ବେଟୀ ପଢ଼ୁଛନ୍ତି, ଅଥଚ...

ବେଟୀ ପଢ଼ୁଛନ୍ତି, ଅଥଚ...

Share :

ଅଧ୍ୟାପକ ବିଶ୍ୱରଂଜନ ବେଟୀ ପଢୁଛନ୍ତି। ଅଥଚ ବଢ଼ୁ ନାହାନ୍ତି। ତାଙ୍କୁ ବଢ଼ିବାକୁ ଦିଆଯାଉ ନାହିଁ। ବଢ଼ିବା ଆରମ୍ଭ କଲା ବେଳକୁ କଢ଼ି ଅବସ୍ଥାରେ ତାଙ୍କୁ ଦଳି ଦିଆଯାଉଛି, ଅତ୍ୟନ୍ତ ନିଷ୍ଠୁର ଭାବରେ, ଅମାନୁଷିକ ବର୍ବରତାରେ। କୁନ୍ଦୁଲିଠାରୁ କାଶ୍ମୀରର କଠୁଆ ଯାଏଁ ସୁନ୍ଦର ଉଦ୍ୟାନର ନିଷ୍ପାପ କଳିକାମାନେ ଝରି ପଡ଼ୁଛନ୍ତି ଆମ ସମାଜର ଭୟଙ୍କର କୀଟମାନଙ୍କର କ୍ଷୁଧିତ ଦୃଷ୍ଟି ଓ ଦଂଶନରେ। ଦ୍ୱିପଦ ବିଶିଷ୍ଟ ହିଂସ୍ର ଜୀବମାନଙ୍କର ବିକୃତ ଯୌନାଚାର ଉପହାସ କରୁଛି ଆମ ପ୍ରଧାନମନ୍ତ୍ରୀଙ୍କର ‘ବେଟୀ ପଢ଼ାଓ, ବେଟୀ ବଚାଓ’ର ଶ୍ରୁତି ମଧୁର ଆହ୍ୱାନକୁ। ୨୦୧୨ରେ ଦିଲ୍ଲୀରେ ସଂଘଟିତ ନିର୍ଭୟା କାଣ୍ଡରେ ଥରି ଉଠିଥିଲା ଭାରତର ଆତ୍ମା। ଏହା ପରେ ପ୍ରଚଳିତ ଆଇନ୍କୁ ଆହୁରି କଠୋର କରାଗଲା। ଆଶା କରାଯାଉଥିଲା, ମାନବିକତାର ଆଉ ମୃତ୍ୟୁ ହେବ ନାହିଁ। ନିଶାର୍ଦ୍ଧରେ ଭାରତର ଜନପଥରେ ଜଣେ ମହିଳା ନିରାପଦରେ ବିଚରଣ କରିବାର ଗାନ୍ଧୀଙ୍କ ସ୍ୱପ୍ନ ହୁଏତ ଶତପ୍ରତିଶତ ସଫଳ ନହୋଇପାରେ, ହେଲେ କେହି ସ୍ୱପ୍ନରେ ସୁଦ୍ଧା ଆଶଙ୍କା କରୁନଥିଲେ ଯେ, ଚକୋଲେଟ୍ ମାଗୁଥିବା, ଦାଣ୍ଡରେ ଧୂଳି ବାଲିରେ ଗଡୁଥିବା, କଙ୍କି ଓ ପ୍ରଜାପତିଙ୍କୁ ଧରିବା ପାଇଁ ହାତ ବଢ଼ାଉଥିବା ଆମର କୁନି କୁନି ପରୀମାନେ ମର୍ତ୍ତ୍ୟର ଦାନବମାନଙ୍କ କାମନା-ବାସନାର ଶିକାର ହୋଇ ଟଳି ପଡ଼ିବେ। ଶିଶୁମାନଙ୍କୁ ଦୁଷ୍କର୍ମ ଓ ହତ୍ୟା ମହାମାରୀ ଭଳି ସାରା ଦେଶରେ ବ୍ୟାପିବାରେ ଲାଗିଛି ଏବଂ ଏହା ଯେ ନିତିଦିନର ଖବରରେ ପରିଣତ ହୋଇଛି, ଏହାଠାରୁ ବଳି ଦୁର୍ଭାଗ୍ୟର କଥା କ’ଣ ହୋଇପାରେ? କନ୍ୟା ଭୃଣ ହତ୍ୟାକୁ ଦୃଷ୍ଟିରେ ରଖି ହୁଏତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଲୋଗାନ ଦେଇଥିଲେ - ବେଟୀ ପଢ଼ାଓ, ବେଟୀ ବଚାଓ । ଏହାଠାରୁ ଅଧିକ ମର୍ମନ୍ତୁଦ ଘଟଣା ହେଲା, କନ୍ୟା ଜନ୍ମ ହେବା ପରେ ପଢ଼ୁଥିବା ଓ ବଢ଼ୁଥିବା ଅବସ୍ଥାରେ ସେମାନଙ୍କର ସୁକୁମାର ସ୍ୱପ୍ନକୁ ଯୌନ ପିଶାଚଙ୍କ ପପ୍ତା ତଳେ ନିଃଶେଷ କରିଦେବା। କେଉଁଠି ରହିଲା ସତରେ ସ୍ୱଚ୍ଛ ଭାରତ! ନୂଆ ଭାରତ! ଦେଶରେ ୨୦୦୭ରେ ପ୍ରତି ଘଣ୍ଟାରେ ହାରାହାରି ୨୧ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହେଉଥିବାବେଳେ ତାହା କ୍ରମାଗତ ଭାବେ ବୃଦ୍ଧି ପାଇ ପ୍ରତି ଘଣ୍ଟାରେ ଏବେ ୩୯ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହେଉଛି। ତୁରନ୍ତ ନ୍ୟାୟ, ଦୃଷ୍ଟାନ୍ତମୂଳକ ଶାସ୍ତି କେବଳ କଥାରେ, ଗଣମାଧ୍ୟମର ଜୋରଦାର ଆଲୋଚନାରେ ସୀମିତ ହୋଇ ରହିଯାଇଛି। ବିଡ଼ମ୍ୱନାର ବିଷୟ ହେଲା, ଏକ ସୁନ୍ଦର ଭାରତ, ସ୍ୱଚ୍ଛ ଭାରତ, ସଭିଙ୍କର ଭାରତର ସ୍ୱପ୍ନ ବାଣ୍ଟୁଥିବା ଶାସନ ପ୍ରଧାନ ନରେନ୍ଦ୍ରଙ୍କ ନିଜ ଦଳରେ ଅସ୍ୱଚ୍ଛ, ଅସୁନ୍ଦର, ଅସଭ୍ୟ, ଅସାମାଜିକ ବ୍ୟକ୍ତିମାନଙ୍କର ଅନୁପ୍ରବେଶ ଏବଂ ଆଇନ୍ ପ୍ରଣୟନ ତଥା ଶାସନରେ ସେମାନଙ୍କର ଅଂଶଗ୍ରହଣ। ଉତ୍ତର ପ୍ରଦେଶକୁ ଉତ୍ତମ ପ୍ରଦେଶରେ ପରିଣତ କରିବାକୁ ସଂକଳ୍ପ ନେଇଥିବା ଯୋଗୀରାଜଙ୍କ ଶାସନରେ ଜଣେ ମାନ୍ୟବରଙ୍କ ଦୁଷ୍କର୍ମରେ ସଂପୃକ୍ତି ଏବଂ କାଶ୍ମୀରରେ ଦୁଇ ଜଣ ମନ୍ତ୍ରୀଙ୍କ ଧର୍ଷଣ ଅଭିଯୁକ୍ତ ସପକ୍ଷରେ ଶୋଭାଯାତ୍ରା ଓ ଆନ୍ଦୋଳନ। କହିବା କାହାକୁ? କାହା ଉପରେ ଆସ୍ଥା ରଖିବେ ଭାରତର ନିରୀହ, ସରଳ ଜନସାଧାରଣ? କ୍ଷମତାଭୋଗର ପ୍ରକ୍ରିୟାରେ ଦଳ ପରେ ଦଳ ବଦଳୁଥିବେ। ବଦଳି ଯାଉଥିବ ମୁଖିଆଙ୍କ ମୁହଁ। କାଲି ମୋହନ ଥିଲେ ତ ଆଜି ମୋଦି। ଆଉ କେବେ ହୁଏତ ଆସିପାରନ୍ତି ମମତା କି ମାୟାବତୀ। ମାତ୍ର ବଦଳୁନଥିବ ପରିସ୍ଥିତି। ସବୁକିଛି ବିଗିଡ଼ିବାରେ ଲାଗିଥିବ। ବରଂ ଅଧିକରୁ ଅଧିକ ଅଧୋଗତିକୁ ସାମ୍ନା କରି ଲୋକେ ଶୁଣୁଥିବେ ଦଳର ମୁଖପାତ୍ରଙ୍କ ଯୁକ୍ତି - ପରସ୍ପର ପ୍ରତି ଆକ୍ଷେପ ଓ ପ୍ରତିଆକ୍ଷେପର ଉକ୍ତି। ଏବର ଶାସନରେ ଥିବା ଦଳର ମୁଖପାତ୍ରମାନେ ପୂର୍ବ ଦଳର ଦୁର୍ଗୁଣ ବଖାଣୁଥିବେ। ତୁଳନାତ୍ମକ ଚିତ୍ର ଦେଇ ନିଜର ବଡ଼ିମା ଦେଖାଉଥିବେ। ଲୋକଙ୍କର ଆସ୍ଥା ତୁଟୁଥିବ। ଘନଘୋର ଅନ୍ଧାର ଭିତରେ ହାତରେ ମହମବତୀଟିଏ ଧରି ତଥାପି ସେମାନେ ରାସ୍ତା ଖୋଜୁଥିବେ। ଆଶା ବାନ୍ଧୁଥିବେ। ତୁଟି ଯାଉଥିବା ଆସ୍ଥାର ପୁନଃନିର୍ମାଣ କରି ନୂତନ ଉଜ୍ଜ୍ୱଳ ଭାରତର ସ୍ୱପ୍ନ ଦେଖୁଥିବେ। ଏମିତି କ'ଣ ଗଡ଼ି ଚାଲିଥିବ ସ୍ୱପ୍ନ ଦେଖା ଓ ସ୍ୱପ୍ନଭଙ୍ଗାର କାହାଣୀ? ସେବକମାନେ ମାଲିକର ଭୂମିକାରେ ନିଜର ଠାଣି ମାଣି ଦେଖାଉଥିବେ। ଅପରାଧୀମାନେ ମାନ୍ୟବର ସାଜି ଆଇନ୍ ପ୍ରଣୟନ କରୁଥିବେ। ଆଇନ୍ର ରକ୍ଷକ ଓ ପାଳକମାନେ ଖୋଲାଖୋଲି ସେମାନଙ୍କର ଅସହାୟତା ପ୍ରକାଶ କରୁଥିବେ। ଆଉ ବହୁ ବିଳମ୍ୱରେ ଆମର ସେବକ - ପ୍ରଧାନ ଦୃଢ଼ କାର୍ଯ୍ୟାନୁଷ୍ଠାନର ଗତାନୁଗତିକ ସ୍ୱର ଓ ସଂଳାପ ବାଢ଼ି ଆତ୍ମରକ୍ଷାର ଖୋଳପା ଭିତରେ ମୁହଁ ଲୁଚାଇ ଦେଉଥିବେ। କେତେ ଦିନ ଚାଲିବ ଏ ପ୍ରହସନ? ଦେଶର ୩୦ ପ୍ରତିଶତ ଆଇନ୍ ପ୍ରଣେତାଙ୍କର ରହିଛି ଅପରାଧିକ ପୃଷ୍ଠଭୂମି। ସଂସଦରେ ଅପରାଧ ରେକର୍ଡ଼ ଥିବା ସାଂସଦଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ି ଚାଲିଛି। ୨୦୦୪ରେ ଏହି ସଂଖ୍ୟା ୨୪ ପ୍ରତିଶତ ଥିବା ବେଳେ ୨୦୧୪ ବେଳକୁ ଏହା ହୋଇଯାଇଥିଲା ୩୪ ପ୍ରତିଶତ। ଅପରାଧୀମାନଙ୍କୁ ଦଳ ଭିତରକୁ ପାଛୋଟି ଆଣି ସେମାନଙ୍କୁ ନିର୍ବାଚନରେ ଅଂଶଗ୍ରହଣର ସୁଯୋଗ ଦେଇ, ମାନ୍ୟବର ବିଧାୟକ, ସାଂସଦ ଏପରିକି ମନ୍ତ୍ରୀର ମୁକୁଟ ପିନ୍ଧେଇ କେମିତି, କେଉଁଭଳି ଭାବରେ ଗଢ଼ି ହେବ ନୂଆ ଭାରତ? ଗୋଟିଏ ଦୁଷ୍କର୍ମର କ୍ଷତ ଶୁଖି ନାହିଁ। କଳା କାରନାମାର ତଦନ୍ତ ସରି ନାହିଁ। ଏହି ଲେଖକର ଲେଖାରେ ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ। ଅଥଚ ଦୃଷ୍ଟିକୁ ଆସିଲାଣି ଏକାଧିକ ଘଟଣା ସେଇ ଉତ୍ତର ପ୍ରଦେଶରେ - ବେଟୀ ବଚାଓର ସ୍ଲୋଗାନକୁ ଏକ ପ୍ରକାର ଚାଲେଞ୍ଜ ଦେଇ। ଆମ ଶାସନର ପ୍ରଧାନମାନଙ୍କୁ ଅନୁରୋଧ, ଦୟାକରି ଆମକୁ ଆଉ ମଧୁର, ମନମୋହକ କଥା ଶୁଣାଇ କ୍ଷତରେ ଲବଣ ସିଞ୍ଚନ କରନ୍ତୁ ନାହିଁ। ବାରମ୍ୱାର ଆମ ଆସ୍ଥା ଉପରେ କଟୁରିର ଚୋଟ ମାରନ୍ତୁ ନାହିଁ। ବରଂ ନିଜ ଚଉଡ଼ା ଛାତିରେ ଆମ ଛାତି ତଳର ବ୍ୟଥାକୁ ରଖି ଚୁପ୍ଚାପ୍ ଆମ ସ୍ୱପ୍ନର ଭାରତ ନିର୍ମାଣରେ ନିଜର ପାରଦର୍ଶିତା ପ୍ରଦର୍ଶନ କରନ୍ତୁ। କଥା ନୁହେଁ କାର୍ଯ୍ୟ - ଏମିତି କାର୍ଯ୍ୟ, ଯାହାଫଳରେ ସତରେ ଆମ ବେଟୀମାନେ ବଞ୍ଚିପାରିବେ, ବଢ଼ି ପାରିବେ, ପଢ଼ିପାରିବେ ଏବଂ ବଡ଼ ହୋଇ କ୍ଷମତାରେ ଅଧିଷ୍ଠିତ ନର ଇନ୍ଦ୍ର ବା ନବୀନ ଚନ୍ଦ୍ରମାନଙ୍କୁ ପ୍ରଶ୍ନ କରିବାର ସାହସ ଦେଖାଇପାରିବେ। କଂସାରୀଝର, ୟୁନିଟ୍-୬, ଭୁବନେଶ୍ୱର

Share :