ବ୍ରହ୍ମପୁର ବଡ଼ ମେଡ଼ିକାଲ୍- ପୁରୁଣା ବୋତଲ, ନୂଆ ମଦ

ବ୍ରହ୍ମପୁର ବଡ଼ ମେଡ଼ିକାଲ୍- ପୁରୁଣା ବୋତଲ, ନୂଆ ମଦ

Share :

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍ କଲେଜର ଅବ୍ୟବସ୍ଥାକୁ ନେଇ ଧାରାବାହିକ ବିଭିନ୍ନ ସଂଗଠନର ଆନ୍ଦୋଳନ ଚର୍ଚ୍ଚାରେ ଥିବା ବେଳେ ସିଟି-ସ୍କାନ୍ ମେସିନର କାହାଣୀ ଶୁଣିବା ପରେ ସବୁକିଛି ଓଲଟପାଲଟ ହୋଇଯାଇଥିବା ମନେହୁଏ। ବଡ଼ ମେଡ଼ିକାଲକୁ ନେଇ ଗଣ ଓ ଗଣମାଧ୍ୟମରେ ଚର୍ଚ୍ଚା ଥମିବାର ନାଁ ନାହିଁ। ଡାକ୍ତରମାନଙ୍କ ଦୌରାତ୍ମ୍ୟ, ଦଲାଲମାନଙ୍କୁ ନେଇ ପୁଣି ମାନଭଂଜନ କରି ଫେରାଇବା, ପୁନଶ୍ଚ ପୁରୁଣା ସିଟି-ସ୍କାନ୍ ମେସିନକୁ ନେଇ ଆଲୋଚନା ସମୀକ୍ଷା ଓ ତର୍କ ବିତର୍କର ଝଡ଼ରେ କିଏ ବଳି ପଡ଼ୁଛି କିଏ ବାହାଦୂରୀ ନେଉଛି, ଏସବୁ ଚିତ୍ର ଆଜି ଦ୍ୱନ୍ଦ୍ୱ ସୃଷ୍ଟି କରିଛି। କଥାଉଠୁଛି ନୂଆ ନାଁରେ ପୁରୁଣା ସିଟି-ସ୍କାନ୍ ମେସିନ ଆଣିବା ଦୁର୍ନୀତି ଓ ଦାୟିତ୍ୱହୀନତାର ଏକ ନଗ୍ନ ନମୁନା ହୋଇଥିଲେ ହେଁ ସେନେଇ ତଦନ୍ତ ହେବ କି ନହେବ ଜଣାନାହିଁ। ମେଡ଼ିକାଲ୍ କଲେଜ ଅଧୀକ୍ଷକ, ଡ଼ିନ୍ ଓ ଅଧ୍ୟକ୍ଷ କିଏ କାହାକୁ ସୁରକ୍ଷା ଦେବେ ତାହା ଏବେ ପ୍ରଶ୍ନବାଚୀ। ବିଧାୟକ ଡ଼ାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯିଏକି କେବଳ ଜଣେ ଡ଼ାକ୍ତର ବା ବିଧାୟକ ନୁହଁନ୍ତି ବରଂ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତାଙ୍କୁ ମଧ୍ୟ ଅନ୍ଧାର ଘରେ ରଖିବାର ଦୁର୍ବାର ପ୍ରୟାସ କରାଯାଇଛି। ଏମକେସିଜିର କର୍ତ୍ତୃପକ୍ଷଙ୍କ ଦ୍ୱାରା ଲଲିପପ୍ କେବଳ ସାଧାରଣ ଜନତାଙ୍କୁ ଦିଆଯାଇନି ବରଂ ଏମକେସିଜି ଅଧୀକ୍ଷକ ବିଧାୟକଙ୍କୁ ମଧ୍ୟ ଗୋଲକ ଧନ୍ଦାରେ ଫସାଇ ଦିଆଯାଇଛି। ବ୍ରହ୍ମପୁର ଏମକେସିଜିର ସିଟି-ସ୍କାନ୍ ମେସିନ୍ ସଂପର୍କରେ ଗଣମାଧ୍ୟମକୁ ମଧ୍ୟ ସଠିକ୍ ତଥ୍ୟ ଦେଇନି ବଡ଼ ମେଡ଼ିକାଲ୍ କର୍ତ୍ତୃପକ୍ଷ। ଆଗାମୀ ଦିନରେ ବ୍ରହ୍ମପୁର ଗଣମାଧ୍ୟମରେ ଏଣିକି ଯେଉଁ ବିଷୟ ଆଲୋଚିତ ହେବ ତାହାର ସତ୍ୟାସତ୍ୟ ପ୍ରତି ପ୍ରଶ୍ନ ଉଠିବା ମଧ୍ୟ ସ୍ୱାଭାବିକ। ଗୋଟିଏ କଥା ଏଠାରେ କୁହାଯାଇପାରେ ଯେ, ପୁରୁଣା ବୋତଲରେ ନୂଆ ମଦ ପରି ପୁରୁଣା ସିଟି-ସ୍କାନ୍ ମେସିନ୍ ଥୋଇ ମେଡ଼ିକାଲ୍ ପ୍ରଶାସନ ତାହା ନୂଆ ବୋଲି ଦେଖାଇବା କାହା ସ୍ୱାର୍ଥ ଏବଂ ଏଥିରେ କିଏ କିଏ ସାମିଲ ଅଛନ୍ତି ତାହା ବହୁତ ଚିନ୍ତାଜନକ ବିଷୟ। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବ୍ରହ୍ମପୁର ମେଡ଼ିକାଲର କାୟାକଳ୍ପ ପରିବର୍ତ୍ତନ କଲେ। ନୂଆ ବିଲଡ଼ିଂ, ଡ଼ାକ୍ତରଙ୍କ ରହିବା ପାଇଁ କ୍ୱାର୍ଟର, ଲଇବ୍ରେରୀ, କନ୍‌ଫରେନ୍ସ ହଲ୍ ଇତ୍ୟାଦି ବହୁତ କିଛି। ସରକାରଙ୍କ ପାଖରେ କ’ଣ ଗୋଟିଏ ନୂଆ ମେସିନ୍ ଆଣିବାକୁ ଟଙ୍କା ନଥିଲା ଯେ ପୁରୁଣା କେଉଁ ଅସିଆ କାଳର ମସିଆ ମେସିନ୍ ଥୋଇ ରୋଗୀଙ୍କ ଚିକିତ୍ସା କରିବେ? ପୁଣି ଯେଉଁଦିନ ପୁରୁଣା ମେସିନକୁ ନୂଆ ଦେଖାଇ ଉଦଘାଟନ କରାଗଲା, ତା’ ପରଦିନ ହିଁ ସିଟି-ସ୍କାନ୍ ରୁମ୍ରେ ଚାବି ପଡ଼ିଲା। ଏହାର କାରଣ ଜାଣିବାକୁ କିଛି ବରିଷ୍ଠ ବୁଦ୍ଧିଜୀବୀ ଚେଷ୍ଟା କରିବାରୁ କୁହାଗଲା ଯେ ମେସିନ୍ ଖରାପ୍। ଏଥିରୁ ଜଣାପଡ଼ିଲା ଯେ ଯେଉଁ ମେସିନ୍ଟି ଲାଗିଛି ତାହା ପୁରୁଣା। ଏଠାରେ ସୂଚନାଥାଉକି ମେଡ଼ିକାଲ୍ କର୍ତ୍ତୃପକ୍ଷ ସବୁ ଜାଣି ସମସ୍ତଙ୍କୁ ଅନ୍ଧାରରେ ରଖିବାର ରହସ୍ୟ କ’ଣ? ପୁରୁଣା ମେସିନ ଥୋଇ ଲୋକଙ୍କୁ ଭୁଆଁ ବୁଲାଇବାର ମୁଖ୍ୟ ଉଦ୍ଦେଶ୍ୟ ସ୍ପଷ୍ଟ ବାରି ହେଉଥିଲେ ମଧ୍ୟ ଏଠାରେ ଅନୁମାନ କରାଯାଏ ଯେ ଏମକେସିଜିର ଏହିପରି ଦୁର୍ନୀତି ଆବାହନ କାଳରୁ ହେଉଥିଲେ ସୁ୍ଦ୍ଧା ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି ନାହାନ୍ତି। ପୁରୁଣା ମେସିନରେ ରୋଗୀ ପରୀକ୍ଷା କରିବାର ବ୍ୟବସ୍ଥାଟିକୁ ପ୍ରୋତ୍ସାହନ ଦେବାର ରହସ୍ୟ କ’ଣ? ବଡ଼ ମେଡ଼ିକାଲ୍ ପରିସରକୁ ଲାଗି ବିରାଟ ନିଦାନ କେନ୍ଦ୍ର ଚାଲୁ ରହିଛି। ବ୍ୟବସାୟ ଭଲ ଚାଲିଛି। ଡ଼ାକ୍ତର ଓ ନିଦାନ କେନ୍ଦ୍ରର ସଂପର୍କ ମଧୁର। ଡ଼ାକ୍ତରଙ୍କ ପକେଟରେ ଅର୍ଥ ନ ପଶିଲେ କୌଣସି ପରୀକ୍ଷା ପାଇଁ ରୋଗୀଯିବା ମଧ୍ୟ ଅସମ୍ଭବ। ହୁଏତ ଉଦଘାଟନ କରି ନାଟକୀୟ ଢ଼ଂଗରେ ତାକୁ ବନ୍ଦ କରିବା ପଛରେ ବ୍ୟବସାୟ ସହିତ ଜଡ଼ିତ କିଛି ଅସାଧୁ ଡ଼ାକ୍ତର ଓ ରୋଗୀନଷ୍ଟ କେନ୍ଦ୍ରର ଭୂମିକା ବି ଅନୁଶୀଳନୀୟ।

Share :