ବ୍ରହ୍ମପୁରରେ ଥମୁନି ଭୃଣହତ୍ୟା

ବ୍ରହ୍ମପୁରରେ ଥମୁନି ଭୃଣହତ୍ୟା

Share :

ହେମାଙ୍ଗ ପ୍ରସାଦ ରାଉଳ କେଉଁ ଆଦିମ କାଳରୁ ନାରୀ ଜାତିକୁ ବହୁ ସମ୍ମାନ ମିଳୁଥିବା ଏବଂ ଯେଉଁ ଘରେ ଝିଅ ଜନ୍ମ ହୁଏ ସେଠାରେ ଘରକୁ ଲକ୍ଷ୍ମୀ ଆସିଲା ବୋଲି କୁହାଯାଉଥିଲା । ଭାରତରେ ଲକ୍ଷ୍ମୀବାଇ, ରାଣୀ ପଦ୍ମାବତୀ, ମୀରାବାଈ, ସରୋଜିନୀ ନାଇଡ଼ୁ, ଲକ୍ଷ୍ମୀ ସେହେଗଲ୍ ଭଳି ବହୁ ମହୀୟସୀ ନାରୀ ଜନ୍ମ ନେଇ ଭାରତ ଭୂମିକୁ ପବିତ୍ର କରିଛନ୍ତି । ସେମାନେ ଦେଶ ଓ ଜାତିର ଖ୍ୟାତି ବଢ଼ାଇବା ସହ ନାରୀ ଜାତିକୁ ଉଚ୍ଚ ଆସନରେ ବସାଇଛନ୍ତି । ବର୍ତ୍ତମାନ ଦେଶରେ ନାରୀମାନଙ୍କ ସ୍ଥିତି ଏବଂ ଝିଅ ଜନ୍ମ ହେଲେ ଜଣେ ସ୍ତ୍ରୀ କେତେ ଯେ ଅପଦସ୍ତର ସମ୍ମୁଖୀନ ହେଉଛି ତାହା ଏଠାରେ ବର୍ଣ୍ଣନା କରିବା କଷ୍ଟସାଧ୍ୟ । ଦେଶରେ ବେଟି ବଚାଓ ବେଟି ପଢ଼ାଓ ନାରା ଶୁଭୁଥିବା ବେଳେ ନାରୀ ସୁରକ୍ଷା ନୀତି ଆପଣାଇ ଏକ ଯୁଗାନ୍ତକାରୀ ଧାରା ପ୍ରବାହ ହେଉଥିବା ସମୟରେ ଆଜି ବି କନ୍ୟାଭ୍ରୁଣ ଟିଏ ସଂସାର ଦେଖିବା ପୂର୍ବରୁ କଂସେଇର ଶିକାର ହେଉଛି । ଏହି ଧାରାରେ ବ୍ରହ୍ମପୁର ସହର ମଧ୍ୟ ବାଦ୍ ପଡ଼ିନି । ରେଶମ ନଗରୀ ବ୍ରହ୍ମପୁର ମଧ୍ୟଭାଗ ହାଇ ପ୍ରୋଫାଇଲ୍ ଶିକ୍ଷିତ ଅଂଚଳ ଭାବେ ଜଣାଶୁଣା ଅଶୋକ ନଗରରେ ଦୁଇ ଦୁଇଟି ଭୃଣକୁ ଉଦ୍ଧାର କରିବା ପରେ ସହରରେ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାରେ ବ୍ରହ୍ମପୁର ବଦନାମ ହୋଇ ଚାଲିଥିବା ବେଳେ ବାରମ୍ବାର ଭୃଣ ସର୍ବସାଧାରଣଙ୍କ ରାସ୍ତାକଡ଼ ଡ଼୍ରେନରେ ପଡ଼ିବା ଏହା ଆମ ସାମାଜିକ ସାଂସ୍କୃତିକ ଜୀବନର ଏକ କଳଙ୍କ କୁହାଯାଇପାରବ । ସହରରେ ଛତୁ ଫୁଟିଲା ପରି ନର୍ସିଂ ହୋମରେ ଭୃଣହତ୍ୟା ଯେ ଏବେ ମଧ୍ୟ ଚାଲିଛି ଏହାକୁ ଆସ୍ୱୀକାର କରିହେବ ନାହିଁ । କୁମାରୀ ମାତୃତ୍ୱର ଭୟଙ୍କର ସଂଜ୍ଞା ସମାଜକୁ ଭାରାକ୍ରାନ୍ତ କରୁଛି । ଅବୈଧ ସଂପର୍କ, ଗଣଦୁଷ୍କର୍ମ, କୁମାରୀ ମାତୃତ୍ୱ ସମାଚାର ଶିରୋନାମାରେ ଯେଉଁସବୁ ଭୟଙ୍କର କଥାବସ୍ତୁ ଫୁଟି ଉଠେ ଆମର ଦୈନିକ ଆଚାର ଓ ବିଚାର ନିମ୍ନଗାମୀର ଏକ ସୂଚକାଙ୍କ ପରି ମନେହୁଏ । ସରକାର କହିଲେ ଭ୍ରୁଣ ହତ୍ୟା ଏକ ଅପରାଧ । ଶାସ୍ତ୍ର କହିଲା ଯତ୍ ପାପ ବ୍ରହ୍ମ ହତ୍ୟାୟାଂ ଦ୍ୱିଗୁଣା ଗର୍ଭପାତେନ । ଏଇ ସବୁକୁ ଚାଲେଞ୍ଜ ମାରି ସାମାନ୍ୟ କେତେଟା ଟଙ୍କା ଗୋଟାଇବାର ନିଶାରେ ଆସାମାଜିକ ଅର୍ଥଖୋର ଡ଼ାକ୍ତରମାନେ ଆଜି ବି ଭ୍ରୁଣ ହତ୍ୟାରେ ସଂପୃକ୍ତ । ଉକ୍ତ ଡ଼ାକ୍ତରମାନଙ୍କୁ ସହଯୋଗ କରୁଛନ୍ତି କିଛି ନାରୀ ଜାତିକୁ ଅପମାନ ଦେଉଥିବା ଆଶା କର୍ମୀ ଏବଂ ଅଙ୍ଗନୱାର୍ଡ଼ୀ କର୍ମୀ । ଯେଉଁ କେଉଁଠାରେ କନ୍ୟା ସନ୍ତାନ କିମ୍ବା କୁଆଁରୀ ମାତୃତ୍ୱର ଲଜ୍ଜା ଦେଖାଯାଇଥାଏ ସେଠାରେ କିଛି ଅଙ୍ଗନୱାଡ଼ି କର୍ମୀ ଓ ଆଶା କର୍ମୀ ନିଜ ନିଜ ଦଲାଲଙ୍କ ସହ ପହଂଚି ଟଙ୍କାର ହିସାବ ଛିଡ଼ାଇ ଡ଼ାକ୍ତରକୁ ଯୋଗାଯୋଗ କରି ଏହି ଅନୈତିକ କାର୍ଯ୍ୟ ଚଲାଉଛନ୍ତି । ଏହି ଟଙ୍କାରେ ଡ଼ାକ୍ତର, ଦଲାଲ ଏବଂ ଉକ୍ତ କର୍ମୀମାନଙ୍କ ଭାଗ ରହିଛି । ଘରୋଇ ନର୍ସିଂ ହୋମ୍ ବା ସରକାରୀ ଡ଼ାକ୍ତରଖାନାରେ ଭୃଣ ହତ୍ୟା ପାଇଁ ଅପରାଧ ବିବେଚନା କରୁଥିବା ବିଜ୍ଞାପନ ବୋର୍ଡ଼ରେ ଅଭାବ ନାହିଁ । ତଥାପି ବ୍ରହ୍ମପୁରରେ ଭୃଣମାନେ ଭ୍ରମଣ କରିବା ନିଶ୍ଚୟ ନିନ୍ଦନୀୟ । ବ୍ରହ୍ମପୁର ବଡ଼ ମେଡ଼ିକାଲ୍ ନିକଟରେ ଏବଂ ରାସ୍ତା ପାଶ୍ୱର୍ରେ ନାଳରେ ଭୃଣ ମାରି ତାକୁ କୌଣସି କଣ୍ଟେନରରେ ଭର୍ତ୍ତି କରି ଫିଙ୍ଗିଦେବା ଆସୁରିକ ଚରିତ୍ରଙ୍କ କାମ ବୋଲି ଧରିନେବାକୁ ହେବ । ଏହି ଭୃଣମାନଙ୍କୁ ଡ଼୍ରେନରୁ ଉଠାଇ କୁକୁର ଏଣେ ତେଣେ ଫିଙ୍ଗିବା ଫଳରେ ତାହା ନଜରକୁ ଆସୁଛି । ଡ଼ାକ୍ତରଙ୍କ ଆପ୍ରୋନରେ କଳଙ୍କର ଦାଗ ଲିଭିନଥିବା ବେଳେ ବାରମ୍ବାର ଭୃଣ ହତ୍ୟାର ଖବର ପରିବେଷଣ ଆମ ସମାଜ ପାଇଁ କେବଳ ନୁହଁ ସରକାରଙ୍କ ସଚେତବାଣ ଅଭିମାନକୁ ଅଙ୍ଗୁଳି ଉଠୁଛି । କନ୍ୟାଟିଏ ଜନ୍ମ ହେଲେ ଖୁସୀ ମନାଇବା ପାଇଁ ବିଜ୍ଞାପନ, ବେଟି ବଚାଓ ବେଟି ପଢ଼ାଓ ମନ୍ତ୍ରରେ ଅଭିମନ୍ତ୍ରିତ ଦେଶରେ ଭୃଣହତ୍ୟା ଏକ କଳଙ୍କ । ନିର୍ଦ୍ଦୟ ଭାବରେ ଗର୍ଭ ଅବସ୍ଥାରେ ଭୃଣଟିକୁ ବଧ କରିବାର ବିଚାର ନେଇ ଆସୁଥିବା ମଣିଷଙ୍କ ଭିତରେ ଅଧିକାଂଶ କୁମାରୀ ମାତୃତ୍ୱର ଶିକାର । ଭୃଣ କନ୍ୟା ହେଉ ବା ପୁଅ ହେଉ ଏହାର ପଛରେ ଅନୈତିକ ସଂପର୍କ ହିଁ ଉତ୍ତରଦାୟୀ । କମ୍ ବୟସର କୋମଳମତି ଯୁବକଯୁବତୀ ଆଜି ଯୌନ କ୍ଷୁଧାର କବଳରେ । କମ ବୟସରଙ୍କ ପ୍ରବାସରେ ରହୁଥିବା କିଛି ଚରିତ୍ର ଭ୍ରଷ୍ଟ ଯୁବକ ଯୁବତୀମାନେ ସଂପ୍ରତି ନର୍ସିଂହୋମଗୁଡ଼ିକ ଚୟନ କରିଥାନ୍ତି । ଭୃଣର ବିଜ୍ଞାପନ ଲେଖିଥିବା ନର୍ସିଂ ହୋମର ମାଲିକମାନେ କିଛି ଦଲାଲଙ୍କ ସହାୟତାରେ ଏପରି ଭୃଣ ହତ୍ୟାକୁ ଏକ ବେପାର କରିବାରେ ମଧ୍ୟ ସିଦ୍ଧହସ୍ତ । ବ୍ରହ୍ମପୁର ଜନୈକ ଡ଼ାକ୍ତରଙ୍କ ମତରେ ଅନୈତିକ ଆଧାରରେ ସଂପର୍କ ରଖିବାର ସୁଯୋଗ ନେଇଥାନ୍ତି ଭୃଣହତ୍ୟାର ଠିକାଦାରୀ କରୁଥିବା ନର୍ସିଂ ହୋମର କିଛି ଦଲାଲ । ଏକ ଭୟଙ୍କର ତଥ୍ୟ ମଧ୍ୟ ସେ ପ୍ରକାଶ କରି କହିଛନ୍ତି ଅନୈତିକ ଆଧାରରେ ଭୃଣ ହତ୍ୟା ପାଇଁ ଆସୁଥିବା ଅସହାୟ ମହିଳା ମଧ୍ୟ ଯୌନ ଶୋଷଣର ଶିକାର ହୋଇ ଲଜ୍ଜା ନିବାରଣ ପାଇଁ ନିଜକୁ ଟେକିଦିଏ ସଂପୃକ୍ତ ଦଲାଲ ଏବଂ ଡ଼ାକ୍ତରମାନଙ୍କ ପାଖରେ । ଏହା ଆମ ସାମାଜିକ ଜୀବନର ଗୋଟିଏ ବଡ଼ ବ୍ୟାଧି । ବ୍ରହ୍ମପୁରରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର କାହାଣୀ ଭିତରେ ଭଣଭ୍ରମଣ କାହାଣୀ ବ୍ରହ୍ମପୁରର ସମସ୍ତଙ୍କ ଆଖି ଖୋଲିଦେଉ । ପିତାମାତାମାନେ ନିଜ ନିଜର ସନ୍ତାନଙ୍କ ଉପରେ ତୀକ୍ଷ୍ମ ନଜର ରଖି ଆସୁଥିବା ସମ୍ଭାବନା ତଥା ଏହି ବିପତ୍ତିରୁ ମୁକ୍ତି ପାଇଁ ସନ୍ତାନଙ୍କ ସହ ନିବିଡ଼ ସଂପର୍କ ଯୋଡ଼ି ହେଲେ କୁମାରୀ ମାତୃତ୍ୱର ଦାଉରୁ ବର୍ତ୍ତିବା ସହ ଭୃଣର କାହାଣୀ ଆଉ ସହର ପଥରେ ଦେଖିବାକୁ ମିଳିବ ନାହିଁ ବୋଲି ଶିକ୍ଷାବିତଙ୍କ ମତ ।

Share :