ଭୁବନେଶ୍ବର ପ୍ରତିନିଧି ଘରୋଇ ହସ୍ପିଟାଲ୍ ଓ ଅନ୍ୟାନ୍ୟ କ୍ଲିନିକ୍ ଉପରେ ନିୟନ୍ତ୍ରଣ, ଏମାନଙ୍କ ଗୁଣବତା ବୃଦ୍ଧି ଓ ରୋଗୀଙ୍କ ଅଧିକାର ସୁରକ୍ଷା ପାଇଁ ଥିବା ଓଡିଶା କ୍ଲିନିକାଲ୍ ଏଷ୍ଟାବ୍ଲିସ୍ମେଂଟ୍ ଆକ୍ଟରେ ସଂଶୋଧନ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଧାରିତ ମାନଦଣ୍ଡ ଅନୁସାରେ ଆଇନ ଆଣିବା ଲାଗି ସାମାଜିକ କର୍ମୀମାନେ ଦାବି କରିଛନ୍ତି। ଜନ ସ୍ୱାସ୍ଥ୍ୟ ଅଭିଯାନ, ସିଭିଲ୍ ସୋସାଇଟି ଫୋରମ୍ ଅନ୍ ହ୍ୟୁମାନ ରାଇଟ୍ସ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ଆଇନକୁ ଦୁର୍ବଳ କରିବା ପାଇଁ ଘରୋଇ ହସ୍ପିଟାଲ୍ଗୁଡିକ ସରକାରଙ୍କ ଉପରେ ଯେଉଁ ଚାପ ପକାଉଛନ୍ତି, ତାହାକୁ ନିନ୍ଦା କରାଯାଇଥିଲା। ୧୯୯୧ରୁ ଓଡିଶା କ୍ଲିନିକାଲ୍ ଏଷ୍ଟାବ୍ଲିସ୍ମେଂଟ୍ ଆକ୍ଟ ଲାଗୁ ହୋଇହୋଇଥିଲେ ମଧ୍ୟ କେବଳ ରେଜିଷ୍ଟ୍ରେସନ ବ୍ୟବସ୍ଥା ସମ୍ପର୍କରେ ହିଁ ଉଲ୍ଲେଖ ଥିଲା। ୨୦୧୨ରେ କେନ୍ଦ୍ର ସରକାର କରିଥିବା କ୍ଲିନିକାଲ୍ ଏଷ୍ଟାବ୍ଲିସ୍ମେଂଟ୍ ଆକ୍ଟ ଅନୁସାରେ ପ୍ରତ୍ୟେକ ରାଜ୍ୟ ଆଇନ ଓ ନିୟମ କରିବାକୁ ନିଦ୍ଦେର୍ଶ ଦେଇଥିଲେ ମଧ୍ୟ ଓଡିଶାରେ ତାହା ହୋଇନାହିଁ। ତେଣୁ ପ୍ରାଇଭେଟ୍ ହସ୍ପିଟାଲ ଓ କ୍ଲିନିକଗୁଡିକ ସାଧାରଣ ଲୋକଙ୍କୁ ମନଇଛା ଶୋଷଣ କରୁଛନ୍ତି। ପ୍ରତ୍ୟେକ ଜିଲ୍ଲାରେ ହୋଇଥିବା ଜିଲ୍ଲା ଟାସ୍କ ଫୋର୍ସ ଏହି ଆଇନର କାର୍ଯ୍ୟକାରିତା ତଦାରଖ ଦାୟିତ୍ୱ ନେଇଛି। ଏହାକୁ ନିୟମିତ ଭାବେ କରିବା ଲାଗି ସିଭିଲ୍ ସୋସାଇଟି ଦାବି କରିଛି। ଏବେ ସରକାର ଏହି ଆଇନରେ ପରିବର୍ତ୍ତନ ପାଇଁ ଏକ ଡ୍ରାଫଟ୍ ପ୍ରସ୍ତୁତ କରିଛନ୍ତି। କିନ୍ତୁ ଏଥିରେ ରୋଗୀ ଅଧିକାର ଓ ଅଭିଯୋଗ ଶୁଣାଣୀ ସମ୍ପର୍କରେ କିଛି ଉଲ୍ଲେଖ କରାଯାଇନାହିଁ। ୨୮ ବର୍ଷ ପୁରୁଣା ଆଇନରେ ପରିବର୍ତ୍ତନ ସମୟରେ ନିଶ୍ଚିତ ଭାବେ ରୋଗୀ ଅଧିକାର ସମ୍ପର୍କରେ ବ୍ୟବସ୍ଥା ରହିବା ଦରକାର। ଆଇନରେ କେଉଁ କେଉଁ ବ୍ୟବସ୍ଥା ରହିବ, ସେ ନେଇ ସିଭିଲ ସୋସାଇଟି ପକ୍ଷରୁ ସରକାରଙ୍କୁ କିଛି ପ୍ରସ୍ତାବ ଦିଆଯାଇଛି। ରୋଗୀ ଅଧିକରା ଚାର୍ଟର୍ ରଖିବା ଓ ଏହାର ଉଲଂଘନକାରୀ ମେଡିକାଲ୍ ସଂସ୍ଥାଗୁଡିକ ପାଇଁ ଦଣ୍ଡ ବ୍ୟବସ୍ଥା କରିବା, ରୋଗୀ ଓ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କର ଅଭିଯୋଗ ଶୁଣିବାର ବ୍ୟବସ୍ଥା, କେଉଁ ରୋଗ ଚିକିତ୍ସା ପାଇଁ କେତେ ଖର୍ଚ୍ଚ, ଏହାର ରେଟ୍ ଚାର୍ଟ ଲଗାଇବା, ଷ୍ଟାଣ୍ଡାର୍ଡ ଚିକିତ୍ସା ଗାଇଡଲାଇନ୍ ବ୍ୟବସ୍ଥା, ଜିଲ୍ଲା ଓ ରାଜ୍ୟସ୍ତରରେ ନିୟାମକ ପରିଷଦ ଗଠନ କରି ସେଥିରେ ସିଭିଲ୍ ସୋସାଇଟି ସଦସ୍ୟକୁ ରଖିବା, ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ ବ୍ୟବସ୍ଥା, କମିଶନି ବ୍ୟବସ୍ଥାକୁ ନିଷିଦ୍ଧ କରିବା, ଆରଏସବିୱାଇ, ବିକେକେୱାଇ, ଓଏସଟିଏଫ୍ ଆଦିରେ ଦିଆଯାଉଥିବା ସରକାରୀ ଅର୍ଥକୁ ମନିଟରିଂ କରିବାର ବ୍ୟବସ୍ଥା, ସଂକ୍ରମଣ ପରିଚାଳନା ଓ ଷ୍ଟେରଲାଇଜେସନ୍ ପ୍ରୋଟକଲ୍କୁ କଡାକଡି କରିବା, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଆଇନ ସମ୍ପର୍କରେ ବିଭିନ୍ନ େୱବସାଇଟରେ ତଥ୍ୟ ପ୍ରଦାନ ଆଦିକୁ ସରକାର ଗୁରୁତ୍ୱ ଦେବାକୁ ସିଭିଲ୍ ସୋସାଇଟିର କର୍ମୀମାନେ ପ୍ରସ୍ତାବ ରଖିଛନ୍ତି।