ବୈଜୟନ୍ତଙ୍କ ଜୟ !

ବୈଜୟନ୍ତଙ୍କ ଜୟ !

Share :

ଚାରୁ ଚନ୍ଦନ ଦାଶ ଇସ୍ତଫା ଦେଇଛନ୍ତି ବିଜେଡିର ଷ୍ଟାର୍ ସାଂସଦ ବୈଜୟନ୍ତ ପଣ୍ଡା। ବିଜୁ ପଟ୍ଟନାୟକଙ୍କ ସମୟରେ ରାଜନୀତିର ପଶାପାଲିରେ ପାଦ ରଖିଥିବା ବୈଜୟନ୍ତ ସେଇ ଦଳର ହାତ ଛାଡ଼ି ଦେଇଛନ୍ତି। ରାଜନେତା ବ୍ୟତୀତ ତାଙ୍କର ଅନ୍ୟ ଏକ ପରିଚୟ ରହିଛି। ସିଏ ହେଉଛନ୍ତି ଓଡ଼ିଶାର ବିଜନେସ୍ ଟାଇକୁନ୍ ସ୍ବର୍ଗତ ବଂଶୀଧର ପଣ୍ଡାଙ୍କ ପୁଅ ବିଜୁ ଜନତା ଦଳ ଗଢ଼ା ହେଲା ଦିନଠାରୁ ସିଏ ବିଜେଡିରେ ରହି ଆସିଥିଲେ। 2000 ମସିହାରେ ବୈଜୟନ୍ତ ବିଜେଡିରୁ ରାଜ୍ୟସଭାକୁ ଯାଇଥିଲେ। ଏହାପରେ ତାଙ୍କର ରାଜନୈତିକ ମାଇଲେଜ୍ ବଢ଼ିବାରେ ଲାଗିଲା। ୨୦୦୦ ମସିହାରେ ରାଜ୍ୟସଭା ଯାଇଥିଲେ ବୈଜୟନ୍ତ। ଏହାପରେ ୨୦୦୦-୦୯ ଯାଏଁ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ଥିଲେ ବୈଜୟନ୍ତ। ୨୦୦୬ରେ ଦ୍ବିତୀୟ ଥର ପାଇଁ ରାଜ୍ୟସଭା ସାଂସଦ ହେବା ପରେ ତାଙ୍କର ଦାୟିତ୍ବ ଆହୁରି ବଢ଼ି ଯାଇଥିଲା। ଏହା ପରେ ୨୦୦୯ ମସିହାରେ ବିଜୁ ଜନତା ଦଳ ପକ୍ଷରୁ ସେ ଲୋକସଭା ସାଂସଦ ହୋଇଥିଲେ। ୨୦୦୯ ଅଗଷ୍ଟ ୬ରେ ପବ୍ଲିକ୍ ଅଣ୍ଡରଟେକିଂ କମିଟିର ସଦସ୍ୟ ହେବା ପରେ ୨୦୦୯ ସେପ୍ଟେମ୍ବର ୧୬ରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର କନସଲଟିଂ କମିଟି ସଦସ୍ୟ ଥିଲେ ଜୟ। ଏହାପରେ ୨୦୧୪ ମସିହାରେ ଦ୍ବିତୀୟ ଥର ଲୋକସଭା ସାଂସଦ ହୋଇଥିଲେ ବୈଜୟନ୍ତ। ୨୦୧୪ ଅଗଷ୍ଟ ୧୪ରୁ ୨୦୧୬ ଏପ୍ରିଲ ୩୦ ଯାଏଁ ପବ୍ଲିକ୍ ଅଣ୍ଡରଟେକିଂ କମିଟିର ସଦସ୍ୟ ରହିବା ସହିତ ୨୦୧୪ ମସିହା ସେପ୍ଟେମ୍ବର ୧ରୁ ୨୦୧୮ ଏପ୍ରିଲ ୬ ଯାଏଁ ଗୃହ କମିଟିର ସଦସ୍ୟ ଥିଲେ। ଏହା ସହ ସେ ଫାଇନାନ୍ସ ଓ କର୍ପୋରଟ୍ ଆଫେୟାର୍ସ କମିଟିର ମଧ୍ୟ ସଦସ୍ୟ ଥିଲେ। ୨୦୧୮ ମସିହା ଏପ୍ରିଲ ୬ରୁ ଇଣ୍ଡଷ୍ଟ୍ରୀ ଷ୍ଟାଣ୍ଡିଂ କମିଟିର ସଦସ୍ୟ ମଧ୍ୟ ଅଛନ୍ତି ବୈଜୟନ୍ତ। ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ନେଇ ସଂସଦରେ ଆଲୋଚନା କରୁଥିବା କେତେକ ହାତ ଗଣତି ସାଂସଦଙ୍କ ମଧ୍ୟରେ ବୈଜୟନ୍ତଙ୍କ ନାଁ ରହିଛି। ଏହାସହ ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗ ନେଇ ବୈଜୟନ୍ତ ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମରେ ହେଉଥିବା ବିତର୍କରେ ମଧ୍ୟ ଭାଗ ନେଇଥାନ୍ତି। ସେହିପରି ବିଭିନ୍ନ ପ୍ରସଙ୍ଗରେ ଛାପା ଗଣମାଧ୍ୟମରେ ସ୍ତମ୍ଭ ଲେଖିବା ସହିତ ସୋସିଆଲ ମିଡିଆରେ ଅନେକ ପ୍ରସଙ୍ଗ ଲେଖି ବିଭିନ୍ନ ସମୟରେ ଚର୍ଚ୍ଚାରେ ରହି ଆସିଛନ୍ତି। ମାତ୍ର, ଦୀର୍ଘଦିନ ଧରି ବିଜେଡି ପକ୍ଷରୁ ତାଙ୍କୁ ଅଣଦେଖା କରାଯାଉଥିବା ସିଏ ପ୍ରତ୍ୟକ୍ଷ ଭାବେ ନକହିଲେ ବି ବେଶ୍ ଜଣା ପଡ଼ୁଥିଲା। ଗତ ଜାନୁଆରୀ ୨୪ ତାରିଖ ସାରା ରାଜ୍ୟ ଯେତେବେଳେ କୁନ୍ଦୁଲି ନିଆଁରେ ଜଳୁଥିଲା ସେହି ସମୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରି ଏକ ମାଷ୍ଟରଷ୍ଟ୍ରୋକ୍ ଖେଳିଥିଲେ। ଏହାପରେ ବି ବୈଜୟନ୍ତ ଦଳ ପ୍ରତି ଭରସା କରି ନିଜ ଦାୟିତ୍ବ ବହନ କରିଥିଲେ। ନିଜ ନିର୍ବାଚନ ମଣ୍ଡଳୀରେ ତାଙ୍କ ବିରୋଧରେ ଅନେକ ଦଳୀୟ ନେତା ଥିଲେ ବି ତାଙ୍କର ଯଥେଷ୍ଟ ଲୋକପ୍ରିୟତା ରହିଥିବା କଥାକୁ ଏଡ଼ାଇ ଦିଆଯାଇ ନ ପାରେ। ୨୦୧୮ ମ ୨୮ ତାରିଖରେ ସେ ଦଳରୁ ଇସ୍ତଫା ଦେଇ ସୁପ୍ରିମୋଙ୍କୁ ତାଙ୍କ ମାଷ୍ଟର ଷ୍ଟ୍ରୋକର ଓଜନିଆ କାଉଣ୍ଟର କରିଛନ୍ତି। ଦଳରେ ତାଙ୍କର ଏବେ ବି ଏକ ସ୍ବତନ୍ତ୍ର ଭାବମୂର୍ତ୍ତି ରହିଥିବାରୁ ସେ କିଛି ଅନ୍ୟକଥା ଚିନ୍ତା କରି ଦଳରୁ ଇସ୍ତଫା ଦେଇଥାଇ ପାରନ୍ତି। ଅନେକ ଦିନ ହେବ ଜୟ ବିଜେପି ମୁହାଁ ହେଉଥିବା ଚର୍ଚ୍ଚା ହେଉଛି। ମାତ୍ର, ସିଏ ବିଜେପିକୁ ଗଲେ ପଦ୍ମ ଦଳର ଫାଇଦା କ’ଣ ହେବ? ଯେହେତୁ ତାଙ୍କର ଦିଲ୍ଲୀ ଦରବାରରେ ଭଲ ଖାଦି ରହିଛି ସେଇ ଦୃଷ୍ଟିରୁ ବିଜେପିକୁ ଏହା ନିଶ୍ଚିତ ଭାବେ ସୁହାଇବ। ଯଦି ବିଜେପି ତାଙ୍କୁ କେନ୍ଦ୍ରାପଡ଼ାରୁ ଟିକେଟ ଦିଏ, ତେବେ ତାଙ୍କ ବିରୋଧରେ ବିଜେଡି ପ୍ରାର୍ଥୀ ଦେଇ ପୁଣି ବିଜୟୀ ହେବା ଆଶା କ୍ଷୀଣ। କାରଣ ତାଙ୍କର ଜିଲ୍ଲାରେ କେତେକ ରାଜନୈତିକ ଶତ୍ରୁ ଥିଲେ ବି ଅନେକ ପ୍ରଶଂସକ ରହିଛନ୍ତି। ଏଥିସହ ସେ ବର୍ଷର ଅଧିକାଂଶ ସମୟରେ ନିଜ ନିର୍ବାଚନ ମଣ୍ଡଳୀକୁ ବାରମ୍ବାର ଗସ୍ତ କରି ତୃଣମୂଳ ସ୍ତରରେ ଭୋଟରଙ୍କ ସହ ଜଡ଼ିତ ହୋଇ ରହିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବିଜେପିକୁ ଗଲେ ବୈଜୟନ୍ତଙ୍କୁ ଦଳ କେନ୍ଦ୍ରମନ୍ତ୍ରୀ କରିବାର ସମ୍ଭାବନା ରହିଛି। କାରଣ ସେ ବିଜେଡିରୁ ଯାଇ ସଂସଦରେ ଅନେକ ବିତର୍କରେ ଭାଗ ନେଇଛନ୍ତି। ତେଣୁ, ସିଏ ବିଜେପିକୁ ଗଲେ ବିଜେଡି ପାଇଁ ତାଙ୍କ ଉଚ୍ଚତାକୁ ଛୁଇଁ ପାରିବା କଷ୍ଟକର ହେବା ସହିତ ବିଜେପି ରାଜନୈତିକ କାର୍ଡ଼ ଖେଳି ବିଜୟୀ ହୋଇପାରିବ। ସାଂସଦ ଥିଲେ ବି ଦଳର କୋଣଠେସା ନେତାଙ୍କ ମଧ୍ୟରେ ଗଣା ଯାଉଥିବା ବୈଜୟନ୍ତ ବିଜେପିକୁ ଗଲେ ରାଜନୈତିକ ଫାଇଦା ଦୃଷ୍ଟିରୁ ଦଳ ତାଙ୍କୁ ଲାଇମ୍ ଲାଇଟରେ ରଖିବାକୁ ବାଧ୍ୟ ହେବ। ତେଣୁ, ଦଳ ଛାଡ଼ିବା ପରେ ବିଜେଡିକୁ ଆଗାମୀ ଦିନରେ ଏହାର ମୂଲ୍ୟ ଦେବାକୁ ହେବ। ବୈଜୟନ୍ତ ବିଜେପିକୁ ଯାଆନ୍ତୁ କି ନ ଯାଆନ୍ତୁ, ଠିକଣା ସମୟରେ ବାଉଣ୍ଡରୀ ଲାଇନରେ ସେ ସୁପ୍ରିମୋଙ୍କ ମାଷ୍ଟର ଷ୍ଟ୍ରୋକକୁ କ୍ୟାଚ୍ କରି ନେଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ବୀରମହାରାଜପୁର, ସୁବର୍ଣ୍ଣପୁର, ଫୋ-୯୬୫୮୨୬୩୨୮୫

Share :