କର୍ଣ୍ଣାଟକରେ ଦୁର୍ନୀତିର ରାଜନୀତି

କର୍ଣ୍ଣାଟକରେ ଦୁର୍ନୀତିର ରାଜନୀତି

Share :

ସୂର୍ଯ୍ୟମଣି ମିଶ୍ର ନିକଟରେ ଶେଷ ହୋଇଥିବା କର୍ଣ୍ଣାଟକ ନିର୍ବାଚନର ଫଳାଫଳର ଚିତ୍ର ଉପରେ ଆଖି ପକାଇଲେ ଆଜିକୁ ୫୧ ବର୍ଷ ପୂର୍ବରୁ ରାଜସ୍ଥାନରେ ଘଟିଥିବା ଏପରି ଏକ ଘଟଣା ନଜରକୁ ଆସେ । ଏହା ଥିଲା ସେ ସମୟରେ ରାଜସ୍ଥାନ ପାଇଁ ଚତୁର୍ଥ ନିର୍ବାଚନ । ମୋଟ ୧୮୪ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ କଂଗ୍ରେସକୁ ମିଳିଥିଲା ୮୮ଟି ଆସନ । ସଂଖ୍ୟା ଗରିଷ୍ଠତା ପାଇଁ ୯୩ଟି ଆସନ ଆବଶ୍ୟକ ଥିଲା । ଅନ୍ୟ ପକ୍ଷରେ ସ୍ୱତନ୍ତ୍ର ପାର୍ଟି ନେତୃତ୍ୱରେ ଅଣକଂଗ୍ରେସ ସଦସ୍ୟଙ୍କ ସଂଖ୍ୟା ଥିଲା ୯୫ । କିନ୍ତୁ ରାଜ୍ୟପାଳ ଡଃ ସଂପୂର୍ଣ୍ଣାନନ୍ଦ ସଂଯୁ୍‍କ୍ତ ବିଧାୟକ ଦଳର ନେତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ ନକରି ଏକକ ସଂଖ୍ୟାଗରିଷ୍ଠ କଂଗ୍ରେସ ଦଳକୁ ସରକାର ଗଠନ ପାଇଁ ଡାକିଥିଲେ । ରାଜ୍ୟପାଳଙ୍କ ଏପରି ନିଷ୍ପତ୍ତି ବିରୁଦ୍ଧରେ ସ୍ୱତନ୍ତ୍ର ପାର୍ଟିର ୪୮ ଏବଂ ଜନସଂଘର ୨୨ ବିଧାୟକଙ୍କ ସମେତ ୯୫ ଅଣକଂଗ୍ରେସ ବିଧାୟକ ଏବଂ ସାଧାରଣ ଲୋକ ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇଥିଲେ । ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା । ପୁଲିସ୍‍ ଗୁଳିମାଡ଼ରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ୪୬ ଜଣ ଆହତ ହୋଇଥିଲେ । କଂଗ୍ରେସ ପାଇଁ ଏହାଥିଲା ଗଣତାନ୍ତ୍ରିକ ପଦକ୍ଷେପ ଏବଂ ବିରୋଧୀ ଦଳ ପାଇଁ ଥିଲା ଅଗଣତାନ୍ତ୍ରିକ । ସଦ୍ୟତମ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଏପରି ଏକ ଉଦାହରଣ ସୃଷ୍ଟି କରିଛି । ୩୮ ପ୍ରତିଶତ ଭୋଟ ପାଇ କଂଗ୍ରେସ ଦଳ ୭୮ ଆସନରେ ବିଜୟୀ ହୋଇଥିବା ବେଳେ ୩୬ ପ୍ରତିଶତ ଭୋଟ ପାଇ ବିଜେପି ୧୦୪ ଆସନରେ ବିଜୟ ହୋଇଛି । ୩୮ଟି ଆସନରେ ଜନତା ଦଳ (ଧର୍ମନିରପେକ୍ଷ) ଏବଂ ୨ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସ୍ୱାଧୀନ ୨, ଜନତା ଦଳ (ଏସ୍‍) ୩୮ ଏବଂ କଂଗ୍ରେସର ୭୮ ଜଣ ବିଜୟୀ ବିଧାୟକ ମିଶି ସରକାର ଗଠନ କରିବା ପାଇଁ ରାଜ୍ୟପାଳଙ୍କ ପାଖରେ ଦାବି କରିଥିଲା ବେଳେ ସଂଖ୍ୟା ଗରିଷ୍ଠତା ନଥାଇ ଏକକ ସଂଖ୍ୟା ଗରିଷ୍ଠତା ଦଳ ଭାବରେ ୧୦୪ ଆସନରେ ବିଜୟୀ ହୋଇଥିବା ବିଜେପିକୁ ସରକାର ଗଠନ ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରିବା ଘଟଣାକୁ ନେଇ ସୁପ୍ରିମ୍‍ କୋର୍ଟ ଯାଏ ମାମଲା ଗଲା । ରାତିଅଧରେ ସୁପ୍ରିମ୍‍ କୋର୍ଟରେ ଶୁଣାଣି ହେଲା । ମାତ୍ର ୫୫ ଘଣ୍ଟା ମୁଖ୍ୟମନ୍ତ୍ରୀ ପଦରେ ରହି ବିଏସ ୟେଦୁରପ୍ପା ସଂଖ୍ୟାଗରିଷ୍ଠତା ଦେଖାଇ ପାରିବେ ନାହିଁ ବୋଲି ଜାଣି ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କଲେ । ୫୫ ବର୍ଷ ତଳେ ଏପରି ଘଟଣାକୁ ନେଇ ରାଜସ୍ଥାନରେ ଯେଉଁ ହିଂସାତ୍ମକ ଦୃଶ୍ୟ ଦେଖିବାକୁ ମିଳିଥିଲା, ତାହା ଥିଲା କଂଗ୍ରେସ ପ୍ରାୟୋଜିତ । ୫୫ ବର୍ଷ ପରେ କର୍ଣ୍ଣାଟକରେ ଯେପରି ଦୃଶ୍ୟ ଦେଖିବାକୁ ମିଳିଲା, ତାହା ହେଉଛି ବିଜେପି ପ୍ରାୟୋଜିତ । ହିଂସାତ୍ମକ ଘଟଣା ଘଟିନି କି ୯ ଜଣ ଲୋକ ପୁଲିସ୍‍ ଗୁଳିରେ ପ୍ରାଣ ହରାଇନାହାନ୍ତି କି ୪୬ ଜଣ ଆହତ ହୋଇନାହାନ୍ତି । କିନ୍ତୁ ରାଜନୈତିକ ଉଷ୍ମତା କର୍ଣ୍ଣାଟକ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ନେଇ ଚରମ ସୀମାରେ ପହଞ୍ôଚଥିଲା । କଂଗ୍ରେସ ଆଉ ବିଜେପି ପରସ୍ପର ଏବେ ମୁହାଁମୁହିଁ ସ୍ଥିତିରେ । କିନ୍ତୁ ଯେଉଁ ପ୍ରସଙ୍ଗଟି ରାଜନୀତିରେ ଦୃଶ୍ୟମାନ ହେବା କଥା, ତାହା ଧୀରେ ଧୀରେ ଲୁଚିଯାଉଛି । ଏହି ପ୍ରସଙ୍ଗଟି ହେଉଛି ଦୁର୍ନୀତି । ରାଜନୀତିରେ ଦୁର୍ନୀତି ଏବେ ରାଜନୈତିକ ଦଳ ପାଇଁ ଅପରାଧଭାବେ ଗ୍ରହଣୀୟ ନୁହେଁ । ଦୁର୍ନୀତିରେ ଲିପ୍ତ ବା ଯୁକ୍ତ ନେତା ଦଳ ପାଇଁ ବୋଝନୁହେଁ ବରଂ ଆସେଟ୍‍ ଭାବରେ ବେଶ୍‍ ଗ୍ରହଣୀୟ ହେଉଛନ୍ତି । ଓଡ଼ିଶାରୁ ପଶ୍ଚିମବଙ୍ଗ, ଦିଲ୍ଲୀରୁ କର୍ଣ୍ଣାଟକ ଯାଏଁ ଯେଉଁ ନେତା ଦୁର୍ନୀତି ଅଭିଯୋଗରେ ଜେଲକୁ ଯାଇ ଜାମିନରେ ଫେରୁଛନ୍ତି ସେମାନଙ୍କୁ ଦଳ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଛି । ଦୁର୍ନୀତି ସମସ୍ତ ସମସ୍ୟାର ମୂଳ । ଦେଶର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଯେଉଁ ଅବକ୍ଷୟ ଦେଖିବାକୁ ମିଳିଛି ଏହାର ପ୍ରମୁଖ କାରଣ ହେଉଛି ଦୁର୍ନୀତିର ବ୍ୟାପକତା । ସ୍ୱାଧୀନତା ପରେ ଦେଶରେ ପ୍ରଥମ ଜିପ୍‍ ଦୁର୍ନୀତି ପଣ୍ଡିତ ନେହରୁଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ଲୋକଲୋଚନକୁ ଆସିଥିଲା । ପ୍ରଧାନମନ୍ତ୍ରୀ ନେହରୁ ସେହି ସମୟରେ ଦୁର୍ନୀତିଗ୍ରସ୍ତଙ୍କୁ ବତୀଖୁଣ୍ଟରେ ବାନ୍ଧି ବେତ ମାଡ଼ କରିବାକୁ ମତ ଦେଇଥିଲେ । ସ୍ୱାଧୀନତାର ୭୧ ବର୍ଷପରେ ମଧ୍ୟ ଆଜି ଭାରତର ରାଜନୀତିରେ ଦୁର୍ନୀତି ସୀମା ଲଙ୍ଘିଛି । ନିକଟରେ ଶେଷ ହୋଇଥିବା କର୍ଣ୍ଣାଟକ ନିର୍ବାଚନ ଫଳାଫଳ ସ୍ପଷ୍ଟ ସୂଚନା ଦେଇଛି ଯେ ନେତାଙ୍କ ସମ୍ପତ୍ତି ବୃଦ୍ଧି ଏବଂ ନିର୍ବାଚନୀ ଖର୍ଚ୍ଚ ବୃଦ୍ଧିକୁ ନେଇ ପ୍ରମୁଖ ରାଜନୈତିକ ଦଳପାଇଁ ଆଦୌ ପ୍ରଶ୍ନ କିମ୍ବା ପ୍ରସଙ୍ଗ ନୁହେଁ । ଏଠିତ ଭାଷଣରେ ଦୁର୍ନୀତି ଦୂର ହୋଇଛି, ଭାଷଣରେ ବିଦେଶରୁ ଫେରି ଆସୁଛି କଳାଧନ । ପ୍ରତ୍ୟେକଙ୍କୁ ଦିଆଯାଉଛି ୧୫ ଲକ୍ଷ ଟଙ୍କା, ଦର ଦାମ କମୁଛି । ଧନୀ ଗରୀବ ବ୍ୟବଧାନ ହ୍ରାସ ପାଉଛି, ଭାଷଣରେ ୭୦ ଦଶକରୁ ଗରିବ ହଟିଛି, ଡଲାର ଏବଂ ଟଙ୍କା ମଧ୍ୟରେ ମୂଲ୍ୟ ମୂଲ୍ୟାଙ୍କନ ସମାନ ହୋଇଛି । ଭାଷଣରେ ବିକାଶ ଚାଲିଛି, ଆଉ ଏହି ବିକାଶ ପର୍ବର ବାସ୍ତବତା ନେଇ ଯିଏ ପ୍ରଶ୍ନ କରିବେ ସେ ଶାସକ ଶ୍ରେଣୀ ପାଇଁ ଶତ୍ରୁ ଭାବେ ବିବେଚିତ ହେବେ । ନିର୍ବାଚନକୁ ଗଣତନ୍ତ୍ର ସହ ନୁହେଁ, ବ୍ୟବସାୟ ସହ ଯୋଡ଼ି ଦେଖିଲେ ସ୍ପଷ୍ଟ ଜଣାପଡ଼ିବ ଯେ ରାଜନୀତି ପାଇଁ କିପରି ଦୁର୍ନୀତି ଆଶୀର୍ବାଦଯୁକ୍ତ ହୋଇଛି । ୨୦୧୩ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ୪୬୭୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ବେଳେ ୨୦୧୮ରେ ଏହି ଖର୍ଚ୍ଚର ପରିମାଣ ଥିଲା ୧୦,୫୦୦ କୋଟି ଟଙ୍କା । ସଦ୍ୟ ସମାପ୍ତ କର୍ଣ୍ଣାଟକ ନିର୍ବାଚନ ସମୟରେ ୧୮୭ କୋଟି ଟଙ୍କା ଜବତ କରାଯାଇଥିଲା । ପ୍ରଶ୍ନ ହେଉଛି ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା, କିଏ କିପରି ସଂଗ୍ରହ କଲେ ତାହାର ସୂଚନା ନାହିଁ । ସହଜରେ ତ ଜାତୀୟ ଦଳଠାରୁ ଆଞ୍ଚଳିକ ଦଳ ଯାଏଁ ନିର୍ବାଚନୀ ପାଣ୍ଠିକୁ ଆସୁଥିବା ଅଜଣା ସୂତ୍ରରୁ ଆୟର ସୂଚନା ଦେବାକୁ ନାରାଜ । ଆସୋସିଏସନ୍‍ ଫର୍‍ ଡେମୋକ୍ରାଟିକ୍‍ ରିଫର୍ମ (ଏଡିଆର)ର ରିପୋର୍ଟ ଅନୁଯାୟୀ ନିର୍ବାଚିତ ବିଧାୟକଙ୍କ ପାଇଁ ନିର୍ବାଚନ କିପରି ସେବା ନୁହେଁ, ରୋଜଗାରର ଖେଳ ହୋଇଛି ତା’ର ସୂଚନା ମିଳିଛି । କ୍ଷମତାସୀନ ଦଳର ବିଧାୟକଙ୍କ ବ୍ୟାଙ୍କ ଏକାଉଣ୍ଟରେ ଜମା ବୃଦ୍ଧି ପାଇଛି । ୫ ବର୍ଷଯାଏ କ୍ଷମତାରେ ରହିଥିବା କଂଗ୍ରେସର ବିଧାୟକଙ୍କର ସବୁଠୁ ଅଧିକ ଆର୍ଥିକ ବୃଦ୍ଧି ଘଟିଛି । ହାରାହାରି ପ୍ରତ୍ୟେକ ବିଧାୟକଙ୍କ ବ୍ୟାଙ୍କ ଏକାଉଣ୍ଟରେ ୨୪,୭୩,୧୦,୬୬୨ ଟଙ୍କା ବୃଦ୍ଧି ହୋଇଛି । ଜନତାଦଳ (ଏସ୍‍) ବିଧାୟକଙ୍କର ହାରାହାରି ୭,୨୨,୪୦,୬୬୧ ଟଙ୍କା ବୃଦ୍ଧି ପାଇଥିବା ବେଳେ ବିଜେପି ବିଧାୟକଙ୍କର ୬,୯୭,୯,୧୬୮ ଟଙ୍କା ଆକାଉଣ୍ଟରେ ଜମା ବୃଦ୍ଧି ଘଟିଛି । କର୍ଣ୍ଣାଟକରେ ପ୍ରାର୍ଥୀଙ୍କ ଖର୍ଚ୍ଚ ୭୫ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ରାଜନୈତିକ ଦଳର ଖର୍ଚ୍ଚ ୫୦ରୁ ୬୦ ପ୍ରତିଶତ ବୃଦ୍ଧି ପାଇଛି । ବିଜେପି ପାଇଁ ଆଗାମୀ ନିର୍ବାଚନ ସମ୍ମାନର ପ୍ରସଙ୍ଗ ହୋଇଥିବା ବେଳେ କଂଗ୍ରେସ ପାଇଁ ଅସ୍ତିତ୍ୱ ରକ୍ଷା ପ୍ରସଙ୍ଗ ଭାବେ ଠିଆ ହୋଇଛି । ଗୋଟିଏ ପକ୍ଷରେ କର୍ଣ୍ଣାଟକର ବିଧାୟକଙ୍କୁ ୨୦୧୩ରେ ନିର୍ବାଚିତ କରିଥିବା ଭୋଟରଙ୍କ ମଧ୍ୟରୁ ପ୍ରତି ୫ ଜଣରେ ଜଣେ ଭୋଟର୍‍ ଦାରିଦ୍ର୍ୟ ସୀମା ରେଖା ତଳେ ରହିଛନ୍ତି । ୫ ବର୍ଷରେ ଭୋଟରଙ୍କ ସାଲାରୀ ହାରାହାରି ୯ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ବିଧାୟକଙ୍କ ରୋଜଗାର ୫୬ ପ୍ରତିଶତକୁ ବୃଦ୍ଧିପାଇଛି । ୨୦୧୧ର ଲୋକାୟୁକ୍ତଙ୍କ ରିପୋର୍ଟ ଅନୁଯାୟୀ କର୍ଣ୍ଣାଟକରେ ବେଆଇନ୍‍ ଖଣି ଖନନ ଯୋଗୁଁ ୬୦ ହଜାର କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଥିଲା । ସିଏମଏସ୍‍ ନାମକ ଏକ ସଂସ୍ଥାର ରିପୋର୍ଟ ଅନୁଯାୟୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ହାରାହାରି ଖର୍ଚ୍ଚ ହୋଇଛି ୧୫ ହଜାର ୫୦୦ କୋଟି ଟଙ୍କା । କର୍ଣ୍ଣାଟକ ନିର୍ବାଚନରେ ସମସ୍ତ ଦଳର ଖର୍ଚ୍ଚକୁ ମିଶାଇଲେ ୯ ହଜାର ୫୦୦ କୋଟି ଟଙ୍କାରୁ ୧୦ ହଜାର ୫୦୦ କୋଟି ଟଙ୍କାକୁ ବୃଦ୍ଧି ପାଇବା ହାର ୨୦୧୩ ନିର୍ବାଚନ ଖର୍ଚ୍ଚର ଦୁଇଗୁଣ । ପ୍ରାକ୍‍ ଆକଳନ ଅନୁଯାୟୀ ୨୦୧୯ ଲୋକସଭା ନିର୍ବାଚନରେ ୫୦ ହଜାରରୁ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବାର ଆଶଙ୍କା କରାଯାଇଛି । ଏହା ୨୦୧୪ ନିର୍ବାଚନ ଖର୍ଚ୍ଚର ଦୁଇଗୁଣ ଅଧିକ ହେବ । ୨୦୧୯ରେ କେବଳ କର୍ଣ୍ଣାଟକରେ ଖର୍ଚ୍ଚ ହେବ ୨୦,୦୦,୦୦୦ କୋଟି ଟଙ୍କା । ଏତେ ପରିମାଣରେ ଟଙ୍କା କେବଳ କ୍ଷମତା ପାଖରେ ରହିବା ପରେ ହିଁ ସଂଗ୍ରହ କରାଯାଇପାରିବ! ଏହାକୁ କହିବା ନିର୍ବାଚନୀ ଗଣତନ୍ତ୍ର । ଏହି ଗଣତନ୍ତ୍ରରେ ରାଜନୈତିକ ଦଳ ଆୟବ୍ୟୟର ହିସାବ ଦେବା ଆଇନସମ୍ମତ ନୁହେଁ । ଭୋଟ ଏବେ ପଣ୍ୟ ହୋଇଛି । ଆଉ ଏଥିପାଇଁ ଦେଶର ୧୩୦ କୋଟି ଲୋକଙ୍କ ମଧ୍ୟରୁ ୬୦ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ବେଳେ ୨୦ କୋଟିରୁ ଅଧିକ ଲୋକ ଗୋଟିଏ ବେଳା ଆବଶ୍ୟକ ପରିମାଣର ଖାଦ୍ୟ ପାଉନାହାନ୍ତି । ଏଥିପାଇଁ ବୋଧହୁଏ ୭୦ ଦଶକରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧିଙ୍କ ‘ଗରିବୀ ହଟାଅ’ ନାରାକୁ ଅଣ୍ଡାଳି ଅଣ୍ଡାଳି କେବେ ଗରିବୀରୁ ମୁକ୍ତ ହେବେ ତାହାକୁ ଖୋଜି ଚାଲିଛନ୍ତି । ଆଉ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭ୍ରଷ୍ଟାଚାରମୁକ୍ତ ଭାରତ ନିର୍ମାଣର ପ୍ରତିଶ୍ରୁତି କେତେ ବାଟ ଆଗକୁ ବଢ଼ିଛି, ତାହାକୁ ଖୋଜୁ ଖୋଜୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟର ଟଙ୍କା କାରବାର ଏବଂ ବିଧାୟକଙ୍କୁ କିଣାବିକା କରାଯିବାର ପ୍ରଚାରର ସତ୍ୟତାକୁ ପରଖୁଛନ୍ତି । କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଏବଂ ଏହାର ପରବର୍ତ୍ତୀ ଦୃଶ୍ୟ ଉପରେ ଆଖି ପକାଇଲେ ରାଜନୈତିକ ଦଳଗୁଡ଼ିକ ପାଇଁ ଦୁର୍ନୀତି ପ୍ରଶ୍ନ କିମ୍ବା ପ୍ରସଙ୍ଗ ଭାବେ ଯେତେ ଗୁରୁତ୍ୱ ବହନ କରିନି, ତା’ଠାରୁ ଅଧିକ ଭାବେ କ୍ଷମତା ଦଖଲ ପାଇଁ ଦଳଗୁଡ଼ିକ ନିଜର ସମସ୍ତ ନୈତିକତାକୁ ପଛକୁ ଠେଲିଦେଇ ଜାତି ଓ ସଂପ୍ରଦାୟର ଧ୍ରୁବୀକରଣକୁ ଅସ୍ତ୍ରଭାବେ ବ୍ୟବହାର କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପାଇଁ ସଦ୍ୟସମାପ୍ତ କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଏବଂ କ୍ଷମତା ଦଖଲର ଦୌଡ଼ ଯେଉଁ ବାର୍ତ୍ତା ଦେଇଛି ତାହାହେଲା ଦୁର୍ନୀତି ଦଳଗୁଡ଼ିକ ପାଇଁ ଅଛୁଆଁ ନୁହେଁ ବରଂ ଧନ ବଳରେ ବଳିୟାନ ନେତାଙ୍କୁ ପ୍ରାର୍ଥୀ କରାଯିବ, ଆଉ ଯେଉଁ ନେତା ଜାତି ଓ ସଂପ୍ରଦାୟକୁ ନେଇ ଭୋଟର ଧ୍ରୁବୀକରଣ କରିପାରିବେ, ତାଙ୍କୁ ମିଳିବ ଦଳୀୟ ଟିକେଟ ଏବଂ ତାଙ୍କ ଜିତିବା ପାଇଁ ଦଳ ଗୁରୁତ୍ୱ ଦେବ । ଏହି ପ୍ରକ୍ରିୟା ଦେଇ ଦେଶର ରାଜନୀତିରେ ସ୍ୱଚ୍ଛତା ଓ ଶୁଦ୍ଧତାର ପ୍ରଚାରକୁ ଜୋରଦାର କରାଯିବ । ସାମ୍ବାଦିକ, ଭୁବନେଶ୍ୱର ମୋ- ୯୪୩୮୦୦୬୨୧୫

Share :