ମା’

ମା’

Share :

ଶୁଭଶ୍ରୀ ଶୁକ୍ଳା ଭଗବାନଙ୍କ ସୃଷ୍ଟିର ଏକ ଅତୁଳନୀୟ ଅବଦାନ ହେଉଛି ନାରୀ। ଏହି ନାରୀ ଭିତରେ ଭରିରହିଛି ଅନେକ ରୂପ। କେତେବେଳେ ସେ ମା’ ରୂପରେ ଥାଏ ତ, କେତେବେଳେ ସେ କନ୍ୟା। ପୁଣି କେତେବେଳେ ଭଉଣୀ ରୂପରେ ଦେଖାଦିଏ ତ କେବେ କାହାର ସ୍ତ୍ରୀ କିମ୍ୱା ବୋହୂ ରୂପରେ ଆମେ ଦେଖିବାକୁ ପାଇଥାଉ। କିନ୍ତୁ ଏସବୁ ଭିତରେ ମା’ ଅର୍ଥାତ ମାତୃତ୍ୱର ଭୁମିକା ଅବର୍ଣ୍ଣନୀୟ। ଏ ଶଦ୍ଦଟି ଏତେ ସ୍ୱଚ୍ଛ ଓ ପବିତ୍ର ଯେ- ନାମ ଉଚ୍ଚରଣ ମାତ୍ରକେ ମନ ଓ ପୁଲକ ଆନନ୍ଦିତ ହୋଇଉଠେ। ଯେମିତି ସୃଷ୍ଟିର ଆଦ୍ୟଝଙ୍କାର ହେଉଛି ଓଁ ସେମିତି ପ୍ରତିଟି ଶିଶୁର ଆଦ୍ୟଭାଷା ହେଉଛି ମା। ଛୋଟ ଛୁଆଟିଏ ହେଉ ଅଥବା ବୟସ୍କ ବ୍ୟକ୍ତି, ଯେତେବେଳେ ଆମେ ଚାଲୁଚାଲୁ ଝୁଣ୍ଟିପଡୁ, ଅନ୍ୟମନସ୍କ ଥିଲେ ବି ସ୍ୱତଃ ଭାବେ ପାଟିରୁ ବାହାରି ଆସିଥାଏ ସେହି ଏକ ଅକ୍ଷର ବିଶିଷ୍ଟ ମଧୁର ଶଦ୍ଦ, ମା। ମା’ର କର୍ତ୍ତବ୍ୟ, ନିଷ୍ଠାକୁ ଭାଷାରେ ପରିପ୍ରକାଶ କରିବା ଅତ୍ୟନ୍ତ କଷ୍ଟକର। କାରଣ ଶିଶୁଟିର ଲାଳନପାଳନ ଠାରୁ ଆରମ୍ଭ କରି ତାକୁ ଅତି ସୁନ୍ଦରଭାବେ ଯତ୍ନଦେଇ ଗୋଟେ ଛୋଟ ମାଟି ପିଣ୍ଡୁଳାରୁ ଏକ ମହାନ ବ୍ୟକ୍ତିତ୍ୱରେ ପରିଣତ କରିବାରେ ମା’ର ଯେଉଁ ତ୍ୟାଗ, ସହଯୋଗ ତଥା ନିଃସ୍ୱାର୍ଥପରତା ଲୁଚି ରହିଥାଏ, ସେଗୁଡିକୁ ଶଦ୍ଦ ମାଧ୍ୟମରେ ପରିପ୍ରକାଶ କରିବାକୁ ହେଲେ ହୁଏତ ଶଦ୍ଦ ଏଠାରେ ନିଅନ୍ତ ପଡିଯାଇପାରେ। ଦୁନିଆରେ ମା’ ଛଡା ଅନେକ ଲୋକ ଅଛନ୍ତି। ଦେଖିବାକୁ ଗଲେ ଲୁହ ପୋଛିବା ପାଇଁ ବନ୍ଧୁବାନ୍ଧବ ସଂପର୍କୀୟଙ୍କ ଠାରୁ ଆରମ୍ଭ କରି ଅନେକ ଲୋକ ଆଗେଇ ଆସିଥାନ୍ତି। ହେଲେ ସତ କହିବାକୁ ଗଲେ ଲୁହ ସହ ନାକ ପୋଛିବାକୁ ମା’ ବ୍ୟତିତ କେତେ ଜଣ ବା ଆଗେଇଆସନ୍ତି? ଦୁନିଆରେ ଏମିତି କୌଣସି ମା ନାହିଁ ଯିଏ ନିଜ ପିଲା ମୁହଁରେ ନ ଦେଇ ନିଜେ ଖାଇଛି। ଯଦି ଭାତ ହାଣ୍ଡିରେ ମୁଠେ ବି ପଖାଳ ଥାଏ ସେ ସେତିକି ବି ସାଇତି ରଖିଥାଏ ନିଜ ପିଲାପାଇଁ। ଏଥିରୁ ଆଉ ବୁଝିବାକୁ ବାକିନାହିଁ ଯେ, ମା କ’ଣ ଆଉ ତା ମମତା କିପରି? ତା’ର ମମତା ଏତେ ଗଭୀର ଯେ, ଗୋଟିଏ ଅନ୍ଧୁଣୀ ମାଆ ବି ତାର ପିଲାକୁ ଚିହ୍ନିବାରେ କେବେ ଭୂଲ କରେନି। ସୁତରାଂ ନାରୀରୂପୀ ମା’ର ବର୍ଣ୍ଣନା ସ୍ୱଂୟ ଇଚ୍ଛାମୟ ଭଗବାନ ବି ବୋଧେ କରିପାରିବେନି।

Share :