ମେ ୨୯ରେ କେରଳ ଛୁଇଁବ ମୌସୁମୀ

ମେ ୨୯ରେ କେରଳ ଛୁଇଁବ ମୌସୁମୀ

Share :

ଏଥର ୩ ଦିନ ଆଗରୁ ଆସିବ ମୌସୁମୀ । ମେ ୨୯ ତାରିଖରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଯଦି ଏହା ସତ ହୁଏ ତେବେ ଓଡ଼ିଶାରେ ଏହାର ୧୪-୧୫ ଦିନ ପରେ ବର୍ଷା ଋତୁ ଆରମ୍ଭ ହୋଇଯିବ । ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ତରଫରୁ ଆଜି ଦକ୍ଷିଣ ପଶ୍ଚିମ ମୌସୁମୀର ଆଗମନ ନେଇ କୁହାଯାଇଛି ଯେ ଯାହା ସୂଚନା ମିଳୁଛି ଏଥର ମେ ୨୯ ତାରିଖରେ ଭାରତ ମାଟି ଛୁଇଁବ ମୌସୁମୀ । ଏଥିରେ ଅବଶ୍ୟ ୪ ଦିନ ଏପଟସେପଟ ହୋଇପାରେ ବୋଲି ବିଭାଗ କହିଛି । କେରଳରେ ସାଧାରଣତଃ ଜୁନ ୧ ତାରିଖରେ ମୌସୁମୀ ବାୟୁ ପହଂଚିଥାଏ । ଏଥିରେ ବି ୭ ଦିନ ଏପଟ ସେପଟ ହୋଇଥାଏ । ଯେଉଁ ଦିନ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଏଁ ସେହି ଦିନଠାରୁ ଭାରତରେ ବର୍ଷା ଋତୁ ଆରମ୍ଭ ହୁଏ ବୋଲି କୁହାଯାଏ । ତେବେ ଏହା କ୍ରମଶଃ ଉତ୍ତରପୂର୍ବ ଦିଗକୁ ଗତି କରି ଯେଉଁ ରାଜ୍ୟରେ ଯେବେ ପହଂଚେ ସେହିଠାରୁ ସଂପୃକ୍ତ ରାଜ୍ୟରେ ବର୍ଷା ଋତୁ ଗଣନା କରାଯାଏ । କେରଳରେ କେବେ ମୌସୁମୀ ଅବତରଣ କରିବ ସେନେଇ ୨୦୦୫ ମସିହାରୁ ପୂର୍ବାନୁମାନ କରିଚାଲିଛି ଭାରତୀୟ ପାଣିପାଗ ବିଭାଗ । ସେବେଠାରୁ ଏ ମଧ୍ୟରେ ୧୩ ବର୍ଷ ବିତିଗଲାଣି । ୨୦୦୫-୨୦୧୭ ମଧ୍ୟରୁ କେବଳ ୨୦୧୫ ମସିହାରେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଭୁଲ ହୋଇଥିଲା । ସେ ବର୍ଷ ମେ ୩୦ ତାରିଖରେ ମୌସୁମୀ ପହଂଚିବ ବୋଲି ପାଣିପାଗ ବିଭାଗ କହିଥିଲାବେଳେ ତାହା ଜୁନ ୫ ତାରିଖରେ ଅବତରଣ କରିଥିଲା । ଗତ ୫ ବର୍ଷ ମଧ୍ୟରୁ ଅନ୍ୟ ୪ ବର୍ଷର ରେକର୍ଡ ଦେଖିଲେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ପ୍ରାୟତଃ ସତ ସାବ୍ୟସ୍ତ ହୋଇଛି । ୨୦୧୩ରେ ଜୁନ ୩ ତାରିଖରେ ମୌସୁମୀ ଅବତରଣ କରିବ ବୋଲି ପୂର୍ବାନୁମାନ କରାଯାଇଥିଲା । କିନ୍ତୁ ତାହାର ଦୁଇ ଦିନ ପୂର୍ବରୁ ୧ ତାରିଖରେ ପହଂଚିଥିଲା । ୨୦୧୪ରେ ଜୁନ ୫ ତାରିଖ ପରିବର୍ତ୍ତେ ଜୁନ ୬ ତାରିଖରେ ପହଂଚିଥିଲା । ୨୦୧୬ରେ ଜୁନ ୭ ତାରିଖ ବଦଳରେ ୮ ତାରିଖରେ ଏବଂ ୨୦୧୭ରେ ମେ ୩୦ ତାରିଖରେ ମୌସୁମୀ ବାୟୁ କେରଳରେ ଅବତରଣ କରିଥିଲା । ଗତ ଏପ୍ରିଲ ୧୬ ତାରିଖରେ ଭାରତୀୟ ପାଣିପାଗ ବିଭାଗ ଚଳିତ ବର୍ଷର ମୌସୁମୀ ନେଇ ପ୍ରଥମ ପୂର୍ବାନୁମାନ ପ୍ରକାଶ କରିଥିଲା । ଏହି ପୂର୍ବାନୁମାନ ଅନୁସାରେ ଏବର୍ଷ ମୌସୁମୀ ସ୍ୱାଭାବିକ ହେବ । ଅର୍ଥାତ ଦୀର୍ଘକାଳୀନ ହାରାହାରି ଅନୁସାରେ ୯୭ ପ୍ରତିଶତ ବୃଷ୍ଟିପାତ ହେବ । ଗତ ତିନି ବର୍ଷ ଧରି ପାଣିପାଗ ବିଭାଗ ସ୍ୱାଭାବିକ ମୌସୁମୀ ବୃଷ୍ଟିପାତ ହେବ ବୋଲି କହି ଆସୁଛି । ତେବେ ଗତ ବର୍ଷ ସ୍ୱାଭାବିକଠାରୁ କମ ବର୍ଷା ହୋଇଥିଲା । ସାଧାରଣତଃ ଦୀର୍ଘକାଳୀନ ହାରାହାରିର ୯୬-୧୦୪ ପ୍ରତିଶତ ମଧ୍ୟରେ ବର୍ଷା ହେଲେ ତାହାକୁ ସ୍ୱାଭାବିକ ବୃଷ୍ଟିପାତ ଭାବେ ହିସାବ କରାଯାଏ । ତା’ଠାରୁ କମିଲେ କମ୍ ଓ ତା’ଠାରୁ ବଢ଼ିଲେ ଅଧିକ ବୃଷ୍ଟିପାତ ହୋଇଥାଏ ବୋଲି ଗଣନା କରାଯାଏ । ଭାରତରେ ଜୁନ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ମୌସୁମୀ ବୃଷ୍ଟିପାତ ହୋଇଥାଏ । କେରଳରୁ ମୌସୁମୀର ଉତ୍ତରପୂର୍ବ ଗତି ସହିତ ଭାରତୀୟ ପାଣିପାଗ ବିଭାଗ ନିୟମିତ ଭାବେ ବିଭିନ୍ନ ରାଜ୍ୟ ଓ ମାସ ପାଇଁ ବୃଷ୍ଟିପାତ ନେଇ ପୂର୍ବାନୁମାନ ପ୍ରକାଶ କରିଥାଏ । ଚଳିତ ବର୍ଷର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସଂପର୍କରେ ପାଣିପାଗ ବିଭାଗ କହିଛି ଯେ ସାଧାରଣତଃ ମେ ୨୦ ତାରିଖ ଆଡ଼କୁ ଆଣ୍ଡାମାନ ସାଗର ଉପରେ ମୌସୁମୀ ପହଂଚିଥାଏ । ଏଥିରେ ସପ୍ତାହେ ଏପଟ ସେପଟ ହୋଇଥାଏ । ଏବର୍ଷ ମେ ୨୩ ତାରିଖ ବେଳକୁ ଆଣ୍ଡାମାନ ସାଗର ଉପରେ ମୌସୁମୀ ପହଂଚିବାର ସମସ୍ତ ପରିସ୍ଥିତି ଦେଖାଦେଇଛି । ମେ ୨୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ଏହା ପହଂଚିଯିବ ବୋଲି ପୂର୍ବାନୁମାନ କରାଯାଉଛି ।

Share :