ଧାମରା ନିକଟରେ ବ୍ୟାପକ କୋଇଲା ଲୁଟ୍‌

ଧାମରା ନିକଟରେ ବ୍ୟାପକ କୋଇଲା ଲୁଟ୍‌

Share :

ଗତ ମେ , ୩୦ ତାରିଖରୁ ଭଦ୍ରକ ଏସ୍ପି ବାତୁଳା ଗଙ୍ଗାଧରଙ୍କ ନିର୍ଦ୍ଦେଶ ଅନୁସାରେ ବାଂଶଡ଼ା ପୋଲିସ ଧାମରା ବନ୍ଦରର ସିକ୍ୟୁରିଟୀ ସହାୟତାରେ କୋଇଲା ଲୁଟ୍ର ପେଣ୍ଠ ପାଲଟିଥିବା ବଳସାହି, ଯଶିପୁର, ମଣିପୁର, ନରେନ୍ଦ୍ରପୁର, ଛତ୍ରପଦା, ନୂଆସାହି ପାର୍ଶ୍ୱସ୍ଥ ଧମାରା ବନ୍ଦର ରେଳଧାରଣା କଡ଼ରେ ବ୍ୟାପକ କୋଇଲା ଚୋରି ଉପରେ ଚଢାଉ ଜାରି ରଖିଛି। ଜୁନ ୯ ତାରିଖ ମଧ୍ୟରେ ପର୍ଯ୍ୟନ୍ତ ପ୍ରାୟ ୭୦୦ ଟନ୍ କୋଇଲା ଉଦ୍ଧାର କରାଯାଇ ପାରିଛି। ଦିନରେ ବ୍ୟାପକ ଚଢାଉ ହେଉଥିବା ବେଳେ ଉପରୋକ୍ତ ଗ୍ରାମଗୁଡ଼ିକରେ ସଂଶ୍ଲିଷ୍ଟ ଚୋରମାନେ ରାତିରେ ହୁକ୍ ଲଗାଇ ଚଳନ୍ତା ଟ୍ରେନରୁ କୋଇଲା କାଢିବା ଅବ୍ୟାହତ ରଖିଛନ୍ତି। ରାତିରେ ଚୋରମାନେ ପିକ୍ଅପ୍ ଭ୍ୟାନ୍ ସହାୟତାରେ ମୁଖ୍ୟତଃ ମୋଟର ବୋଟ୍ ଦ୍ୱାରା ବିଭିନ୍ନ ନଦୀ ଘାଟରୁ ଚାନ୍ଦବାଲି ବାଟଦେଇ ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା ଅଂଚଳକୁ କୋଇଲା ଚାଲାଣ କରୁଥିବା ଜଣାଯାଇଛି। ଜୁନ ୩ ତାରିଖରେ କୋଇଲା ଦୁର୍ବୃତ୍ତମାନେ ପୋଲିସ ଦ୍ୱାରା ନିୟୋଜିତ ୩ଟି ଟ୍ରକକୁ ଅଚଳ କରିବା ସଙ୍ଗେ ସଙ୍ଗେ ସଂଘବଦ୍ଧ ଭାବେ ଧାମରା ବନ୍ଦର ସିକ୍ୟୁରିଟୀ ଗାର୍ଡ଼ ଓ ସୁପରଭାଇଜରମାନଙ୍କୁ ଲଗାତର ଧମକ ଚମକ କରିବାର ଅଭିଯୋଗ ମଧ୍ୟ ଆସୁଛି। ଜୁନ ୮ ତାରିଖ ଦିନ ପ୍ରାୟ ୧୨.୪୫ ଘଣ୍ଟା ସମୟରେ ପୋଲିସ ଓ ବନ୍ଦର ସିକ୍ୟୁରିଟୀ ତତ୍ତ୍ବାବଧାନରେ ଟ୍ରକରେ ବୁହା ହୋଇ କୋଇଲା ଆସୁଥିବା ବେଳେ ୪୦/୫୦ କୋଇଲା ଚୋର କେତେକ ମହିଳାଙ୍କ ସହ ମିଶି ବଳସାହି ଗ୍ରାମ ଭିତରେ ଅଟକାଇ ସେମାନଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଗାଡ଼ି ଭାଙ୍ଗିଦେବା, ମାରପିଟ କରିବାର ଭୟ ଦେଖାଇ ଅଟକାଇ ଥିଲେ। ସେମାନଙ୍କୁ ପୁନର୍ବାର ଚଢାଉ କରିବାକୁ ନ ଆସିବାକୁ ତାଗିଦ କରି ଅଟକାଇ ରଖିଥିଲେ। ପୋଲିସର ଜଣେ ନିକଟତର ବ୍ୟକ୍ତି ଏଥିରେ ସହାୟତା କରି ସେମାନଙ୍କୁ ମୁକୁଳାଇଥିଲେ। ଏସ୍ପିଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ନଦୀଘାଟରେ ଫୋର୍ସ ଲଗାଇ କୋଇଲା ଚାଲାଣ ରୋକିବାକୁ ନିର୍ଦ୍ଦେଶ ଦିଆଯାଇଥିବା ପ୍ରକାଶ। ଭଦ୍ରକ ଏସ୍ପିଙ୍କର କାର୍ଯ୍ୟରେ ଯୋଗଦାନ ପରେ ଜିଲାରେ ବ୍ୟାପକ କୋଇଲା ଚୋରି ଉପରେ ଅଙ୍କୁଶ ଲାଗିଛି ଏବଂ ଅନ୍ୟୁନ ୨୦ଟି କୋଇଲା ଚୋରି ଗାଡ଼ି ଧରାଯାଇ ଚୋରି ଏବଂ ଏନ୍ଏମ୍ଡିଆର୍ ୩୩ ଦଫାରେ ବିଭିନ୍ନ ଥାନାରେ କେଶ୍ ରୁଜୁ ହୋଇଛି। ଏସ୍ପିଙ୍କର ବଡ଼ ପଦକ୍ଷେପକୁ ଭଦ୍ରକ ଜନସାଧାରଣ ଭୂୟସୀ ପ୍ରଂଶସା କରୁଛନ୍ତି। ଜୁନ ୯ ତାରିଖ ସୁଦ୍ଧା ଧାମରା ଗେଟ୍ ଠାରୁ ମନ୍ତେଇ ନଦୀ ପର୍ଯ୍ୟନ୍ତ ଦୀର୍ଘ ୧୨ କିମି ରେଳଧାରଣା କୋଇଲା ଚୋରିରୁ ମୁକ୍ତ ହୋଇଛି ତଥା ତିହିଡ଼ି ଥାନା ଏବଂ ଭଦ୍ରକ ଗ୍ରାମାଂଚଳ ଥାନା ଅଂଚଳ ଯଥା ଗୁରୁଦାଶପୁର ଷ୍ଟେସନ ଠାରୁ ଭଦ୍ରକ ପର୍ଯ୍ୟନ୍ତ ବ୍ୟାପକ ଚୋରି ରୋକାଯାଇ ପାରିଛି। ମାତ୍ର ବାଂଶଡ଼ା ଥାନାର ଉପରୋକ୍ତ ଅଂଚଳ ଏବେ ମଧ୍ୟ ଲୁଟେରାଙ୍କ କବଳରେ ରହିଛି। ଏହି ଅଂଚଳରେ ଅନେକ ଯୁବକ, ସ୍କୁଲ, କଲେଜ ଛାତ୍ର କୋଇଲା ଚୋରିରେ ସଂଶ୍ଲିଷ୍ଟ ରହି ସ୍ଥାନୀୟ ଅଂଚଳରେ ବିଭ୍ରାଟ ସୃଷ୍ଟି କରୁଛନ୍ତି। ଏପରିକି ଜିଲା ଆରକ୍ଷୀ ଅଧିକ୍ଷକ ଭଦ୍ରକ ଜିଲାର ସମସ୍ତ ଥାନାଗୁଡ଼ିକୁ କୋଇଲା ଚୋରି ନିୟନ୍ତଅଣ ଉପରେ ପଦକ୍ଷେପ ନେବା ସଙ୍ଗେ ସଙ୍ଗେ ଦୃଢ ପଦକ୍ଷେପ ନେବା ପାଇଁ ନିଦ୍ଦେର୍ଶ ଜାରି କରିଛନ୍ତି।

Share :