ନବୀନ ସରକାର ଭ୍ରଷ୍ଟ ଓ ବିଫଳ

ନବୀନ ସରକାର ଭ୍ରଷ୍ଟ ଓ ବିଫଳ

Share :

(ଭୁବନେଶ୍ୱରର ଏଚଏଚଆଇ ହୋଟେଲରେ ୨୦୧୮ ମେ ୧୯, ୨୦ ତାରିଖରେ ଗୃହୀତ ହୋଇଥିବା ରାଜନୀତିକ ପ୍ରସ୍ତାବକୁ ଏଠାରେ ଅବିକଳ ଉପସ୍ଥାପନ କରାଯାଇଛି ।) ପ୍ରଧାନମନ୍ତ୍ରୀ ଭାବେ ମାନନୀୟ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ୪ବର୍ଷ ପୂରଣ ହେବାକୁ ଯାଉଛି । ଦେଶରେ ବିକାଶର ଧାରା ତ୍ୱରାନ୍ୱିତ ହୋଇଛି । କଂଗ୍ରେସର ୪୮ ବର୍ଷ ଭିତରେ ଦେଶରେ ଯାହା ବିକାଶ ହୋଇଥିଲା, ଆଜି ୪୮ ମାସ ଭିତରେ ସର୍ବବ୍ୟାପୀ ସର୍ବସ୍ପର୍ଶୀ ବିକାଶ ବହୁଗୁଣିତ ଭାବେ ଆଗେଇ ଚାଲିଛି । ଦେଶର ଅର୍ଥନୀତି ଠାରୁ ଆରମ୍ଭ କରି ମହିଳା, ଯୁବକ, କୃଷକ, ଛାତ୍ର, ଦଳିତ ସମାଜ, ଜନଜାତି ସମାଜ ପର୍ଯ୍ୟନ୍ତ ପ୍ରତି ବର୍ଗରେ କେନ୍ଦ୍ର ସରକାରଙ୍କର ପ୍ରଗତିର ସ୍ପର୍ଶ ପହଂଚିଛି । ଏଭଳି ଏକ ପ୍ରଗତିଶୀଳ ଓ ଯୁଗାନ୍ତକାରୀ ଶାସନ ବ୍ୟବସ୍ଥା ପାଇଁ ଆଜିର କାର୍ଯ୍ୟକାରିଣୀ ମାନନୀୟ ପ୍ରଧାନମନ୍ତ୍ରୀ, ତାଙ୍କର ମନ୍ତ୍ରୀ ପରିଷଦ ଓ କେନ୍ଦ୍ର ସରକାରଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଉଛି । ଆଗାମୀ ମେ ୨୬ ତାରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି କଟକଠାରୁ କେନ୍ଦ୍ର ସରକାରଙ୍କର ଚତୁର୍ଥ ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ଦେଶକୁ ସମ୍ବୋଧିତ କରିବାକୁ ନିଷ୍ପତ୍ତି ନେଇଥିବାରୁ ଆମେ ତାଙ୍କୁ ଆମର କୃତଜ୍ଞତା ଜଣାଉଛୁ । ରାଜ୍ୟରେ ମହିଳା ଉତ୍ପୀଡ଼ନ ଦିନକୁ ଦିନ ବଢ଼ିଚାଲିଛି । ପୂର୍ବରୁ ଯୌତୁକ ଜନିତ ବା ଅନ୍ୟାନ୍ୟ ପାରିବାରିକ ସମସ୍ୟା ଜନିତ ଉତ୍ପୀଡ଼ନର କଥା ନଜରକୁ ଆସୁଥିଲା । କିନ୍ତୁ ବିଗତ ୫/୬ ବର୍ଷ ଧରି ଓଡ଼ିଶାରେ ନାରୀ ଧର୍ଷଣ ଓ ତଜ୍ଜନିତ ହତ୍ୟା ଅସମ୍ଭବ ଭାବରେ ବଢ଼ିଚାଲିଛି ଏବଂ ମୁଖ୍ୟମନ୍ତ୍ରୀଙ୍କର ଅଧୀନସ୍ଥ ପୋଲିସ୍ ବିଭାଗ ଏହାକୁ ନିୟନ୍ତ୍ରଣ କରିବାକୁ ବା ଦୋଷୀକୁ ଧରିବାକୁ ଅକ୍ଷମ ହେଉଛି । ଏହାର ପ୍ରମୁଖ କାରଣ ହେଉଛି ଅଧିକାଂଶ ମହିଳା ଜନିତ ଅପରାଧରେ ସଂପୃକ୍ତ ବ୍ୟକ୍ତିମାନେ ଶାସକଦଳର ସଦସ୍ୟ ବା ତାଙ୍କର ସମର୍ଥିତ ଲୋକ ହିସାବରେ ସରକାରୀ ସୁରକ୍ଷା ମଧ୍ୟ ପାଉଛନ୍ତି । ଦୁର୍ଭାଗ୍ୟ ଜନକ ଭାବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି ଯେ ଓଡ଼ିଶାରେ ପ୍ରତିଦିନ ୬ ଜଣ ନାରୀ ଧର୍ଷଣର ଶିକାର ହେଉଛନ୍ତି ଏବଂ ଏନ୍.ସି.ଆର.ବି. ରିପୋର୍ଟ ଅନୁଯାୟୀ ନାରୀ ଧର୍ଷଣରେ ଓଡ଼ିଶାର ସ୍ଥାନ ସମଗ୍ର ଦେଶରେ ୨୭ ନମ୍ବରରେ । କୌଣସି ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ ନ ହେଉଥିବା କାରଣରୁ ଓ ଶାସକ ଦଳର ପ୍ରୋତ୍ସାହନ ପାଉଥିବା କାରଣରୁ ଓଡ଼ିଶା ପ୍ରଦେଶର ସାଧାରଣ ମହିଳା ଆଜି ଭୟଭୀତ ଓ ଆତଙ୍କିତ । ତାଙ୍କୁ ସୁରକ୍ଷା ଦେବା ସରକାରଙ୍କର ନୈତିକ କର୍ତ୍ତବ୍ୟ ହୋଇଥିଲେ ସୁଦ୍ଧା ବି.ଜେ.ଡ଼ି. ସରକାର ଏହାକୁ ହେୟଜ୍ଞାନ କରୁଥିବାରୁ ଏହି କାର୍ଯ୍ୟକାରିଣୀ ସରକାରଙ୍କୁ ନିଜର ନୀତି ସ୍ପଷ୍ଟ କରିବାକୁ ଚେତାବନୀ ଦେଉଛି । ମାନ୍ୟବର କେନ୍ଦ୍ର ସରକାର ମହିଳା ଉତ୍ପୀଡ଼ନ ବାବଦରେ କଠୋର ଆଇନ୍ ପ୍ରଣୟନ କରିଛନ୍ତି ଏବଂ ଫାଷ୍ଟ ଟ୍ରାକ୍ କୋର୍ଟ ମାଧ୍ୟମରେ ଏହାର ତୁରନ୍ତ ଫଇସଲା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଏକ ଅତ୍ୟନ୍ତ ଅଭିନନ୍ଦନୀୟ ପଦକ୍ଷେପ । ଏହି କାର୍ଯ୍ୟକାରିଣୀ ଆଜି ରାଜ୍ୟ ସରକାରଙ୍କ ପାଖରେ ଦାବୀ ଉପସ୍ଥାପନ କରୁଛି ଯେ ଏହି ଅନୁଯାୟୀ ରାଜ୍ୟରେ ତୁରନ୍ତ ସଂଖ୍ୟାଧିକ ଫାଷ୍ଟଟ୍ରାକ୍ କୋର୍ଟ ଖୋଲିବା ପାଇଁ ବ୍ୟବସ୍ଥା କରନ୍ତୁ । ଦୋଷୀ ଦୃଷ୍ଟାନ୍ତ ମୂକଳ ଦଣ୍ଡ ପାଇ ଏବଂ ମହିଳା ଉତ୍ପୀଡ଼ନ ନିୟନ୍ତ୍ରଣକୁ ଆସିବାର ଆରମ୍ଭ ହେବ । ଓଡ଼ିଶା ପାଇଁ ମହାନଦୀର ଜଳ ବିବାଦ ନିଶ୍ଚିତ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ପଡ଼ୋଶୀ ଛତିଶଗଡ଼ ସହିତ ମହାନଦୀରେ ବ୍ୟାରେଜ୍ ତିଆରି ହେବାକୁ ନେଇ ଚାଲିଥିବା ବିବାଦ ସମ୍ପର୍କରେ ଓଡ଼ିଶା ସରକାର ୨୦୦୬ ରୁ ଜାଣିଥିଲେ ସୁଦ୍ଧା ଏବଂ ଜଳ ସମ୍ପଦ ବିଭାଗର ମନ୍ତ୍ରୀ ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ଏ ସମ୍ପର୍କରେ ଜାଣିଥିଲେ ସୁଦ୍ଧା, ଦୀର୍ଘ ୧୦ ବର୍ଷ ଧରି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିଲେ ଏବଂ ରାଜ୍ୟକୁ ଏହି ସ୍ପର୍ଶକାତ୍ତର ବିଷୟରେ ଅଜ୍ଞ ରଖିଥିଲେ । ୨୦୧୬ରେ ଛତିଶଗଡ଼ର ବ୍ୟାରେଜ ନିର୍ମାଣ ବାବଦରେ କେନ୍ଦ୍ର ସରକାର ରାଜ୍ୟକୁ ଜଣାଇବା ପରେ ଓ ଗଣମାଧ୍ୟମରେ ଚର୍ଚ୍ଚା ହେଲା ପରେ ସରକାରଙ୍କ ନିଦ୍ରା ଭଙ୍ଗ ହେଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଥମ ରାଜନୈତିକ ଦଳ ଭାବେ ବି.ଜେ.ପି. ଏହାକୁ ଗୁରୁତ୍ୱର ସହ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା, ବିଧାୟକ ଦଳର ନେତା ଶ୍ରୀ କେ.ଭି. ସିଂହ ଦେଓଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ଟିମ୍, ତତକାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ସୁଶ୍ରୀ ଉମା ଭାରତୀଙ୍କୁ ଭେଟି ଥିଲେ ଏବଂ ଏହି ସମସ୍ୟାର ଏକ ଶୀଘ୍ର ସମାଧାନ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କର ହସ୍ତକ୍ଷେପ ଲୋଡ଼ିଥିଲେ । ସେହି ଅନୁଯାୟୀ ୨୦୧୬ ସେପ୍ଟେମ୍ବରରେ ସୁଶ୍ରୀ ଉମା ଭାରତୀ ନିଜ ମଧ୍ୟସ୍ଥତାରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କର ଏକ ବୈଠକ ଡ଼କାଇ ଆପୋଷ ଆଲୋଚନା କରିଥିଲେ । କିନ୍ତୁ ଓଡ଼ିଶା ସରକାରଙ୍କର ଅସହଯୋଗିତା କାରଣରୁ ଏବଂ ଶାସକ ଦଳର ରାଜନୈତିକ ଅଭିସନ୍ଧି ଯୋଗୁଁ ଓଡ଼ିଶା ମୁଖ୍ୟମନ୍ତ୍ରୀ କୌଣସି ସମାଧାନ ଚାହିଁଲେ ନାହିଁ । ବଦଳରେ କେନ୍ଦ୍ର ସରକାରଙ୍କ ଉପରେ ଓ ବି.ଜେ.ପି ଉପରେ ଅଯଥା ଦୋଷାରୋପ ଓ ବିଷୋଦଗାର କରି ରାସ୍ତାରେ ମାଠିଆ ଭାଙ୍ଗିବା, ଜିଲ୍ଲାପାଳଙ୍କ ଆଗରେ ଧାରଣା ଦେବା ଏବଂ ବର୍ତ୍ତମାନ ଏହି ବିଷୟ ଟ୍ରିବ୍ୟୁନାଲ୍ ଅଧୀନରେ ବିଚାର ପାଇଁ ଥିବା ସତ୍ତେ୍ୱ ଏକ ମହାନଦୀ ଯାତ୍ରାର ଡ୍ରାମା କରି ରାଜ୍ୟର ଶାସକ ଦଳ ଓ ମୁଖ୍ୟମନ୍ତ୍ରୀ ବାସ୍ତବରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଏହି ବିଷୟରେ ବି.ଜେ.ପି ଆରମ୍ଭରୁ ନିଜର ନୀତି ସ୍ପଷ୍ଟ କରିଥିଲା । ବିଧାନ ସଭାରେ ସର୍ବଦଳୀୟ କମିଟିରେ ଯୋଗଦେବା ଠାରୁ ଆରମ୍ଭ କରି, ରାଜ୍ୟ ସରକାର ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେବା ସମୟରେ ପୂର୍ଣ୍ଣ ସମର୍ଥନ ଦେଇଥିଲା ଏବଂ ଟ୍ରିବ୍ୟୁନାଲ୍ ଗଠନର ପ୍ରସ୍ତାବ ଆସିବା ସମୟରେ ମଧ୍ୟ ଓଡ଼ିଶା ବି.ଜେ.ପି , ଓଡ଼ିଶାର ସ୍ୱାର୍ଥର ସୁରକ୍ଷା ପାଇଁ ପୂର୍ଣ୍ଣ ଅଙ୍ଗୀକାର ବଦ୍ଧତା ପ୍ରଦର୍ଶନ କରିଥିଲା । କିନ୍ତୁ ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳ ଯେଉଁ ରାଜନୈତିକ ଡ୍ରାମା ଓଡ଼ିଶା ପ୍ରଦେଶରେ ଆରମ୍ଭ କରିଛନ୍ତି, ସେଥିପାଇଁ ଏହି ସମସ୍ୟାର ସମାଧାନ ପାଇଁ ତାଙ୍କର ନି । ଉପରେ ପ୍ରଶ୍ନବାଚୀମାନ ସୃଷ୍ଟି ହୋଇଛି । ଯଥା - ୧. ମହାନଦୀ ସମେତ ଓଡ଼ିଶାର ସମସ୍ତ ନଦୀ ଜଳର ୫୩ ପ୍ରତିଶତରୁ ୬୩ ପ୍ରତିଶତ ପର୍ଯ୍ୟନ୍ତ ଜଳ ସମୁଦ୍ରକୁ ବହିଯାଉଥିଲେ ସୁଦ୍ଧା ଗୋଟିଏ ବ୍ୟାରେଜ୍ ତିଆରି କରିବା ପାଇଁ ୧୮ ବର୍ଷ ଶାସନରେ ଓଡ଼ିଶା ସରକାରଙ୍କର ଅକ୍ଷମତା ଓ ଅଯୋଗ୍ୟତା କ'ଣ ପାଇଁ? ୨. ବାରମ୍ବାର ଆପୋସ ଅଲୋଚନା ପାଇଁ କେନ୍ଦ୍ର ସରକାର କ୍ଷେତ୍ର ପ୍ରସ୍ତୁତ କରିଥିଲେ ମଧ୍ୟ, ଆଲୋଚନା କମିଟିର ନିମନ୍ତ୍ରଣକୁ ଓଡ଼ିଶା ସରକାର ବାରମ୍ବାର ପ୍ରତ୍ୟାଖ୍ୟାନ କରି ଏହି ସମସ୍ୟାର ସମାଧାନ ଚାହୁଁ ନାହାନ୍ତି ବୋଲି ପ୍ରମାଣିତ କରିନାହାନ୍ତି କି? ୩. କେନ୍ଦ୍ର ସରକାର ମହାନଦୀ ଟ୍ରିବ୍ୟୁନାଲ୍ ଗଠନ କରି ଏହି ବିବାଦର ସମାଧାନର ରାସ୍ତା ଖୋଲିବା ପରେ ଓଡ଼ିଶା ସରକାର ନିଜର ପକ୍ଷ ରଖିବାକୁ ପ୍ରସ୍ତୁତି ନ କରି ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ କରୁଥିବା ପଦଯାତ୍ରା କାହା ସ୍ୱାର୍ଥରେ? ୪. ମହାନଦୀ ପଦଯାତ୍ରା ଏକ ରାଜନୈତିକ ଧୂଆଁ ବାଣ ଏବଂ ପଦଯାତ୍ରା କରୁଥିବା ଅଂଚଳରେ ଜଳସେଚନର ଅଭାବ ଯୋଗୁ ମରୁଡି଼ଗ୍ରସ୍ତ ହୋଇ ଆତ୍ମହତ୍ୟା କରୁଥିବା ଚାଷୀ ପରିବାରମାନଙ୍କୁ ସରକାର ନିଜର ଅପାରଗତା ବାବଦରେ କି ଜବାବ ଦେବେ? ଏହି ପ୍ରଶ୍ନଗୁଡ଼ିକ ଭାରତୀୟ ଜନତା ପାଟିଁ ରାଜ୍ୟ କାର୍ଯ୍ୟକାରିଣୀ ଓଡ଼ିଶାର ସରକାରଙ୍କୁ ପଚାରୁଛି ଏବଂ ମହାନଦୀ ଜଳ ବିବାଦ ଭଳି ଏକ ବିଷୟକୁ ନେଇ ରାଜନୈତିକ ଖେଳ ଖେଳିବା ପରିବର୍ତ୍ତେ ଏହାର ସୁସ୍ଥ ସମାଧାନ ପାଇଁ ନ୍ୟାୟିକ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭରଷା ରଖି ସମସ୍ତ ତଥ୍ୟ ଉପସ୍ଥାପନ କରିବା ପାଇଁ ଏବଂ ତତ୍ସହିତ ଆପୋଷ ଆଲୋଚନାରେ ମଧ୍ୟ ଏହି ବିବାଦର ତୁରନ୍ତ ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କୁ ଏହି କାର୍ଯ୍ୟକାରିଣୀ ପରାମର୍ଶ ଦେଉଛି । ଓଡ଼ିଶାର ୪.୫୯ ନିୟୁତ ହେକ୍ଟର ଚାଷ ଜମିରୁ ୩.୧୧ ନିୟୁତ ହେକ୍ଟର ଜମି ଅଣ ଜଳସେଚିତ ଓ ବର୍ଷା ନିର୍ଭରଶୀଳ । ଅନାବୃଷ୍ଟି, ନକଲି ବିହନ, ପୋକ ଆଦିର ଶିକାର ହୋଇ ଚାଷୀ ଆଜି ତଳି ତଳାନ୍ତ ଏବଂ ଅନେକ ଜାଗାରେ ଦୁର୍ଭାଗ୍ୟଜନକ ଭାବେ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି । ରାଜ୍ୟ ସରକାରଙ୍କ ଭୁଲ୍ ନୀତି ଯୋଗୁଁ ଆଜି ଓଡ଼ିଶା ଚାଷୀ କୁଳର ମେରୁଦଣ୍ଡ ଭାଂଗିଯାଇଛି । ରାଜ୍ୟରେ ପାଖାପାଖି ୪୦ ଲକ୍ଷ ଚାଷୀ ଭାଗଚାଷ କରି ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ ଜଳସେଚନର ଅଭାବ, ବର୍ଷାର ଅନିୟମିତତା ଏବଂ ଠିକ୍ ବିହନ ନ ଯୋଗେଇ ପାରୁଥିବାରୁ, ଓଡ଼ିଶାର ଚାଷୀ ବ୍ୟାପକ କ୍ଷତିଗ୍ରସ୍ତ ହେଉଛି ଏବଂ ରାଜ୍ୟରେ ସଂଖ୍ୟାଧିକ ଚାଷୀ ଆଜି ବାଧ୍ୟ ହୋଇ ଦାଦନ ଖଟିବାକୁ ଯାଉଛନ୍ତି । ଓଡ଼ିଶା ସରକାର ସେହି ଭାଗଚାଷୀମାନଙ୍କ ପାଇଁ ସାମାନ୍ୟ ଚିନ୍ତା ବିି ପ୍ରକଟ କରୁନାହାନ୍ତି ଓ କେନ୍ଦ୍ର ସରକାର ଯୋଗେଇ ଦେଇଥିବା ବିପର୍ଯ୍ୟୟ ସହାୟତା ଅର୍ଥକୁ ବିି ଚାଷୀ ପାଖରେ ପହଂଚାଇବାକୁ ବର୍ଷେରୁ ଅଧିକ ସମୟ ନେଉଛନ୍ତି । ଆଜି ଭାଗଚାଷୀଙ୍କୁ ଋଣ ପ୍ରଦାନ ଏବଂ କ୍ଷତିପୂରଣ ପ୍ରଦାନ ପାଇଁ ରାଜ୍ୟ ସରକାର କମ୍ ଦିନ ତଳେ କରିଥିବା ଏକ ଘୋଷଣା ଯେ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ପ୍ରତାରଣା ପୂର୍ଣ୍ଣ , ଏହା ଦୁଇ ଦିନ ତଳେ ତାଙ୍କରି ସରକାରର ରାଜସ୍ୱ ବିଭାଗ ମନ୍ତ୍ରୀ କରିଥିବା ସ୍ୱୀକାରୋକ୍ତିରୁ ସ୍ପଷ୍ଟ ଜଣାପଡ଼ୁଛି । ୪୦ ଲକ୍ଷ ଭାଗଚାଷୀ ପରିବାରଙ୍କୁ ପ୍ରଥମେ ସହାୟତାର ସ୍ୱପ୍ନ ଦେଖାଇ ପରେ ପଛରୁ ଛୁରୀକାଘାତ କରିବା ଓ ହତୋତ୍ସାହିତ କରିବା ନିହାତି ଭାବେ ଏକ ଅପରାଧ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ବିଶ୍ୱାସ କରୁଛି ଏବଂ ତୁରନ୍ତ ଓଡ଼ିଶା ଲ୍ୟାଣ୍ଡ ରିଫର୍ମସ୍ ଆକ୍ଟ୍ରେ ପରିବର୍ତ୍ତନ ଆଣି ଭାଗଚାଷୀକୁ ବଂଚିବାର ରାହା ଦେବା ପାଇଁ ଦୃଢ଼ ଦାବି କରୁଅଛି । ରାଜ୍ୟରେ ପଂଚାୟତ ମାନଙ୍କରେ, ଆଜି ସରକାରୀ ପ୍ରୋତ୍ସାହନରେ ବ୍ୟାପକ ଦୁର୍ନୀତି ହେବା ଆରମ୍ଭ ହୋଇଯାଇଛି । ନରେଗା ଯୋଜନାରେ ଆସୁଥିବା ସମସ୍ତ ଅର୍ଥକୁ ଶାସକ ଦଳର ନେତା, ଜନ ପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କର ମିଳିତ ଉଦ୍ୟମରେ ସମ୍ପୂର୍ଣ୍ଣ ହରିଲୁଟ୍ ହେଉଛି । ୧୫୦ କାର୍ଯ୍ୟ ଦିବସ ଜାଗାରେ ରାଜ୍ୟରେ ହାରାହାରି ୪୫ ଦିନର କାର୍ଯ୍ୟଦିବସ ପାଇବା ବି ଯବ୍ କାର୍ଡ଼ ଧାରକ ମାନଙ୍କ ପାଇଁ ଅସମ୍ଭବ ହୋଇପଡ଼ିଛି ଏବଂ ଯବ୍ କାର୍ଡ଼ ଗୁଡ଼ିକ ବିଭିନ୍ନ ଲୋକମାନଙ୍କ ପାଖରେ ବନ୍ଧା ପଡ଼ିଛି । ଚତୁର୍ଦ୍ଦଶ ଅର୍ଥ କମିଶନ୍ର ବ୍ୟାପକ ଅର୍ଥ କେନ୍ଦ୍ର ସରକାର ପଂଚାୟତ ମାନଙ୍କୁ ଦେଉଥିବା ସତ୍ୱେ ବ୍ୟାପକ ଭ୍ରଷ୍ଟାଚାର ଯୋଗୁଁ ଏହାର ସୁଫଳ ମିଳୁନାହିଁ । କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶ ମତେ ସମସ୍ତ ପଞ୍ଚାୟତରେ ଏକ ସୂଚନା କାନ୍ଥରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ ପେନସନର ତଥ୍ୟ, ଅର୍ଥ କମିଶନ ଅର୍ଥର ବିନିଯୋଗ ତଥ୍ୟ, ନରେଗା ଯୋଜନାର ତଥ୍ୟ ଇତ୍ୟାଦି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲେଖିବାର କାର୍ଯ୍ୟକୁ ରାଜ୍ୟ ସରକାର ଜାଣିଶୁଣି ଅବମାନନା କରୁଛନ୍ତି ବିଜେଡ଼ି ନେତାମାନଙ୍କ ଦ୍ୱାରା ପଞ୍ଚାୟତରେ କରାଯାଉଥିବା ଭ୍ରଷ୍ଟାଚାରକୁୁ ଘୋଡ଼ାଇବା ପାଇଁ ଏହି ଭ୍ରଷ୍ଟାଚାରର ଧାରାକୁ ବନ୍ଦ କରିବାକୁ ରାଜ୍ୟ କାର୍ଯ୍ୟକାରିଣୀ ଦୃଢ଼ ଦାବି କରୁଛି । ଯଦ୍ୱାରା ଅନ୍ତତଃ କେନ୍ଦ୍ର ସରକାରଙ୍କର ଗ୍ରାମାଭିମୁଖୀ ଯୋଜନା ଗୁଡ଼ିକ ଲୋକଙ୍କ ନିକଟରେ ସିଧା ପହଞ୍ଚିପାରିବ । ଓଡ଼ିଶାର ପୌରାଞ୍ଚଳ ଗୁଡ଼ିକରେ ଅପାରଗତାର ପ୍ରଦର୍ଶନ ସହ ବ୍ୟାପକ ଭ୍ରଷ୍ଟାଚର ଚାଲିଛି । ଗ୍ରାମାଂଚଳରେ ମାତ୍ର ୨% ଘରକୁ ପାନୀୟ ଜଳ ଯୋଗାଇପାରିଥିବା ସରକାର, ସହରାଞ୍ଚଳରେ ମଧ୍ୟ ସମାନ ଅବସ୍ଥାରେ ଅଛନ୍ତି । ପାନୀୟ ଜଳ ପାଇଁ ଓଡ଼ିଶାର ପ୍ରାୟ ସମସ୍ତ ସହରାଞ୍ଚଳରେ ହାହାକାର ଚାଲିଛି ଏବଂ ମାଆ ଭଉଣୀମାନେ ଷ୍ଟାଣ୍ଡ ପୋଷ୍ଟ ଓ ଟ୍ୟୁବ୍ ୱେଲ୍ରୁ ପାଣି ଆଣିବାକୁ ଦୀର୍ଘ ରାସ୍ତା ଚାଲି ଚାଲି ଯାଉଛନ୍ତି । ପୌରସଂସ୍ଥାକୁ ଚତୁର୍ଦ୍ଦଶ ଅର୍ଥ କମିଶନ ଦେଉଥିବା ଅଧିକାଂଶ ଅର୍ଥକୁ ବିନା ଟେଣ୍ଡରରେ ବି.ଜେ.ଡ଼ି ନେତାଙ୍କୁ ସମର୍ପି ଦେଇ ଭ୍ରଷ୍ଟାଚାର ଚାଲିଛି । ଉନ୍ନତି ଯୋଜନାରେ ପ୍ରତି ମୁନିସପାଲିଟିର ୱାର୍ଡ଼ ପିଛା ୧୫ ଲକ୍ଷରୁ ୫୦ ଲକ୍ଷ ପ୍ରାପ୍ତ ହୋଇଥିଲେ ହେଁ, ବିନା ଟେଣ୍ଡରରେ ସମସ୍ତ କାର୍ଯ୍ୟାଦେଶ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆବାସ କ୍ଷେତ୍ରରେ ମଧ୍ୟ ପ୍ରଚଣ୍ଡ ଭ୍ରଷ୍ଟାଚାର ଚାଲିଛି । କୈାଣସି ପୌରସଂସ୍ଥାରେ ମଧ୍ୟ ଏପର୍ଯ୍ୟନ୍ତ ବର୍ଜ୍ୟବସ୍ତୁ ପରିଚାଳନା ହୋଇପାରିଲା ନାହିଁ । ବସ୍ତିରେ ରହୁଥିବା ଲୋକଙ୍କୁ ଘର ଯୋଗାଇ ଦେବାର ମିଥ୍ୟା ପ୍ରତାରଣାର ସ୍ୱପ୍ନ ମୁଖ୍ୟମନ୍ତୀ ଦେଖାଇଛନ୍ତି । ସେ ଘର କିପରି ଦିଆଯିବ, କାହାକୁ ଦିଆଯିବ ଏବଂ ତା'ର ସତ୍ତ୍ୱ କାହା ପାଖରେ ରହିବ, ସେ ସଂପର୍କରେ କୈାଣସି ନିଷ୍ପତ୍ତି ବା ଯୋଜନା ନଥାଇ ଏହି ନିର୍ବାଚନୀ ଘୋଷଣା ରାଜ୍ୟ ସରକାରଙ୍କର ପ୍ରତାରଣାର ଆଉ ଏକ ମାଇଲ୍ ଖୁଣ୍ଟ । କାର୍ଯ୍ୟକାରିଣୀ ସରକାରଙ୍କର ଏହି ଶଠତା ଓ ପ୍ରବଞ୍ଚନା ପୂର୍ଣ୍ଣ ଶାସନ ବ୍ୟବସ୍ଥାକୁ ଘୋର ନିନ୍ଦା କରୁଛି ଏବଂ ଚେତାବନୀ ଦେଉଛି । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଖାଉଟି କାର୍ଡ଼ ଯୋଗାଣ ଏକ ବିରାଟ ସମସ୍ୟା ହୋଇ ଠିଆ ହୋଇଛି । ତିନି ବର୍ଷରୁ ଉଦ୍ଧ୍ୱର୍ ବିିତିଗଲେ ସୁଦ୍ଧା, ଏହି ସମସ୍ୟାକୁ ସଜାଡ଼ିବା ପାଇଁ ରାଜ୍ୟ ସରକାର ଆନ୍ତରିକତା ଦେଖାଇ ନାହାନ୍ତି । ଶାସକ ଦଳ ନେତାମାନଙ୍କର ଚକ୍ରାନ୍ତ ଫଳରେ କେନ୍ଦ୍ର ସରକାରଙ୍କର ଖାଦ୍ୟ ସୁରକ୍ଷା ଯୋଜନା ଏଠାରେ ବିଫଳ ହୋଇଛି ଏବଂ ଏଥିରେ ସରକାରଙ୍କର ପୂର୍ଣ୍ଣ ସହଯୋଗିତା ଅଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ନିୟମ ଅନୁଯାୟୀ ଖାଦ୍ୟ ଯୋଗାଇ ନ ଦେଇପାରୁଥିବା ସରକାର ହିତାଧିକାରୀମାନଙ୍କୁ ଫାଇନ୍ ଦେବାର ବ୍ୟବସ୍ଥା ଥିବାରୁ, ଆଜିର କାର୍ଯ୍ୟକାରିଣୀ ରାଜ୍ୟ ସରକାରଙ୍କୁ ଦାବି କରୁଛି ଯେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଖାଉଟି କାର୍ଡ଼ ତୁରନ୍ତ ଦିଆଯାଉ ବା ସରକାର କ୍ଷତିପୂରଣ ଦିଅନ୍ତୁ । ରାଜ୍ୟରେ ସମବାୟ ବିଭାଗର ଏକ ମହାଦୁର୍ନୀତି ସାମ୍ନାକୁ ଆସିବାକୁ ଯାଉଛି । ବିଜେଡ଼ିର କର୍ମୀ ପୋଷଣ ନୀତିକୁ ଚରିତାର୍ଥ କରିବା ପାଇଁ ପ୍ରତି ସୋସାଇଟିକୁ ନିର୍ଦ୍ଦେଶ ଦିଆଯାଇଛି ଯେ ଜଏଣ୍ଟ ଲାଏବିଲିଟି ଗ୍ରୁପ୍ (ଜେ.ଏଲ୍.ଜି) ପାଞ୍ଚ ଜଣ ବା ଉଦ୍ଧ୍ୱର୍ ସଦସ୍ୟକୁ ନେଇ ତିଆରି କରି ତାଙ୍କୁ ବିନା ବନ୍ଧକରେ ୫୦ ହଜାର ଟଙ୍କା ଲେଖାଏଁ ଋଣ ଦେବାକୁ ଏବଂ ପ୍ରତି ସୋସାଇଟି ଏହିଭଳି ୪ଟି ଜେ.ଏଲ୍.ଜି କୁ ଋଣ ପ୍ରଦାନ କରିବାକୁ ବାଧ୍ୟ । ଅର୍ଥାତ୍ ନିର୍ବାଚନ ପୂର୍ବରୁ ପ୍ରତି ପଞ୍ଚାୟତରେ ଅତି କମ୍ରେ ୨୦ ଜଣ ବିଜେଡ଼ି କର୍ମୀଙ୍କୁ ଭାଗଚାଷୀର ନାମରେ ପୋଷଣ କରି ରାଜକୋଷର ଅର୍ଥକୁ ନଷ୍ଟ କରିବାକୁ ଏହା ଏକ ଷଡ଼ଯନ୍ତ୍ର । ଏହି ଚଞ୍ଚକତା ବଂଦ କରିବାକୁ ଆଜିର କାର୍ଯ୍ୟକାରିଣୀ, ରାଜ୍ୟ ସରକାରଙ୍କୁ ଚେତାବନୀ ଦେଉଛି । ରାଜ୍ୟରେ ବେଆଇନ୍ ଖଣିର ଫାଇନ୍, ମିନରାଲ୍ ଡ଼େଭଲପମେଣ୍ଟ ଫଣ୍ଡ, କାମ୍ପା ଫଣ୍ଡ, ଓ ନିର୍ମାଣ ଶ୍ରମିକ ଅର୍ଥରୁ ସରକାର ପାଖାପାଖି ୨୫୦୦୦ କୋଟିର ରାଜସ୍ୱ ପାଇଛନ୍ତି ଓ ପାଇବେ । ଏହା ରାଜ୍ୟ ସରକାରଙ୍କର ଚଳିତ ବର୍ଷ ବଜେଟ୍ର ଏକ ପଞ୍ଚମାଂଶ । କିନ୍ତୁ ଏହାକୁ ରାଜ୍ୟର ବିକାଶରେ ଲଗାଇବା ପରିବର୍ତେ ରାଜ୍ୟ ସରକାର ତା'ର ଭୟଙ୍କର ଦୁରୁପଯୋଗ କରିବାରେ ଲାଗି ପଡ଼ିଛନ୍ତି । ଏପରିକି ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏ ସଂକ୍ରାନ୍ତରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଅର୍ଥକୁ ସିଧାସଳଖ ଜନ କଲ୍ୟାଣକାରୀ ବା ରାଜ୍ୟର ନିର୍ଦ୍ଦିଷ୍ଟ ବିକାଶରେ ଲଗାଇବାକୁ କାର୍ଯ୍ୟକାରିଣୀ ରାଜ୍ୟ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରୁଛି । ଆଜି ଓଡ଼ିଶାର ରାଜନୈତିକ ସ୍ଥିତି ଏକ ଭିନ୍ନ ରାସ୍ତାରେ ଚାଲିଛି । ଶାସକ ବିଜୁ ଜନତା ଦଳ ଆଜି କଂଗ୍ରେସ ସହ ମିଶି ଆଗାମୀ ଦିନର ଓଡ଼ିଶାର ବିକାଶରେ ବାଧକ ହେବା ଆରମ୍ଭ କରିଛନ୍ତି । ସରକାର ହିଂସା ମାଧ୍ୟମରେ ବିରୋଧୀ ଦଳର ମନୋବଳକୁ ଚପେଇବା ପାଇଁ ଅପଚେଷ୍ଟା କରୁଛନ୍ତି ।

Share :