ଓଡ଼ିଶା କେତେ ପୁରୁଣା? ପଥର କହେ ଇତିହାସ!

ଓଡ଼ିଶା କେତେ ପୁରୁଣା? ପଥର କହେ ଇତିହାସ!

Share :

ଆଠ ବର୍ଷ ତଳେ ଅର୍ଥାତ ୨୦୧୦ ମସିହାରେ ଓଡ଼ିଶାର କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଚମ୍ପୁଆରୁ ଗୋଟେ ପଥରର ନମୂନା ସଂଗ୍ରହ କରିନେଇଥିଲେ କେତେ ଜଣ ବୈଜ୍ଞାନିକ । ଏବେ ସେମାନଙ୍କ ଗବେଷଣାରୁ ଜଣାପଡ଼ିଛି ଯେ ଏହା ହେଉଛି ପୃଥିବୀର ଦ୍ୱିତୀୟ ପୁରାତନ ପଥର । ଏହା ସେହି ଅଂଚଳରେ ପଡ଼ି ରହିଛି ପ୍ରାୟ ୪୨୪ କୋଟି ବର୍ଷ ହେଲା! ଏହା ଜଣାପଡ଼ିବା ପରେ ଭୂତାତ୍ତ୍ୱିକ ଗବେଷଣା କ୍ଷେତ୍ରରେ ପୃଥିବୀରେ ଓଡ଼ିଶା ହାସଲ କରିଛି ଏକ ଅଗ୍ରଣୀ ମାନ୍ୟତା । ଏହି ପଥର ଖଣ୍ଡରେ ବୈଜ୍ଞାନିକମାନେ ମ୍ୟାଗମାଟିକ ଜିର୍କନର କିଛି ଅଂଶ ଠାବ କରିଛନ୍ତି । ମ୍ୟାଗମାଟିକ ଜିର୍କନ ହେଉଛି ଏକ ଖଣିଜ ପଦାର୍ଥ । ଏଥିରେ ରେଡିଓଆକ୍ଟିଭ ଆଇସୋଟୋପ ରହିଥାଏ । ଏ ଆବିଷ୍କାର କରି ନାହାନ୍ତି କୌଣସି ଓଡ଼ିଆ ବୈଜ୍ଞାନିକ । ଏହା ଆବିଷ୍କାର କରିଛନ୍ତି କଲିକତା ବିଶ୍ୱବିଦ୍ୟାଳୟ, ମାଲେସିଆର କର୍ଟିନ ବିଶ୍ୱବିଦ୍ୟାଳୟ ଏବଂ ବେଜିଂର ଚାଇନିଜ ଏକାଡେମୀ ଅଫ୍ ଜିଓଲୋଜିକାଲ ସାଇନ୍ସେଦର ଭୂତତ୍ତ୍ୱ ବିଜ୍ଞାନୀଙ୍କର ଏକ ଦଳ । ଏହି ବୈଜ୍ଞାନିକ ଦଳଙ୍କର ଗବେଷଣା ନିବନ୍ଧ ୨୦୧୮ ମେ ପ୍ରଥମ ସପ୍ତାହରେ ସାଇଣ୍ଟିଫିକ ରିପୋର୍ଟସ ନାମକ ଏକ ପତ୍ରିକାରେ ପ୍ରକାଶ ପାଇଛି । ଏହି ଗବେଷଣା ଦଳର ଜଣେ ସଦସ୍ୟ ତଥା ନିବନ୍ଧର ଅନ୍ୟତମ ଲେଖକ ଭୂତତ୍ତ୍ୱ ବିଜ୍ଞାନୀ ଡକ୍ଟର ରଜତ ମଜୁମଦାର କହିଛନ୍ତି ଯେ ସିଂହଭୂମ ପଥର ନାମରେ ନାମିତ ଚମ୍ପୁଆର ଏହି ପଥରଠାରୁ ଅଧିକ ପୁରୁଣା ଆଉ ମାତ୍ର ଗୋଟିଏ ପଥର ଏଯାଏଁ ଠାବ କରାଯାଇଛି । ତାହା ରହିଛି ପଶ୍ଚିମ ଅଷ୍ଟ୍ରେଲିଆର ଜ୍ୟାକ୍ ହିଲରେ । ତାହାର ବୟସ ଆକଳନ କରାଯାଇଛି ୪୪୦ କୋଟି ବର୍ଷ । ତେବେ ସେଥିରେ ଥିବା ଜିର୍କନ ରୂପାନ୍ତରିତ ପଙ୍କ ପଥରର ଅଂଶ ହୋଇଥିବାବେଳେ କେନ୍ଦୁଝର ପଥରରେ ଥିବା ଜିର୍କନ ମ୍ୟାଗମା ଉତ୍ତପ୍ତ ତରଳ ପଦାର୍ଥରୁ ଆସିଛି ବୋଲି ଜଣାପଡ଼ିଛି । ଡକ୍ଟର ମଜୁମଦାର କହିଛନ୍ତି ଯେ ଏହି ଦୃଷ୍ଟିରୁ ଜିର୍କନ ମିଳିଥିବା ସିଂହଭୂମ ପଥର ହେଉଛି ପୃଥିବୀର ଦ୍ୱିତୀୟ ପୁରାତନ ପଥର ଓ ଏଥିରେ ଥିବା ଜିର୍କନ ହେଉଛି ପୃଥିବୀର ସର୍ବପୁରାତନ ମ୍ୟାଗମାଟିକ ଜିର୍କନ । ଡକ୍ଟର ମଜୁମଦାରଙ୍କ ସହିତ କଲିକତା ବିଶ୍ୱବିଦ୍ୟାଳୟର ଗବେଷକ ତଥା ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ସହଯୋଗୀ ଶ୍ରୀମତୀ ତ୍ରିସ୍ରୋତା ଚୌଧୁରୀ ବର୍ଷବର୍ଷ ଧରି ଓଡ଼ିଶାର ସିଂହଭୂମ ପଥର ଉପରେ ଗବେଷଣା ଚଳାଇଥିଲେ । ଡକ୍ଟର ମଜୁମଦାର ଓ ଶ୍ରୀମତୀ ଚୌଧୁରୀ ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନର ଭୂତାତ୍ତ୍ୱିକ ଗବେଷଣା କେନ୍ଦ୍ରରେ ସିଂହଭୂମ ପଥର ଉପରେ ଗବେଷଣା କରିଥିଲେ । ତେବେ ଏହି ପଥରର ଆଇସୋଟୋପିକ ଅନୁଶୀଳନ ଅତ୍ୟନ୍ତ କଷ୍ଟକର ବ୍ୟାପାର ଥିଲା । ସେମାନେ ଏହାର ଅନୁଶୀଳନ ପାଇଁ ଅଷ୍ଟ୍ରେଲିଆ, କାନାଡ଼ା, ଜର୍ମୀନା ଓ ଆମେରିକାର ଅନେକ ଗବେଷଣାଗାରକୁ ଅନୁରୋଧ କରିଥିଲେ । ସେମାନେ ସମସ୍ତେ ପ୍ରତ୍ୟାଖ୍ୟାନ କରିଥିଲେ । କିନ୍ତୁ ଶେଷରେ ବେଜିଂସ୍ଥିତି ଚାଇନିଜ ଏକାଡେମୀ ଅଫ ଜିଓଲୋଜିକାଲ ସାଇନ୍ସେସ ସହଯୋଗୀ ହେବା ସର୍ତ୍ତରେ ଏହି ଅନୁଶୀଳନ କରିବାକୁ ରାଜି ହୋଇଥିଲା । ସେଠାକାର ବରିଷ୍ଠ ଗବେଷକ ଡକ୍ଟର ୟୁଶେଙ୍ଗ ୱାନ ଏଥିରେ ସହଯୋଗ କରିଥିଲେ । ସେମାନେ ସେନ୍ସିଟିଭ ହାଇ ରିଜୋଲ୍ୟୁସନ ଆୟୋନ ମାଇକ୍ରୋପ୍ରୋବ ବା ଶ୍ରୀମ୍ପ ଯନ୍ତ୍ରରେ ଏହାର ଅନୁଶୀଳନ କରିଥିଲେ । ଏହି ଅନୁଶୀଳନରୁ ଜଣାପଡ଼ିଥିଲା ଯେ ସିଂହଭୂମ ପଥରରୁ ସଂଗୃହୀତ ଦୁଇଟି ଜିର୍କନ କଣିକା ହେଉଛି ୪୨୪ କୋଟି ଓ ୪୩୦ କୋଟି ବର୍ଷ ପୁରୁଣା । ଏହା ଉପରେ ଅଧିକ ଗବେଷଣା କରାଗଲେ ପୃଥିବୀରେ କେବେ ଓ କିପରି ଜଳ ସୃଷ୍ଟି ହେଲା ତାହା ଜଣାପଡ଼ିବାର ସମ୍ଭାବନା ରହିଛି ବୋଲି ଡକ୍ଟର ମଜୁମଦାର କହିଛନ୍ତି ।

Share :