ଓଡ଼ିଶା କଂଗ୍ରେସ ଅସୁସ୍ଥ- ସରିଛି ନିଦାନ, ମିଳୁନି ପାଚନ!

ଓଡ଼ିଶା କଂଗ୍ରେସ ଅସୁସ୍ଥ- ସରିଛି ନିଦାନ, ମିଳୁନି ପାଚନ!

Share :

ହେମାଙ୍ଗ ପ୍ରସାଦ ରାଉଳ ସାଂପ୍ରତିକ ପରିସ୍ଥିତିରେ ଓଡ଼ିଶା ରାଜନୀତିରେ ଅପ୍ରତିଦ୍ୱନ୍ଦୀ ସମ୍ରାଟ ଭାବରେ ନବୀନ ବାବୁଙ୍କୁ ପ୍ରମାଣପତ୍ରର ଶ୍ରେୟଯିବ ବିରୋଧୀ ଦଳର ସାମର୍ଥ୍ୟହୀନ କାର୍ଯ୍ୟଶୈଳୀକୁ। ୧୮ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଓଡ଼ିଶାକୁ ଚଳାଇ ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଛବିକୁ ଅମଳିନ ବୋଲି ଧରିନେବାକୁ ହେବ। ଯିଏ ଭାଷା ଜାଣିନାହାନ୍ତି, ଏଠାକାର ସଂସ୍କୃତି ଜୀବନଶୈଳୀର ପାଣିପାଗ ସହ ଦୁଇଦଶନ୍ଧି ତଳେ ପରିଚିତ ନାହାନ୍ତି ସିଏ ଆଜି ସ୍ୱାଧୀନତା ପାଇବା ପରେ ଭାରତବର୍ଷର ଏକ ବିସ୍ମୟ ମୁଖ୍ୟମନ୍ତ୍ରୀ ଭାବରେ ବିବେଚିତ ହେଉଛନ୍ତି। କମ୍ ଶବ୍ଦରେ ଅନେକ ଭାବ ପ୍ରକାଶ କରିବା, ଅମଲାତନ୍ତ୍ରକୁ ପ୍ରଚଣ୍ଡ ଦକ୍ଷତା ପ୍ରଦାନ କରିବା, ଦାରିଦ୍ର୍ୟତାର ହାର କମାଇବା ପାଇଁ ଯୋଜନା କରିବା ଏବଂ ସର୍ବୋପରି ବିକୃତ ଓଡ଼ିଆରେ କହି ମଧ୍ୟ ଲୋକପ୍ରିୟ ନେତା ଭାବରେ ବିବେଚିତ ହେବା ତାଙ୍କର ଗୋଟିଏ ଗୋଟିଏ ଚମତ୍କାରିତା ଭାବେ ଗ୍ରହଣୀୟ। ଓଡ଼ିଶାର ଦୁର୍ଭାଗ୍ୟ ଏଠାରେ ମୁଖ୍ୟମନ୍ତ୍ରୀଙ୍କ ସାମର୍ଥ୍ୟ ବଢ଼ାଇବାରେ ବିରୋଧୀମାନେ ଅମେରୁଦଣ୍ଡୀ ରାଜନୀତିକୁ ପ୍ରଶ୍ରୟ ଦେଲେ ଏବଂ ମୁଖ୍ୟମନ୍ତ୍ରୀ ୧୯ ବର୍ଷର ମଉଡ଼ମଣି ବନିଗଲେ। ତେବେ କ’ଣ ପାଇଁ ନବୀନ ବାବୁ ଆଜି ଲୋକପ୍ରିୟତାର ଶୀର୍ଷରେ? ଓଡ଼ିଶାରେ ଦୁଇ ଦଶନ୍ଧି ତଳେ ନବୀନଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦ୍ବୀ ଥିଲା ଜାତୀୟ କଂଗ୍ରେସ। ବିଜେପି ସହଯୋଗୀ ଦଳର ମର୍ଯ୍ୟଦା ପାଇ ଶାସନ କଲା ୯ ବର୍ଷ। କିନ୍ତୁ ପ୍ୟାରୀମୋହନ ମହାପାତ୍ରଙ୍କ ଅଶୁଭ ଦୃଷ୍ଟିରୁ ବିଜେପି ତଡ଼ା ଖାଇଲା ପରି ଦୂରେଇ ଗଲା ଏବଂ ବିଜେଡ଼ି ନିରଙ୍କୁଶ ଶାସକର ଦାୟିତ୍ୱ ଆପଣାଇ ନିଜର ଦମ୍ଭରେ ନିଜେ ସମରକୁ ଯାଇ ରଣପ୍ରସ୍ତୁତି କରି ଆଜକୁ ୧୯ ବର୍ଷର ଏକ ରେକର୍ଡ଼ ତିଆରି କରି ଶାସନ ଚଳାଇଛି। ସବୁଠୁ ଦୁର୍ଭାଗ୍ୟର କଥା ଯେ ଓଡ଼ିଶାରେ ଜାତୀୟ କଂଗ୍ରେସ ଦଳ ପ୍ରାୟତଃ ନିଷ୍ପ୍ରଭ। ରାଜ୍ୟ କଂଗ୍ରେସର ବିବାଦ କମିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ଦେଖାଯାଉନାହିଁ। ରାଜ୍ୟ ସ୍ତରୀୟ ନେତାଙ୍କ ମଧ୍ୟରେ କନ୍ଦଳ ଯଦିଓ ପଦାକୁ ଆସିନାହିଁ, ଜିଲ୍ଲା ସ୍ତରରେ ଏହା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ବିଶେଷକରି କୋରାପୁଟ ଜିଲ୍ଲା କଂଗ୍ରେସ ଗୋଷ୍ଠୀ ବିବାଦ ଓ ମତପାର୍ଥକ୍ୟ ଚରମ ସୀମାରେ ପହଞ୍ଚିଯାଇଛି। ଯାହାକି ପିସିସି ମୁଖିଆଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ତଳଦିନେ ପ୍ରଦୀପ ମାଝିଙ୍କୁ ସମ୍ୱର୍ଦ୍ଧନା ପାଇଁ ଆୟୋଜିତ ରାଲି ଏବଂ ସଭାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ ଚନ୍ଦ୍ରଶେଖର ମାଝୀ ଏବଂ ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତିଙ୍କ ଅନୁପସ୍ଥିତି ଦଳରେ ଥିବା କନ୍ଦଳକୁ ପଦାରେ ପକାଇ ଦେଇଛି। ସେହିଭଳି ଗଂଜାମ ଜିଲ୍ଲାରେ ଅବସ୍ଥା ନକହିଲେ ଭଲ। ନବନିଯୁକ୍ତ ତ୍ରିନାଥ ବେହେରା ସଭାପତି ପଦରେ ତାଙ୍କ ପ୍ରତି ଦଳର କିଛି ନେତା ଏବଂ ଯୁବପୀଢ଼ି ସନ୍ତୁଷ୍ଟ ନଥିବା ପରି ମନେହୁଏ। ଗଜପତି ଜିଲ୍ଲାରେ ମଧ୍ୟ ଏହି ଅବସ୍ଥା। ଯାହାକି ଦକ୍ଷିଣ ଓଡ଼ିଶା କଂଗ୍ରେସର ଦୁର୍ଗ ମନେ କରୁଥିଲା। ପିସିସି ପରିବର୍ତ୍ତନ ପରେ କଂଗ୍ରେସ ମହଲରେ ଏବଂ ଯୁବପୀଢ଼ିରେ ଏକ ଜୋର୍ ଆସିଯାଇଥିଲା। ନିରଞ୍ଜନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଏବଂ ତାଙ୍କର କାର୍ଯ୍ୟଶୈଳୀକୁ କଂଗ୍ରେସ ଯୁବପୀଢ଼ି ଏବଂ ନେତାମାନେ ଖୁସି ହୋଇଥିଲା। କିନ୍ତୁ ଜିଲ୍ଲାରେ ସଭାପତି ପଦ ଘୋଷିତ ହେବା ପରେ ସବୁକିଛି ପାଣିଫୋଟକା ପରି ଉଭୟ ଯାଇଥିବା ପରି ମନେହୁଏ। ହୁଏତ ଆଗାମୀ ନିର୍ବାଚନରେ କଂଗ୍ରେସକୁ ବହୁମୂଲ୍ୟ ଦେବାକୁ ପଡ଼ିପାରେ। ଯେଉଁମାନକୁ ସଭାପତି ଦାୟିତ୍ୱ ଦିଆଯାଇଛି ସେମାନେ ତୃଣମୂଳ ସ୍ତରରେ ସଂଗଠନ କରିବାରେ ଦୁର୍ବଳ କହିଲେ ଅତ୍ୟୁକ୍ତି ହେବନାହିଁ। ବୁଦ୍ଧିଜୀବୀ ଓ ସାଧାରଣରେ ଶୁଣିବାକୁ ମିଳୁଛି ଯେ କାନକୁହାକୁ ଭିତ୍ତିକରି ଏହି ସଭାପତି ପଦ ବଣ୍ଟନ କରାଯାଇଛି। ଦଳକୁ ବିରୋଧ ନକଲେ ମଧ୍ୟ କଂଗ୍ରେସର ଯୁବପୀଢ଼ି ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ବ୍ରହ୍ମପୁରର ଶିବ ପାତ୍ର ପରି ଯୁବ ପୀଢ଼ିର ବରି ନେତାଙ୍କୁ ମଧ୍ୟ ଅଣଦେଖା କରାଯାଇଛି। ସେହିଭଳି ଗଜପତି ଜିଲ୍ଲାରେ କେ. ରାମସ୍ୱାମୀ ପରି ବରିଷ୍ଠ କଂଗ୍ରେସ ନେତାଙ୍କୁ ଅଣଦେଖା କରିବା ୨୦୧୯ ନିର୍ବାଚନରେ କଂଗ୍ରେସ ପାଇଁ ବହୁମୂଲ୍ୟ ଦେବାକୁ ପଡ଼ିପାରେ ବୋଲି ଚର୍ଚ୍ଚା ଜୋର୍ ଧରିଲାଣି। ଏହି ସଭାପତି ପଦ ଯେଉଁମାନଙ୍କୁ ଦିଆଯାଇଛି ଦୀର୍ଘ ୧୫ ବର୍ଷ ହେଲା ଏମାନଙ୍କ ଦଳ ପ୍ରତି କୌଣସି ସଂଶ୍ଲିଷ୍ଟ ନଥିବା କିମ୍ୱା ଦଳର କୌଣସି ଉନ୍ନତିମୂଳକ କାର୍ଯ୍ୟରେ ଏମାନଙ୍କ ଯୋଗଦାନ ନଥିବା କଂଗ୍ରେସର କିଛି ଯୁବନେତା ଏବଂ କର୍ମୀ ପ୍ରକାଶ କରିଛନ୍ତି। ଜାନକୀ ବାବୁଙ୍କ ପରି ରାଜନୀତି ପଣ୍ଡିତଙ୍କ ଅନ୍ତର୍ଦ୍ଧାନ ପରେ ଓଡ଼ିଶା କଂଗ୍ରେସ ସଂପୂର୍ଣ୍ଣ ଜରାଜୀର୍ଣ୍ଣ। ଯେତେସବୁ ଏଇ କଂଗ୍ରେସର ନେତୃତ୍ୱ ନେଇ ଆସିଛନ୍ତି ସମସ୍ତଙ୍କୁ ନିଜ ଦଳର ନେତାମାନେ ଶେଷରେ ଅଳିଆଗଦାକୁ ଫିଙ୍ଗି ଦେଇଛନ୍ତି। ସାଂପ୍ରତିକ ପରିସ୍ଥିତିରେ ଓଡ଼ିଶା କଂଗ୍ରେସର ଦେହ ଅତ୍ୟନ୍ତ ଖରାପ। ନିଦାନ କରିଥିବା ରାହୁଲ ଡ଼ାକ୍ତର ବ୍ୟାଧିପୀଡ଼ିତ ଓଡ଼ିଶା କଂଗ୍ରେସକୁ ନିରଞ୍ଜନଙ୍କ ପରି ବୈଦ୍ୟ ଧରାଇଦେଲେ, ହେଲେ ଏହି ବ୍ୟାଧିରୁ ମୁକୁଳିବା ପାଇଁ ନା ଅଛି ପଥି ନା ପାଚନ। ଓଡ଼ିଶାର କଂଗ୍ରେସର ଚନ୍ଦ୍ରଶେଖର ସାହୁଙ୍କ ବିଜେଡ଼ିରେ ଯୋଗଦାନ। ଶ୍ରୀକାନ୍ତଙ୍କ ଦାୟିତ୍ୱହୀନ ମନ୍ତବ୍ୟ। ପ୍ରଦୀପ ମାଝୀଙ୍କ ଅସହାୟପଣ। ପ୍ରସାଦ ହରିଚନ୍ଦନଙ୍କ କୁହାଳିଆ କଥାକୁ କାମ ଶୂନ୍ ଭିତରେ ଓଡ଼ିଶାର କଂଗ୍ରେସ ଆାଜି ପ୍ରାୟ ରୋଗାକ୍ରାନ୍ତ। ଏମିତି ପରିସ୍ଥିତିରେ ପୁନଶ୍ଚ କଂଗ୍ରେସ ନିଜ ଐତିହ୍ୟ ସ୍ଥାପନ କରିବାରେ ଆଗାମୀ ନିର୍ବାଚନରେ ଯେ ସମର୍ଥ ହେବ ଏହା ଆଦୌ ସମ୍ଭବ ନୁହେଁ। ହାତର ହତଶ୍ରୀ କଥା ନେତାଙ୍କ ନୀତିହୀନ ଅନୁଶାସନରେ କଂଗ୍ରେସ ଜରାଜୀର୍ଣ୍ଣ, ରକ୍ଷା କରିବ କିଏ? ଜିଲ୍ଲାସ୍ତରରେ ସାଙ୍ଗଠନିକ ଦକ୍ଷତା ଶୂନ୍ୟ ଥିବା ନେତାଙ୍କୁ ଡ଼ାକିଆଣି ଅଯାଚିତ ଅନୁକମ୍ପାର ରହସ୍ୟ କ’ଣ? ଯେଉଁମାନେ ପୁରୁଣା ଅନୁଭବୀ ଦକ୍ଷ ସଂଗଠକ ଥିଲେ ସେମାନେ ପ୍ରାୟ ନୀରବ। ନିରଞ୍ଜନ ପଟ୍ଟନାୟକ ସଭାପତି ଦାୟିତ୍ୱ ଏକ ଆଶା ସଞ୍ଚାରଣ କରିଥିଲା। ତେବେ ତାଙ୍କର ନିଷ୍ପତ୍ତି ନୀତି ଚୟନର ସାମଞ୍ଜସ୍ୟ ରହୁନାହିଁ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ କଂଗ୍ରେସ ବିଶେଷ କ୍ଷତି ସହିବା ସମ୍ଭାବନା ଅଧିକରୁ ଅଧିକ ବଢ଼ିଛି। ପ୍ରଦୀପ ମାଝିଙ୍କ ସଂଗଠନ କୋରାପୁଟରେ ଥିଲେ ମଧ୍ୟ ଅର୍ନ୍ତକନ୍ଦଳ କେଉଁ ନେତା କାହାର ବି ବିଶ୍ୱାସର ପାତ୍ର ନୁହନ୍ତି। ଗଜପତିରେ କଂଗ୍ରେସର ଆତ୍ମଘାତୀ କାମ ଦିନକୁ ଦିନ ବଢ଼ୁଛି। ନୂଆ ନେତାଙ୍କ ସମ୍ଭାବନାମୟ ଭବିଷ୍ୟତ ଖୋଜୁଖୋଜୁ ଯିଏବି ମୁଣ୍ଡ ମାରିବ ସିଏ ବି ଗଜପତିରେ କଂଗ୍ରେସ ଦୁର୍ଗକୁ ସମ୍ଭାଳିବ ଏହା ଆଦୌ ସହଜ ନୁହେଁ। ଗଂଜାମ କଂଗ୍ରେସ ଧରାଶାୟୀ। ତାଙ୍କୁ ପୁନଶ୍ଚ ଉଠାଇବା ପାଇଁ ଯିଏ ଆଜି କଂଗ୍ରେସ ସଭାପତି ଦାୟିତ୍ୱ ମୁଣ୍ଡାଇଛନ୍ତି ତାଙ୍କର ସଂଗଠନ ଦକ୍ଷିଣ ପୂର୍ବ ସଭାପତିଙ୍କ ଠାରୁ ମଧ୍ୟ ଦୁର୍ବଳ। ଯୁବ ସଂଗଠନମାନେ ହତୋତ୍ସାହିତ ହେବା ସହ ପୁରୁଣା ଖେଳାଳୀମାନେ ମଇଦାନ ଛାଡ଼ି ସୁରକ୍ଷିତ ଭବିଷ୍ୟତର ଅନୁସନ୍ଧାନରେ। ଗଂଜାମରେ ନବୀନଙ୍କ ଦୁର୍ଗ ପତନରେ ନା ହାତ ନା ପଦ୍ମ ଦଳ ଆଦୌ ସମର୍ଥ ନୁହନ୍ତି। କ୍ରମଶଃ ନିର୍ବାଚନ ଆସନ୍ନ ହେଲାବେଳକୁ ହାତର ହାତଛାଡ଼ି ନେତାମାନେ ଡ଼ିଆଁମାରିବା ସହ ପଦ୍ମର ନାଡ଼ ଯେ ଶୁଖି ଯାଇଥିବ। ଆଗାମୀ ନିର୍ବାଚନ ପୁନଶ୍ଚ ବିଜେଡ଼ିର ସମ୍ଭାବନାମୟ ଉଜ୍ଜ୍ୱଳ ଭବିଷ୍ୟତକୁ ବିପୁଳ ସୁଯୋଗ ଦେବା ପାଇଁ ହାତପଦ୍ମର ବିଚିତ୍ର ପରିସ୍ଥିତି ଦାୟୀ ଏହାକୁ ନିଶ୍ଚୟ ସ୍ୱୀକାର କରିବାକୁ ପଡ଼ିବ।

Share :