ଗୋଷ୍ଠୀ କନ୍ଦଳ ଯୋଗୁଁ ଗଜପତିରେ କଂଗ୍ରେସ ପାଳିଲାନି ବିଜୟ ଉତ୍ସବ

ଗୋଷ୍ଠୀ କନ୍ଦଳ ଯୋଗୁଁ ଗଜପତିରେ କଂଗ୍ରେସ ପାଳିଲାନି ବିଜୟ ଉତ୍ସବ

Share :

ପାରଳାଖେମୁଣ୍ଡି ପ୍ରତିନିଧି ଲଗାତର ଦ୍ୱିତୀୟ ଥର ପାଇଁ ଗଜପତି କଂଗ୍ରେସ ଦଳୀୟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଛି । ପ୍ରଥମେ କର୍ଣ୍ଣାଟକ ରାଜ୍ୟପାଳଙ୍କ ବିରୁଦ୍ଧରେ ସାରା ରାଜ୍ୟରେ କଂଗ୍ରେସ ପକ୍ଷରୁ ୧୮ ତାରିଖରେ ରାଷ୍ଟ୍ରପତିଙ୍କ ଉଦ୍ଦେଶରେ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଗଜପତି ଜିଲ୍ଲା କଂଗ୍ରେସ ଏହା କରିନଥିଲା । ତେବେ ଗଣମାଧ୍ୟରେ ଏହାକୁୁ ନେଇ ଖବର ପ୍ରକାଶ ପାଇବା ପରେ ଅତି ତରବରିଆ ଭାବେ ତହିଁ ପରଦିନ ଅର୍ଥାତ୍ ମେ ୧୯ ତାରିଖରେ ହାତଗଣତି କିଛି ନେତାଙ୍କୁ ନେଇ ଜିଲ୍ଲାପାଳଙ୍କୁ ଏହି ଦାବି ପତ୍ର ପ୍ରଦାନ କରିଥିଲା । ତେବେ ଏହାରି ଭିତରେ ସାରା ଦେଶରେ କଂଗ୍ରେସ ଆଉ ଗୋଟିଏ ପାଦ ଆଗକୁ ବଢ଼ି ସାରିଥିଲା । ତାହା ହେଉଛି କର୍ଣ୍ଣାଟକରେ ବିଜେପି ସରକାରର ପତନ ପରେ କଂଗ୍ରେସର ବିଜୟ ଉତ୍ସବ ପାଳନ । ଏହାକୁ ମଧ୍ୟ ରବିବାର ଯାଏଁ ପାଳନ କରିନାହିଁ ଗଜପତି ଜିଲ୍ଲା କଂଗ୍ରେସ । ତିନି ଦିନ ମଧ୍ୟରେ ଲଗାତାର ଦଳୀୟ କାର୍ଯ୍ୟକ୍ରମରୁ ଏଭଳି ବାରମ୍ବାର ଦୂରେଇ ରହିବା ଦଳୀୟ ଆହ୍ୱାନକୁ ଅବମାନନା ନା ନେତୃତ୍ୱ ଅଭାବ ଯୋଗୁଁ ଦଳ ମଧ୍ୟରେ ସମନ୍ୱୟ ଅଭାବ ତାହାକୁୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଥିବା ଏସ. ଗଜପତି ରାଓ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ଦଳ ପକ୍ଷରୁ ତାକୁ ଗ୍ରହଣ କରାଯାଇନାହିଁ । ଫଳରେ ଏବେ ଦଳର ସର୍ବେସର୍ବା ହେଉଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ. ସୁରିଆ ରାଓ । ଦଳର ଅନେକ ଭରଷା ତାଙ୍କ ଉପରେ ରହିଥିଲେ ମଧ୍ୟ ସେ ଦୁଇଟି ଯାକ କାର୍ଯ୍ୟକ୍ରମ କରିବା ତ ଦୂରର କଥା ସାମିଲ ମଧ୍ୟ ହୋଇନଥିଲେ । ଏହା ପଛରେ କ’ଣ କାରଣ ତାହା ସେ ସ୍ପଷ୍ଟ କରୁନଥିଲେ ମଧ୍ୟ ଦଳ ପ୍ରତି ତାଙ୍କର ମୋହ ଭଙ୍ଗ ହୋଇଥିବା କୁହାଯାଉଛି । ଗଞ୍ଜାମ ଜିଲ୍ଲାର ଜଣେ ଶାସକ ଦଳର ନେତାଙ୍କୁ ଖୁସି କରିବା ପାଇଁ ପ୍ରତ୍ୟେକ କାର୍ଯ୍ୟକ୍ରମ ତାଙ୍କ ଇସାରାରେ କରୁଥିବା ବର୍ତ୍ତମାନ ପାରଳାଖେମୁଣ୍ଡିରେ ଚର୍ଚ୍ଚା ହେଉଛି । ପିସିସି ସଭାପତି ପରିବର୍ତ୍ତନ ପରେ କଂଗ୍ରେସରେ ମନୋନିବେଶ କରିବେ ବୋଲି କହିବା ସହ କିଛି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ । ତେବେ ଗତ କିଛି ଦିନ ତଳେ ବିଧାୟକ ଶ୍ରୀ ରାଓ ଏବଂ ବର୍ତ୍ତମାନର ବିଜେଡି ନେତା ଚନ୍ଦ୍ରଶେଖର ସାହୁଙ୍କ ଗୁରାଣ୍ଡିରେ ଭେଟଘାଟ ପରେ ସେ ପୁଣି ଥରେ କଂଗ୍ରେସ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିବା ବର୍ତ୍ତମାନ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଉଛି । ଉଭୟ ନେତାଙ୍କ ମଧ୍ୟରେ ଏଠାରେ କଣ ଆଲୋଚନା ହୋଇଛି ତାହା ସ୍ପଷ୍ଟ ଭାବେ ଜଣାପଡୁନଥିଲେ ମଧ୍ୟ ବିଜେଡିରେ ଶ୍ରୀ ରାଓଙ୍କ ସାମିଲ ହେବା ସମ୍ଭାବନା ଆଲୋଚନାର ବିଷୟ ହୋଇଛି । ଏଭଳି ପରିସ୍ଥିତିରେ ରାଜ୍ୟ କଂଗ୍ରେସ ନେତୃତ୍ୱ ଗଜପତି ଜିଲ୍ଲାର ସ୍ଥିତିକୁ ନେଇ ତୁରନ୍ତ କିଛି ପଦକ୍ଷେପ ନେବା ଜରୁରୀ ବୋଲି ଦଳର ତୃଣମୂଳସ୍ତରୀୟ କର୍ମୀଙ୍କ ମହଲରେ ମତ ପ୍ରକାଶ ପାଉଛି । ନଚେତ ଗଜପତିରେ ବିଗତ ଦିନରେ ଯେଭଳି କଂଗ୍ରେସର ଦୁର୍ଗ ପତନ ଘଟିଥିଲା ତାହାର ପୁନରାବୃତ୍ତି ସୁନିଶ୍ଚିତ ବୋଲି କୁହାଯାଉଛି ।

Share :