ରେଶମ ନଗରୀରେ ଅମୃତ ଯୋଜନା କେତେ ସଫଳ?

ରେଶମ ନଗରୀରେ ଅମୃତ ଯୋଜନା କେତେ ସଫଳ?

Share :

ହେମାଙ୍ଗ ରାଉଳ ସମଗ୍ର ଭାରତ ବର୍ଷରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଗୃହ ଓ ସହରାଞ୍ଚଳ ବିକାଶ ବିଭାଗ ଅମୃତ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇ ବିଭିନ୍ନ ରାଜ୍ୟର ବଛା ବଛା ନଗରକୁ ନେଇ କାମ ଆରମ୍ଭ କରିବା ପାଇଁ ସୁଯୋଗ ସୃଷ୍ଟି ହେଲା। ଓଡ଼ିଶାର ଅମୃତ ଯୋଜନାରେ ବ୍ରହ୍ମପୁର ସ୍ଥାନିତ ହୋଇଥିଲା। ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ଅମୃତ ଯୋଜନାର ସୁଫଳ ସହରବାସୀଙ୍କୁ ମିଳିନାହିଁ। ଓଡ଼ିଶା ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ହେତୁ ବ୍ରହ୍ମପୁର ମହାନଗର ନିଗମରେ ଅମୃତ ଯୋଜନାର ସ୍ଥିତିକୁ ନେଇ ଜନସାଧାରଣଙ୍କ ମନରେ ପ୍ରଶ୍ନ ସୃଷ୍ଟି ରହିଛି। ମହାନଗର କମିଶନର, ମେୟର ଓ ବୈଷୟିକ ବିଭାଗୀୟ ଯନ୍ତ୍ରୀ ପ୍ରମୁଖ ଅମୃତ ଯୋଜନାର କାର୍ଯ୍ୟ ତଦାରଖ ପାଇଁ ସରକାରୀ ପଇସାରେ ତାଲିମ୍ରେ ପାଇଁ ଯାଇଛନ୍ତି। ବିଭିନ୍ନ ରାଜ୍ୟ ଓ ଜାତୀୟ ସ୍ତରର କର୍ମଶାଳାରେ ଭାଗ ବି ନେଇ ଫେରି ଆସିଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କର ଅଭିନବ ପ୍ରୟାସ ଅମୃତ ଆଜି ସହରରେ ନିରୁଦ୍ଦିଷ୍ଟ ହେବା ପରି ମନେହୁଏ। ଓଡ଼ିଶା ସରକାର ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ବ୍ରହ୍ମପୁର, ସମ୍ୱଲପୁର, ବାଲେଶ୍ୱର, ବାରିପଦା, ଭଦ୍ରକ ଆଦି ୯ଟି ଅର୍ବାନ୍ ପ୍ରୋଜେକ୍ଟ ପାଇଁ ପ୍ରଥମ ପର୍ଯ୍ୟାୟରେ ୫୩୮ କୋଟି ଟଙ୍କା ବ୍ୟୟବରାଦ ଘୋଷଣା କରିଥିଲେ। ଯା’କି ୫୦ ଭାଗ ଅର୍ଥ କେନ୍ଦ୍ର ଓ ଅନ୍ୟ ୫୦ ଭାଗ ଅର୍ଥ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା ହୋଇଥିଲା। ୧୦୦ ପ୍ରତିଶତ ଅର୍ଥରୁ ପ୍ରଥମେ ୨୦ ପ୍ରତିଶତ, ପରେ ୪୦ ପ୍ରତିଶତ ଓ ଶେଷରେ ୪୦ ପ୍ରତିଶତ ଟଙ୍କା ଆସିଥାଏ। ୨୦୧୫ ମସିହାରେ ବ୍ରହ୍ମପୁର ସହରକୁ ଏହି ଯୋଜନାରେ ସାମିଲ କରାଗଲା। ମୁଖ୍ୟତଃ ତିନୋଟି ପର୍ଯ୍ୟାୟ ଯଥା ଜଳଯୋଗାଣ, ପାର୍କ ସୌନ୍ଦର୍ଯ୍ୟକରଣ, ସ୍ୱରାଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ବିକାଶ ଏହି ଅମୃତ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ବ୍ରହ୍ମପୁର ସହରରେ ୨୦୧୫/୧୬ ଆର୍ଥିକ ବର୍ଷର ପାର୍କ ନିର୍ମାଣ ବା ସୌନ୍ଦର୍ଯ୍ୟକରଣ ନେଇ ଇନ୍ଦିରା ପ୍ରିୟଦର୍ଶିନୀ ପାର୍କ ପାଇଁ ୨୬ ଲକ୍ଷ ଟଙ୍କା, ଧୋବାବନ୍ଧ ପାର୍କ ପାଇଁ ୨୮ ଲକ୍ଷ, ବିଜୁ ପଟ୍ଟନାୟକ ପାର୍କ ସୌନ୍ଦର୍ଯ୍ୟକର ପାଇଁ ୨୭ ଲକ୍ଷ ଖର୍ଚ୍ଚ କରାଯାଇଛି। ବୈକୁଣ୍ଠ ନଗର ପାର୍କ ପାଇଁ ୩୨ ଲକ୍ଷ ଟଙ୍କା ବରଦା ହୋଇଛି, ଯାହାକି କାମ ଚାଲିଛି। ୨୦୧୬-୧୭ ଆର୍ଥିକ ବର୍ଷରେ ନୀଳକଣ୍ଠନଗର ପତିତପାବନ ନଗର, କୃଷ୍ଣା ବିହାର ଏବଂ ଇଣ୍ଡଷ୍ଟ୍ରିୟାଲ୍ ଛକରେ ପାର୍କ ପାଇଁ ୯୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ସେହିପରି ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଲାଞ୍ଜିପଲ୍ଲି ପାର୍କ ପାଇଁ ୬୪ ଲକ୍ଷ ଟଙ୍କାର କାମ ଚାଲିଥିବା ବେଳେ ଗଣେଶ ନଗର ପାର୍କ ପାଇଁ ୩୬ ଲକ୍ଷ ଏବଂ ୨୦୧୫-୧୬ ଜଳସେଚନ ପ୍ରକଳ୍ପରେ କାଳିଆବିଲ୍-ଜଗନ୍ନାଥପୁର ୭ କି.ମି. ପାଇପ୍ ଲାଇନ୍, ଜଗନ୍ନାଥପୁରରୁ-ଲାଞ୍ଜିପଲ୍ଲୀ-ଆଙ୍କୋଲି ପାଇପ୍ ଲାଇନ୍, ଜଗନ୍ନାଥପୁରରୁ ଗୋପାଳପୁର ଛକ ପାଇପ୍ ଲାଇନ୍ ପାଇଁ ଆନୁମାନିକ ୭ କୋଟି ଟଙ୍କାର କାମ ଚାଲିଛି। ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ଦକ୍ଷିଣପୁର-ଗୋଷାଣିନୂଆଗାଁ ପାଇପ୍ ଲାଇନ୍, ଲାଞ୍ଜିପଲ୍ଲୀ ଓଭର୍ହେଡ଼୍ ଟ୍ୟାଙ୍କ, ଭୂମିତଳ ଜଳ ସଂରକ୍ଷଣ ପାଇଁ ୫ କୋଟି ଟଙ୍କା, ୨୦୧୭-୧୮ ଆର୍ଥିକ ବର୍ଷରେ ବ୍ରହ୍ମପୁର ସହରର ୨୫ ସ୍ଥାନରେ ସୋଲାର ପ୍ଲାଣ୍ଟେସନ ପାଇଁ ୧.୭୦ ଲକ୍ଷ ବ୍ୟୟ ଅଟକଳରେ କରାଯାଇଛି। ୬ଟି ସ୍ଥାନରେ ଭୂମିତଳ ପ୍ଲାଣ୍ଟରେ ଜଳ ଓ ବିଦ୍ୟୁତ ନଥିଲେ ଜଳଯୋଗାଣ ପାଇଁ ବ୍ୟାକ୍ ଅପ୍ ପାୱାର ଜେନେରେଟର ପାଇଁ ୯୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ମହୁଡ଼ାଠାରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୧ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ଏତେଗୁଡ଼ିକ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ତାହା କେବେ ଓ କେଉଁଠାରେ ଖର୍ଚ୍ଚ ହେଉଛି ଲୋକେ ଜାଣିପାରୁନାହାନ୍ତି। କେଉଁଠାରେ କାମ ଚାଲି ଅଧାରୁ ବନ୍ଦ ରହିଛି ତ କେଉଁଠାରେ କାମ ଧିମେଇ ଯାଇଛି। କେଉଁଠାରେ କାମ ନିମ୍ନମାନର ହେଉଥିବା ମଧ୍ୟ ଜନସାଧାରଣ ଅଭିଯୋଗ କରୁଛନ୍ତି। ତେଣୁ ବ୍ରହ୍ମପୁରରେ ଅମୃତ ଯୋଜନା ଆଜି ସଂଦେହ ଘେରରେ। କେଉଁ ବ୍ୟବସ୍ଥାରେ ଅମୃତ ଯୋଜନା ଆଜି ନୀରବି ଯାଇଛି କିମ୍ୱା ଅମୃତର କାର୍ଯ୍ୟଶୈଳୀ ଠିକ୍ ଭାବରେ ପରିଚାଳିତ କରିବା ପାଇଁ ମାନସିକତାର ଅଭାବ ରହିଛି- ଏହା ଏକ ବିତର୍କର ପ୍ରଶ୍ନ। ମହାନଗର ବ୍ରହ୍ମପୁରରେ କାର୍ଯ୍ୟଶୈଳୀକୁ ନେଇ ସେମିତି କିଛି ଉନ୍ନତି ଦେଖାଦେଇନାହିଁ। ଏଠାକାର ମହାନଗର ପରିଚାଳନା ଦାୟିତ୍ୱରେ ରାଜ୍ୟ ସରକାର ଦୁଇ ଦୁଇଟି ଆଇଏଏସ୍ ଅଫିସରଙ୍କୁ ମଧ୍ୟ ଇତିମଧ୍ୟରେ କାର୍ଯ୍ୟ କରିବାର ସୁଯୋଗ ଦେଇଛନ୍ତି। ପ୍ରଥମ ଆଇଏଏସ୍ ଅଫିସର ନିଖିଳ ପବନ କଲ୍ୟାଣ କମିଶନର ପଦରେ ଆସି ଶ୍ରେଷ୍ଠ ବ୍ରହ୍ମପୁର ନାରା ଦେଇ ସହରରେ ଏକମାତ୍ର ଏକ ବର୍ଷରୁ କମ୍ କାର୍ଯ୍ୟକାରୀ ଥିଲେ ମଧ୍ୟ ତାଙ୍କ ପାଇଁ ବିଶେଷ ସୁଯୋଗ ସୃଷ୍ଟି ହେବା ପୂର୍ବରୁ ସେ ସ୍ଥାନାନ୍ତର ହୋଇଥିଲେ। କର୍ପୋରେଟରମାନେ ହାଲାବୋଲ କରି ମହାନଗରରେ ପାଟିତୁଣ୍ଡ କରୁ କରୁ ବିଜେଡ଼ି ଶିବିରରେ ପାଲଟିଗଲା ମହାନଗର କାର୍ଯ୍ୟାଳୟ। ଶାସକ ଓ ବିଭାଗର ସତ୍ତା ହଜିଯିବା ଦ୍ୱାରା କିଏ କି କାମ କରୁବା ନକରୁ ସରକାରଙ୍କ କାର୍ଯ୍ୟକୁ ନେଇ ଆପତ୍ତି ନାହିଁ କି ଅଭିଯୋଗ ରହିବାର ନାହିଁ। ଅମୃତ ଯୋଜନାର ସବିଶେଷ ବିବରଣୀ ପ୍ରସ୍ତୁତି ପାଇଁ ଆମେ ମନବଳାଇ ଯେଉଁମାନଙ୍କୁ ଯୋଗାଯୋଗ କରିଲୁ ଉତ୍ତର ମନକୁ ପାଇଲା ପରି ମିଳିନାହିଁ। କେନ୍ଦ୍ର ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ରାଜ୍ୟ ସରକାର ନିଜର କହିବା ପାଇଁ ଆନ୍ତରିକତାର ଅଭାବ। ଜାନବିଲ ପ୍ରୋଜେକ୍ଟର ସ୍ଥାଣୁତା ଏହାର ଜ୍ୱଳନ୍ତ ଉଦାହରଣ। ଯୋଜନାକୁ ଗୋଟାଇ ଆଣି ଜନସେବାରେ ସମର୍ପିଦେବାର ଭାବନାଟି ବଳବତ୍ତର ରହିଲେ ହିଁ ଅମୃତ ଯୋଜନା ପରି ଅନେକ ଯୋଜନାର ସୁଫଳ ସାଧାରଣ ନାଗରିକ ପାଇବେ। ଅନ୍ୟତା ଏଇ ଯୋଜନାର ରୂପରେଖ ଫାଇଲକୁ ଆସି ଫାଇଲ୍ରେ ରହି ଅର୍ଥ ମଧ୍ୟ ଫେରିଯିବା ସାର ହେବ।

Share :