ଧର୍ମେନ୍ଦ୍ର ଡରରେ ଧର୍ମନିରପେକ୍ଷତା!

ଧର୍ମେନ୍ଦ୍ର ଡରରେ ଧର୍ମନିରପେକ୍ଷତା!

Share :

ଦେବେନ୍ଦ୍ର ପୃଷ୍ଟି ୨୦୧୭ ପଂଚାୟତିରାଜ ନିର୍ବାଚନ ପରେ ପରେ ଆଗେ ଏକଥା କହିଥିଲେ ବିଜୁ ଜନତା ଦଳର ଲୋକସଭା ନେତା ଭର୍ତ୍ତୃହରି ମହତାବ । ପରିବର୍ତ୍ତିତ ରାଜନୀତିକ ପରିସ୍ଥିତିରେ କଂଗ୍ରେସ ଆଉ ଅଛୁଆଁ ହୋଇ ରହିନାହିଁ ଓ ଏହି ଦଳ ସହିତ ବିଜେଡି ମେଣ୍ଟ କରିବାର ସମ୍ଭାବନା ସଂପର୍କରେ ଦଳ ଚିନ୍ତା କରିବା ଉଚିତ ବୋଲି ସେ ମତ ଦେଇଥିଲେ । ସେତେବେଳେ ତାଙ୍କ ମତକୁ ଖଣ୍ଡନ କରିଥିଲେ ଅନ୍ୟ କେତେକ ଦଳୀୟ ନେତାଙ୍କ ସମେତ ନିଜେ ଦଳ ମୁଖିଆ ନବୀନ ପଟ୍ଟନାୟକ । ପରେ ସେହି କଥାକୁ ଦୋହରାଇଥିଲେ ଦଳର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ । ଭାରତୀୟ ଜନତା ପାର୍ଟିର ଗତିରୋଧ କରିବା ପାଇଁ ଧର୍ମନିରପେକ୍ଷ ଦଳଗୁଡ଼ିକ ଏକଜୁଟ ହେବା ଉଚିତ ବୋଲି ସେ ମତ ଦେଇଥିଲେ । ସେତେବେଳେ ତାଙ୍କୁ ଜବାବ ଦେଇ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ଯେ ତାହା ଦାମବାବୁଙ୍କ ବ୍ୟକ୍ତିଗତ ମତ । ବିଜେଡି ଏକାକୀ ୧୨୦ରୁ ଅଧିକ ଆସନରେ ବିଜୟୀ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ପରେ ପରେ ପାଳି ଧରିଥିଲେ ଅନେକ ନେତା । ବିଜେଡି ରାଜ୍ୟର ୧୪୭ରୁ ୧୪୭ ଆସନ ଜିତିବା ପାଇଁ ଲଢ଼େଇ କରି ଜିତିବ ବୋଲି ପ୍ରାୟ ପ୍ରାୟ ସମସ୍ତ ଦଳୀୟ ନେତା ଆସ୍ଫାଳନ କରିଥିଲେ । ଦଳ ଭିତରେ ଏତେସବୁ ଚର୍ଚ୍ଚା ଚାଲିଥିଲାବେଳେ ଦଳ ମୁଖିଆ ନବୀନ ପଟ୍ଟନାୟକ ଓ ତାଙ୍କ ନିଯୁକ୍ତ ମୁଖପାତ୍ରମାନେ ସବୁବେଳେ ଗୋଟିଏ କଥା କହି ଆସୁଛନ୍ତି ଯେ ବିଜେଡି ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତ୍ୱ ବଜାୟ ରଖି ଆସିଛି । ଦଳର ଏହି ନୀତିରେ କେବେ ବି ପରବର୍ତ୍ତନ ହେବ ନାହିଁ । ବିଜେଡି ପାଇଁ ଉଭୟ କଂଗ୍ରେସ ଓ ବିଜେପି ହେଉଛନ୍ତି ରାଜ୍ୟର ଶତ୍ରୁ । ସେମାନଙ୍କ କଥାର ବାସ୍ତବ ଅର୍ଥ ହେଲା ଉଭୟ କଂଗ୍ରେସ ଓ ବିଜେପି ହେଉଛନ୍ତି ବିଜେଡିର ଶତ୍ରୁ । କଥାଟା ସ୍ୱାଭାବିକ । ସମଦୂରତ୍ୱ କଥା କହି ବିଜେଡି ସୂଚାଇ ଆସିଛି ଯେ ଏହି ଦଳ ରାଜ୍ୟ କ୍ଷମତାରେ ଅନ୍ୟ କୌଣସି ଦଳକୁ ବାଟ ଛାଡ଼ିବ ନାହିଁ କି ଅନ୍ୟ କୌଣସି ଦଳ ସହିତ କ୍ଷମତା ବଣ୍ଟୁଆରା କରିବ ନାହିଁ । ଏବେ କିନ୍ତୁ ଏହି ସମାନ କଥା ଉଠାଇଲାଣି କଂଗ୍ରେସ । ନିରଂଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ ନେତୃତ୍ୱ ଗ୍ରହଣ କରିବା ପରେ ଦଳର ଦୁଇ ଦୁଇ ଜଣ ନେତା ବିଜେଡି ସହିତ କଂଗ୍ରେସ ମେଣ୍ଟ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି । କର୍ଣ୍ଣାଟକ ରାଜନୀତି ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସର ପ୍ରଚାର ପ୍ରମୁଖ ଭକ୍ତ ଚରଣ ଦାସ ଓ ମୁଖପାତ୍ର ଶରତ ରାଉତ ୨୦୧୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ଅଟକାଇବା ପାଇଁ ରାଜ୍ୟର ଧର୍ମନିରପେକ୍ଷ ଦଳଗୁଡ଼ିକ ଏକାଠି ହେବା ଆବଶ୍ୟକ ବୋଲି ମନ୍ତବ୍ୟ ଦେଇ ପରୋକ୍ଷରେ ବିଜେଡି ସହିତ ମେଣ୍ଟ ବାନ୍ଧିବାକୁ ଦଳ ଆଗ୍ରହୀ ବୋଲି ସଂକେତ ଦେଇଛନ୍ତି । ଏଥର କିନ୍ତୁ କଂଗ୍ରେସ ନେତାମାନଙ୍କର ଏହି ମନ୍ତବ୍ୟ ସଂପର୍କରେ କୌଣସି ଟିପ୍ପଣୀ ଦେଇ ନାହାନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କିମ୍ବା ତାଙ୍କ ନିଯୁକ୍ତ ମୁଖପାତ୍ର ଗୋଷ୍ଠୀ । ରାଜ୍ୟରେ ଦୀର୍ଘ ଦୁଇ ଦଶନ୍ଧି ଧରି କ୍ଷମତା ବାହାରେ ଥିବା କଂଗ୍ରେସ କ୍ଷମତାରେ ଅଂଶୀଦାର ହେବା ଆଶାରେ ଏପରି ଆଗ୍ରହ ପ୍ରକାଶ କରୁଥାଇ ପାରେ । କିନ୍ତୁ ମୂଳତଃ ଅଣକଂଗ୍ରେସ ଭୋଟ ଭିତ୍ତି ଉପରେ ପ୍ରତିଷ୍ଠିତ ବିଜୁ ଜନତା ଦଳର ନେତା ଓ କର୍ମୀମାନେ କଂଗ୍ରେସ ସହିତ ମେଣ୍ଟ ବାନ୍ଧିବାକୁ କେତେ ଆଗ୍ରହ ପ୍ରକାଶ କରିବେ ତାହା ଭବିଷ୍ୟତ କହିବ । କିନ୍ତୁ କଂଗ୍ରେସର ଏପରି ଆଗ୍ରହ ନେଇ ନିଜେ ନବୀନ ନୀରବ ରହିବା ତାଙ୍କର ବିଜେପି-ଭୟକୁ ପଦାରେ ପକାଇ ଦେଇଛି । ରାଜ୍ୟରେ ବିଜେପିକୁ ଦୁର୍ବଳ ଓ କଂଗ୍ରେସକୁ ଗୋଷ୍ଠୀ-ବିଭକ୍ତ ରଖି ଏକଦା ରାଜ୍ୟ ରାଜନୀତିରେ ବିକଳ୍ପହୀନ ହୋଇଯାଇଥିବା ନବୀନ ଏବେ ସମ୍ଭବତଃ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିତରେ ନିଜର ବିକଳ୍ପ ସନ୍ଧାନ ପାଇଛନ୍ତି ସେଥିପାଇଁ ସହଯୋଗୀ ନେବାକୁ ଭିତିରି ଯୋଜନା କରିଥାଇ ପାରନ୍ତି । ଆଗରୁ ବିଜେଡି ସରକାରର ଦୁର୍ନୀତି ଓ ଅପାରଗତା କଥା ଉଠିଲେ ଅନେକ ଲୋକ ନବୀନଙ୍କ ବିକଳ୍ପ କିଏ ବୋଲି ପ୍ରଶ୍ନ କରୁଥିଲେ । କିନ୍ତୁ ଗତ ତିନି ଚାରି ବର୍ଷ ଭିତରେ ରାଜ୍ୟ ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟ ଓ ଅଭିଯାନର ନେତୃତ୍ୱ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜକୁ ନବୀନଙ୍କ ବିକଳ୍ପ ଭାବେ ଉପସ୍ଥାପନ କରିସାରିଛନ୍ତି । ସେ ତାଙ୍କ ଯୋଜନା ଓ ଉଦ୍ୟମରେ କେତେ ସଫଳ ହେବେ ତାହା ଅବଶ୍ୟ ଭବିଷ୍ୟତର କଥା । କିନ୍ତୁ ନିରଂଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସର ସଭାପତି ନିଯୁକ୍ତ ହେବାର ଅଳ୍ପ କେଇଦିନ ପୂର୍ବରୁ ତାଙ୍କର ସାନ ଭାଇ ତଥା ସମ୍ବାଦ ସଂପାଦକ ସୌମ୍ୟ ରଂଜନ ପଟ୍ଟନାୟକ ବିଜେଡିରେ ଯୋଗଦେବା ଏବଂ ନବୀନଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ହେବା ଘଟଣା କଂଗ୍ରେସର ପଟ୍ଟନାୟକ ପରିବାର ଓ ବିଜେଡିର ପଟ୍ଟନାୟକ ପରିବାର ମଧ୍ୟରେ ବନ୍ଧୁତାର ନୂତନ ଯୋଗସୂତ୍ର ସ୍ଥାପିତ ହେବା ନେଇ ସଂକେତ ପ୍ରଦାନ କରିଛି । ନିର୍ବାଚନ ପୂର୍ବରୁ ଓ ପରେ ଦୁଇଟି ପ୍ରଭାବଶାଳୀ ଗଣମାଧ୍ୟମର ସେବା ପାଇବା ଆଶାରେ ନବୀନବାବୁ ଯେଉଁ ସୌମ୍ୟ ରଂଜନଙ୍କୁ ରାଜ୍ୟସଭାକୁ ପଠାଇଛନ୍ତି ସେ ପୂର୍ବରୁ ସାଂପ୍ରତିକ ଜାତୀୟ ରାଜନୀତିକ ଦୃଶ୍ୟପଟ୍ଟରେ ବୈଚାରିକ ଲଢ଼େଇର ଆବଶ୍ୟକତା ରହିଛି ବୋଲି ବିଜେଡିରେ ମିଶିବା ଦିନ ମନ୍ତବ୍ୟ ଦେଇଥିଲେ । ତାଙ୍କର ଏହି ପରିକଳ୍ପିତ ବୈଚାରିକ ଲଢ଼େଇ ବାସ୍ତବରେ ଭାରତୀୟ ଜନତା ପାର୍ଟି ବିରୋଧରେ ଉଦ୍ଦିଷ୍ଟ । ଲଢ଼େଇରେ ସହଯୋଗୀ, ସୈନ୍ୟସାମନ୍ତ ଓ ଅସ୍ତ୍ରଶସ୍ତ୍ର ଆବଶ୍ୟକ ହୋଇଥାଏ । ଏ କଥା ଯଦି ସେ ତାଙ୍କ ଦଳର ମୁଖିଆ ନବୀନବାବୁଙ୍କୁ ବୁଝାଇ ପାରିଲେ ତେବେ ନବୀନ-ନିରଂଜନ ଗୋଟିଏ ମଂଚରେ ଏକାଠି ହେବା ଦୃଶ୍ୟ ଆଉ ଅସମ୍ଭବ ହୋଇ ରହିବ ନାହିଁ । ଓଡ଼ିଶା ଭୋଟର ଅବଶ୍ୟ ଏକଥା ବୁଝିବା ଉଚିତ ଯେ ସୌମ୍ୟ ରଂଜନ ଏକଦା ରାଜ୍ୟ ବିଜେପିର ଉପସଭାପତି ଥିଲେ ଏବଂ ନବୀନବାବୁ ନୂଆ ଦଳ ଗଢ଼ି ବିଜେପି ସହିତ ମେଣ୍ଟ କରିଥିଲେ ।

Share :