ଦୁର୍ନୀତିର ଗଛ ପୋତିଲେ ସବୁଜ ଓଡ଼ିଶା ସମ୍ଭବ କି?

ଦୁର୍ନୀତିର ଗଛ ପୋତିଲେ ସବୁଜ ଓଡ଼ିଶା ସମ୍ଭବ କି?

Share :

୧୯୯୯ ମହାବାତ୍ୟା ପରେ ବିତିଗଲାଣି ୧୯ ବର୍ଷ । ସେତେବେଳେ ସରକାର କହିଥିଲେ ବାତ୍ୟା ପରି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ ସୃଷ୍ଟି କରାଯିବ ସବୁଜ ବଳୟ । ତା’ ସହିତ ଉପକୂଳ ଅଞ୍ଚଳରେ ପ୍ରାୟତଃ ଧ୍ୱଂସ ପାଇଥିବା ହେନ୍ତାଳ ଜଙ୍ଗଲରୁ ପୁନରୁଦ୍ଧାର ହେବ, ସମୁଦ୍ର ବେଳାରେ ତିଆରି ହେବ ବାତ୍ୟା ନିରୋଧୀ ପ୍ରାଚୀର । ସେଥିପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ସେ ବାବଦରେ ତିନି ଚାରି ବର୍ଷ ଧରି ଅନେକ ଥର ଅଙ୍କକଷା ହୋଇଥିଲା । ଆର୍ଥିକ ସହାୟତା ପାଇଁ ଜାପାନ, ବିଶ୍ୱ ବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ସହିତ କେତେ ଥର ଆଲୋଚନା ବି ହୋଇଥିଲା । କିନ୍ତୁ କିଛି ହେଲା ନାହିଁ । ସେହି ଯୋଜନା ଏବେ ଶୀତଳଭଣ୍ଡାରରେ । ତାହା ବୋଧହୁଏ ସଚିବାଳୟର ଗଦାଗଦା ଫାଇଲ୍‍ ତଳେ ଚାପି ହୋଇଯିବଣି । କିମ୍ବା ଫାଇଲର ପାଠ ସବୁ ରୁଖିଆ କାଟି ଖାଇଯିବେଣି । ବହୁ ବିଳମ୍ବ ପରେ ୨୦୧୩ ମସିହାରେ ରାଜ୍ୟ କ୍ୟାବିନେଟ୍‍ ସବୁଜ ଓଡ଼ିଶା ମିଶନ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ । ରାଜ୍ୟର ପରିବେଶ ସୁରକ୍ଷା ଓ ପାଣିପାଗ ସ୍ଥିରତା ବଜାୟ ରଖିବା ଦିଗରେ ଏହି ନିଷ୍ପତ୍ତି ନିଆଯାଇଥିଲା । ସରକାରୀ ଘୋଷଣା ଅନୁସାରେ ସବୁଜ ଓଡ଼ିଶା ମିଶନରେ ୨୦୧୩-୧୪ ଆର୍ଥିକ ବର୍ଷରୁ ୨୦୧୬-୧୭ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୪୪ କୋଟି ୫୨ ଲକ୍ଷ ବୃକ୍ଷ ରୋପଣ କରାଯିବାର ଥିଲା । ଏ ବାବଦରେ ଖର୍ଚ୍ଚ ଅଟକଳ ହୋଇଥିଲା ୧୭୬୬ କୋଟି ୫୨ ଲକ୍ଷ ଟଙ୍କା । ସବୁଜ ଓଡ଼ିଶା ମିଶନରେ ରାଜ୍ୟ ଯୋଜନାରୁ ୪୩୮.୨୦ କୋଟି ଓ ଅନ୍ୟାନ୍ୟ ଯୋଜନାରୁ ୧୩୨୫.୩୨କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସରକାର ହିସାବ ଦର୍ଶାଇଥିଲେ । ଏହା ପରେ ବି ପ୍ରାୟ ପ୍ରତି ବର୍ଷ ସରକାର ଘୋଷଣା କରିଚାଲିଛନ୍ତି, ଏବର୍ଷ କୋଟିଏ ଗଛ ଲାଗିବ । ଏବର୍ଷ ଏତେ ହେକ୍ଟର ଜମିରେ ହେବ ବନୀକରଣ । ପତିତ ଜମିରେ ସୃଷ୍ଟି ହେବ ସବୁଜିମା । ଏମିତି ଅନେକ ବଢ଼ିଆ କଥା । କିନ୍ତୁ, ସରକାରଙ୍କ ତରଫରୁ ହେଉଥିବା ଏହିଭଳି ଅନେକ ଯୋଜନା ଭଳି ଏ ଯୋଜନାରେ ଦୁର୍ନୀତି ହେବ ନାହିଁ, ସରକାରୀ ସ୍ତରରେ ପାଣ୍ଠି ହଡ଼ପ ହେବ ନାହିଁ, ଉପଯୁକ୍ତ ସୁରକ୍ଷା ଅଭାବରୁ ଲାଗିଥିବା ଗଛଗୁଡ଼ିକୁ ଯେ ଗୋରୁଗାଈ ଓ ଛେଳିମେଣ୍ଢା ଖାଇଯିବେ ନାହିଁ, ଆବଶ୍ୟକ ପାଣି ଅଭାବରୁ ସେସବୁ ମରିଯିବ ନାହିଁ ତାହାର ଗ୍ୟାରେଣ୍ଟି କିଏ ଦେବ? ଅନେକ କ୍ଷେତ୍ରରେ ଦୁର୍ନୀତିଗ୍ରସ୍ତ କର୍ମଚାରୀମାନେ ଆଦୌ ଗଛ ନଲଗାଇ ପାଣ୍ଠି ଖର୍ଚ୍ଚ ହେବା ସଂପର୍କରେ ୟୁଟିଲାଇଜେସନ୍‍ ସାର୍ଟିଫିକେଟ୍‍ ଦାଖଲ କରିବେ ନାହିଁ, ତାହାର ଗ୍ୟାରେଣ୍ଟି କ’ଣ? ଏହି କାମ କରିବାକୁ ନିଯୁକ୍ତ ହୋଇଥିବା ଠିକାଦାରମାନେ ଯେ ଲାଭଖୋର୍‍ ନହୋଇ ପରିବେଶ ବନ୍ଧୁ ହୋଇଥିବେ ତାହା କିଏ କହିବ? ଏପରି ଏକ ଯୋଜନା କରିବା ପୂର୍ବରୁ ରାଜ୍ୟ ସରକାର ପୂର୍ବରୁ ଯେତେ ଗଛ ଲଗେଇଛନ୍ତି, ବାଣ୍ଟିଛନ୍ତି, ସେଥିରୁ କେତେ ବଞ୍ôଚଛି, କେତେ ବଡ଼ ହେଲାଣି ତାହାର କିଛି ହିସାବ ଖୋଜିଛନ୍ତି କି? ବାସ୍ତବରେ କେତେ ନୂଆ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି ହୋଇଛି ତାହାର ଭିଡ଼ିଓ ଚିତ୍ର ରାଜ୍ୟର ମାନ୍ୟବର ମନ୍ତ୍ରୀମାନେ ଦେଖିଛନ୍ତି କି? ପ୍ରତିବର୍ଷ ବର୍ଷା ଋତୁରେ ସରକାର ଲକ୍ଷଲକ୍ଷ ଚାରା ବଣ୍ଟନ କରୁଛନ୍ତି, ପ୍ରତିବର୍ଷ ରାଜ୍ୟର ବିଭିନ୍ନ ଖଣି ଓ ଶିଳ୍ପ କମ୍ପାନୀ ଲକ୍ଷଲକ୍ଷ ଗଛ ଲଗାଉଥିବାର ହିସାବ ଦେଉଛନ୍ତି, ସେସବୁ ଗଛ କୁଆଡ଼େ ଯାଉଛି, ସେ ବାବଦରେ କିଛି ଖୋଳତାଡ଼ ହୋଇଛି କି? ସରକାରୀ ନିୟନ୍ତ୍ରଣାଧୀନ ଅନେକ ଶିଳ୍ପ, ନିଗମ ଓ ସଂସ୍ଥା କ୍ଷତିଭାରରେ ଦେବାଳିଆ ହେବାକୁ ବସିଲେଣି । ସରକାର ଏପରି ଯୁକ୍ତି ଦର୍ଶାଇ ଅନେକ ସରକାରୀ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି । ଅନେକ କ୍ଷେତ୍ରରେ ସରକାରୀ ଉଦ୍ୟୋଗ ଚଳାଇବା ପାଇଁ ତାହାର ଘରୋଇକରଣ କରାଯାଇଛି । ଓଡ଼ିଶା ସରକାର ଏହିପରି ଭାବେ ରାଜ୍ୟର ଅତି ଗୁରୁତ୍ୱପୂର୍ଣ୍ଣ ବିଦ୍ୟୁତ କ୍ଷେତ୍ରର ଘରୋଇକରଣ କରିସାରିଛନ୍ତି । ଏହାର କୁପ୍ରଭାବ ମଧ୍ୟ ରାଜ୍ୟବାସୀଙ୍କୁ ଭୋଗିବାକୁ ପଡ଼ୁଛି । ସେହିପରି ଓଡ଼ିଶା ସ୍ପଞ୍ଜଲୁହା କାରଖାନା, ଓଡ଼ିଶା ଟେକ୍ସଟାଇଲ୍‍ ମିଲ୍‍ର ଅବସ୍ଥା ଆଜି କ’ଣ ହୋଇଛି ତାହା ବି କାହାକୁ ଅଛପା ନୁହେଁ । ସରକାରୀ ବ୍ୟବସ୍ଥାରେ ଚାଲିଥିବା କୃଷିଫାର୍ମଗୁଡ଼ିକର ଅବସ୍ଥା ଦେଖିଲେ ସରକାରୀ ଅଧିକାରୀଙ୍କ ହାତରେ ସବୁଜ ଓଡ଼ିଶା ମିଶନର ଭବିଷ୍ୟତ କ’ଣ ହେବ ବା ହେଲା ତାହା ଜଳଜଳ ହୋଇ ଦେଖାଯାଉଛି । ସରକାରୀ ହିସାବରେ ପ୍ରତି ଗଛ ପାଇଁ ଖର୍ଚ୍ଚ ହେବ ପ୍ରାୟ ୪୦ ଟଙ୍କା । ଏତିକି ଖର୍ଚ୍ଚରେ ପ୍ରତି ଗଛ ପାଇଁ ସୁରକ୍ଷା ଓ ଜଳ ବ୍ୟବସ୍ଥା ହେବା କଷ୍ଟକର । କିନ୍ତୁ ଗୋଟିଏ ଜାଗାରେ ଶତାଧିକ ଗଛ ଲାଗିଲେ ଏହି ପାଣ୍ଠିରେ ବାଡ଼ବନ୍ଦୀ କରି ଗଛଗୁଡ଼ିକୁ ସୁରକ୍ଷିତ ରଖିହେବ । ସେଥିପାଇଁ ଚାରା ଓ ପାଣ୍ଠି ମିଳିଲେ ଯେ ଯେକୌଣସି ଲୋକ ଗଛ ଉତାରିଦେବେ ତାହା ମଧ୍ୟ ସମ୍ଭବ ନୁହେଁ । ସେଥିପାଇଁ ନିଷ୍ଠା ଦରକାର । ଯେଉଁ ଲୋକମାନେ ଗଛ ସହିତ ନିଜ ଜୀବନ ଓ ଜୀବିକାର ସଂପର୍କ ଅଛି ବୋଲି ଭାବୁ ନାହାନ୍ତି ସେମାନଙ୍କୁ ଏ ଦାୟିତ୍ୱ ଦେଲେ ପାଣ୍ଠିର ଦୁରୁପଯୋଗ ହେବାର ଆଶଙ୍କା ରହିଛି । ନହେଲେ ରାଜ୍ୟର ହଜାର ହଜାର ଏନ୍‍ଜିଓ, ଯୁବକ ସଙ୍ଘ, ସ୍କୁଲ କର୍ତ୍ତୃପକ୍ଷ, ବନ ବିଭାଗ ଥାଉଁ ଥାଉଁ ଏଯାଏଁ ଲାଗିଥିବା ଗଛଗୁଡ଼ିକ ଉଭାନ ହୋଇଗଲେ କେମିତି? ସରକାର ନୂଆ ଗଛ ନଲଗାଇ ଯଦି କେବଳ ଜଙ୍ଗଲଗୁଡ଼ିକୁ ପାଞ୍ଚ ବର୍ଷ ଯାଏଁ ଜଗିପାରିବେ ତେବେ ବିନା ଖର୍ଚ୍ଚରେ ୪୪ କୋଟି କାହିଁକି ୮୮ କୋଟି ଗଛ ସୃଷ୍ଟି ହୋଇପାରିବ । ସେଥିପାଇଁ ଜଙ୍ଗଲ ସୁରକ୍ଷାର ଦାୟିତ୍ୱ ଜଙ୍ଗଲ ବିଭାଗ ହାତରୁ କାଢ଼ି ଆଣି ବନବାସୀ ଦଳିତ ଓ ଆଦିବାସୀମାନଙ୍କୁ ଦିଆଯାଉ । ଜଙ୍ଗଲ ଭିତରେ ଓ କଡ଼ରେ ଶହଶହ ବର୍ଷ ଧରି ବସବାସ କରୁଥିବା ଲୋକମାନଙ୍କୁ ଜଙ୍ଗଲ ଜଗିବା ଓ ଜଙ୍ଗଲରୁ ଫଳମୂଳ, ଶୁଖିଲା କାଠପତ୍ର ସମେତ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହର ଦାୟିତ୍ୱ ପ୍ରଦାନ କରାଯାଉ, ଦେଖିବେ ବର୍ଷ କେଇଟାରେ ଲୋପ ପାଇଥିବା ଜଙ୍ଗଲ ପୁଣି ଥରେ ଘଞ୍ଚ ସବୁଜ ଦୁର୍ଗରେ ପରିଣତ ହେବ । ଆପଣ ଯଦି ବାତ୍ୟାରେ ଉପୁଡ଼ିଯ ଯାଇଥିବା କାଠ କାଟି ବିକ୍ରି କରିବାକୁ ଠିକାଦାରଙ୍କୁ ଦାୟିତ୍ୱ ଦେବେ, ସହରରେ ଆଲିଶାନ ବଙ୍ଗଳା ତିଆରି କରୁଥିବା ବନାଧିକାରୀଙ୍କୁ କହିବେ ଶାଗୁଆନ୍‍ ଜଙ୍ଗଲ ଜଗ, ତେବେ ଯାହା ହେବା କଥା ତାହା ହିଁ ହେବ । ଉପକୂଳରେ ହେନ୍ତାଳ ଜଙ୍ଗଲ ସୃଷ୍ଟି ନକରି ତାହାକୁ ଚିଙ୍ଗୁଡ଼ି ଚାଷୀଙ୍କୁ ଲିଜ୍‍ ଦେବେ, ଅନୁପ୍ରବେଶକାରୀଙ୍କୁ ସେଠା ଜମିରେ ଚାଷ କରିବାକୁ ଅନୁମତି ଦେବେ, ହୋଟେଲ୍‍ ଓ ବାର୍‍ ଖୋଲିବାକୁ କହିବେ, ତେବେ ହେନ୍ତାଳ ଜଙ୍ଗଲ ସୃଷ୍ଟି ହେବ ନା ଲୋପ ପାଇବ? ସବୁଜ ବଳୟ ସୃଷ୍ଟି କରିବା ଗୋଟେ କଥା, କିନ୍ତୁ ସବୁଜ ବଳୟ ବାହାନାରେ ନାଁ କମାଇବା ଆଉ ଗୋଟିଏ କଥା । ବର୍ଷେ ତଳେ ମୟୂରଭଂଜରେ ହୋଇଥିବା ଚାରା ରୋପଣ ଦୁର୍ନୀତି କଥା ପଦାକୁ ଆସିଥିଲା । ସେଠାରେ ଚାରା ରୋପଣ ନାଁରେ ୨୫୦ କୋଟି ଟଙ୍କାର ଦୁର୍ନୀତି ହୋଇଥିଲା । ଶାସନର ଉପର ସ୍ତରରୁ ସୁରକ୍ଷା ପାଇ ଜଣେ ଜିଲ୍ଲାପାଳ ଏହି ଦୁର୍ନୀତି କରିଥିଲେ । ଏହା ଧରିବାରୁ ଜଣେ ମନ୍ତ୍ରୀଙ୍କ ପଦବୀ ଗଲା ବୋଲି ବି କେଇ ଦିନ ତଳେ ଚର୍ଚ୍ଚା ହେଲା । ଯଦି ଏମିତି ଦୁର୍ନୀତିର ଗଛ ଲାଗେ ତେବେ ସବୁଜ ଓଡ଼ିଶା ଗଠନ ସମ୍ଭବ କି?

Share :