ବିଜେପି ବିରୋଧରେ ଏକାଠି ହେବେ ବିଜେଡି, କଂଗ୍ରେସ!

ବିଜେପି ବିରୋଧରେ ଏକାଠି ହେବେ ବିଜେଡି, କଂଗ୍ରେସ!

Share :

ଗୋଟେ ପଟେ ଓଡ଼ିଶାକୁ କଂଗ୍ରେସମୁକ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜେପିକୁ ଖୁସି କରିବାକୁ ପ୍ରୟାସ ଜାରି ରଖିଛି ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ । ଅନ୍ୟ ପଟେ କଂଗ୍ରେସ ସହିତ ହାତ ମିଳାଇ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ଆଉ ପରସ୍ତେ ଶିକ୍ଷା ଦେବାକୁ ମଧ୍ୟ ଉଦ୍ୟମ ଚଳାଇଛି ବିଜେଡି । ଉଭୟ ଦଳଠାରୁ ସମଦୂରତ୍ୱ ରକ୍ଷା କରିବା କୌଶଳରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଭୟ ଦଳକୁ ଓଡ଼ିଶାରେ ଶକ୍ତ ପରାଭବ ଦେବା ପାଇଁ କେତେବେଳେ କାହା ସହ ବନ୍ଧୁତା ବାନ୍ଧୁଛନ୍ତି ତାହା ଅନ୍ୟ ଦଳଗୁଡ଼ିକ ବୁଝି ନପାରି ତାଙ୍କରି ଜାଲ ଓ ପାଲରେ ପଡ଼ି ଛଟପଟ ହୋଇଚାଲିଛନ୍ତି । ଆସନ୍ତା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ନବୀନ ପୁଣି ଥରେ ଏହିପରି କିଛି ଚକ୍ମା ଦେବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଓଡ଼ିଶାରୁ କଂଗ୍ରେସକୁ ହଟେଇବା ପାଇଁ ହିଁ ୧୯୯୭ ମସିହାରେ ଜନତା ଦଳକୁ ଭାଙ୍ଗି ଗଠନ ହୋଇଥିଲା ବିଜୁ ଜନତା ଦଳ । ତାହା ପୁଣି ବିଜେପି ପ୍ରୋତ୍ସାହନରେ । ଏକଥା ଦାବି କରନ୍ତି ଅନେକ ବିଜେପି ନେତା । ସେତେବେଳେ କାଳେ ବିଜେପିର ଚାଣକ୍ୟ ପ୍ରମୋଦ ମହାଜନ ନୂଆ ଦଳ ପାଇଁ ୫୦ କୋଟି ଟଙ୍କାର ପାଣ୍ଠି ସହାୟତା ଦେଇଥିଲେ । ବିଜେଡି ଗଠନ ହେବାର ଅଳ୍ପ କେଇଦିନ ଭିତରେ ରାଜ୍ୟରେ ଗଢ଼ା ଯାଇଥିଲା ବିଜେଡି-ବିଜେପି ମେଣ୍ଟ । ଏହି ମେଣ୍ଟ ୧୯୯୮, ୧୯୯୯ ଓ ୨୦୦୪ ଲୋକସଭା ନିର୍ବାଚନ ଏବଂ ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଶକ୍ତ ପରାଭବ ଦେଇଥିଲା । ପରେ ୨୦୦୯ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପିର ହାତଛାଡ଼ି ଦେଇଥିଲା ବିଜେଡି । ସେତେବେଳେ ଜାତୀୟ ରାଜନୀତିରେ କଂଗ୍ରେସ ସହିତ ସଂପର୍କରେ ଥିବା ଏନସିପି, ସିପିଆଇ, ସିପିଏମ ଓ ଜେଏମଏମ ଆଦି ଦଳ ସହିତ ବିଜେଡି ବୁଝାମଣା କରିଥିଲା । ତା’ ପରଠାରୁ ‘ସମଦୂରତ୍ୱ’ ତତ୍ତ୍ୱ ଆବିଷ୍କାର କରିଥିଲେ ନବୀନ ପଟ୍ଟନାୟକ । ଏହି ତତ୍ତ୍ୱ ଆଧାରରେ ସେ ଉଭୟ ବିଜେପି ଓ କଂଗ୍ରେସକୁ ଓଡ଼ିଶାରେ ପରାସ୍ତ କରିବା ପାଇଁ ସବୁ ପ୍ରକାର କୌଶଳ ପ୍ରୟୋଗ କରୁଥିଲେ ମଧ୍ୟ ଉଭୟ ଜାତୀୟ ଦଳର ଜାତୀୟ ଆବଶ୍ୟକତା ଭିିତ୍ତିରେ ସଂପର୍କ ଓ ସହଯୋଗର ଦ୍ୱାର ଉନ୍ମୁକ୍ତ ରଖିଛନ୍ତି । ଓଡ଼ିଶାର ସ୍ୱାର୍ଥକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ଦାବି କରୁଥିବା ବିଜେଡି ସଭାପତି ଏହି ସ୍ୱାର୍ଥକୁ ଆଳ କରି ଜାତୀୟ ରାଜନୀତିକ ଦଳଗୁଡ଼ିକ ସହିତ କେତେବେଳେ ତିକ୍ତ ଓ କେତେବେଳେ ମଧୁର ସଂପର୍କ ରଖି ଆସିଛନ୍ତି । ସାଂପ୍ରତିକ ଜାତୀୟ ରାଜନୀତିରେ କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ବିରୋଧରେ କଂଗ୍ରେସ ସମେତ ଅନେକ ଅଣବିଜେପି ଦଳ ଏକଜୁଟ ହେଉଥିବାବେଳେ ବିଜୁ ଜନତା ଦଳ ସେହି ପ୍ରକ୍ରିୟାରୁ ଦୂରେଇ ରହିଛି । ନବୀନବାବୁ ପ୍ରଥମେ ଆଂଚଳିକ ବା ସଂଘୀୟ ମେଣ୍ଟର ଆହ୍ୱାନ ଦେଇଥିଲେ ମଧ୍ୟ ପରେ ସେଥିରେ ସକ୍ରିୟ ଭାବେ ଯୋଗ ଦେଇନାହାନ୍ତି । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ଜେଡିୟୁ ଛାଡ଼ିଥିବା ଶରଦ ଯାଦବ ଡାକିଥିବା ବିଜେପି ବିରୋଧୀ ମେଣ୍ଟ ଆଲୋଚନାରେ ମଧ୍ୟ ବିଜେଡି ଅନୁପସ୍ଥିତ ଥିଲା । ଏପରିକି ଏଇ ନିକଟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଜେଡିଏସ ନେତା କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବରେ ଦେଶର ଅନେକ ପ୍ରମୁଖ ଅଣବିଜେପି ଦଳର ନେତାମାନେ ଯୋଗଦେଇଥିଲେ ମଧ୍ୟ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ତାଙ୍କ ଦଳର କୌଣସି ପ୍ରତିନିଧି ସେଠାକୁ ଯାଇ ନଥିଲେ । କିନ୍ତୁ ଏବେ କେତେକ ଜାତୀୟ ସ୍ତରର ଡିଜିଟାଲ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚନରେ ବିଜେପିକୁ ପରାସ୍ତ କରିବା ପାଇଁ କଂଗ୍ରେସ ଦଳ ଯେଉଁ ଉଦ୍ୟମ ଆରମ୍ଭ କରିଛି ସେଥିରେ ବିଜୁ ଜନତା ଦଳର ସହଯୋଗ ଲୋଡ଼ିଛି । ବିଜେପି ପ୍ରାର୍ଥୀଙ୍କୁ ପରାସ୍ତ କରିବା ପାଇଁ କଂଗ୍ରେସ ନେତାମାନେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ବିଜେଡି, ତୃଣମୂଳ କଂଗ୍ରେସ କିମ୍ବା ଅନ୍ୟ କୌଣସି ଅଣବିଜେପି ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ପ୍ରସ୍ତୁତ ଥିବା ସଂକେତ ଦେଇଛି । କର୍ଣ୍ଣାଟକରେ କଂଗ୍ରେସ ୭୮ ଆସନ ପାଇ ମଧ୍ୟ ୩୮ ଆସନ ପାଇଥିବା ଜେଡିଏସକୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦେଇ ଜାତୀୟ ସ୍ତରରେ ବିରୋଧୀ ଏକତାକୁ ବ୍ୟାପକ ଓ ସୁଦୃଢ଼ କରିବା ପାଇଁ ଯେଉଁ ରଣନୀତି ଗ୍ରହଣ କରିଛି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ମଧ୍ୟ ସେହି ପନ୍ଥା ଅନୁସରଣ କରିବ ବୋଲି ସୂଚନା ମିଳିଛି । ଏଯାଏଁ ନବୀନ ପଟ୍ଟନାୟକଙ୍କ ବିଜେଡି ଜାତୀୟ ସ୍ତରରେ ବିଜେପିର କୌଶଳପୂର୍ଣ୍ଣ ବନ୍ଧୁ ଭାବେ ବ୍ୟବହାର ପ୍ରଦର୍ଶନ କରି ଆସିଛି । ଜିଏସଟି ଓ ବିମୁଦ୍ରାୟନ ନିଷ୍ପତ୍ତି ସମେତ ଅନେକ ବିଲ୍କୁ ବିଜେଡି ସାଂସଦମାନେ ସମର୍ଥନ କରିଛନ୍ତି । ଏପରିକି ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ମୋଦି ସରକାରଙ୍କର ଅନେକ ନିଷ୍ପତ୍ତିକୁ ପ୍ରକାଶ୍ୟରେ ସମର୍ଥନ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ବିଜେଡି କଂଗ୍ରେସର ମୀରା କୁମାରଙ୍କୁ ସମର୍ଥନ ନକରି ବିଜେପିର ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିଥିଲା । ଅବଶ୍ୟ ଉପରାଷ୍ଟ୍ରପତି ନିର୍ବାଚନରେ ଦଳ ଅଣବିଜେପି ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କ ସମର୍ଥନରେ ବାହାରିଥିଲା । ସଂସଦରେ ବିରୋଧୀଙ୍କ ତମ୍ବିତୋଫାନ କିମ୍ବା ଧାରଣା ଓ ପ୍ରତିବାଦରେ ବିଜେଡି ସାମିଲ ହୋଇନାହିଁ । କର୍ଣ୍ଣାଟକ ଶପଥ ଗ୍ରହଣ ଉତ୍ସବରେ ଅନୁପସ୍ଥିତ ରହିଛି ବିଜେଡି । ବିଜେଡିର ଏଭଳି ଆଚରଣକୁ ବିଜେପି ନେତାମାନେ ସକାରାତ୍ମକ ବନ୍ଧୁତ୍ୱପୂର୍ଣ୍ଣ ସଂକେତ ଭାବେ ଦେଖୁଥାଇ ପାରନ୍ତି । ରାଜ୍ୟସଭାରେ ଏବେ ବିଜେଡିର ୯ ଜଣ ସଦସ୍ୟ ଅଛନ୍ତି । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ୧୨୨ ଜଣ ସାଂସଦଙ୍କ ସମର୍ଥନ ସଂଖ୍ୟାଗରିଷ୍ଠ ସାବିତ ହେବ । ବିଜେପି ନେତୃତ୍ୱାଧୀନ ଏନଡିଏର ସଦସ୍ୟ ସଂଖ୍ୟା ହେଉଛି ୧୦୫ । ଏହି ମେଣ୍ଟକୁ ଅନ୍ୟ ୬ ଜଣ ସ୍ୱାଧୀନ ଓ ଛୋଟଛୋଟ ଦଳର ସଦସ୍ୟ ସମର୍ଥନ କରୁଛନ୍ତି । ତେଣୁ ଏନଡିଏ ସପକ୍ଷରେ ଏବେ ୧୧୧ ଜଣଙ୍କ ସମର୍ଥନ ରହିଛି । ରାଜ୍ୟସଭାରେ ବିଜେଡି, ତେଲେଙ୍ଗାନା ରାଷ୍ଟ୍ର ସମିତି ଓ ୱାଇଏସଆର କଂଗ୍ରେସ ଉପା ଓ ଏନଡିଏ ଠାରୁ ସମଦୂରତା ରକ୍ଷା କରୁଛନ୍ତି । ବିଜେପି ଯଦି ଟିଆରଏସ ଓ ୱାଇଏସଆର କଂଗ୍ରେସ ସମର୍ଥନ ହାସଲ କରିବାରେ ସମର୍ଥ ହୁଏ ଏବଂ ବିଜେଡି କଂଗ୍ରେସ ସମେତ ମିଳିତ ବିରୋଧୀ ଦଳ ସପକ୍ଷରେ ରହେ ତେବେ ବି ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଜିତିବା ନିଶ୍ଚିତ ବୋଲି ଆକଳନ କରାଯାଉଛି । ସେଥିପାଇଁ କଂଗ୍ରେସ ତରଫରୁ ବିଜେଡି ସହିତ ଆଲୋଚନା ଆରମ୍ଭ ହୋଇଥିବା ଜଣାଯାଏ । ବିଜେଡିର ଜଣେ ବରିଷ୍ଠ ନେତା ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଦଳ କଂଗ୍ରେସ କିମ୍ବା ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବ ନାହିଁ । ଯଦି ମିଳିତ ବିରୋଧୀ ଦଳ ତରଫରୁ ଜଣେ ଅଣକଂଗ୍ରେସ ସଦସ୍ୟଙ୍କୁ ପ୍ରାର୍ଥୀ କରାଯାଏ ତେବେ ଦଳ ସମର୍ଥନ କରିପାରେ । ତେବେ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି କେବଳ ଦଳ ସଭାପତି ଗ୍ରହଣ କରିବେ । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସହିତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ବନ୍ଧୁତ୍ୱ ଅନେକ ପୁରୁଣା । ଉଭୟେ ଇନଟାଚ୍ ବା ଇଣ୍ଡିଆନ ଟ୍ରଷ୍ଟ ଫର ଆର୍ଟ, କଲ୍ଚର ଆଣ୍ଡ ହେରିଟେଜର ସହ ପ୍ରତିଷ୍ଠାତା । ରାହୁଳ ଗାନ୍ଧୀ ମଧ୍ୟ ନବୀନଙ୍କ ସହିତ ପରୋକ୍ଷ ଯୋଗାଯୋଗରେ ଅଛନ୍ତି । ପୂର୍ବରୁ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଓ ଡାକ୍ତର ଦାମୋଦର ରାଉତ ପରିବର୍ତ୍ତିତ ପରିସ୍ଥିତିରେ ଧର୍ମନିରପେକ୍ଷ କଂଗ୍ରେସ ସହିତ ସଂପର୍କ ନେଇ ଆଗ୍ରହ ପ୍ରକାଶ କରିଛନ୍ତି । କିଛି ଦିନ ତଳେ ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ’ବ୍ରିଆନ ରାଜ୍ୟସଭା ଉପାଧ୍ୟକ୍ଷ ପଦ ନେଇ ସାଂସଦ ଭର୍ତ୍ତୃହରିଙ୍କ ସହିତ ଅଣଆନୁଷ୍ଠାନିକ ଆଲୋଚନା କରିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହା ପରେ ଭର୍ତ୍ତୃହରି ଏ ନେଇ ନବୀନଙ୍କ ସହିତ ଆଲୋଚନା କରିବା ପରେ ସେ କାଳେ କହିଛନ୍ତି, ଦେଖିବା ପରିସ୍ଥିତି କୁଆଡ଼କୁ ଯାଉଛି । ଯଦି ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଅଣକଂଗ୍ରେସ ପ୍ରାର୍ଥୀ ନେଇ ନିଷ୍ପତ୍ତି ନିଆଯାଏ ତେବେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ ଓ ତୃଣମୂଳ କଂଗ୍ରେସର ସୁଖେନ୍ଦୁ ଶେଖର ରୟଙ୍କ ନାମ ଉପରେ ମୋହର ବାଜିପାରେ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ରାଜ୍ୟସଭାର ବର୍ତ୍ତମାନର ଉପାଧ୍ୟକ୍ଷ ପିଜେ କୁରିଏନଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେଉଛି ଏବଂ ସଂସଦର ଆସନ୍ତା ମୌସୁମୀ ଅଧିବେଶନରେ ନୂଆ ଉପାଧ୍ୟକ୍ଷ ନିର୍ବାଚନ ହେବାର ସମ୍ଭାବନା ଅଛି । ଏ ସଂପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ସେ ଏ ବିଷୟରେ କିଛି ଜାଣି ନାହାନ୍ତି । ଏନେଇ ଦଳ ସଭାପତି କେବଳ ନୀତିଗତ ନିଷ୍ପତ୍ତି ଗ୍ରହଣ କରିବେ । ସେହିପରି କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ ଏହି ନିର୍ବାଚନରେ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ ହେବ । ଏହି ଦଳ ବିଜେପି ସହିତ ରହିବ କି ବିରୋଧୀ ଦଳ ସହିତ ରହିବ ତାହା ଜଣାପଡ଼ିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଯେଉଁ ଦଳ ଯାହାକୁ ସମର୍ଥନ କଲେ ବି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଜିତିବେ ।

Share :