ଶୀତରାତିର ପ୍ରେମଗୀତ

ଶୀତରାତିର ପ୍ରେମଗୀତ

Share :

ଦେବେନ୍ଦ୍ର ପୃଷ୍ଟି ଏବେ ଖୁବ ଅନ୍ଧକାର, ଘନଘୋର, ଗାଢ଼ ଓ ଗମ୍ଭୀର । ସାଇଁ ସାଇଁ ଗର୍ଜେ ନିଶା ଏ ତିରଙ୍ଗା ତଳେ । ସମୟ ବହୁନି ଏଠି, ସ୍ରୋତସ୍ୱିନୀ ସ୍ଥିର ଓ ସ୍ଥବିର । ପିଶାଚଙ୍କ ପୃଥିବୀରେ କିଏ ରହେ କିଏ ବା ବଦଳେ? ଏ ରାତି କଟିବ କେହ୍ନେ? ଜମାଟ ବାନ୍ଧୁଛି ଶୀତ । ପବନରେ ଭାସି ଆସେ ଏ କେଉଁ ନାରୀର ବିଳାପ ଓ ପତାକାର ପାଦ ତଳେ ଏ କାହାର ଶବ? ଏ ଅଳିଆ ଆବର୍ଜନା ଜଳିବ କି ଧୂନି ହୋଇ? ଉଷୁମ ହେବ କି ଏଇ ଜୀର୍ଣ୍ଣ ଫୁଙ୍ଗୁଳା ଦେହ? ସେ ନିଆଁରେ ତାପ ସହ ନଥିବ ତ ନାକଫଟା ଗନ୍ଧ? ବନ୍ଦ କରିବ ନାହିଁ ଗରୀବର ଶେଷ ପୁଂଜି ନିଃଶ୍ୱାସ ଟିକକ? ସେଠି ସେଇ ସ୍ତମ୍ଭରେ ପଥରର ସିଂହ । ସେ କ’ଣ କହିବ କଥା? ଡରେଇବ ପିଶାଚମାନଙ୍କୁ? ପଥରର ଲେଖା କ’ଣ ସତ ହେବ, ଜିତିବ କି ସତ୍ୟ? କିନ୍ତୁ ଏ ପିଣ୍ଡିରେ କିଏ? କାହାର ଏ ସଂଜ୍ଞାହୀନ ଦେହ? ଏଇ କି ଭାରତମାତା? ବାରମ୍ବାର ଧର୍ଷିତାର ଶେଷତମ ସତ୍ୟ? ଏ ଅଳିଆଗଦା ସହ ଜଳିଯାଏ ଶାସନର ଶାସ୍ତ୍ର- ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗର ସମାନତା ଲେଖାଥିବା କାଗଜର ପୃଷ୍ଠା, ଜଳିଯାଏ ପ୍ରତିଶ୍ରୁତି ସମାଜବାଦର । ଧର୍ମର ନିଆଁରେ ଜଳେ ବିଶ୍ୱାସର ସ୍ୱତନ୍ତ୍ରତା, ଜଳିଯାଏ ସମୃଦ୍ଧିର ଉହ୍ମେଇରେ ଆର୍ଥିକ ସମତା । ଚାଲ ସଖୀ! ଏଇଠି ପଡ଼ିବା ଶୋଇ! ଆମ ପାଇଁ ଆସିବନି ଆମ୍ବୁଲାନ୍ସ! ମିଳିବନି ରୁଟି କି ଓଷଦ । ଏ ନିଆଁରେ ସେକିହୋଇ ଆମ ସ୍ୱପ୍ନ, ଆମ ଭବିଷ୍ୟତ, ଜନ୍ମନେଉ ଅଗ୍ନିର ସ୍ଫୁଲିଙ୍ଗ- ଜାଳିପୋଡ଼ି ପାଉଁଶ କରିବ ସିଏ ପିଶାଚର ତନ୍ତ୍ର!

Share :