ଭାରତର ମୂଳନିବାସୀ କିଏ? (୧)

ଭାରତର ମୂଳନିବାସୀ କିଏ? (୧)

Share :

ସୂର୍ଯ୍ୟମଣି ମିଶ୍ର ସୃଷ୍ଟି ଆରମ୍ଭର କଥା । ଯେଉଁ ସମୟରେ ସମସ୍ତ ମଣିଷ ଏକ ଥିଲେ ଓ ଏକାଠି ଥିଲେ । ନଥିଲା ଉଚ୍ଚ-ନୀଚର ଭେଦଭାବ । ଏଇଥି ପାଇଁ ତ ବିପ୍ଳବୀ କବି କାଜି ନଜରୁଲ୍‍ ଇସ୍‍ଲାମ୍‍ଙ୍କ ଲେଖନୀରେ ସୃଷ୍ଟି ହୋଇଥିଲା କାଳଜୟୀ ପଙ୍‍କ୍ତି, ଏକାପାଣି ଏକା ପବନେ ବଞ୍ଚେ ଆମର ଜାନ୍‍, ଆମେ ହିନ୍ଦୁ ଆମେ ମୁସଲ୍‍ମାନ୍‍ । ପିଲାବେଳେ ଜେଜେ କହୁଥିଲେ- ଠାକୁରଙ୍କ ଦୃଷ୍ଟିରେ ସୃଷ୍ଟିର ସମସ୍ତ ମଣିଷ ସମାନ । କିନ୍ତୁ ଗତ ତିନି ଦଶନ୍ଧିରୁ ଅଧିକ ସମୟ ଧରି ମୁଁ ଶୁଣିଆସୁଛି ଓ ଦେଖିଆସୁଛି ବିଭେଦତାର ରକ୍ତକ୍ଷୟୀ କ୍ରୁର ଓ କରୁଣ ଚିତ୍ର । କେତେକ ଲେଖକ ଲେଖିଛନ୍ତି ଓ ଲେଖୁଛନ୍ତି- ଭାରତର ମୂଳନିବାସୀ ବା ଆଦି ଅଧିବାସୀଙ୍କୁ ନେଇ ଅନେକ କଥା ଓ ଅନେକ ଗାଥା । ଏହି ପୁସ୍ତକଗୁଡ଼ିକର ପ୍ରକାଶିତ ତଥ୍ୟର ସତ୍ୟତା ସଂପର୍କରେ ମୋର ଅନୁଭବ ହେଲା, ଲେଖକଙ୍କର ଏ ସଂପର୍କିତ ଲେଖାଗୁଡ଼ିକ ସମାଜର ଭାଇଚାରାକୁ ବଳିଷ୍ଠ ଏବଂ ଏକତା ପ୍ରତିଷ୍ଠା ପାଇଁ ନୁହେଁ ବରଂ ମଧ୍ୟଯୁଗୀୟ ଜାତିପ୍ରଥା ଏବଂ ସାଂପ୍ରଦାୟିକତା ଭାବନାକୁ ବଞ୍ଚାଇ ରଖିବା ପାଇଁ ଏହା କେବଳ ବୌଦ୍ଧିକ ଉଦ୍ୟମ କହିଲେ ଭୁଲ ହେବ ନାହିଁ! ବିଜ୍ଞାନ କହେ- ଧରିତ୍ରୀ ବା ଧରଣୀ ବକ୍ଷରେ ଜୀବନର ଉତ୍ପତ୍ତି ୬୦ କୋଟି ବର୍ଷ ପୂର୍ବରୁ । ମହାଦ୍ୱିପୀୟ ସର୍ଜନା ୨୦ କୋଟି ବର୍ଷ ପୂର୍ବରୁ ଆରମ୍ଭ । ଏହାପରେ ପଞ୍ଚମହାଦ୍ୱୀପର ଉତ୍ପତ୍ତି । ଚଳମାନ ଜୀବଙ୍କର ବିକାଶ ୧୪ କୋଟି ବର୍ଷ ପୂର୍ବରୁ ହୋଇଛି । ମଣିଷର ପ୍ରକାର (ହୋମିନିଡ୍‍) ୨.୬ କୋଟି ବର୍ଷ ପୂର୍ବରୁ ଆସିଛି । କିନ୍ତୁ ଆଧୁନିକ ମଣିଷ ୨ ଲକ୍ଷ ବର୍ଷ ପୂର୍ବେ ଅସ୍ତିତ୍ୱ ଦେଇ ଆସିଛନ୍ତି । ଗତ ୫୦ ହଜାର ବର୍ଷ (୫୦,୦୦୦) ମଧ୍ୟରେ ମଣିଷ ସମସ୍ତ ବିଶ୍ୱକ୍‍ୁ ଗୋଟିଏ ସ୍ଥାନରୁ ଯାଇ ଆଉ ଗୋଟିଏ ସ୍ଥାନରେ ବସବାସ କରିଆସିଛନ୍ତି । ବିଜ୍ଞାନ କହେ- ମଣିଷର ଏହି ଯେଉଁ ଅଭୂତପୂର୍ବ ବିକାଶ ଘଟିଛି, ତାହା ୨୦୦ରୁ ୪୦୦ ପିଢ଼ି ମଧ୍ୟରେ ହୋଇଛି । ପୂର୍ବ ମଣିଷ ପଶୁ ସମାନ ଥିଲା । ପଶୁଙ୍କ ଭଳି ଜୀବନ ବିତାଉଥିଲା । ବର୍ତ୍ତମାନ ପ୍ରତ୍ୟେକ ଦେଶର ନାଗରିକ ନିଜକୁ ସିଏ ସେହି ଦେଶର ମୂଳନିବାସୀ ବା ଆଦିଅଧିବାସୀ ବୋଲି ଦାବି କରିଥାନ୍ତି । ଯେପରି ଆମେରିକାବାସୀ ନିଜକୁ ଆଦିଅଧିବାସୀ ବୋଲି ଦାବି କରୁଥିବା ବେଳେ ସେଠାରେ ଥିବା ରେଡ୍‍ ଇଣ୍ଡିଆନ୍‍ ଲୋକ ଦାବି କରନ୍ତି ଯେ ଏହି ଗୋରା ଏବଂ କଳା ଲୋକ ବାହାରୁ ଆସି ଏଠାରେ ବସବାସ କରୁଛନ୍ତି । ଏହିପରି ୟୁରୋପୀୟଙ୍କ ମଧ୍ୟରୁ ଗୋଟିଏ ବର୍ଗର ଲୋକ ନିଜକୁ ଆର୍ଯ୍ୟ ବୋଲି ଦାବି କରିଥାନ୍ତି । ଅଧିକ ସଂଖ୍ୟକ ଐତିହାସିକ ମାନିଛନ୍ତି ଯେ ଆର୍ଯ୍ୟ ମଧ୍ୟ ଏସିଆର ମୂଳନିବାସୀ ଥିଲେ । ଏହି ପରିପ୍ରେକ୍ଷୀରେ ଇତିହାସ ଓ ବିଜ୍ଞାନ ଦୃଷ୍ଟିରେ ଏହି ଆଦିଅଧିବାଦୀ କିଏ, ସେ ସଂପର୍କରେ ସମୀକ୍ଷା କରିବା ଗୁରୁତ୍ୱପୂର୍ଣ୍ଣ ନିଶ୍ଚୟ । ବିଶେଷତଃ ଭାରତର ଆଦିଅଧିବାସୀ ବା ମୂଳନିବାସୀ କିଏ, ତାହାର ଉତ୍ତର ଖୋଜିବା ଉଚିତ ହେବ । ପ୍ରଶ୍ନ ହେଉଛି ଯେ କ’ଣ ଆର୍ଯ୍ୟମାନେ ସିନ୍ଧୁ ସଭ୍ୟତାକୁ ନଷ୍ଟ କରିଦେଇଥିଲେ? ଶବ୍ଦର ପାର୍ଥକ୍ୟକୁ ବୁଝିବାର ପ୍ରାସଙ୍ଗିକତା ରହିଛି । ଇଂରାଜୀରେ (ନେଟିଭ୍‍) ଶବ୍ଦ ମୂଳନିବାସୀଙ୍କ ପାଇଁ ପ୍ରଯୁକ୍ତ ହୋଇଥାଏ । ଇଂରାଜୀରେ ଟ୍ରାଇବାଲ୍‍ ଶବ୍ଦର ଅର୍ଥ ମୂଳନିବାସୀ ହୋଇପାରେ ନାହିଁ । ଟ୍ରାଇବାଲର ଅର୍ଥ ହେଉଛି ଜନଜାତୀୟ । ଏଥିପାଇଁ ୯ ଅଗଷ୍ଟକୁ ପ୍ରତିବର୍ଷ ବିଶ୍ୱ ଜନଜାତିର ଦିବସ ପାଳନ କରାଯାଉଛି । ବିଶ୍ୱ ଜନଜାତୀୟ ଦିବସ ଅର୍ଥାତ୍‍ ବିଶ୍ୱର ସମସ୍ତ ଜନଜାତୀୟଙ୍କର ଦିବସ । ଏହା ସ୍ପଷ୍ଟ ଏବଂ ସତ୍ୟ ଯେ ଅଧିକ ଲୋକ ମତାନ୍ଧ । କୌଣସି ଜାତି, ଧର୍ମ-ସମାଜ, ରାଷ୍ଟ୍ର ବା କୌଣସି ମହାନ ବ୍ୟକ୍ତିଙ୍କ ଜ୍ଞାନକୁ ନିଜର ଆଖିରେ ଚଷମା ଲଗାଇ ଗୋଟିଏ ମତକୁ ଗ୍ରହଣ କରିବା ବା ମାନିନେବା ବା ଜାଣିବା ତ ମତାନ୍ଧତା ତ ନିଶ୍ଚୟ ଏବଂ ଏହାକୁ ଅନ୍ଧବିଶ୍ୱାସ ବୋଲି ଗ୍ରହଣ କରିବାକୁ ହେବ । ଏହି ମତାନ୍ଧତା ଧର୍ମ ଏବଂ ରାଜନୀତିର ସ୍ୱାର୍ଥ କାରଣରୁ ସ୍ୱାର୍ଥ ପୂରଣ ଲକ୍ଷ୍ୟରେ ସୃଷ୍ଟି ହୋଇଛି । ଭାରତରେ ଜାତିଗତ ବିଭେଦ-ବିଭାଜନ ଗୋଟିଏ ନିର୍ବାଚନୀ ଖେଳ । ଏହି ଖେଳରେ ମୂଳନିବାସୀ ବା ଆଦିଅଧିବାସୀ ଗୋଟିଏ ସାମଗ୍ରୀ । ଏହି ସାମଗ୍ରୀକୁ ବ୍ୟବହାର କରି ଚଳାଇ ରଖିବା ଦ୍ୱାରା ଦେଶର ସାମାଜିକ ଏକତାରେ କେବଳ ଯେ ବାଧା ସୃଷ୍ଟି ହୋଇଚାଲିଛି ତାହା ନୁହେଁ, ଲୋକମାନଙ୍କ ମଧ୍ୟରେ ପରସ୍ପରକୁ ଘୃଣା କରିବା ପାଇଁ ଏହି ମୂଳନିବାସୀ ବା ଆଦିଅଧିବାସୀ ଏକ ଅସ୍ତ୍ର ପାଲଟିଛି । ଆମର ଇତିହାସକୁ ଭ୍ରମିତ କରି ବୁଝାଯିବା ଏବଂ ସଂପର୍କିତ ଶିକ୍ଷାର ପରିଣାମ ବ୍ୟତୀତ ଏହା ଅନ୍ୟ କିଛି ନୁହେଁ । ବିଜ୍ଞାନର ଥିଓରି କହେ- ଯଦି ଆମେ ମୂଳନିବାସୀ ସଂପର୍କରେ ଆଲୋଚନା କରିବା, ତେବେ ଏହି ଧରିତ୍ରୀ ବା ଧରଣୀ ପୃଷ୍ଠରେ ସମସ୍ତ ମଣିଷ ଆଫ୍ରିକା ବା ଦକ୍ଷିଣ ଭାରତୀୟ । ୩୫ ହଜାର ବର୍ଷ ଆରମ୍ଭରେ ମଣିଷ ଆଫ୍ରିକାରୁ ଆସି ମଧ୍ୟ ଏସିଆ ଏବଂ ୟୁରୋପକୁ ଯାଇ ବସବାସ ସ୍ଥାପନ କରିଥିଲେ । ୟୁରୋପର ମଣିଷ ଚୀନରେ ପହଞ୍ôଚଥିଲେ । ସେଠାରୁ ସେ ପୁଣି ଭାରତର ପୂର୍ବୋତ୍ତର ଅଂଶରେ ରହି ପୁଣି ଦକ୍ଷିଣ ଭାରତରେ ପହଞ୍ôଚଥିଲେ । ବୈଜ୍ଞାନିକ ନିଜ ଗବେଷଣା ଦ୍ୱାରା ଜାଣିପାରିଛନ୍ତି ଯେ ଏହା ପୂର୍ବରୁ ପାଖାପାଖି ୧୯ କୋଟି ବର୍ଷ ଆରମ୍ଭରେ ସମସ୍ତ ଦ୍ୱୀପରାଷ୍ଟ୍ର ଏକ ଥିଲା ଏବଂ ଚାରି ସମୁଦ୍ର ଥିଲା । ୟୁରୋପ, ଆଫ୍ରିକା, ଏସିଆ, ଅଷ୍ଟ୍ରେଲିଆ ଏବଂ ଆମେରିକା ସମସ୍ତେ ଗୋଟିଏ ଆଉ ଗୋଟିଏ ସହ ଯୋଡ଼ି ହୋଇ ରହିଥିଲେ । ଅର୍ଥାତ୍‍ ଧରିତ୍ରୀରେ ଗୋଟିଏ ଭାଗ ଭାଙ୍ଗିହୋଇ ସମୁଦ୍ରରୁ ଉତ୍ପନ୍ନ ହୋଇଥିଲା । ଏହି ଏକାଠି ଦ୍ୱୀପ ଚତ୍‍ୁର୍ପାଶ୍ୱର୍ରେ ସମୁଦ୍ର ଥିଲା ଏବଂ ଏହା ବୈଜ୍ଞାନିକଙ୍କ ଦ୍ୱାରା ନାମିତ ହୋଇଥିଲା ‘ଏଂଜିଆ’ । ଏବେ ଆମେ ସ୍ପଷ୍ଟଭାବେ ବୁଝିବାକୁ ହେବ ଯେ ପ୍ରାରମ୍ଭିକ ମଣିଷ ପ୍ରଥମେ ଗୋଟିଏ ସ୍ଥାନରେ ରହୁଥିଲେ । ସେଠାରୁ ସେମାନେ ସଂପୂର୍ଣ୍ଣ ବିଶ୍ୱର ସମୟ, କାଳ ଏବଂ ପରିସ୍ଥିତିର ଅନୁସାରେ ବସତି ସ୍ଥାପନ କଲେ । ସମଗ୍ର ବିଶ୍ୱରେ ଜନଜାତିଙ୍କ ନାକ, ନଖ ଆଦିର ସମାନତା ଏଇଥିପାଇଁ ମିଳିଥାଏ କି ସେମାନେ ନିଷ୍କ୍ରରଣ ପରେ ମଧ୍ୟ ନିଜର ଜାତିଗତ ଶୁଦ୍ଧତାକୁ ଅତୁଟ ରଖୁଥିଲେ ଏବଂ ଯେଉଁ ଆଦିବାସୀ ବା ଜନଜାତିର ଲୋକ ନିଜର ଜମି ଓ ଜଙ୍ଗଲକୁ ଛାଡ଼ି ଅନ୍ୟ ସ୍ଥାନରେ ନିଷ୍କ୍ରରଣ କଲେ ଏବଂ ନିଜର ଶୁଦ୍ଧତାକୁ ଛାଡ଼ି ଅନ୍ୟ ସ୍ଥାନ ସହ ସଂପର୍କ ନିର୍ମାଣ କଲେ, ସେମାନଙ୍କର ପରିବର୍ତ୍ତନ ଆସିଲା । ଏହି ପରିବର୍ତ୍ତନର ବାତାବରଣ ଏବଂ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷରୁ ହିଁ ଆସିଲା । ବେଦରେ ଏପରି କୌଣସି ପ୍ରମାଣ ନାହିଁ ଯେ ଆର୍ଯ୍ୟ, ଦାସ ଓ ଦସ୍ୟୁଙ୍କ ମଧ୍ୟରେ ଶାରୀରିକ ଭେଦଭାବକୁ ପ୍ରଦର୍ଶିତ କରାଯାଇ ପାରିବ । ବୈଜ୍ଞାନିକ ଅଧ୍ୟୟନ ବେଦ, ଶାସ୍ତ୍ର, ଶିଳାଲେଖ, ଜୀବାସ୍ମ, ଶ୍ରୁତି, ପୃଥିବୀର ସଂରଚନାତ୍ମକ ବିଜ୍ଞାନ, ଜେନେଟିକ୍‍ ଅଧ୍ୟୟନ ଏବଂ ଡିଏନଏର ସମ୍ବନ୍ଧ ଆଦିର ଆଧାରରେ ଏହି ତଥ୍ୟ ସାମ୍ନାକୁ ଆସିଛି ଯେ ଧରିତ୍ରୀ ଉପରେ ପ୍ରଥମ ଜୀବନ ଉତ୍ପତ୍ତି ଗୋଁଣ୍ଡୱାନା ଲ୍ୟାଣ୍ଡ ଉପରେ ହୋଇଥିଲା, ଯାହାକୁ ପେଁଜିୟା ବୋଲି କୁହାଯାଏ । ଯେଉଁ ଗୋଁଣ୍ଡୱାନା ଏବଂ ଲାରେସିଆ ମିଶି ଏହି ଜୀବ ଉତ୍ପତ୍ତି ହୋଇଥିଲା । ଗୋଁଣ୍ଡୱାନା ଲ୍ୟାଣ୍ଡରେ ଆମେରିକା, ଆଫ୍ରିକା, ଆଣ୍ଟାର୍କଟିକା, ଅଷ୍ଟ୍ରେଲିଆ ଏବଂ ଭାରତୀୟ ପ୍ରାୟ ଦ୍ୱୀପରେ ବିଖଣ୍ଡନର ପଶ୍ଚାତ୍‍ ଏଠାର ନିବାସୀ ନିଜ ନିଜ ଅଞ୍ଚଳରେ ବାଣ୍ଟି ହୋଇଯାଇଥିଲେ । ଜୀବନର ବିକାଶ ସର୍ବପ୍ରଥମେ ଭାରତୀୟ ଦକ୍ଷିଣ ପ୍ରାୟ ଦ୍ୱୀପର ନର୍ମଦା ତଟରେ ହୋଇଥିଲା । ଯାହା ସଂପର୍କରେ ନୂଆକରି ଆବିଷ୍କାର କରାଯାଇଛି । ବିଶ୍ୱର ସର୍ବପ୍ରଥମ ନଦୀ ବୋଲି ନର୍ମଦାକୁ ଗ୍ରହଣ କରାଯାଇଛି । ଏଠାରୁ ବଡ଼ଧରଣର ଡାୟନାସୋରର ଅଣ୍ଡା ଏବଂ ଜୀବାସ୍ମ ମିଳିଛି । ଭାରତର ସବୁଠାରୁ ପୁରାତନ ଆଦିବାସୀ ଗୋଁଣ୍ଡୱାନା ପ୍ରଦେଶର ଗୋଁଣ୍ଡକାରକୁ ସମାଜର ପ୍ରାଚୀନଙ୍କଠାରୁ ଏହି ତଥ୍ୟ ପୂର୍ବରୁ ଏକାଧିକଥର ଜଣାପଡ଼ିଥିଲା । ଜାତିଗତ ଭିନ୍ନତାର କାରଣ, ପ୍ରକୃତି ଏବଂ ଭିନ୍ନ ପ୍ରଦେଶ ଉପରେ ଆଖି ପକାଇଲେ ସ୍ପଷ୍ଟ ହେବାକୁ ହୁଏ ଭାରତର କନ୍ୟାକୁମାରୀ ଠାରୁ କାଶ୍ମୀର୍‍ ଯାଏ ଗୋରା-କଳା-ସାବନା-ଲାଲ ଏବଂ ଗହମ ରଙ୍ଗର ଲୋକ ଅଛନ୍ତି । ଗୋଟିଏ ପରିବାରର କେହି କଳା ତ ଆଉକେହି ଗୋରା । ଗୋଟିଏ ସମାଜର କେହି ଗୋରା ତ ଆଉ କେହି କଳା । ସମସ୍ତ ବର୍ଗରେ ସମସ୍ତ ରଙ୍ଗର ଲୋକ ମିଳିଥାନ୍ତି । କାଶ୍ମୀର ବ୍ରାହ୍ମଣ ଗୋରା ତ ଦକ୍ଷିଣ ଭାରତର ବ୍ରାହ୍ମଣ କଳା । ଦକ୍ଷିଣ ଭାରତର ଅଧିକ ସଂଖ୍ୟକ ଲୋକ କଳା ରଙ୍ଗର । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ୍‍ ଏବଂ ହିନ୍ଦୁଙ୍କ ମଧ୍ୟରେ ଦଳିତ ବ୍ରାହ୍ମଣ ସମସ୍ତ କଳା ରଙ୍ଗର । ଏହି ଭାବରେ ଭାରତୀୟଙ୍କ ନାକ, ନଖ ଉପରେ ଆଲୋଚନା କରିବା ତ ଚୀନ୍‍ ଏବଂ ଆଫ୍ରିକା ଲୋକଙ୍କ ଠାରୁ ସଂପୂର୍ଣ୍ଣ ପୃଥକ । ଏହି ଭାବରେ ଆଫ୍ରିକାର କଳା ଏବଂ ଭାରତର କଳା ରଙ୍ଗର ଲୋକଙ୍କ ମଧ୍ୟରେ ଫରକ ଥାଏ । ବ୍ରାହ୍ମଣ ମଧ୍ୟ କେତେ କଳା ଏବଂ ଭୟଙ୍କର କଳା ରଙ୍ଗର ମିଳିଥାନ୍ତି । ଦଳିତ ମଧ୍ୟ କେତେ ଗୋରା ରଙ୍ଗର ଥାଆନ୍ତି । ହଜାର ବର୍ଷର ମାନବ ସମାଜର ବିକାଶ ପରେ ଆଜି ଯଦି କେହି ଦାବି କରୁଛନ୍ତି, ସେ ହେଉଛନ୍ତି ମୂଳନିବାସୀ ବା ଆଦିଅଧିବାସୀ ତାହାର ସତ୍ୟତା ନେଇ ପ୍ରଶ୍ନ ଉଠିବା ସ୍ୱଭାବିକ । ଏହିପରି କିଏ ଯଦି କହୁଥାଏ ବା ଦାବି କରିଥାନ୍ତି, ସେ ଆର୍ଯ୍ୟ ଓ ଅନ୍ୟ କେହି ଦାସସମୁଦାୟର । ତାହେଲେ ସେ ବିଜ୍ଞାନ ବିରୁଦ୍ଧରେ ମତ ଦେଉଛନ୍ତି ବୋଲି ଜାଣିବାକୁ ହେବ । ଫିନଲ୍ୟାଣ୍ଡର ତାରତୁ ବିଶ୍ୱବିଦ୍ୟାଳୟ, ଏଷ୍ଟୋନିଆରେ ଭାରତୀୟଙ୍କ ଡିଏନଏ ଗୁଣସୂତ୍ର ଉପରେ ଆଧାରିତ ଏକ ଅନୁସନ୍ଧାନ ହୋଇଥିଲା । କେମ୍ବ୍ରିଜ୍‍ ବିଶ୍ୱବିଦ୍ୟାଳୟର ପ୍ରଫେସର କିବିସିଲ୍ଡର ନିର୍ଦ୍ଦେଶନାରେ ଏଷ୍ଟୋନିଆସ୍ଥିତ ଏଷ୍ଟୋନିୟମ୍‍ ବାୟୋ ସେଣ୍ଟର୍‍, ତାରତୁ ବିଶ୍ୱବିଦ୍ୟାଳୟର ଗବେଷକ ଛାତ୍ର ଜ୍ଞାନେଶ୍ୱର ଚୌବେ ନିଜର ଅନୁସନ୍ଧାନରେ ଏହା ପ୍ରମାଣିତ କରିଛନ୍ତି କି ସମସ୍ତ ଭାରତବାସୀଙ୍କ ଜିନ୍‍ ଅର୍ଥାତ୍‍ ଗୁଣସୂତ୍ର ଆଧାରରେ ସମସ୍ତଙ୍କ ପୂର୍ବଜ ସମାନ ଥିଲେ । ଆର୍ଯ୍ୟ ଏବଂ ଦ୍ରାବିଡ଼ ମଧ୍ୟରେ କୌଣସ ଭେଦ ଗୁଣସୂତ୍ର ଆଧାରରେ ଅନୁସନ୍ଧାନରୁ ଜଣାପଡ଼ିନଥିଲା । ବର୍ତ୍ତମାନର ଭାରତ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା, ନେପାଳର ଜନସଂଖ୍ୟାରେ ବିଦ୍ୟମାନ ସମସ୍ତ ଜାତି, ଉପଜାତି, ଜନଜାତିଙ୍କ ମଧ୍ୟରୁ ହାରାହାରି ୧୩ ହଜାର ନମୂନା ପରୀକ୍ଷଣ-ପରିଣାମର ବ୍ୟବହାର କରାଯାଇଥିଲା । ପରୀକ୍ଷଣରୁ ପ୍ରାପ୍ତ ପରିଣାମର ତୁଳନା ଅନୁଯାୟୀ ମଧ୍ୟଏସିଆ, ୟୁରୋପ ଏବଂ ଚୀନ, ଜାପାନ ଆଦି ଦେଶରେ ରହୁଥିବା ମଣିଷଙ୍କ ଗୁଣସୂତ୍ର ଭାରତୀୟଙ୍କ ସହ ସମାନ ନଥିଲା । ଗବେଷଣାରୁ ଜଣାପଡ଼ିଥିଲା ଭାରତୀୟ ସିଏ କେଉଁ ଧର୍ମର ହୁଅନ୍ତୁ ନା କାହିଁକି ୯୯ ପ୍ରତିଶତ ଲୋକଙ୍କର ସମାନତା ଜଣାପଡ଼ିଥିଲା । ଏଥିରୁ ସ୍ପଷ୍ଟ ଯେ ଭାରତରେ ଆର୍ଯ୍ୟ ଏବଂ ଦ୍ରାବିଡ଼ ବିବାଦର ଯଥାର୍ଥତା ନାହିଁ । ଉତ୍ତର ଏବଂ ଦକ୍ଷିଣ ଭାରତୀୟଙ୍କ ପୂର୍ବଜ ସମାନ । ସମସ୍ତ ମଣିଷ ଆମେ ସମାନ । ଏଥିରେ କେହି କେବେ ଆରମ୍ଭରେ କୌଣସି ଦେଶର କେହି ମୂଳନିବାସୀ ବା ଆଦିଅଧିବାସୀ ନଥିଲେ । ସମସ୍ତେ ଧରିତ୍ରୀରେ ପ୍ରଥମେ ସମାନ ଥିଲେ । ଆଜି ଯେଉଁ ଭେଦଭାବ ଦେଖ୍‍ôବାକୁ ମିଳୁଛି, ତାହା ରାଜନୈତିକ କ୍ଷମତା ହାସଲ ପାଇଁ ସୃଷ୍ଟି କରାଯାଇଛି । ଏହି ଭେଦଭାବର ଅନ୍ତ ଘଟାଇ ସମସ୍ତ ମଣିଷ ଆମେ ସମାନ, ଏହି ଭାବନାକୁ ଊଦ୍ଧ୍ୱର୍କୁ ତୋଳି ଧରିବାକୁ ହେବ । ଏହାଦ୍ୱାରା ହିଁ ସମାଜରେ ଶାନ୍ତି, ସଦଭାବନା ଏବଂ ଏକତା ପ୍ରତିଷ୍ଠା ହୋଇପାରିବ । ଶାସକ୍‍ ଶ୍ରେଣୀର ଭେଦଭାବ ସୃଷ୍ଟିକାରୀ ଅସ୍ତ୍ରକୁ ଅକାମୀ କରାଯାଇପାରିବ । ସାମ୍ବାଦିକ, ଭୁବନେଶ୍ୱର ମୋ-୯୪୩୮୦୦୬୨୧୫

Share :