ଭଣ୍ଡାର ଘର ଶୂନ?

ଭଣ୍ଡାର ଘର ଶୂନ?

Share :

ଦେବେନ୍ଦ୍ର ପୃଷ୍ଟି ଶ୍ରୀମନ୍ଦିର ରତ୍ନଭଣ୍ଡାର ଶୂନ୍ୟ କି? ଏଭଳି ଏକ ସନ୍ଦେହ ଏବେ ଖେଳିବୁଲୁଛି ଗଣମାଧ୍ୟମରେ, ଗଣମାନସରେ । ରତ୍ନ ଭଣ୍ଡାର ଖୋଲା ନଯିବା, ଚାବି ହଜିଯିବା ଓ ନକଲି ଚାବି ମିଳିବା ପରେ ସ୍ୱାଭାବିକ ଭାବେ ଗୁଂଜରିତ ହେଉଛି ଏହି ପ୍ରଶ୍ନ । ସତରେ କ’ଣ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖାଲି ହୋଇଯାଇଛି? ନହେଲେ କାହିଁକି ଭଣ୍ଡାର ଘର ଖୋଲୁ ନାହିଁ? କାହିଁକି ଗଣନା ହେଉନି ମହାପ୍ରୁଙ୍କ ଅଳଙ୍କାର? ସୁମାରି ହେଉନି ସେସବୁ? କାହିଁକି ସର୍ବ ସାଧାରଣରେ ପ୍ରକାଶ ପାଉନି ରତ୍ନଭଣ୍ଡାରରେ ଲୁଚି ରହିଥିବା ବର୍ଷବର୍ଷର ରହସ୍ୟ? ଶ୍ରୀମନ୍ଦିର ପ୍ରଶାସନ ବହୁ ପୂର୍ବରୁ ରତ୍ନ ଭଣ୍ଡାର ଖୋଲି ଗଚ୍ଛିତ ଥିବା ସୁନା, ରୁପା ଓ ହୀରାଦି ଅଳଙ୍କାରର ସୁମାରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶ୍ରୀମନ୍ଦିରର ଆଦ୍ୟ ସେବକ, ଶ୍ରୀମନ୍ଦିର ପ୍ରଶାସନର ଅଧ୍ୟକ୍ଷ ମହାରାଜା ଶ୍ରୀ ଦିବ୍ୟ ସିଂହ ଦେବଙ୍କର ମଧ୍ୟ ଏହି ନିଷ୍ପତ୍ତି ପ୍ରତି ସମର୍ଥନ ରହିଛି । ତେବେ କାହିଁକି ଏବେ ଯାଏଁ ଖୋଲାଯାଉ ନାହିଁ ଭଣ୍ଡାର ଘର? କାହିଁକି ପଂଜୀକରଣ ଓ ଆକଳନ ହେଉନାହିଁ ଶ୍ରୀମନ୍ଦିରରେ ଗୁପ୍ତ-ଗଚ୍ଛିତ ରତ୍ନାଳଙ୍କାର? କାହିଁକି କରାଯାଉନି ସେସବୁର ବୀମା? ଆମେ ଆମ ଘର ଓ ଗାଡ଼ିର ବୀମା କରିବା । ଅଳଙ୍କାରର ବୀମା କରିବା । ଜୀବନର ବୀମା କରିବା । ଶ୍ରୀମନ୍ଦିର ସେବାୟତମାନେ ମଧ୍ୟ ସେମାନଙ୍କ ଘର, ଗାଡ଼ି ଓ ଅଳଙ୍କାରାଦି ସଂପତ୍ତିର ବୀମା କରିବେ । କିନ୍ତୁ ଶ୍ରୀମନ୍ଦିର ସଂପତ୍ତିର ସୁରକ୍ଷା ବୀମା ହେବ ନାହିଁ । ଏ କେମିତିକା କଥା? ହଅଅଅ, ଠାକୁର ସଂପତ୍ତି ତ! ଉଜୁଡ଼ି ଯାଉ? ଯାହାର ସଂପତ୍ତି ସେ ରଖିବ ନାହିଁ? ଏଇ ଯୁକ୍ତିରେ ହଡ଼ପ ହୋଇଚାଲିଛି ଲକ୍ଷଲକ୍ଷ କୋଟିର ଦେବସ୍ୱ, ବ୍ରହ୍ମସ୍ୱ ଓ ରାଜସ୍ୱ । କମିଶନ ବସୁଛି । ତଦନ୍ତ ହେଉଛି । କେହି ଦଣ୍ଡ ପାଉନାହାନ୍ତି କି ହଜିଲା ସଂପତ୍ତି ଉଦ୍ଧାର ହେଉନି । ୨୦୧୪ ମସିହାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିଲେ ଅରବିନ୍ଦ ପାଢ଼ୀ । ଜଣେ ସାଧୁ, ସଚ୍ଚୋଟ ଓ ଦକ୍ଷ ଅଫିସର ଭାବେ ପାଢ଼ୀ ମହାଶୟଙ୍କର ନାଁ ଅଛି । ସେ ଦୁଇ ବର୍ଷ କାଳ ଶ୍ରୀମନ୍ଦିର ପ୍ରଶାସକ ଭାବେ ମନ୍ଦିର ପରିଚାଳନାରେ ଅନେକ ସଂସ୍କାର ଆଣିଥିଲେ । ଭକ୍ତମାନଙ୍କ ସୁବିଧା ଓ ହିତ ସହିତ ମନ୍ଦିର ସଂପତ୍ତିର ସୁରକ୍ଷା ଓ ଆୟର ଅଭିବୃଦ୍ଧି ପାଇଁ ଅନେକ କିଛି କରିଥିଲେ । ତାଙ୍କରି ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ ମନ୍ଦିରର ସମସ୍ତ ସ୍ୱର୍ଣ୍ଣାଦି ଅଳଙ୍କାରର ଇନଭେଣ୍ଟ୍ରି ବା ମାପ ଓ ଗଣନା କରାଯିବ । ସେହି ବୈଠକରେ ମହାରାଜା ଦିବ୍ୟ ସିଂହ ଦେବ ଅଧ୍ୟକ୍ଷତା କରିଥିଲେ । ଉଦ୍ଦେଶ୍ୟ ଥିଲା ସେସବୁ ଅଳଙ୍କାରର ମୂଲ୍ୟାୟନ ପରେ ବୀମା କରାଯିବ । ଫଳରେ ଚୋରି ଓ କ୍ଷୟ ଆଦି କ୍ଷତିରୁ ରତ୍ନ ଭଣ୍ଡାରକୁ ସୁରକ୍ଷିତ କରାଯାଇ ପାରିବ । କିନ୍ତୁ ଏହି ନିଷ୍ପତ୍ତି ନିଆଯିବାର ମାତ୍ର କେଇ ମାସ ଭିତରେ ୨୦୧୪ ଅକ୍ଟୋବର ମାସରେ ତାଙ୍କୁ ଅତ୍ୟନ୍ତ ଅପମାନଜନକ ଭାବେ ବଦଳି କରିଦିଆଗଲା । ସେତେବେଳେ ୨୦୧୫ ନବକଳେବର ଆଉ ଅଳ୍ପଦିନ ବାକି ଥାଏ । ନବକଳେବର ସମୟରେ ରଥଯାତ୍ରା । ତା’ର ମାତ୍ର କେଇ ମାସ ପୂର୍ବରୁ ଅରବିନ୍ଦ ପାଢ଼ୀଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ବିକାଶ ମହାପାତ୍ରଙ୍କୁ ଶ୍ରୀମନ୍ଦିର ପ୍ରଶାସକ ନିଯୁକ୍ତ କରାଯାଇଥିଲା । ପାଢ଼ୀଙ୍କୁ ବଦଳି କରାଯିବା ପୂର୍ବରୁ ସୁରେଶ ମହାପାତ୍ରଙ୍କୁ ସ୍ୱତନ୍ତ୍ର ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଥିଲା । ସେତେବେଳେ ଚର୍ଚ୍ଚା ହୋଇଥିଲା ଯେ ମନ୍ଦିରର ନିର୍ଦ୍ଦିଷ୍ଟ କେତେକ ବର୍ଗର ସେବାୟତ, କେଇ ଜଣ ପ୍ରଭାବଶାଳୀ ନେତା ଓ ଅଧିକାରୀ ପାଢ଼ୀଙ୍କ ସାଧୁତା ଓ ନିଷ୍ଠାପର ସେବାକୁ ସହ୍ୟ କରିପାରିଲେ ନାହିଁ । ସେମାନଙ୍କ ଲାଭ ଓ ଲୋଭର ପରମ୍ପରାକୁ ଭାଙ୍ଗିବା ପୂର୍ବରୁ ସରକାର ତାଙ୍କୁ ବଦଳି କରିଦେଇଥିଲେ । ଏହା ପରେ ବିତି ଗଲାଣି ପ୍ରାୟ ୪ ବର୍ଷ । ତଥାପି କାର୍ଯ୍ୟକାରୀ ହୋଇନାହିଁ ଶ୍ରୀମନ୍ଦିର ପରିଚାଳନା କମିଟିର ସେଇ ପୁରୁଣା ନିଷ୍ପତ୍ତି । ଚଳିତ ବର୍ଷ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନାଟ ମଣ୍ଡପ ଓ ରତ୍ନ ଭଣ୍ଡାର ମରାମତି ପାଇଁ ନିର୍ଦ୍ଦେଶ ଦେବା ପରେ ଆଶା କରାଯାଉଥିଲା ଏଥର ନିଶ୍ଚୟ ଭଣ୍ଡାର ଘର ଖୋଲିବ । କିନ୍ତୁ ତାହା ବି ହେଲା ନାହିଁ । ବାହାର ଭଣ୍ଡାର ଖୋଲି କେଉଁଠି କେଉଁଠି ମରାମତି ଦରକାର ନିର୍ଦ୍ଧାରଣ କରାଗଲା । କିନ୍ତୁ ଭିତର ଭଣ୍ଡାର ଖୋଲିଲା ନାହିଁ । ସେତେବେଳେ ସନ୍ଦେହ ହେଲା ଯେ ଭିତର ଭଣ୍ଡାର ଚାବି ହଜି ଯାଇଛି । କିଏ କହିଲେ, ଚାବି ଅଛି ଯେ ମିଳୁ ନାହିଁ । କିଏ କହିଲେ ଚାବି କିଏ ଚୋରି କରିନେଇଛି । ଶେଷର ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ମାନିଲେ ଯେ ଚାବି ଟ୍ରେଜେରିରେ ନାହିଁ । ଏହା ବିବାଦ ସୃଷ୍ଟି କଲା । ସରକାର ବିଚାର ବିଭାଗୀୟ ତଦନ୍ତ କମିଶନ ବସାଇଲେ । ଶେଷରେ ଚାବି ମିଳିଲା ମହାଫିଜଖାନା ବା ଜିଲ୍ଲା ରେକର୍ଡ଼ ରୁମରୁ । ତାହା ପୁଣି ନକଲି! ଏ ପ୍ରକାର ଘଟଣାକ୍ରମ କ’ଣ ରତ୍ନ ଭଣ୍ଡାର ଲୁଟ୍ ହୋଇଛି ବୋଲି ସନ୍ଦେହ ସୃଷ୍ଟି କରିବାକୁ ଯଥେଷ୍ଟ ନୁହେଁ? କାହିଁକି ସରକାର ଏ ପ୍ରକାର ସନ୍ଦେହ ବ୍ୟାପୀବାକୁ ସୁଯୋଗ ଓ ସମୟ ଦେଉଛନ୍ତି? କାହାର କି ସ୍ୱାର୍ଥ ନିହିତ ଅଛି ଏହା ପଛରେ? ଶ୍ରୀମନ୍ଦିରର ସଂପତ୍ତି ଶ୍ରୀମନ୍ଦିରର । ମନ୍ଦିରର ପ୍ରତିଷ୍ଠାତା, ପରିଚାଳକ ଓ ଅନ୍ୟ ବହୁ ହିନ୍ଦୁ ରାଜବଂଶ ଏବଂ କୋଟିକୋଟି ଭକ୍ତଙ୍କର ଦାନରେ ସମୃଦ୍ଧ ହୋଇଛି ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ତାହାକୁ ଗୁପ୍ତ ରଖାଯିବ କାହିଁକି? କାହିଁକି ସର୍ବସାଧାରଣରେ ତାହାର ଆକଳନ ଓ ମୂଲ୍ୟାୟନ ହେବ ନାହିଁ? କାହିଁକି ଳୋକେ ଜାଣିବେ ଜାଣିବେ ନାହିଁ ଶ୍ରୀମନ୍ଦିର ସଂପତ୍ତି ଓ ଅନ୍ୟାନ୍ୟ ଆୟବ୍ୟୟର ହିସାବ? ଶ୍ରୀମନ୍ଦିର ସଂପତ୍ତିରେ ସ୍ୱଚ୍ଛତା ରହିବା ମନା କି? ଜଗନ୍ନାଥ କ’ଣ ମନା କରିଛନ୍ତି ତାଙ୍କ ସଂପତ୍ତିକୁ କିଏ କେମିତି ହଡ଼ପ କରୁଛି ତାହା ନଜଣେଇବା ପାଇଁ? କେତେକ ସେବାୟତ ଯୁକ୍ତି କରନ୍ତି, ମହାପ୍ରୁଙ୍କ ରତ୍ନଭଣ୍ଡାର ଭିତରକୁ କେହି ପ୍ରବେଶ କରିବା ଉଚିତ ନୁହେଁ । ସେଠି ନାଗସାପ ଜଗିଛନ୍ତି । ଠାକୁରଙ୍କ ଭଣ୍ଡାର ଘରକୁ ମଣିଷ ପଶିବା ନୀତିବିରୁଦ୍ଧ । ଇଏ କେଉଁ କାଳର ଯୁକ୍ତି? ଏକବିଂଶ ଶତାବ୍ଦୀର ନା ଏକାଦଶ ଶତାବ୍ଦୀର? ଭଣ୍ଡାରଘରକୁ ରତ୍ନସବୁ ନେଇଥିଲେ କିଏ? ମଣିଷ ନା ଗନ୍ଧର୍ବ? ଯକ୍ଷ ନା କିନ୍ନର? ବାହାର ଭଣ୍ଡାରକୁ ସେବାୟତମାନେ ପ୍ରତିବର୍ଷ ପର୍ବପର୍ବାଣୀରେ ଯତାୟାତ କରିଥାନ୍ତି, ଅଳଙ୍କାର ଆଣି ପୁଣି ନେଇ ରଖିଥାନ୍ତି । ଭିତର ଭଣ୍ଡାରକୁ ସେମାନଙ୍କୁ ଯିବା କାହିଁକି ମନା? ଇତିହାସ କହେ ଗଙ୍ଗବଂଶର ରାଜାମାନେ ଜଗନ୍ନାଥ ମନ୍ଦିରକୁ ଅନେକ ସୁନା ଓ ହୀରା ଦାନ କରିଥିଲେ । ଅନଙ୍ଗଭୀମ ଦେବ ମନ୍ଦିରକୁ ୨.୫ ଲକ୍ଷ ମାଢ଼ ସୁନା ଦାନ କରିଥିବା ମାଦଳା ପାଂଜିରେ ଅଛି । ଏକ ମାଢ଼ ହେଉଛି ୫.୮ ଗ୍ରାମ । ସେଇ ହିସାବରେ ୨.୫ ଲକ୍ଷ ମାଢ଼ ହେବ ପ୍ରାୟ ୧୪୫୦ କିଲୋଗ୍ରାମ ବା ୧୪.୫ କୁଇଣ୍ଟାଲ । ଏବେ ଏତିକି ସୁନା ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଅଛି ତ? ଗଜପତି କପିଲେନ୍ଦ୍ର ଦେବ ୧୪୬୬ ମସିହାରେ ଶ୍ରୀମନ୍ଦିରକୁ ବିପୁଳ ପରିମାଣର ସ୍ୱର୍ଣ୍ଣାଦି ଅଳଙ୍କାର ଦାନ କରିଥିଲେ । ଗଜପତି ରାମଚନ୍ଦ୍ର ଦେବଙ୍କ ସମୟରେ ମନ୍ଦିର ଅଳଙ୍କାରର ଗଣନା କରାଯାଇଥିଲା । ସେ ରେକର୍ଡ଼ ଜିଲ୍ଲା ମହାଫିଜଖାନାରେ ଅଛି । ଏହା ପରେ ପୁଣି ପୁରୁଷୋତ୍ତମ ଦେବ କାଞ୍ଚି ଅଭିଯାନରୁ ସଂଗ୍ରହ କରିଥିବା ଅନେକ ହୀରା, ନୀଳା, ମୋତି, ମାଣିକ୍ୟ ଆଦି ମନ୍ଦରିକୁ ଦାନ କରିଥିଲେ । ଗଙ୍ଗ ବଂଶ ଓ ସୂର୍ଯ୍ୟ ବଂଶର ଅନ୍ୟ ରାଜାମାନେ ମଧ୍ୟ ନିଜନିଜ ସମୟରେ ଅନେକ କିଛି ସୁନା, ରୁପା ଓ ରତ୍ନ ଅଳଙ୍କାର ଦାନ କରିଛନ୍ତି । ନେପାଳ, ପଂଜାବ ଓ ମହାରାଷ୍ଟ୍ରର ହିନ୍ଦୁ ରାଜାମାନେ ମଧ୍ୟ ଶ୍ରୀମନ୍ଦିରକୁ ଅନେକ ସ୍ୱର୍ଣ୍ଣାଦି ଅଳଙ୍କାର ଦାନ କରିଛନ୍ତି । ଏହା ବ୍ୟତିତ ଭକ୍ତମାନେ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନାମରେ ପ୍ରତିଦିନ ନଗଦ ଅର୍ଥ ଓ ସୁନା ଦାନ କରୁଛନ୍ତି । ସେସବୁ ଯାଉଛି କୁଆଡ଼େ? ରତ୍ନ ଭଣ୍ଡାରକୁ ନା କିଛି ଲୋକଙ୍କ ସିନ୍ଦୁକୁ? ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁସାରେ ଭକ୍ତମାନେ ଦାନ କରୁଥିବା ସୁନା, ରୁପା ଆଦି ଅଳଙ୍କାର ରତ୍ନ ଭଣ୍ଡାରରେ ଗଚ୍ଛିତ ରହିବ । ଯଦି ହେଉଥାଏ ତେବେ ଅନଙ୍ଗଭୀମ ଦେବ ଦାନ କରିଥିବା ୧୪.୫ କୁଇଣ୍ଟାଲ ସୁନା ଯୁକ୍ତ ପରବର୍ତ୍ତୀ ୭୦୦ ବର୍ଷର ଦାନ ସୁନା ମିଶି ରତ୍ନ ଭଣ୍ଡାରରେ ଏବେ ସୁଦ୍ଧା କେତେ ସୁନା ଥିବା କଥା? ଏହାର ହିସାବ ହେବା ଉଚିତ ନୁହେଁ? ଯିଏ ଏ ଯୁକ୍ତି କରୁଛନ୍ତି ତାଙ୍କର ଉଦ୍ଦେଶ୍ୟ କ’ଣ? ବେହିସାବ ସଂପତ୍ତିର ଲୁଟ୍ ହେବା ସହଜ । ଶ୍ରୀମନ୍ଦିର ସଂପର୍କୀତ ବିଭିନ୍ନ ଖାତା ଖତିଆନ ଅନୁସାରେ ରତ୍ନଭଣ୍ଡାରରେ ଅଛି ସାତଟି ବଖରା । ସେଥିରୁ ମାତ୍ର ଦୁଇଟି ବଖରା ବ୍ୟବହୃତ ହୁଏ । ଏ ଦୁଇଟି ବଖରାକୁ ବାହାର ଭଣ୍ଡାର ଓ ଭିତର ଭଣ୍ଡାର ବୋଲି କୁହାଯାଏ । ଅନ୍ୟ ପାଂଚଟି ବଖରା କେବେ ଖୋଲି ନାହିଁ । କେରଳର ଅନନ୍ତ ପଦ୍ମନାଭ ମନ୍ଦିରର ଭଣ୍ଡାରଘର ଯଦି ଯାଞ୍ଚ ହେଇ ପାରିଲା ଓ ଗଚ୍ଛିତ ସୁନା ଓ ରତ୍ନର ଆକଳନ କରାଗଲା, ଏଠି କାହିଁକି ସେମିତି ନହେବ? ଜଗନ୍ନାଥ ଯଦି ସତ ତେବେ ତାଙ୍କ ସଂପତ୍ତି ହିସାବରେ କାହିଁକି ସ୍ୱଚ୍ଛତା ରହିବନି? ହିସାବ ନରଖି ଅମୃତ ମଣୋହି ଜମି କେଉଁ ବିଦେଶୀ କମ୍ପାନୀକୁ ଓ ପଥର ପାହାଡ଼ ସବୁ ଠିକାଦାରଙ୍କୁ ବିକ୍ରି କରିଦେବା ପରି ରତ୍ନାଳଙ୍କାରକୁ ମଧ୍ୟ ଲୁଟ୍ କରିବା ଉଦ୍ଦେଶ୍ୟ ଅଛି କି? ଯଦି ନୁହେଁ ତେବେ ମହାଫିଜଖାନାରୁ ମିଳିଥିବା ଚାବିରେ ଭଣ୍ଡାର ଘର ଖୋଲିବାରେ ଆଉ ବିଳମ୍ବ କରାଯିବା ଉଚିତ ନୁହେଁ । ମହାରାଜା ଦିବ୍ୟସିଂହ ଦେବ, ହାଇକୋର୍ଟ ବିଚାରପତି, ଜିଲ୍ଲା ଜଜ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଶଙ୍କରାଚାର୍ଯ୍ୟ, ଛତିଶା ନିଯୋଗ ସଭାପତି, ମୁକ୍ତି ମଣ୍ଡପ ସଭାପତି ପ୍ରମୁଖଙ୍କ ଉପସ୍ଥିତିରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଜରିଆରେ ରତ୍ନ ଭଣ୍ଡାରର ସମସ୍ତ ବଖରା ଖୋଲାଯାଇ ଅଳଙ୍କାର ସବୁର ଗଣତି, ମାପ ଓ ମୂଲ୍ୟାୟନ କରାଯାଉ । ତାହାର ତାଲିକା ଏ ସମସ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ରହୁ ଏବଂ ଭଣ୍ଡାର ଘରେ ଏକାଧିକ ତାଲା ପକାଇ ତତ୍ତୁଲ୍ୟ କର୍ତ୍ତୃପକ୍ଷଙ୍କ ଜିମାରେ ରଖାଯାଉ । ତାହା ହେଲେ ମନ୍ଦିର ପରିଚାଳନା ଲୋକମାନଙ୍କର ଆସ୍ଥା ଓ ବିଶ୍ୱାସ ଫେରି ପାଇବେ । ନହେଲେ ସନ୍ଦେହ ବଢ଼ି ବଢ଼ି ଚାଲିବ । କ୍ରମେ ଲୋକଙ୍କର ବିଶ୍ୱାସ ମନ୍ଦିର ସମେତ ଜଗନ୍ନାଥଙ୍କ ଉପରୁ ମଧ୍ୟ ତୁଟିଯିବା ଅସମ୍ଭବ ନୁହେଁ । (ଲେଖାଟି ପ୍ରଥମେ ନିତିଦିନରେ ପ୍ରକାଶିତ ।)

Share :