ବଲାଙ୍ଗୀରରେ ଏଲପିଜି ବଟଲିଂ ପ୍ଲାଂଟର ଶୁଭ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ବଲାଙ୍ଗୀରରେ ଏଲପିଜି ବଟଲିଂ ପ୍ଲାଂଟର ଶୁଭ ଦେଲେ ଧର୍ମେନ୍ଦ୍ର ପ୍ରଧାନ

Share :

୧୦୩ କୋଟି ଟଙ୍କା ପ୍ରାରମ୍ଭିକ ବ୍ୟୟ ଅଟକଳରେ ବଲାଙ୍ଗୀରଠାରେ ଭାରତ ପେଟ୍ରୋଲିୟମ୍ ଦ୍ୱାରା ପ୍ରତିଷ୍ଠିତ ହେବାକୁ ଥିବା ଏଲପିଜି ବଟଲିଂ ପ୍ଲାଂଟର ଶୁଭ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାୱର ଚାନ୍ଦ୍ ଗେହଲଟଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଏହି ବଟଲିଂ ପ୍ଲାଂଟର କାର୍ଯ୍ୟ ସମାପ୍ତ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ନାଁ ନନେଇ ରାଜ୍ୟରେ ବିଭିନ୍ନ ପ୍ରକଳ୍ପ ସାଙ୍କେତିକ ଭାବରେ ମାନ୍ୟବରଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ଦିଆଯାଉଥିବା ବେଳେ ବଲାଙ୍ଗୀରର ବଟଲିଂ ପ୍ଲାଂଟର କାମ ଶୁଭ ଦେବା ସହ ଦ୍ରୁତ ଗତିରେ ଆଗେଇ ଚାଲିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ବଟଲିଂ ପ୍ଲାଂଟ ସମ୍ପୂର୍ଣ୍ଣ ହେଲେ ରାଜ୍ୟର ୧୪ଟି ଜିଲ୍ଲାକୁ ଏଲପିଜି ଯୋଗାଣ ଆହୁରି ସହଜ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ପ୍ରକଳ୍ପରେ ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଭର୍ତ୍ତି କରିବାର କ୍ଷମତା ରହିଥିବା ବେଳେ ସ୍ଥାନୀୟ ଯୁବ ଗୋଷ୍ଠୀ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ୨୦୧୪ ମସିହାରେ ରାଜ୍ୟର କୋଟିଏ ଘରୁ ମାତ୍ର ୨୦ ଲକ୍ଷ ଘରେ ଏଲପିଜି ସଂଯୋଗ ଥିବା ବେଳେ ଆଜି ଦିନରେ ତାହା ୬୦ ଲକ୍ଷରୁ ଅଧିକ ହୋଇସାରିଲାଣି । ବଲାଙ୍ଗୀର ଜିଲ୍ଲାର ହିସାବ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ବଲାଙ୍ଗୀର ଜିଲ୍ଲାରେ ୨୦୧୪ ସୁଦ୍ଧା ମୋଟ ୪୦ ହଜାର ଘରେ ଏଲପିଜି ଥିବା ବେଳେ ଏବେ ତାହା ୨.୩୧ ଲକ୍ଷ ଘରେ ପହଂଚିସାରିଲାଣି । ୬୦ ବର୍ଷରେ ୪୦ ହଜାର ଓ ୪ ବର୍ଷରେ ୧.୯୧ ଲକ୍ଷ ଏଲପିଜି ଯୋଗାଣ ମୋଦି ସରକାରଙ୍କ କାର୍ଯ୍ୟଦକ୍ଷତାର ପ୍ରମାଣ । ଶ୍ରୀ ପ୍ରଧାନ କହିଛନ୍ତି ଖାଲି ଗ୍ରାହକ ସଂଖ୍ୟାରେ ନୁହେଁ ବଲାଙ୍ଗୀର ଜିଲ୍ଲାରେ ୩୨ଟି ଏଲପିଜି ବିତରକ ସଂଖ୍ୟାରେ ଆଉ ୧୬ଟି ଯୋଡି ଏହାକୁ ୪୮କୁ ବୃଦ୍ଧି କରାଯାଇପାରିଛି । ସେ କହିଛନ୍ତି ବରଗଡ ଜିଲ୍ଲାରେ କୃଷି ବର୍ଜ୍ୟରୁ ଇନ୍ଧନ କାରଖାନା ଭାରତ ସରକାର ଆରମ୍ଭ କରିବାକୁ ଯାଉଥିବା ବେଳେ ବଲାଙ୍ଗୀରରେ ମଧ୍ୟ ରାଜ୍ୟ ସରକାରଙ୍କ ସହଯୋଗ ମିଳିଲେ ସେପରି ଏକ ପ୍ରକଳ୍ପ ଜିଲ୍ଲା ଓ ଆଖପାଖ ଜିଲ୍ଲାର ଅର୍ଥନୀତିକୁ ମଜବୁତ୍ କରିବ । ଭାରତ ସରକାରଙ୍କ ହାତରେ ଏଲପିଜି ଯୋଗାଣ ଦାୟିତ୍ୱ ସିଧାସିଧା ଥିବା କାରଣରୁ ଏହି କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଛି । ମାତ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଲାଙ୍ଗୀର ଜିଲ୍ଲା ପାଇଁ ୬୬,୯୮୫ ଘର ପାଇଁ ଭାରତ ସରକାର ଅର୍ଥ ଯୋଗାଇଥିବା ବେଳେ ମାତ୍ର ୨୯.୭୧୮ ଘର ବର୍ତ୍ତମାନ ସୁଦ୍ଧା ପୂରଣ ହୋଇପାରିଛି । ସବୁ ଘରେ ବିଜୁଳି ଲଗାଇବା ପାଇଁ କେନ୍ଦ୍ର ଅର୍ଥ ଦେଇଛି । ମାତ୍ର ବିଜୁଳି ଯୋଗାଣ ମନ୍ଥର ରହିଛି । ସେହିପରି ପାଇଖାନା ଯୋଗାଣ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଜନ ଆନ୍ଦୋଳନ କରିଥିବା ବେଳେ ବଲାଙ୍ଗୀର ଜିଲ୍ଲା ରାଷ୍ଟ୍ରୀୟ ହାର ଠାରୁ ବହୁ ପଛରେ ରହିଛି । ଶ୍ରୀ ପ୍ରଧାନ କହିଛନ୍ତି ରେଳପଥ ନେଇ ବଲାଙ୍ଗୀର ଲୋକଙ୍କର ବଡ଼ ଆକାଂକ୍ଷା ରହିଛି । ରାଜ୍ୟ ସରକାର ଭୂମି ଯୋଗାଇନଥିବା କାରଣରୁ କାମ ଆଗେଇ ପାରୁନାହିଁ । ଯେତେ ଶୀଘ୍ର ଜାଗା ମିଳିବ ସେତେ ଶୀଘ୍ର କାମ ଆଗେଇବ । ଶ୍ରୀ ପ୍ରଧାନ କହିଛନ୍ତି ଭୁବନେଶ୍ୱରରେ ରେଳ ଓ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ ବଲାଙ୍ଗୀରର ପ୍ରବୃଦ୍ଧ ନାଗରିକଙ୍କ ଉପସ୍ଥିତିରେ ସମୀକ୍ଷା କରିବା ପାଇଁ ପ୍ରସ୍ତାବ ଦେବା ସହ ଏପରି ହେଲେ କାହା ପାଇଁ ରେଳ ନିର୍ମାଣ ମନ୍ଥର ହୋଇଛି ତାହା ସ୍ପଷ୍ଟ ହୋଇଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ବଲାଙ୍ଗୀରରେ ଏକ ଇନଡୋର ଷ୍ଟାଡିୟମ୍ ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗେଲ୍ ରାଜି ହୋଇଥିବା ବେଳେ ରାଜ୍ୟ ସରକାର ଭୂମି ଓ ଅନ୍ୟାନ୍ୟ ସୁବିଧା ନଯୋଗାଇବା କାରଣରୁ ଏହା ଆହୁରି ବିଳମ୍ବିତ ହେଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ବିଜେଡି ସାଂସଦ ଆସିବାପାଇଁ ପୂର୍ବରୁ ମନା କରିଥିବା ବେଳେ ଦଳର ବିଧାୟକ ଆୟୁବ୍ ଖାନ୍ ଓ ଟୁକୁନି ସାହୁ ଶେଷ ମୁହୂର୍ତରେ ନଆସିବା ନେଇ ପରୋକ୍ଷରେ ସମାଲୋଚନା କରିଛନ୍ତି ଶ୍ରୀ ପ୍ରଧାନ ।

Share :