ମହାନଦୀ ହକ୍‍ ପାଇଁ ସଂଗ୍ରାମ ଜାରି ରଖିବ ବିଜେଡି

ମହାନଦୀ ହକ୍‍ ପାଇଁ ସଂଗ୍ରାମ ଜାରି ରଖିବ ବିଜେଡି

Share :

ମହାନଦୀ ସମସ୍ୟା ଓ ମହାନଦୀର ଜଳ ବଣ୍ଟନକୁ ନେଇ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ରମଣ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ଯାହା ବକ୍ତବ୍ୟ ରଖିଛନ୍ତି, ତାହା କେବଳ ବିଭ୍ରାନ୍ତିମୂଳକ ନୁହେଁ, ଭ୍ରମାତ୍ମକ, ଅଯୌକ୍ତିକ ଓ ସମ୍ବିଧାନ-ସଂଘୀୟ ବିଧିବ୍ୟବସ୍ଥାର ପରିପନ୍ଥୀ ଏବଂ ସଂକୀର୍ଣ୍ଣ ରାଜନୈତିକ ମାନସିକତାର ପରିଚୟ । ସମଗ୍ର ଓଡ଼ିଶାବାସୀଙ୍କ ପ୍ରତି ଏକ ପରୋକ୍ଷ ଧମକ । ଛତିଶଗଡ଼ର ଆସନ୍ନ ନିର୍ବାଚନ ଏବଂ ସେହି ଉଦ୍ଦେଶ୍ୟରେ ଶ୍ରୀ ସିଂହ ତାଙ୍କ ରାଜ୍ୟରେ ବିକାଶ ଯାତ୍ରା କରୁଥିବା ଅବସରରେ ଏହିପରି ବିନାଶକାରୀ ମନ୍ତବ୍ୟ ଦେବା ସମଗ୍ର ଓଡ଼ିଶାବାସୀଙ୍କୁ କ୍ଷୁବ୍ଧ କରିଛି । ଆନ୍ତଃରାଜ୍ୟ ନଦୀ ସଂକ୍ରାନ୍ତୀୟ ସମସ୍ତ ଆଇନ୍‍, କାନୁନ୍‍ ବିଧିବିଧାନକୁ ଉଲ୍ଲଂଘନ କରି ଓଡ଼ିଶାରେ ମହାନଦୀର ଜଳଧାରାକୁ ପ୍ରତିହତ କରୁଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କର ଏପରି ବକ୍ତବ୍ୟ ଓଡ଼ିଶାବାସୀଙ୍କ ପ୍ରତି କଟା ଘା’ରେ ଚୁନ ସଦୃଶ । ମହାନଦୀ ସଂପର୍କରେ ଗତ ୨ବର୍ଷ ଧରି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ, ଜଳ ସଂପଦ ମନ୍ତ୍ରୀ ଅଯୌକ୍ତିକ ଟିପ୍ପଣୀ ଦେବା, ସଂସଦରେ ଏବଂ ବିଭିନ୍ନ ଫୋରମ୍‍ରେ ଛତିଶଗଡ଼ର ବେଆଇନ୍‍ ନିର୍ମାଣ ଧରାପଡିବା ପରେ ତାକୁ ବେଖାତିର କରିବା, କେନ୍ଦ୍ର ସରକାର ଏଥିପ୍ରତି ଟାଳଟୁଳ ନୀତି ଅବଲମ୍ବନ କରିବା, ମହାନଦୀରେ ଓଡ଼ିଶା ପ୍ରାପ୍ୟ ସଂପର୍କରେ ନିରବଦ୍ରଷ୍ଟା ସାଜିବା, ଛତିଶଗଡ଼ ବିଜେପି ସରକାର ପ୍ରତି କେନ୍ଦ୍ର ବିଜେପି ସରକାରର ପ୍ରୀତିକୁ ପଦାରେ ପକାଇଛି । ଗତ ୨୬ ତାରିଖ ଦିନ କଟକ ସଭାରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ମହାନଦୀ ସଂକ୍ରାନ୍ତିୟ ବିଭ୍ରାନ୍ତିକର ଓ ଏକପାଖିଆ ବକ୍ତବ୍ୟ ଏବଂ ୨୯ ତାରିଖ ଦିନ ଛତିଶଗଡ଼ର ରାଇଗଡ଼ରେ ଶ୍ରୀ ସିଂହଙ୍କର ଏପରି ବକ୍ତବ୍ୟରୁ ସ୍ପଷ୍ଟ ହେଉଛି, କେନ୍ଦ୍ର ଓ ଛତିଶଗଡ଼ ସରକାର ମଧ୍ୟରେ ମହାବୁଝାମଣା ଏବଂ ଓଡ଼ିଶା ବିରୋଧରେ ମହାଷଡ଼ଯନ୍ତ୍ର । ଗତ ଫେବୃଆରୀ ମାସରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ରାୟ ଦେଇଛନ୍ତି ଯେ ନଦୀ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପ୍ରବାହିତ ହେଉଥିବାରୁ, କୌଣସି ଗୋଟିଏ ରାଜ୍ୟ ନଦୀକୁ ନିଜର ବୋଲି ବିବେଚନା କରିପାରିବେ ନାହିଁ । ଆନ୍ତଃରାଜ୍ୟ ନଦୀ ହେଉଛି ଜାତୀୟ ସଂପଦ । ନଦୀ କାହାର ବ୍ୟକ୍ତିଗତ ସଂପତ୍ତି ନୁହେଁ । ଏହା ପ୍ରକୃତିର ଦାନ । ମହାନଦୀ ଉପରେ ଉପର ମୁଣ୍ଡ ରାଜ୍ୟ ଛତିଶଗଡ଼ର ଯେ କେବଳ ଅଧିକାର ରହିଛି ଏବଂ ଓଡ଼ିଶାର ହକ୍‍ ନାହିଁ, ରମଣ ସିଂହଙ୍କର ଏପରି ଭାବନା ଅତ୍ୟନ୍ତ ବିପଜ୍ଜନକ ଅଟେ । ମହାନଦୀର ସର୍ବାଧିକ କ୍ୟାଚ୍‍ମେଣ୍ଟ ଅଞ୍ଚଳ ଛତିଶଗଡ଼ରେ ଅଛି, ତେଣୁ ଓଡ଼ିଶାର ଯେ ଏହା ଉପରେ ଅଧିକାର ନାହିଁ । ଏହା ସମ୍ବିଧାନର କେଉଁ ପ୍ରାବଧାନରେ ଲେଖା ଅଛି, ଯେ ଯାହାର ଅଧିକ କ୍ୟାଚ୍‍ମେଣ୍ଟ ଥିବ ସେ ଅଧିକ ପାଣି ବ୍ୟବହାର କରିବ, ରମଣ ସିଂହ କହିବେ କି? ଜାତୀୟ ପ୍ରକଳ୍ପ ହୀରାକୁଦ ବନ୍ଧ ତିଆରି ହେଲା ସମୟରେ ହୀରାକୁଦର ଉପର ମୁଣ୍ଡରେ ଉପଲବ୍ଧ ଜଳରାଶିରୁ ତକ୍ରାଳୀନ ମଧ୍ୟପ୍ରଦେଶ ୪୦ ଭାଗ ଓ ଓଡ଼ିଶା ୬୦ ଭାଗ ଜଳ ପାଇବ ବୋଲି ତକ୍ରାଳୀନ କେନ୍ଦ୍ରୀୟ ଜଳ, ସେଚ ଓ ନୌପଥ ଆୟୋଗଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥିବା ଆକଳନ ବୋଧହୁଏ ରମଣ ସିଂହ ଭୁଲିଗଲେଣି । ୧୯୪୭ରେ ଯେଉଁ ରିପୋର୍ଟ ତିଆରି ହୋଇଥିଲା, ସେଥିରେ ଉଲ୍ଲେଖ ଥିଲା ଯେ ହୀରାକୁଦ ବନ୍ଧ ଦ୍ୱାରା ଯେଉଁ ବିଦ୍ୟୁତ ଉତ୍ପାଦନ ହେବ ସେଥିରୁ ୫ ମେଗାୱାଟ୍‍ ଓଡ଼ିଶା ଉପର ରାଜ୍ୟ ଅର୍ଥାତ୍‍ ମଧ୍ୟପ୍ରଦେଶକୁ ଦେବ । ଏହି ସର୍ତ୍ତ ଏବେବି ଓଡ଼ିଶା ପାଳନ କରୁଥିବା ବେଳେ ଛତିଶଗଡ଼ ସରକାର କିନ୍ତୁ ସବୁ ସର୍ତ୍ତକୁ ଖୋଲାଖୋଲି ଉଲ୍ଲଂଘନ କରି ଚାଲିଛି । ଶ୍ରୀଯୁକ୍ତ ରମଣ ସିଂହ କହିଛନ୍ତି, ଛତିଶଗଡ଼ ମହାନଦୀରୁ ଆହୁରି ଅଧିକ ପାଣି ନେବ ଏବଂ କେନ୍ଦ୍ରୀୟ ଜଳ ଆୟୋଗ ମଧ୍ୟ ତାଙ୍କୁ ଅଟକାଇ ପାରିବେ ନାହିଁ । ରମଣ ସିଂହଙ୍କ ଏଭଳି ଦମ୍ଭୋକ୍ତିରୁ ଜଣାପଡୁଛି ଯେ ସେ ସଂଘୀୟ ବ୍ୟବସ୍ଥାକୁ କେତେ ସମ୍ମାନ ଦିଅନ୍ତି ଏବଂ କାହାର ସାହସ ଓ ସମର୍ଥନରେ ଏଭଳି ଔଦ୍ଧତ୍ୟପୂର୍ଣ୍ଣ ବକ୍ତବ୍ୟ ରଖୁଛନ୍ତି? ଏହି ବକ୍ତବ୍ୟ ଓଡ଼ିଶାବାସୀଙ୍କୁ ଅସମ୍ମାନ କରିଛି ଏବଂ ଆମେ ଏହାର ଘୋର ନିନ୍ଦା କରୁଛୁ । ଜଳ ଉପରେ ସର୍ବାଧିକ ଅଧିକାର କୃଷକର । ଚାଷୀକୁ ଜଳରୁ ବଞ୍ôଚତ କରି କେବଳ ଘରୋଇ ଶିଳ୍ପପତିମାନଙ୍କୁ ଜଳ ବିକ୍ରି କରିବା ବ୍ୟବସାୟିକ ମାନସିକତା ଭାରତୀୟ ଜନତା ପାର୍ଟି ଓ ତା’ର ସରକାରମାନଙ୍କର ଥାଇପାରେ, ଆମର ନାହିଁ । ମହାନଦୀରେ ପ୍ରକଳ୍ପ ନିର୍ମାଣ କରି ଗଚ୍ଛିତ ଜଳରୁ ଛତିଶଗଡ଼ର ଚାଷୀମାନଙ୍କୁ ମଧ୍ୟ ବଞ୍ôଚତ କରାଯାଉଥିବାରୁ ସେଠାକାର ଚାଷୀମାନେ ମଧ୍ୟ ଆନ୍ଦୋଳିତ ହୋଇଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ମହାନଦୀକୁ ନେଇ ଓଡ଼ିଶା ସରକାର ଓ ବିଜୁ ଜନତା ଦଳ ରାଜନୀତି କରୁଛନ୍ତି ବୋଲି ରମଣ ସିଂହଙ୍କ ଅଭିଯୋଗ ନିହାତି ଅବାନ୍ତର ଓ ହାସ୍ୟାସ୍ପଦ । ଓଡ଼ିଶାରେ ନିର୍ବାଚନ ଯଥେଷ୍ଟ ପୂର୍ବରୁ ଛତିଶଗଡ଼ରେ ନିର୍ବାଚନ ହେବାକୁ ଯାଉଛି ଏବଂ ଶ୍ରୀ ସିଂହ ମନ୍ତବ୍ୟ ରଖିଛନ୍ତି ଯେ କେନ୍ଦ୍ର ଓ ସଂପୃକ୍ତ ରାଜ୍ୟମାନଙ୍କରେ ଗୋଟିଏ ଦଳର ସରକାର ରହିଲେ ଏ ସମସ୍ୟାର ତୁରନ୍ତ ସମାଧାନ ହୋଇପାରିବ । ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି, କିଏ ରାଜନୀତି କରୁଛି? ସମୁଦାୟ ମହାନଦୀ ବେସିନ୍‍ରୁ ଛତିଶଗଡ଼ର ହେଉଛି ୭୫ ହଜାର ୨୮ ବର୍ଗ କିଲୋମିଟର ଏବଂ ଓଡ଼ିଶାର ୬୫୯୩୫ ବର୍ଗ କିଲୋମିଟର ଅର୍ଥାତ୍‍ ଓଡ଼ିଶାର ୪୬.୬% କ୍ୟାଚ୍‍ମେଣ୍ଟ ଏରିଆ ଅଛି । ରମଣ ସିଂହ କେଉଁଭଳି ଆକଳନ କରି କହିଲେ ଯେ ଛତିଶଗଡ଼ରେ ୮୫% ମହାନଦୀର ବେସିନ୍‍ ଅଛି? ମହାନଦୀରେ ଯେତିକି ପାଣି ପ୍ରବାହ ହେଉନାହିଁ, ତା’ଠାରୁ ଅଧିକ ପାଣି ଉପଯୋଗ କରିବେ ବୋଲି ଛତିଶଗଡ଼ ସରକାର ଯୋଜନା କରିଛନ୍ତି । ଏନ୍‍ଜିଟିକୁ ମାନିବୁ ନାହିଁ, ଭାରତର ସମ୍ବିଧାନକୁ ମାନିବୁ ନାହିଁ, କାହାର ଦାଦାଗିରିରେ ଛତିଶଗଡ଼ ଏପରି କରୁଛି? ଏଭଳି ସ୍ଥିତିରେ ରମଣ ସିଂହ ରାଜ୍ୟବାସୀଙ୍କ ପାଖରେ କ୍ଷମା ମାଗନ୍ତୁ ଏବଂ ରାଜ୍ୟର ଦୁଇ କେନ୍ଦ୍ରମନ୍ତ୍ରୀ ମଧ୍ୟ ବିଜେପିର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ । ମହାନଦୀରୁ ଆମର ଜୀବନ, ଜୀବିକା ଓ ପରିବେଶ ପାଇଁ ତା’ର ନ୍ୟାଯ୍ୟ ପ୍ରାପ୍ୟରୁ କେହି ବଞ୍ôଚତ କରିପାରିବେ ନାହିଁ । ଏହି ଓଡ଼ିଶା ବିରୋଧୀ ଷଡ଼ଯନ୍ତ୍ର ସଂପର୍କରେ ଦଳ, ମତ ନିର୍ବିଶେଷରେ ଜନସାଧାରଣ ସଚେତନ ହେଲେଣି । ରମଣ ସିଂହଙ୍କ ଔଦ୍ଧତ୍ୟପୂର୍ଣ୍ଣ ମନ୍ତବ୍ୟ ଏବଂ କେନ୍ଦ୍ରର ପକ୍ଷପାତିତାର ଉଚିତ୍‍ ଜାବବ ଦେବେ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ବିଜୟ ନାୟକ ଉପସ୍ଥିତ ଥିଲେ ।

Share :