ପୋଲିସର ଏ କି ଚେହେରା ?

ପୋଲିସର ଏ କି ଚେହେରା ?

Share :

ସବ୍ୟସାଚୀ ଅମିତାଭ ମନେ ପକାନ୍ତୁ ହିନ୍ଦି ସିନେମାର ସେଇ ଡାଇଲଗ୍। ଯେଉଁଠି ଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ୍ ଅଧିକାରୀ, ଜଣେ ଦୁର୍ନୀତିଗ୍ରସ୍ତ ସହକର୍ମୀଙ୍କୁ ବୁଝାଇବା ପାଇଁ ପୋଲିସର ଅର୍ଥ ବୁଝାଉଛନ୍ତି। ଯେମିତି, P- Polite, O- Obedient, L- Loyal, I- Intelligent, C- Courageous, E- Efficient. ହେଲେ ବର୍ତମାନ ଆମ ରାଜ୍ୟର ପୋଲିସକୁ ଏଇଟା ବୁଝାଇବ କିଏ ତାହା ମୁଖ୍ୟ ପ୍ରସଙ୍ଗ। ଯଦି ଡିକ୍ସିନାରୀରେ ପୋଲିସ୍ ଅର୍ଥ ଖୋଜିବା ତେବେ ପୁଲିସ ଅର୍ଥ ବାହାରିବ the civil force of a state, responsible for the prevention and detection of crime and the maintenance of public order. ପବ୍ଲିକ୍ ଅର୍ଡର ଅର୍ଥ ହେଲା, ସାଧାରଣ ଲୋକଙ୍କ ଧନ, ଜୀବନ ତଥା ସୁରକ୍ଷାର ଦାୟିତ୍ୱ ପୋଲିସ୍ ଉପରେ ନ୍ୟସ୍ତ। ହେଲେ ଏହା କେତେଦୂର ସତ ତାହା ଉପରେ ବର୍ତମାନ ଏକ ବିରାଟ ପ୍ରଶ୍ନବାଚୀ ଲାଗିସାରିଛି। ନିମାପଡା, ରାଜଧାନୀର ନୂଆପଲ୍ଲୀ ଅବା ପଶ୍ଚିମ ଓଡିଶାର ବରଗଡ। ତିନୋଟି ସ୍ଥାନ, ହେଲେ ସିଧାସଳଖ ବୟାନ କରୁଛି ପୋଲିସ କେତେ ଭୟଙ୍କର। ନିମାପଡାର ଜଣେ ୭୬ ବର୍ଷିୟା ବୃଦ୍ଧାଙ୍କୁ ଥାନାକୁ ଡାକି ଯେଉଁପରି ଭାବେ ଥାନା ଅଧିକାରୀ ପିଟିଛନ୍ତି ସୋସିଆଲ୍ ମିଡିଆରେ ସେ ଦୃଶ୍ୟ ଯେ କେହି ଦେଖିଥିବ, ଅନୁଭବ କରିପାରୁଥିବ କଣ ପାଇଁ ସାଧାରଣ ଲୋକଟିଏ ପୋଲିସ୍ ନାଁ ଶୁଖିଲେ ଅସହଜ ଅନୁଭବ କରେ। ଠିକ୍ ସେଇପରି ରାଜଧାନୀ ଛାତି ଉପରେ ଥିବା ନୂଆପଲ୍ଲୀ ଥାନାରେ ଦୁଇ ଜଣ କଲେଜ୍ ପଢୁଆ ଝିଅଙ୍କୁ ଜମିବାଡି ବିବାଦ କେସରେ ପୋଲିସ୍ ଅଧିକାରୀମାନେ ଯେପରି ଅନ୍ଧଭାବେ ପିଟିଛନ୍ତି ଲାଗୁଛି, ପୋଲିସ୍ ବୋଧହୁଏ କେବଳ ପିଟିବା ପାଇଁ କ୍ଷମତାପ୍ରାପ୍ତ। ଆଉ ବରଗଡରେ ତ ରାସ୍ତାଚଲା ଲୋକ ବି ବାଦ୍ ପଡିନାହାଁନ୍ତି ଖାକିଗିରିରୁ। ପୋଲିସର ଏ କି ଚେହେରା। କଣ ପାଇଁ ପୋଲିସ୍ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେଇପାରୁନି। ଦୁଇଟି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ। ଗୋଟିଏ ତଥ୍ୟରୁ ଜଣାପଡିଛି, ପାଖାପାଖି ୭୫ ପ୍ରତିଶତ ଲୋକ ଘଟୁଥିବା ଅପରାଧ ବାବଦରେ ପୋଲିସ୍ କଂପ୍ଲେନ୍ କରିବାକୁ ଯାଆନ୍ତି ନାହିଁ। କାରଣ ହେଉଛି, ପୋଲିସ୍ର ପୋଲିସିଆ ବ୍ୟବହାର। ପୋଲିସ୍ ପ୍ରତି ଥିବା ଭୟ ପାଇଁ। ଥାନାକୁ ଗଲେ ସାଧାରଣ ଲୋକଟିଏ ପୋଲିସ୍ ଠାରୁ କି ପ୍ରକାର ବ୍ୟବହାର ପାଏ, ତାହା ସମସ୍ତେ ଭଲ ଭାବେ ଜାଣନ୍ତି। କିଛି ଦିନ ତଳେ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ ପକ୍ଷରୁ ବ୍ୟୁରୋ ଅଫ୍ ପୋଲିସ୍ ରିସର୍ଚ୍ଚ ଆଣ୍ଡ୍ ଡେପଭଲମେଂଟ୍ ପାଇଁ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେ ଅନୁସାରେ, ସାରା ଦେଶରେ ବାର୍ଷିକ ୧.୦୮ କୋଟି କଂପ୍ଲେନ୍ ଆସୁଥିଲେ ବି ତା ଭିତରୁ ମାତ୍ର ୬୦. ୪୧ ଲକ୍ଷ କଂପ୍ଲେନ୍ରେ କେସ୍ ରେଜିଷ୍ଟ୍ରୀ ହୋଇଥାଏ। ସେହିପରି ୫୬. ୬ ପ୍ରତିଶତ ଅଭିଯୋଗକାରୀ ବା ପୀଡିତ ବ୍ୟକ୍ତିବିଶେଷ ଥାନାକୁ ଏକାକୀ ଯିବାକୁ ଭୟ କରନ୍ତି। ଏଥିପାଇଁ ସ୍ପଷ୍ଟ କାରଣ ହେଲା- ଖାକି ପ୍ରତି ଭୟ। ୫୭ ପ୍ରତିଶତ ଲୋକଂକ ମତରେ ପୋଲିସ୍ କଂପ୍ଲେନ୍ ଅବା ଅଭିଯୋଗ ଦାଖଲ କରିବା ସମୟରେ ନିଜ ସହ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଥାନାକୁ ନେଇ ଆସିଥାନ୍ତି ଏଥିପାଇଁ ମୋରାଲ୍ ସପୋର୍ଟକୁ ସେମାନେ କାରଣ ବୋଲି ଦର୍ଶାଇଛନ୍ତି। ସେହିପରି ୩୦.୫ ପ୍ରତିଶତ ଲୋକ ଅପରାଧ ବାବଦରେ ପୋଲିସ୍ ଅଭିଯୋଗ ବେଳେ ଅଧିକ ତଥ୍ୟ ଯୋଗାଇବା ପାଇଁ ଅନ୍ୟ ବ୍ୟକ୍ତିଂକୁ ଥାନାକୁ ସାଙ୍ଗରେ ଆଣି ଆସିଥାନ୍ତି। ଆଉ ବାକି ୨୧.୯ ପ୍ରତିଶତ ଲୋକ କେବଳ ପୋଲିସ୍ ପ୍ରତି ଥିବା ଡର କାରଣରୁ ଅନ୍ୟ ଲୋକଙ୍କୁ ସାଙ୍ଗରେ ଧରି ଥାନାକୁ ଆସିଥାନ୍ତି। ଏଇ ସର୍ଭେରୁ ସ୍ପଷ୍ଟ ଜଣାପଡୁଛି, ସାଧାରଣ ଲୋକ ଭିତରେ ଖାକିକୁ ନେଇ କି ପ୍ରକାର ଧାରଣା ରହିଛି। ଅନେକ ସମୟରେ ଥାନାକୁ ବିଭିନ୍ନ କାମରେ ଆସୁଥିବା ଲୋକଙ୍କୁ ସାମାନ୍ୟତମ ସହଯୋଗ ଦୂରେ ଥାଉ ବରଂ କିପରି ଖରାପ ବ୍ୟବହାର, ଅଶ୍ଳୀଳ ଭାଷା ଶୁଣିବାକୁ ମିଳେ। ଯେ କେହି ଥାନା ଫେରନ୍ତା ଲୋକଙ୍କୁ ସେମାନଂକ ପ୍ରତିକ୍ରିୟା ପଚାରିଲେ, ଆଗେ ଏଇ କଥା ସବୁ ଶୁଣିବାକୁ ମିଳେ ଯେ, ପୋଲିସ୍ ବ୍ୟବସ୍ଥାରେ ବ୍ରିଟିଶ୍ ଆଦବକାଇଦା ଏ ଯାଏଁ ଯାଇନି। ଅପରାଧୀଙ୍କୁ ଯେମିତି ବ୍ୟବହାର, ଅଭିଯୋଗକାରୀକୁ ବି ସେମିତି ବ୍ୟବହାର। ଏଇଠି ମନ ଭିତରେ ପ୍ରଶ୍ନ ଉଠେ- ସମାଜର ରକ୍ଷାକାରୀ ଯଦି ଏମିତି ତେବେ ତାଠାରୁ କି ପ୍ରକାର ସୁରକ୍ଷା ଆମେ ପାଇପାରିବା। ଯେଉଁ ସମୟରେ ସରକାର ପୋଲିସ୍ ଓ ପବ୍ଲିକ୍ ଭିତରେ ସମନ୍ୱୟର କଥା କହୁଛନ୍ତି, ଆମ ପୋଲିସ୍ ପରି ପରିକଳ୍ପାନା ପ୍ରଚଳନ କରାଯାଉଛି ସେ ସମୟରେ ଖାକିକୁ ନେଇ ଡର କମିବ କଣ ବରଂ ବଢୁଛି। ଖାକିରେ ଦାଗ, ବର୍ଦ୍ଦିଗିରି, ଖାକିଗିରି, ପୋଲିସର ଗୁଣ୍ଡାରାଜ୍ ଏମିତି କେତେକଣ ଘଟଣା ପ୍ରତିଦିନ ସମାନକୁ ଆସୁଛି। ଯାହା କହୁଛି, ପୋଲିସ୍ କିପରି ସାଧାରଣ ଲୋକ ପ୍ରତି ବ୍ୟବହାର କରେ। ଅତୀତରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ପରିଣାମ କେତେ ଭୟଙ୍କର ହୋଇପାରେ ଆମେ ସମ୍ୱଲପୁର, କେନ୍ଦ୍ରପଡା, ନିଆଳି ଆଦି ଅଂଚଳରେ ଦେଖିସାରିଛୁ। ଲୋକେ ମାତିଲେ କାହାର ନୁହେଁ। ଥାନା ପୋଡିବାଠାରୁ ସାଧାରଣ ସଂପତି ନଷ୍ଟ ଯାଏଁ କେତେ ଘଟଣା ଘଟିଛି। ହେଲେ ଦୁଃଖର କଥା ଆମ ପୋଲିସ୍ ବିଭାଗ କିନ୍ତୁ ଅତୀତରୁ କିଛି ଶିଖିନି। କେତେବେଳେ ହାଜତ ମୃତ୍ୟୁ ତ କେତେବେଳେ ଥାନା ଭିତରେ ଥାର୍ଡ ଡିଗ୍ରୀର ଅତ୍ୟାଚାର। ଅଭିଯୁକ୍ତ ସହ ପୋଲିସର ବ୍ୟବହାର କିପରି ରହିବ ସେଥିପାଇଁ ବି ପୋଲିସ୍ ମାନୁଆଲରେ ନିୟମ ରହିଛି, ଆଇନ୍ ରହିଛି। ମାନବାଧିକାର ଯେପରି କ୍ଷୁର୍ଣ୍ଣ ନ ହେବ ସେଥିପାଇଁ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିୟମ ରହିଛି। ହେଲେ ପ୍ରଶ୍ନ ଉଠୁଛି ଏସବୁ କୁ ଆମ ପୋଲିସ୍ ମାନୁଛି ତ। ଏପ୍ରିଲ ପହିଲା ୨୦୧୩ରେ ଆମ ରାଜ୍ୟରେ ପ୍ରଥମ କରି କମ୍ୟୁନିଟି ପୋଲିସିଂ ‘ଆମ ପୋଲିସ୍’ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଲକ୍ଷ୍ୟ ଥିଲା- ୧. ସାଧାରଣ ଲୋକ ଓ ପୋଲିସ୍ ଭିତରେ ଥିବା ଦୂରତାକୁ କମ୍ କରିବା, ୨. ସମାଜରେ ପୋଲିସ୍ ପ୍ରତି ଆସ୍ଥା ଯେପରି ସୃଷ୍ଟି ହୋଇପାରିବ, ୩. ସମାଜର ଏକ ପ୍ରମୁଖ ଅଙ୍ଗ ଭାବେ ପୋଲିସ୍ ବ୍ୟବସ୍ଥାକୁ ଗଢିତୋଳିବା, ୪. ସାଧାରଣ ଲୋକ ଓ ପୋଲିସ୍ ଭିତରେ ପାରସ୍ପାରିକ ସହଯୋଗ ଓ ବୁଝାମଣା, ୫. ଅପରାଧ ନିୟନ୍ତ୍ରଣ। ଏଇ ଆମ ପୋଲିସ୍ କନସେପ୍ଟ ଦ୍ୱାରା ଲୋକେ କେତେ ପୋଲିସ୍ ର ନିକଟବର୍ତୀ ହୋଇଛନ୍ତି ବା ସେମାନକଂର ପୋଲିସ୍ ପ୍ରତି ଆସ୍ଥା ବଢିଛି ତାହା ସନ୍ଦେହରେ। କାରଣ ପୋଲିସ୍ ପ୍ରତି ସାଧାରଣରେ ଧାରଣା ଏ ଯାଏଁ ବଦଳିନି। ପୋଲିସ୍ ର ଲାଠି ଲୋକଂକ ସୁରକ୍ଷା ପାଇଁ କମ୍ ବରଂ ଲୋକଂକୁ ପିଟିବା ପାଇଁ ବେଶୀ ବୋଲି କେହି କେହି କହନ୍ତି। ନିମାପଡା, ନୂଆପଲ୍ଲୀ ଅବା ବରଗଡ ଏ ସବୁ ଘଟଣା ଏହାର ଗୋଟେ ଗୋଟି ବଳି ଉଦାହରଣ। ତେଣୁ ପୋଲିସ୍ ବଡ ବାବୁ ମାନେ ଶୀତତାପ ନିୟନ୍ତ୍ରିତ କକ୍ଷରେ ଯେତେ କନଫରେନସ କରନ୍ତୁ ବା ପିପୁଲ ଫ୍ରେଣ୍ଡଲି ପୋଲିସ ଷ୍ଟେସନ୍ କଥା ଯେତେ କୁହନ୍ତି ଏହାର କିଛି ମାନେ ନାହିଁ ଯେ ପର୍ଯ୍ୟନ୍ତ ଥାନା ବାବୁମାନଙ୍କ ଚରିତ୍ର ନ ବଦଳିଛି। ଭୁବନେଶ୍ୱର, ମୋ- ୯୪୩୮୨୯୬୫୧୯

Share :