେଳେ ଓଡିଶାରେ ତାହା ଏତେ ଆବଶ୍ୟକ ହୋଇପଡିଛି କାହିଁକି ? ବିଧାନସଭାର କାର୍ଯ୍ୟକାଳ ପୂରିବାକୁ ବସିଥିବା ବେଳେ ଓଡିଶାରେ ଶାସକ ଦଳ ତାଙ୍କ ନିକଟରେ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଥିବାରୁ ଏ ନେଇ ତତ୍ପରତା ଦେଖାଉଥିବା ମନେହୁଏ। ଏତଦବ୍ୟତୀତ ଶାସକ ଦଳର ଅସନ୍ତୁଷ୍ଟ ଓ ଦଳୀୟ ଟିକଟ ପାଇବାରୁ ବଞ୍ଚିତ ହେବାର ସମ୍ଭାବନା ଥିବା ନେତାମାନଙ୍କୁ ଏମଏଲସିର ଥୋପ ଦେଇ ଝୁଲାଇ ରଖି ହେବ। ଯେଉଁ ରାଜ୍ୟରେ ବିଧାନସଭା ବର୍ଷରେ ନିଜ ନିର୍ଦ୍ଧାରିତ ୬୦ଟି କାର୍ଯ୍ୟ ଦିବସ ଚାଲି ପାରେନାହିଁ ଓ ଚାଲୁଥିବା ଦିବସମାନଙ୍କରେ ହୋହଲ୍ଲା ଯୋଗୁ ଗୃହକୁ ଅନେକ ସମୟ ଧରି ମୁଲତବି ରଖିବାକୁ ହୁଏ, ସେଠାରେ କ’ଣ ବିତର୍କ ହେବା ଓ ତା ସ୍ତରକୁ ଉନ୍ନତ କରିବା ପ୍ରତି ସତରେ କେହି ଆଗ୍ରହୀ? ଏଭଳି ସ୍ଥିତିରେ ବିଧାନ ପରିଷଦ ପରି ଆଉ ଏକ ସମାନ୍ତରାଳ ବିତର୍କ ଗୃହର ଆବଶ୍ୟକତା କେତେ ଯୁକ୍ତିସଙ୍ଗତ? ତାଛଡା ଆଇନ ପ୍ରଣୟନ କ୍ଷେତ୍ରରେ ପ୍ରଶାସକଙ୍କ ସକ୍ରିୟ ଅଂଶଗ୍ରହଣ ଯୋଗୁ (ଅବଶ୍ୟ ବିତର୍କରେ ଅଂଶଗ୍ରହଣ ନକରି) ବିଦବତ୍ତା ଓ ଦକ୍ଷତା ତ ଏମିତିରେ ମିଳିଯାଉଛି ! ବିଭିନ୍ନ ସମସ୍ୟାରେ ଜର୍ଜରିତ ଓଡିଶା ଭଳି ଏକ ଗରିବ ରାଜ୍ୟର ଆର୍ଥିକ ଅବସ୍ଥା ଯାହା, ସେଥିରେ ରାଜକୋଷରୁ ବିପୁଳ ଅର୍ଥ ଅପବ୍ୟୟ କରି ବିଧାନ ପରିଷଦ ସ୍ଥାପନ କରିବା କ’ ରାଜ୍ୟର ପ୍ରାଥମିକତା ହୋଇପାରେ? ଏହା ଓଡିଶାର ସ୍ବାର୍ଥକୁ ଅଗ୍ରସର କରିବା ପାଇଁ କେତେ ଅଭିପ୍ରେତ ସେ ସମ୍ପର୍କରେ ବିଚାର ବିମର୍ଶ ହୋଇ ଜନମତ ସୃଷ୍ଟି ହେବା ବାଞ୍ଛନୀୟ। ମୋ- ୯୪୩୭୦୩୮୦୧୫

Share :