ମହାନଦୀ ବିବାଦ- ସମାଧାନ କେଉଁଠି?

ମହାନଦୀ ବିବାଦ- ସମାଧାନ କେଉଁଠି?

Share :

ସବ୍ୟସାଚୀ ଅମିତାଭ ୨୦୧୮ ମେ ୧୬ ତାରିଖରେ ଶାସକ ଦଳ ବିଜେଡି ପକ୍ଷରୁ ମହାନଦୀ ବଂଚାଅ ଅଭିଯାନର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାନଦୀ ଉପରମୁଣ୍ଡରେ ଛତିଶଗଡ ସରକାରଙ୍କ ପକ୍ଷରୁ ହୋଇଥିବା ବେଆଇନ୍ ବ୍ୟାରେଜ୍ ଯୋଗୁଁ ତଳମୁଣ୍ଡରେ ଜୀବନଜୀବିକା ପ୍ରଭାବିତ ହୋଇଛି ବୋଲି ସେ ଓ ତାଙ୍କ ଦଳ ଅଭିଯୋଗ କରିଆସୁଛି। ମହାନଦୀ ଓଡିଶାର ଜୀବନ ରେଖା। ଶାସକ ଦଳ ଜନମତ ତିଆରି କରିବା ପାଇଁ ମହାନଦୀକୁ ବଡ ପ୍ରସଙ୍ଗ ଭାବେ ବାଛିଛି। ତେବେ ସମ୍ୱଲପୁରରେ ବିଜେଡିର ଏହି ମହାନଦୀ ବଂଚାଅ ଅଭିଯାନ କାର୍ଯ୍ୟକ୍ରମର ଠିକ୍ ୪ ଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ଜଳସଂପଦ ବିଭାଗ ସଚିବ ମହାନଦୀ ପାଇଁ ମାଷ୍ଟରପ୍ଲାନ୍ ଘୋଷଣା କରିଥିଲେ। ଯେଉଁଥିରେ କୁହାଯାଇଥିଲା, ମହାନଦୀ ଅବବାହିକାରେ ଛୋଟବଡ କରି ପ୍ରାୟ ୩୦ଟି ବନ୍ଧ ନିର୍ମାଣ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିମଧ୍ୟରେ ମହାନଦୀ ଉପରେ ୭ଟି ବନ୍ଧ ନିର୍ମାଣ ପ୍ରସ୍ତାବ ଥିବା ବେଳେ ଏହାର ଶାଖା ଓ ଉପନଦୀଗୁଡିକରେ ୨୦ରୁ ଅଧିକ ବନ୍ଧ ତିଆରି ହେବ। ମହାନଦୀକୁ ନେଇ ଛତିଶଗଡ ସହ ବିବାଦ ଚରମ ଅବସ୍ଥାରେ ଥିବା ବେଳେ, ମହାନଦୀର ସୁରକ୍ଷା ପାଇଁ ଓଡିଶାର ବ୍ୟାରେଜ୍ ଓ ଡ୍ୟାମ୍ ନିର୍ମାଣ ପ୍ରସ୍ତାବ ଅନେକଙ୍କୁ ଭଲ ଲାଗୁଥାଇପାରେ। ତେବେ ଏହା ସତ, ଓଡିଶାର ଏହି ପ୍ରସ୍ତାବିତ ବ୍ୟାରେଜ୍ ଅବା ଡ୍ୟାମ୍ କୌଣସି ପ୍ରକାରରେ ବି ଛତିଶଗଡକୁ ପ୍ରଭାବିତ କରିବ ନାହିଁ। ହେଲେ ଏହା କିନ୍ତୁ ଓଡିଶାବାସୀଙ୍କୁ ପ୍ରକାରନ୍ତେ ପ୍ରଭାବିତ କରିପାରେ। ତେବେ ଏହି ଡ୍ୟାମ୍ ନିର୍ମାଣ ପ୍ରସ୍ତାବନା ଉପରେ ମହାନଦୀ ସହ ଜଡିତ ଥିବା ବ୍ୟକ୍ତିବିଶେଷମାନେ ଦୁଇଟି ଦିଗରୁ ବିଚାର କରୁଛନ୍ତି। ଏକ, ଯଦି ଓଡିଶା ମତରେ ମହାନଦୀ ଉପରେ ଛତିଶଗଡର ବ୍ୟାରେଜ୍ ବେଆଇନ୍ ତେବେ ସମାନ ଭାବରେ ଓଡିଶା ନିର୍ମାଣ କରିବାକୁ ଥିବା ବ୍ୟାରେଜ୍ ଆଇନତଃ ଠିକ୍ କିପରି ହେବ। ଦ୍ୱିତୀୟରେ, ଯଦି ଛତିଶଗଡର ବ୍ୟାରେଜ୍ ଗୁଡିକ ମହାନଦୀର ପ୍ରକୃତି ଓ ପରିବେଶକୁ ନଷ୍ଟ କରିଦେଇ ଏହାକୁ ମୃତନଦୀରେ ପରିଣତ କରିସାରିଲାଣି ତେବେ ଓଡିଶାର ପ୍ରସ୍ତାବିତ ବ୍ୟାରେଜ୍ ଗୁଡିକ ମହାନଦୀକୁ କିପରି ଜୀବନ୍ତ କରିପାରିବ? ଆଉ କିଛି ଲୋକଙ୍କ ଆଶଙ୍କା, ଯେଉଁ ସମୟରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଉପରେ ସମସ୍ତେ ଆଶା ବାନ୍ଧିଛନ୍ତି, ସେଇ ସମୟରେ ରାଜ୍ୟ ସରକାରଙ୍କ ଏଇ ନୂଆ ମହାନଦୀ ମାଷ୍ଟରପ୍ଲାନର ଫର୍ମୁଲା ଓଡିଶା ସ୍ୱାର୍ଥରେ ବାଧା ସୃଷ୍ଟି କରିବନି ତ? ଓଡିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ବିବାଦ ବେଶ୍ ପୁରୁଣା। ଓଡିଶାର ଅଭିଯୋଗ, ଉପରମୁଣ୍ଡରେ ଛତିଶଗଡ ପକ୍ଷରୁ ବେଆଇନ ଭାବେ ଏକାଧିକ ବ୍ୟାରେଜ୍ ନିର୍ମାଣ କାରଣରୁ ତଳମୁଣ୍ଡରେ ମହାନଦୀ ଶୁଷ୍କ ପାଲୁଟିଛି, ଏହାସହ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ କମିବାରେ ଲାଗିଛି। ସେହିପରି ଏହି ବେଆଇନ୍ ବ୍ୟାରେଜଗୁଡିକ ଯୋଗୁଁ ମହାନଦୀ ମୃତନଦୀରେ ପରିଣତ ହୋଇଗଲାଣି। ଦୁଇ ରାଜ୍ୟ ମଧ୍ୟରେ ଜଳ ବିବାଦ ନେଇ ସମାଧାନର ବାଟ ନ ବାହାରିବା ପରେ ସୁପ୍ରିମ କୋର୍ଟଙ୍କ ନିଦ୍ଦେର୍ଶ ମତେ କେନ୍ଦ୍ର ସରକାର ଗତ ମାର୍ଚ୍ଚ ୧୨ରେ ଜଳ ବିବାଦ ଟ୍ରିବ୍ୟୁନାଲ୍ ଗଠନ ବାବଦରେ ବିଜ୍ଞପ୍ତି ଜାରି କରିଛନ୍ତି। ଏହାଛଡା ଛତିଶଗଡ ସରକାରଂକ ବେଆଇନ୍ ବ୍ୟାରେଜ୍ ନିର୍ମାଣ ମାମଲା ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲରେ ବି ଚାଲିଛି। ଏବେ ପ୍ରଶ୍ନ ଉଠୁଛି, ଯଦି ଓଡିଶା ବି ଛତିଶଗଡ ପରି ବ୍ୟାରେଜ୍ ଆଉ ଡ୍ୟାମ୍ ନିର୍ମାଣ କଥା ଚିନ୍ତା କଲାଣି, ତେବେ ରାଜ୍ୟ ସରକାର ଆଗକୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ପାଖରେ ଛତିଶଗଡ ମାମଲାରେ କି ପ୍ରକାର ଯୁକ୍ତି ରଖିପାରିବେ। ଅନେକ ସମୟରେ ଯୁକ୍ତି କରାଯାଏ, ଓଡିଶା ଭାଗର ମହାନଦୀରୁ ଅଧିକାଂଶ ଜଳ ସମୁଦ୍ରକୁ ବହିଯାଇ ନଷ୍ଟ ହେଉଛି। ଓଡିଶା ସରକାର, ଛତିଶଗଡ ସରକାରଙ୍କ ପରି ପଦକ୍ଷେପ ନେଇନଥିବାରୁ ଏପରି ହେଉଛି ବୋଲି ଅନେକ ସମୟରେ ସମାଲୋଚନା କରାଯାଇଥାଏ। ଓଡିଶାର ପ୍ରମୁଖ ବିରୋଧୀ ଦଳ ବିଜେପି ଅନେକ ସମୟରେ ଏହି ‘ସମୁଦ୍ର ମୁହାଁ ମହାନଦୀ ଜଳ’ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ସହ ନିଜ ପାର୍ଟି କ୍ଷମତାରେ ଥିବା ଛତିଶଗଡ ସପକ୍ଷରେ ଓକିଲାତି କରୁଥିବା ଦେଖିବାକୁ ମିଳେ। ତେଣୁ ସ୍ୱତଃ ମନେହେଉଛି, ଏବେ ରାଜ୍ୟ ସରକାର ବିରୋଧୀଙ୍କ ମୁହଁବନ୍ଦ କରିବା ପାଇଁ ହୁଏତ ମହାନଦୀ ମାଷ୍ଟରପ୍ଲାନକୁ ଗ୍ରୀନ୍ ସିଗନାଲ ଦେଇଛନ୍ତି। ଆଉ ପରିକଳ୍ପନା କରୁଛନ୍ତି ମହାନଦୀରେ ୭ଟି ତଥା ଅନ୍ୟ ଉପନଦୀ ଓ ଶାଖାନଦୀରେ ୨୨ଟି ବ୍ୟାରେଜ୍ ନିର୍ମାଣ କରିବାର। ହେଲେ ଯେଉଁ କଥାଟି ବର୍ତ୍ତମାନ ସମସ୍ତେ ଭୁଲିଯାଇଛନ୍ତି ତାହା ହେଲା, ଏହି ବ୍ୟାରେଜ୍ ନିର୍ମାଣ ପ୍ରସ୍ତାବନା ହୁଏତ ଛତିଶଗଡ ବିରୋଧ ଲଢେଇରେ ଓଡିଶାର ପକ୍ଷକୁ ଦୁର୍ବଳ ଆଉ ମହାନଦୀ ବଂଚାଅ ଅଭିଯାନକୁ ବି ବାଟବଣା କରିଦେଇପାରେ ! ମହାନଦୀ ଜଳବିବାଦର କେନ୍ଦ୍ରବିନ୍ଦୁରେ ରହିଛି ହୀରାକୁଦ ଜଳଭଣ୍ଡାର। ଛତିଶଗଡ ବ୍ୟାରେଜ କାରଣରୁ ଜଳଭଣ୍ଡାରକୁ ଜଳପ୍ରବେଶ କମୁଛି। ହୀରାକୁଦ ଜଳଭଣ୍ଡାରକୁ ଅନୁଧ୍ୟାନ କଲେ ଜଣାପଡେ, ବହୁମୁଖୀ ଦିଗକୁ ଆଖି ଆଗରେ ରଖି ଏହି ଜଳଭଣ୍ଡାର ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ମୁଖ୍ୟ ଲକ୍ଷ୍ୟ ଥିଲା, ମହାନଦୀରେ ବନ୍ୟା ନିୟନ୍ତ୍ରଣ, ଜଳସେଚନ, ବିଦ୍ୟୁତ୍ ଶକ୍ତି ଉତ୍ପାଦନ। ତେବେ କିଛି ବର୍ଷ ହେଲା ମୌସୁମୀ ସମୟରେ ବି ହୀରାକୁଦ ଜଳଭଣ୍ଡାର ଖାଲି ପଡୁଛି, ଫଳରେ ଜଳଭଣ୍ଡାର ନିଜର ଲକ୍ଷ୍ୟ କିପରି ପୂରଣ କରିବ ତାହା ସବୁଠାରୁ ବଡ ପ୍ରଶ୍ନ। ପଶ୍ଚିମ ଓଡିଶାର ଚାଷ ଜଳଭଣ୍ଡାର ଉପରେ ପ୍ରତ୍ୟକ୍ଷ ଭାବେ ନିର୍ଭରଶୀଳ ହୋଇଥିବା ବେଳେ, ପୂର୍ବ ଓଡିଶାରେ ଥିବା ଅବବାହିକା ଅଂଚଳର ଚାଷ ପରୋକ୍ଷ ଭାବେ ନିର୍ଭରଶୀଳ। ଏହାସହ ଜଳ ବିଦ୍ୟୁତ୍ ଉତ୍ପାଦନ, ଶିଳ୍ପସଂସ୍ଥା ଓ ସହରବାସୀଙ୍କ ପାଇଁ ପାଣି ଯୋଗାଣ ବି ଜଳଭଣ୍ଡାରରୁ କରାଯାଇଥାଏ। ଏତଦବାଦ୍ ମହାନଦୀ ତଳମୁଣ୍ଡରେ ଜଳର ସୁପରିଚାଳନା ପାଇଁ ହୀରାକୁଦ ଜଳଭଣ୍ଡର ଉତରଦାୟୀ। ତେବେ ତଥ୍ୟରୁ ଜଣାପଡେ, ହୀରାକୁଦ ଜଳଭଣ୍ଡାର ଯେଉଁ ସ୍ଥାନରେ ରହିଛି ତାହା ହିଁ ସବୁ ସମସ୍ୟାର ମୂଳ କାରଣ। କାରଣ ଜଳଭଣ୍ଡାରର ପାଖାପାଖି ସମୁଦାୟ କ୍ୟାଚମେଂଟ ଏରିଆ ଛତିଶଗଡ ପରିସୀମାରେ ରହିଛି। ସବୁଠାରୁ ମଜାର କଥା ହେଲା, ଉଭୟ ଓଡିଶା ଓ ଛତିଶଗଡ ନିଜ ନିଜର କ୍ୟାଚମେଂଟ ଏରିଆ ଅଂଶ ବାବଦରେ ଦେଇଥିବା ତଥ୍ୟ ଅଲଗା ଅଲଗା ରହିଛି। ସେପଟେମ୍ୱର ୨୦୧୬ରେ ଓଡିଶା, ଛତିଶଗଡ ଓ କେନ୍ଦ୍ର ଜଳସଂପଦ ମନ୍ତ୍ରାଳୟ ଭିତରେ ହୋଇଥିବା ତ୍ରିପାକ୍ଷିକ ବୈଠକରେ, ଓଡିଶା ରଖିଥିବା ତଥ୍ୟ ଅନୁସାରେ- ହୀରାକୁଦ ଜଳଭଣ୍ଡାରର କ୍ୟାଚମେଂଟ ଏରିଆର ୯୦.୬ ପ୍ରତିଶତ ଛତିଶଗଡରେ ରହିଛି ଓ ୯.୪ ପ୍ରତିଶତ ଓଡିଶାରେ ରହିଛି। ସେପଟେ ଛତିଶଗଡ ରଖିଥିବା ତଥ୍ୟ ଅନୁସାରେ, ଛତିଶଗଡରେ ୮୭ ପ୍ରତିଶତ କ୍ୟାଚମେଂଟ୍ ଏରିଆ ଥିବା ବେଳେ ଓଡିଶାରେ ରହିଛି ୧୩ ପ୍ରତିଶତ। ଯେତେବେଳେ ହୀରାକୁଦ ଜଳଭଣ୍ଡାରର ପରିକଳ୍ପନା କରାଯାଇଥିଲା, ସେତେବେଳେ ଉଭୟ ରାଜ୍ୟରେ ଜଳସେଚନର ବ୍ୟାପକତା ନଥିଲା କିମ୍ୱା କୌଣସି ଶିଳ୍ପସଂସ୍ଥା ବି ପ୍ରତିଷ୍ଠା ହୋଇନଥିଲା। ଯଦିଓ, ସେତେବେଳର ସୁମାନଧନ୍ୟ ଇଂଜିନିୟର ସାର୍ ବିଶ୍ୱେଶ୍ୱରାୟା, ଏହି ପ୍ରକଳ୍ପ ପାଇଁ ଓଡିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ଜଳ ବଂଟନ ବିବାଦ ଦେଖାଦେବ ବୋଲି ସ୍ପଷ୍ଟ ମତ ରଖିଥିଲେ। କାରଣ, ହୀରାକୁଦ ପରି ଏକ ବିରାଟ ଜଳଭଣ୍ଡାର ପ୍ରକଳ୍ପ ଯାହାର ପୁରା କ୍ୟାଚମେଂଟ୍ ଏରିଆ ଅନ୍ୟ ଏକ ରାଜ୍ୟରେ ରହିଛି, ଏପରିସ୍ଥିତିରେ ଏହି ପ୍ରକଳ୍ପ କେତେଦୂର ନିଜର ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ କରିପାରିବ ସେନେଇ ଇଂଜିନୟର ବିଶ୍ୱେଶ୍ୱରାୟା ସନ୍ଦେହ ପ୍ରକଟ କରିଥିଲେ। ଏପରିକି ହୀରାକୁଦ ପ୍ରୋଜେକ୍ଟ ରିପୋର୍ଟରେ, ସାର୍ ଏମ୍ ବିଶ୍ୱେଶ୍ୱରାୟା କମିଟି ୧୯୩୭ରେ ଦେଇଥିବା ରିପୋର୍ଟକୁ ମଧ୍ୟ ଉଲ୍ଲେଖ କରାଯାଇଥିଲା। ଏଥିରେ ଲେଖାଯାଇଥିଲା- the proposals under this head are not practicable because such reservoirs will have to be outside the province and therefore, beyond the jurisdiction of the Orissa government. ତେବେ ପରେ ସେଂଟ୍ରାଲ୍ ୱାଟରେୱଜ୍ ଆଣ୍ଡ ନାଭିଗେସନ୍ କମିସନ ର ଅଧ୍ୟକ୍ଷ ଥିବା ଇଂଜିନିୟର ଏ.ଏନ୍ ଖୋସଲା, ୧୯୪୫ରେ ଏହି ବୃହତ୍ ଜଳଭଣ୍ଡାରର ପରିକଳ୍ପନା କରିଥିଲେ। ମଧ୍ୟପ୍ରଦେଶକୁ ଏଥିପାଇଁ ସହମତି କରାଇବାରେ ସେ ପ୍ରମୁଖ ଭୂମିକା ବି ନେଇଥିଲେ। ଇଂ ଖୋସଲା ମଧ୍ୟପ୍ରଦେଶକୁ ବୁଝାଇବାରେ ସକ୍ଷମ ହୋଇଥିଲେ, ହୀରାକୁଦ ପ୍ରକଳ୍ପ ପାଇଁ ମୋଟ ୧୨.୨୮ ମିଲିୟନ୍ ଏକର ଫିଟ୍ (ଏମ.ଏ.ଏଫ୍) ଜଳ ଆବଶ୍ୟକ ରହିଛି। ଯାହା ବାର୍ଷିକ ପ୍ରବାହିତ ହେଉଥିବା ହେଉଥିବା ୨୦.୬୧ ଏମ.ଏ.ଏଫ୍ ପାଣି ତୁଳନାରେ ବେଶ୍ କମ୍ ଓ ଡ୍ୟାମ୍ ସାଇଟ୍ ରେ ପ୍ରବାହିତ ୫୦ ଏମ୍.ଏ.ଏଫ୍ ଜଳର ଏହା ହେଉଛି ମାତ୍ର ଏକ ଚତୁର୍ଥାଂଶ। ତେବେ ୬୦ ବର୍ଷ ପରେ ସ୍ଥିତି ଏବେ ପୂରାପୂରି ବଦଳିସାରିଛି। ସୂଚନା ଅଧିକାର ଆଇନରୁ ମିଳିଥିବା ତଥ୍ୟରୁ ଜଣାପଡିଛି, ୨୦୦୭ରୁ ୨୦୧୬ ମଧ୍ୟରେ ହୀରାକୁଦ ଜଳଭଣ୍ଡାରର ସମୁଦାୟ କ୍ୟାଚମେଂଟ୍ ଏରିଆରେ ପ୍ରବାହିତ ଜଳର ପରିମାଣ ହେଉଛି ୨୧.୯୫୧ ଏମ.ଏ.ଏଫ୍। ଯାହା ବାର୍ଷିକ ପ୍ରବାହିତ ଜଳର ପରିମାଣ ସହ ପାଖାପାଖି ସମାନ। ଆଉ ହୀରାକୁଦ ଜଳ ଭଣ୍ଡାର ପ୍ରୋଜେକ୍ଟ ରିପୋର୍ଟରେ ଦର୍ଶାଯାଇଥିବା ବାର୍ଷିକ ମୋଟ ଜଳ ପ୍ରବାହ ପରିମାଣର ଏହା ହେଉଛି ମାତ୍ର ୪୩ ପ୍ରତିଶତ। ଯେଉଁ ସମୟରେ ହୀରାକୁଦ ଡ୍ୟାମ୍ ସାଇଟ୍ରେ ଜଳ ପ୍ରବାହ କ୍ରମାଗତ ଭାବେ କମିଚାଲିଛି, ସେତେବେଳେ ଉଭୟ ଓଡିଶା ଓ ଛତିଶଗଡ ମହାନଦୀ ଜଳର ସୁବିନିଯୋଗ କଥା କହିବା କେବଳ ହାସ୍ୟାସ୍ପଦ କଥା ଛଡା ଆଉ କିଛି ନୁହେଁ। ଉଭୟ ରାଜ୍ୟରେ ବ୍ୟାପକ ଶିଳ୍ପାୟନ କାରଣରୁ ମହାନଦୀ ଧୀରେ ଧୀରେ ଶୁଷ୍କ ହେବାରେ ଲାଗିଛି , ଏହା ହେଉଛି ଅନ୍ୟତମ ବଡ ସତ। ୨୦୧୬ ତ୍ରିପାକ୍ଷିକ ବୈଠକରେ ଓଡିଶା ପକ୍ଷରୁ ହୀରାକୁଦ ଜଳଭଣ୍ଡାରରେ ଜଳ ସୁପରିଚାଳନା ପାଇଁ ରଖାଯାଇଥିବା ପ୍ରସ୍ତାବରେ ମୋଟ ୨୩.୫୩ ଏମ.ଏ.ଏଫ୍ ଜଳ ପ୍ରବାହର କଥା ଦର୍ଶାଯାଇଥିଲା। ଏହାସହ ଓଡିଶା ଦର୍ଶାଇଥିଲା, ହୀରାକୁଦ ଜଳଭଣ୍ଡାର ଭିତରକୁ ବାର୍ଷିକ ଜଳ ପ୍ରବାହ ୧୭.୩ ଏମ.ଏ.ଏଫ୍ କୁ କମିଆସିଛି। ସେପଟେ ଛତିଶଗଡ ବି ମହାନଦୀର ୩୩,୮୯୬ ଏମ.ସି.ଏମ୍(୨୭.୪୮ ଏମ.ଏ.ଏଫ୍) ପାଣିକୁ ନିଜର ବିଭିନ୍ନ ପ୍ରକଳ୍ପ, ନିର୍ମାଣାଧୀନ ପ୍ରକଳ୍ପ ଓ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଦରକାର ବୋଲି ଦର୍ଶାଇଥିଲା। ତେବେ କେନ୍ଦ୍ରୀୟ ଜଳ କମିସନଂକ ତଥ୍ୟ ଅନୁସାରେ, ପୁରା ମହାନଦୀ ବେସିନରେ ଜଳଧାରଣ କ୍ଷମତା ୫୦.୨୨ ଏମ୍.ଏ.ଏଫ୍ ରହିଛି। ମହାନଦୀ ବେସିନ୍ ଏରିଆରେ ରାଜ୍ୟର ଅଂଶ ତଥା ବୃଷ୍ଟିପାତ ହାରକୁ ତୁଳନା କଲେ ଜଣାପଡେ, ମୋଟ ମହାନଦୀର ମୋଟ ଜଳଧାରଣ କ୍ଷମତାର ଅଧାରୁ ଅଧିକ ଛତିଶଗଡ ପଟେ ରହୁଛି। ଫଳରେ ଛତିଶଗଡ ବାର୍ଷିକ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ଜଳ ବ୍ୟବହାର କରିବା ପାଇଁ ସୁଚିନ୍ତିତ ଯୋଜନା କରିସାରିଛି। ଓଡିଶା ପକ୍ଷରୁ ହଠାତ୍ ବ୍ୟାରେଜ୍ ନିର୍ମାଣ ପାଇଁ ମାଷ୍ଟର ପ୍ଲାନ୍ ଘୋଷଣା କରାଯିବା ମହାନଦୀ ବାବଦରେ ସବିଶେଷ ଧାରଣା ରଖିଥିବା ଅନେକ ବ୍ୟକ୍ତିଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ଏନେଇ ପୂର୍ବରୁ କେବେ ଆଲୋଚନା କରାଯାଇଛି ନା କ୍ୟାବିନେଟ୍ ଅବା ବିଧାନସଭାରେ ଏ ସଂପର୍କରେ କିଛି ପ୍ରସ୍ତାବ ଆସିଛି। ତେଣୁ ପ୍ରସ୍ତାବିତ ବ୍ୟାରେଜଗୁଡିକର ସ୍ୱରୂପ କଣ ରହିବ ସେନେଇ ଚିତ୍ର ଅସ୍ପଷ୍ଟ ଥିବାରୁ ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ନିମ୍ନ ଅବବାହିକାର ଖଇରମାଳ, ଦେଓଗାଁ, କୋପସିଙ୍ଗା, ଗୋଧନେଶ୍ୱର, ମଣିଭଦ୍ରା, ସୁବଳୟାରେ ବ୍ୟାରେଜ୍ ନିର୍ମାଣ ପାଇଁ ଯୋଜନା ଥିବା ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ହେଲେ ଏସବୁ ସ୍ଥାନଗୁଡିକ ଅତୀତ ବର୍ଷମାନଙ୍କରେ ବ୍ୟାରେଜ୍ ବା ଡ୍ୟାମ୍ ନିର୍ମାଣ ପ୍ରସଙ୍ଗରେ ଚର୍ଚ୍ଚାରେ ରହିସାରିଛି। ଲୋକଙ୍କ ବିରୋଧ କାରଣରୁ ଏହି ବନ୍ଧ ନିର୍ମାଣ କାମ ଅତୀତରେ ସଫଳ ହୋଇପାରିନଥିଲା। ସମସ୍ତଙ୍କର ମନେ ଥିବ ସିେ‹ାଲ ପ୍ରକଳ୍ପର କଥା। ୨୦୧୧ ମସିହାରେ ଶାସକ ଦଳ ବିଧାୟକଙ୍କ ବିରୋଧ କାରଣରୁ ଏହାକୁ ସ୍ଥଗିତ କରାଯାଇଥିଲା। ନୂଆ ବ୍ୟାରେଜ୍ ନିର୍ମାଣ ବାବଦରେ ସୂଚନା ଦେବା ବେଳେ ଜଳ ସଂପଦ ସଚିବ କହିଛନ୍ତି, ଆଇଆଇଟି- ରୁରକି କୁ ଏହି ସବୁ ବ୍ୟାରେଜ୍ ନିର୍ମାଣ ବାବଦରେ ଅଧ୍ୟୟନ କରି ରିପୋର୍ଟ ଦେବା ପାଇଁ କୁହାଯାଇଛି। ଅର୍ଥାତ୍ ବ୍ୟାରେଜ୍ ନିର୍ମାଣ ଆଇଡିଆ ଟି ଏଯାଏଁ ପରିକଳ୍ପନା ଭିତରେ ହିଁ ସୀମିତ ରହିଛି। ଗୋଟିଏ ପଟେ ମହାନଦୀ ବଂଚାଅ ଅଭିଯାନ, ଅନ୍ୟପଟେ ତଳମୁଣ୍ଡରେ ବ୍ୟାରେଜ୍ ନିର୍ମାଣ କଥା, ଯାହା ମହାନଦୀ ବିବାଦର ଗୁରୁତ୍ୱକୁ ଗୋଳିଆ କରିଦେବାକୁ ବସିଛି। ତେଣୁ ସରକାର ନୂଆ ଡ୍ୟାମ୍ ବା ବ୍ୟାରେଜ୍ ନିର୍ମାଣ ପ୍ରସଙ୍ଗକୁ ଛାଡି ବରଂ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଓଡିଶାର ପକ୍ଷ କିପରି ବଳି ହେବ, ଯୁକ୍ତିଯୁକ୍ତ ରହିବ, ସେଥିପାଇଁ ପ୍ରୟାସ ଆରମ୍ଭ କରିବା ଦରକାର। ଏହାସହ ମହାନଦୀ ଉପରମୁଣ୍ଡରେ ଜଙ୍ଗଲର ପୁନରୁଦ୍ଧାର କରାଯିବା ସହ କୋଇଲା ତାପଜ ବିଦ୍ୟୁତ କେନ୍ଦ୍ର, କୋଇଲା ଖଣି ଆଦି ବନ୍ଦ ହେବା ଦରକାର। ସହରୀକରଣ ନାଁରେ ମହାନଦୀକୁ ବର୍ଜ୍ୟବସ୍ତୁ ଓ ବର୍ଜ୍ୟଜଳ ଛଡା ବନ୍ଦ ହେଉ। ନୂଆ ଡ୍ୟାମ୍ ଅବା ବ୍ୟାରେଜ୍ ନୁହେଁ ବରଂ ମହାନଦୀର କିପରି ପରିବେଶଗତ ପୁର୍ନଜନ୍ମ ହେବ ସେଥିପାଇଁ ସବୁସ୍ତରରେ ଉଦ୍ୟମ ହେବା ଉଚିତ୍। ଭୁବନେଶ୍ୱର- ୯୪୩୮୨୯୬୫୧୯

Share :