ବିକାଶ ଏକ ବ୍ୟାଧି!

ବିକାଶ ଏକ ବ୍ୟାଧି!

Share :

ଭାରତର ସାଂପ୍ରତିକ ଅର୍ଥନୈତିକ ସଂକଟ ପାଇଁ ବିମୁଦ୍ରାକରଣ ଓ ଜିଏସଟିକୁ ଦାୟୀ କରାଯାଉଛି । ଏହା କେତେକାଂଶରେ ସତ । ଏହି ଦୁଇଟି କାରଣ ଯୋଗୁଁ ଲୋକଙ୍କ ନିକଟରୁ ନଗଦ ଅର୍ଥ ଉଭାନ ହୋଇଯାଇଛି । ବ୍ୟାଙ୍କର ବିଭିନ୍ନ ଚାର୍ଜ ଓ ଫି ବଢ଼ିଯିବାରୁ ଲୋକେ ମଧ୍ୟ ବ୍ୟାଙ୍କରେ ଟଙ୍କା ରଖିବାକୁ ପସନ୍ଦ କରୁ ନାହାନ୍ତି । ତେଣେ ବ୍ୟାଙ୍କଗୁଡ଼ିକ ଶିଳ୍ପପତି ଓ ବ୍ୟବସାୟୀଙ୍କୁ ଲକ୍ଷଲକ୍ଷ କୋଟି ଟଙ୍କାର ଋଣ ଦେଇ ଅନାଦାୟ ଛାଡ଼ି ଦେଉଥିବାରୁ ବ୍ୟାଙ୍କର ଅବସ୍ଥା ମଧ୍ୟ ରୁଗ୍ଣ । ସରକାର ବ୍ୟାଙ୍କଗୁଡ଼ିକୁ ଯେତେ ପୁଂଜି ସହାୟତା ଦେଲେ ବି ତା’ଠାରୁ ଅଧକ ଋଣ ହଡ଼ପ ହୋଇଯାଉଛି । ଏହା ନିଶ୍ଚିତ ଭାବରେ ଆର୍ଥିକ ସଂକଟର କାରଣ । ତେବେ ଆର୍ଥିକ ମାନ୍ଦାବସ୍ଥା ଓ ସଂକଟ ପାଇଁ ଭାରତ ସରକାର ଏବଂ ପାଶ୍ଚାତ୍ୟଧାରାର ବିକାଶବାଦୀମାନେ ମଧ୍ୟ ଅନେକ ମାତ୍ରାରେ ଦାୟୀ । କାରଣ ସରକାର ଓ ଏହି ବିକାଶବାଦୀମାନଙ୍କ ଯୋଗୁଁ ଭାରତର ଅର୍ଥନୈତିକ ପ୍ରଗତି ତୁଳନାରେ ଆର୍ଥିକ ଦୁସ୍ଥିତି ବଢ଼ିବଢ଼ି ଚାଲିଛି । ଭାରତ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଯୋଗୁଁ ଦେଶ ଓ ଦେଶବାସୀଙ୍କର ଆର୍ଥିକ ପ୍ରଗତି ଘଟୁଥିଲେ ମଧ୍ୟ ତାହା ଅନ୍ୟ ବାଟରେ କ୍ଷୟ ପାଉଛି । ଆଧୁନିକ ବିକାଶଧାରା ଓ ଜୀବନଶୈଳୀ ଯୋଗୁଁ ଦେଶର ପ୍ରାୟ ୬.୨ ଲକ୍ଷ କୋଟି ଡଲାର କ୍ଷତି ହେବ ବୋଲି ଜଣାପଡ଼ିବା ପରେ ଏହି ବିକାଶଧାରା ଓ ଆଧୁନିକ ଜୀବନଶୈଳୀ ସଂପର୍କରେ ଅଧିକ ଅନୁଧ୍ୟାନ କରିବାର ସମୟ ଉପନୀତ ହୋଇଛି । ଅଜ୍ଞ ଓ ଅଭାବୀ ଲୋକମାନେ ଦେଶଦୁନିଆର ଅନେକ କଥା ଜାଣନ୍ତି ନାହିଁ । ସେମାନଙ୍କ ପାଇଁ ଆଦର୍ଶ ହେଲେ ସରକାର ଏବଂ ସଂପତ୍ତିମାନ ବ୍ୟକ୍ତି । ଅଭାବୀ ଲୋକ ସବୁବେଳେ ଧନର ଆବଶ୍ୟକତା କରୁଥିବାରୁ ସେ ଧନୀକୁ ଜଣେ ସଫଳ ବ୍ୟକ୍ତି ଭାବେ ଗ୍ରହଣ କରେ । ସେହିପରି ଅଶିକ୍ଷିତ ଲୋକ ମଧ୍ୟ ଜଣେ ଶିକ୍ଷିତ ଲୋକକୁ ସମ୍ମାନ ଦିଏ ଏବଂ ବିଶ୍ୱାସ କରେ । ଧର୍ମ ଓ ଦର୍ଶନ ବିଷୟରେ ବିଶେଷ କିଛି ଜାଣି ନଥିବା ଲୋକମାନେ ଆଜିକାଲି ଯେପରି ପୁରାଣ ପ୍ରବଚକମାନଙ୍କୁ ଆଧ୍ୟାତ୍ମିକ ଗୁରୁ ବା ଭଗବାନ ଭାବେ ବିଶ୍ୱାସ କରୁଛନ୍ତି ସେହିପରି କଥା । ଯେଉଁମାନେ ଧନ, ସଂପତ୍ତି ଓ ଭୋଗବିଳାସକୁ ବିକାଶ ଭାବେ ଗ୍ରହଣ କରୁଛନ୍ତି ସେମାନଙ୍କ ପାଇଁ ଆମେରିକା ଓ ଇଂଲଣ୍ଡ ପରି ଦେଶ ହେଉଛନ୍ତି ଆଦର୍ଶ । ବିଶ୍ୱବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଯେଉଁ ଧାରାକୁ ବିକାଶ କହେ ଭାରତରେ ଥିବା ଏ ଦୁଇ ସଂସ୍ଥାର ଅନୁଗାମୀ ମଧ୍ୟ ତାହାକୁ ଭଜି ହୁଅନ୍ତି । ଏହି ବିକାଶ ଧାରା ହେଉଛି ପାରମ୍ପାରିକ ଅର୍ଥନୀତିକ ପ୍ରଗତି ଯୁକ୍ତ ବସ୍ତୁବିଳାସ ବା ଅଧିକ ମାତ୍ରାରେ ଉପଭୋଗ । ଯଦି ଉପଭୋଗ କମ୍‍ ତେବେ ତାହା ବିକାଶ ପଦବାଚ୍ୟ ନୁହେଁ । ଅଧିକ ଉପଭୋଗ ଅଧିକ ବିକାଶ ବା ପ୍ରଗତିର ଲକ୍ଷଣ । ଏମିତି ଏକ ଚିନ୍ତାଧାରା ଏବେ ସମଗ୍ର ଭାରତରେ ଲୋକପ୍ରିୟତା ଅର୍ଜନ କରିଛି । କିନ୍ତୁ ଏହି ଚିନ୍ତାଧାରା ଓ ଏପରି ଚିନ୍ତାଧାରାକୁ ପ୍ରୋତ୍ସାହିତ କରୁଥିବା ସରକାରୀ ଯୋଜନା, କାର୍ଯ୍ୟକ୍ରମ ଓ ପ୍ରଚାର କିପରି ଭାବେ ଦେଶର ଆର୍ଥିକ ସ୍ଥିତିକୁ ଖରାପ କରୁଛି ସେ ସଂପର୍କରେ ଏବେ ଏକ ଚିନ୍ତାଜନକ ତଥ୍ୟ ପ୍ରକାଶ ପାଇଛି । ଏ ତଥ୍ୟ ବି ପ୍ରକାଶ କରିଛି ସେହି ଆମେରିକାର ଏକ ସଂସ୍ଥା । ହାର୍ଭାଡ଼ ସ୍କୁଲ ଅଫ୍‍ ପବ୍ଲିକ୍‍ ହେଲ୍‍ଥ ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ ଆଧୁନିକ ଜୀବନଶୈଳୀ ଯୋଗୁଁ ବିଭିନ୍ନ ଲୋକଙ୍କୁ ବିଭିନ୍ନ ପ୍ରକାର ବ୍ୟାଧି ଆକ୍ରମଣ କରୁଛି ଏବଂ ଏସବୁ ବ୍ୟାଧି ଯୋଗୁଁ ୨୦୧୨-୩୦ ମଧ୍ୟରେ ଭାରତର ପ୍ରାୟ ୬.୨ ଲକ୍ଷ କୋଟି ଡଲାର କ୍ଷତି ହେବ । ଗତ ୧୯ ବର୍ଷରେ ଭାରତ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ମୋଟ ୭.୧ ହଜାର କୋଟି ଡଲାର ଖର୍ଚ୍ଚ କରିଛନ୍ତି । ଏ ଦୃଷ୍ଟିରୁ ଆସନ୍ତା ୧୮ ବର୍ଷ ଭିତରେ ଭାରତ ସରକାର କେବଳ ସ୍ୱାସ୍ଥ୍ୟ କ୍ଷେତ୍ରରେ ପୂର୍ବ ୧୯ ବର୍ଷ ଅପେକ୍ଷା ୯ ଗୁଣ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ । ଏହା ଆର୍ଥିକ ପ୍ରଗତି ନା ବିକାଶର ବ୍ୟାଧି ତାହାର ତର୍ଜମା ହେବା ଆବଶ୍ୟକ । କେବଳ ହାର୍ଭାଡ଼ ସ୍କୁଲ ଅଫ୍‍ ପବ୍ଲିକ ହେଲ୍‍ଥ ନୁହେଁ, ମିଳିତ ଜାତିସଂଘ ଅଧୀନସ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ମଧ୍ୟ ଭାରତ ସଂପର୍କରେ ଏପରି ଚିନ୍ତା ପ୍ରକଟ କରିଛି । ଏ ଦୁଇ ସଂସ୍ଥାର ରିପୋର୍ଟ ଅନୁସାରେ ଭାରତରେ ହୃଦରୋଗ, ହୃଦଘାତ, ମଧୁମେହ ବା ଡାଏବେଟିସ୍‍, କର୍କଟ ଏବଂ ଶ୍ୱାସପ୍ରଶ୍ୱାସ ସଂପର୍କୀତ ବ୍ୟାଧି ବୃଦ୍ଧି ପାଇବାରେ ଲାଗିଛି । ଏ ବାବଦରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସମାଜର ବିତ୍ତଶାଳୀ ଓ ଶକ୍ତିଶାଳୀ ଲୋକମାନଙ୍କୁ ମଧ୍ୟ ବିପୁଳ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି । ତା’ଛଡ଼ା ଏସବୁ ରୋଗର ଚିକିତ୍ସା ପାଇଁ ସରକାରଙ୍କୁ ମଧ୍ୟ ହଜାର ହଜାର କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ୁଛି । ଆଉ ଏସବୁ ବ୍ୟାଧିର ଚିକିିତ୍ସା ସଂପର୍କୀତ ଆଧୁନିକ ଜ୍ଞାନକୌଶଳ ତଥା ଔଷଧପତ୍ର ପ୍ରାୟତଃ ଆମେରିକା ଓ ଇଂଲଣ୍ଡ ପରି ଦେଶରୁ ଆମଦାନୀ କରାଯାଉଥିବାରୁ ସେ ବାବଦରେ ଦେଶର ବିପୁଳ ପରିମାଣର ଅର୍ଥ ବାହାରକୁ ପଳାଉଛି । ଏହା ଚଳନ୍ତି ହିସାବ ନିଅଣ୍ଟ ବୃଦ୍ଧି କରିବା ସହିତ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ କରିଚାଲିଛି । ଆଧୁନିକ ବିକାଶ ଧାରାରେ ଅଧିକ ଉପାର୍ଜନ ଓ ଅଧିକ ଉପଭୋଗ ଉପରେ ଗୁରୁତ୍ୱ ଦିଆଯାଏ । ଅଧିକ ଉପଭୋଗ ପାଇଁ ଅଧିକ ଅର୍ଥ ଓ ସଂପତ୍ତି ଆବଶ୍ୟକ । ସେଥିପାଇଁ ଆର୍ଥିକ ସମୃଦ୍ଧି ବା ଅଭିବୃଦ୍ଧିକୁ ସରକାର ଦେଶର ପ୍ରଧାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଭାବେ ଗ୍ରହଣ କରିଯାଇଛନ୍ତି । ଏହି ବିକାଶ ଧାରାର ଦାବି ହେଲା କମ୍‍ କାମ ବେଶୀ ହାସଲ, ବେଶୀ ଉପଭୋଗ । ଏହି ଧାରାରେ ପଡ଼ି ଲୋକମାନେ ଏଣିକି ଏଣିକି କମ୍‍ ଶାରୀରିକ ପରିଶ୍ରମ କରୁଛନ୍ତି, ଅଧିକ ସୁସ୍ୱାଦୁ ଓ ମସଲାଯୁକ୍ତ ଖାଦ୍ୟ ଖାଉଛନ୍ତି, ବେଶୀ ସମୟ ଟିଭି ବା କଂପ୍ୟୁଟର ସାମ୍ନାରେ ବସୁଛନ୍ତି, ପ୍ରଦୂଷିତ ବାୟୁମଣ୍ଡଳ ଭିତରେ ଅଧିକ ସମୟ ଅତିବାହିତ କରୁଛନ୍ତି, ପ୍ରଦୂଷିତ ପାଣି ସଂସ୍ପର୍ଶରେ ବେଶୀ ଆସୁଛନ୍ତି, ନିବୁଜ କୋଠରୀ ଓ ନିବୁଜ କାର୍‍ ଭିତରେ ବେଶୀ ସମୟ ରହୁଛନ୍ତି । ଏହା ଫଳରେ ସେମାନେ ସାଧାରଣତଃ ହୃଦରୋଗ, ଶ୍ୱାସରୋଗ, ମଧୁମେହ ପରି ଅନେକ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହେଉଛନ୍ତି । ଭାରତର ଅନେକ ସହରରେ ଏବେ ଏସବୁ ରୋଗ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଗ୍ରାମାଞ୍ଚଳରେ ମଧ୍ୟ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି । କିଛି ଲୋକ ଅବଶ୍ୟ ଠିକଲା ପରେ ସଚେତନ ହୋଇ ମର୍ଣ୍ଣିୱାକ୍‍ ଓ ଜିମ୍‍ରେ ଏକ୍ସରସାଇଜ୍‍ ଆଦି ପ୍ରକ୍ରିୟାରେ ସକାଳୁ ଝଡ଼େଇ ହେଲେଣି । କିନ୍ତୁ ଏହା ମଧ୍ୟ ସୁସ୍ଥ ଅର୍ଥନୀତି ନୁହେଁ । ଆର୍ଥିକ ପ୍ରଗତି ହାସଲ କରିବା ଓ ସେହି ପ୍ରଗତିକୁ ଡାକ୍ତରଖାନା ବା ଜିମ୍‍ନାସିୟମରେ ଉଡ଼େଇଦେବା କି ବୁଦ୍ଧିର କାର୍ଯ୍ୟ? ଏହା ଗୋଦରା କୋଡ଼େ ଯେତେ ମାଡ଼େ ସେତେ ପରି କଥା ନୁହେଁ କି? ଗାଡ଼ିମୋଟର ଓ କଳକାରଖାନାର ଧୂଆଁ, ଖଣି ଓ ନିର୍ମାଣ କାର୍ଯ୍ୟର ଧୂଳି, ରାସାୟନିକ ସାର ଓ କୀଟନାଶକ ମିଶା ପନିପରିବା, ଆଣ୍ଟିବାୟୋଟିକ୍‍ ମିଶ୍ରିତ ଦୁଗ୍ଧ, ଅଣ୍ଡା ଓ ମାଂସ, ତେଲ ଓ ମସଲାଯୁକ୍ତ ଫାଷ୍ଟଫୁଡ଼ ଏବଂ ହୋଟେଲ୍‍ ଖାନା ଆଦି ଯେଉଁ ବିକାଶର ଫଳଶ୍ରୁତି ତାହା ହିଁ ଉପରୋକ୍ତ ବ୍ୟାଧିଗୁଡ଼ିକର ଜନ୍ମାଦାତା । ଏକଥା ନବ୍ୟ ଧନୀକ ଗୋଷ୍ଠୀ ବୁଝିବେ ନାହିଁ । ଅନ୍ତତଃ ଅଭାବୀ ଲୋକମାନେ ଏହା ବୁଝିପାରିଲେ ଜୀବନ ସାରା ଦୁଃଖ ଓ ଅଶାନ୍ତିରୁ ମୁକ୍ତ ରହିପାରିବେ । ଅଳମତି ବିସ୍ତରେଣ ।

Share :