ଡଙ୍କାରୀରୁ ଲୁଟ୍‍ ହୋଇଛି ୧୧୦୦ କୋଟିର ପଥର!

ଡଙ୍କାରୀରୁ ଲୁଟ୍‍ ହୋଇଛି ୧୧୦୦ କୋଟିର ପଥର!

Share :

ସ୍ୱତନ୍ତ୍ର ପ୍ରତିନିଧି ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଡଙ୍କାରୀ ପାହାରୁ ଅନ୍ୟୁନ ୭୩୦ କୋଟି ଟଙ୍କାର କଳାପଥର ଖୋଳି ନିଆଯାଇଛି । କିନ୍ତୁ ସରକାର ରାଜଭାଗ ବାବଦକୁ ପାଇଛନ୍ତି ମାତ୍ର ୧୪ ଲକ୍ଷ ଟଙ୍କା । ସରକାରୀ ହିସାବରେ ବି ରାଜସ୍ୱ ମିଳିବା କଥା ପ୍ରାୟ ୭୩ କୋଟି ଟଙ୍କା । ତାହା ମିଳି ନାହିଁ । ଶାସକ ଦଳର ନେତା ଓ କର୍ମୀ ମିଶି ପ୍ରଶାସନର ସହଯୋଗରେ ସର୍ବସାଧାରଣ ସଂପତ୍ତି ଲୁଟ୍‍ କରି ବିପୁଳ ଆର୍ଥିକ ଫାଇଦା ପାଇଥିବା ଅଭିଯୋଗ ହୋଇଛି । ଅନୁସନ୍ଧାନରୁ ଜଣାଯାଇଛି ଯେ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ କଳାପଥର ଖାଦାନକୁ ୨୦୦୨ ମସିହାରେ ଶ୍ରୀବାସ ଯେନା ନାମକ ଜଣେ ବ୍ୟକ୍ତିଙ୍କୁ ଲିଜ୍ ଦିଆଯାଇଥିଲା । ଲିଜ ଅବଧି ଥିଲା ୨୦୦୨-୦୩ ବର୍ଷରୁ ୨୦୧୫-୧୬ ବର୍ଷ । ରାଜସ୍ୱ ବିଭାଗ ଜରିଆରେ ଏହି ଲିଜ୍ ମିଳିଥିଲା । କଳା ପଥର ହେଉଛି ଏକ ଲଘୁ ଖଣିଜ ପଦାର୍ଥ । ଏହି ପଥରକୁ ଫଟେଇ ଚିପ୍ସ, ବଜୁରୀ ଓ ବୋଲ୍ଡର ଆଦି ପ୍ରସ୍ତୁତ କରାଯାଏ । ସେସବୁ ରାସ୍ତା ଓ ଘର ତିଆରି ଆଦି କାମରେ ଲାଗିଥାଏ । ଲିଜ୍ ଦିଆଯିବା ସମୟରେ କେତେ ଫୁଟ ମାଟି ତଳୁ ପଥର ଖୋଳାଯିବ, କେତେ ବର୍ଗ ଫୁଟ ଅଂଚଳରେ ଖୋଳାଯିବ ଆଦି ତଥ୍ୟ ସହିତ ମାଇନିଂ ପ୍ଲାନ ଦିଆଯାଇ ନଥିଲା କି ରାଜସ୍ୱ ପ୍ରଶାସନ ତାହା ଧାର୍ଯ୍ୟ କରି ନଥିଲା । ଖାସ୍ ଦୁର୍ନୀତି ପାଇଁ ଏପରି ଏକ କୋହଳ ବ୍ୟବସ୍ଥା କରାଯାଇଥିଲା ବୋଲି ଏବେ ସନେଦହ କରାଯାଉଛି । ଏଇ ସୁଯୋଗରେ ଲିଜ୍ଧାରୀ ବିରାଟ ଅଂଚଳରେ ଗଭୀର ଗର୍ତ୍ତର୍ କରି କଳାପଥର ଲୁଟିବାରେ ଲାଗି ଯାଇଛନ୍ତି । ଏହିପରି ଭାବେ ଗତ ୧୪ ବର୍ଷ ଭିତରେ ସେ ଅନ୍ୟୁନ ୭୩ ଲକ୍ଷ ୩୮ ହଜାର ଘନ ମିଟରର କଳାପଥର ଖୋଳି ନେଇଛନ୍ତି ବୋଲି ଯାଜପୁର ଖଣି ଉପନିର୍ଦ୍ଦେଶକ ସରଜମିନ ତଦନ୍ତ କରି ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ରିପୋର୍ଟ ଦେଇଛନ୍ତି । ଏହି ରିପୋର୍ଟ ଅନୁସାରେ ଲିଜ୍ଧାରୀ ସରକାରଙ୍କୁ ଘନ ମିଟର ପିଛା ୯୯ ଟଙ୍କା ହିସାବରେ ମୋଟ ୭୨ କୋଟି ୬୪ ଲକ୍ଷ ଟଙ୍କା ଦେବା କଥା । ମାତ୍ର, ଶାସକ ଦଳର ନେତା ହିସାବରେ ସଂପୃକ୍ତ ତହସିଲଦାରଙ୍କୁ ବିଭିନ୍ନ ବାଟରେ ପ୍ରଭାବିତ କରିବା ସହିତ ଜିଲ୍ଲା ଓ ରାଜ୍ୟ ପ୍ରଶାସନକୁ ହାତ କରି ଲିଜ୍ଧାରୀ ଏହି ଲୁଟ୍ ଚପେଇ ଦେଇଥିଲେ । ଏତେ ପରିମାଣର ପଥର ଲୁଟ୍ କରିଥିଲେ ବି ସେ ସରକାରଙ୍କୁ ଦେଇଛନ୍ତି ମାତ୍ର ୧୪ ଲକ୍ଷ ୧୫ ହଜାର ୯୯୬ ଟଙ୍କାର ରାଜଭାଗ । ଏ ସଂପର୍କରେ ସ୍ଥାନୀୟ ଅଂଚଳର ଜଣେ ସାମାଜିକ କର୍ମୀ ସର୍ବେଶ୍ୱର ବେହେରା ଅଭିଯୋଗ କରିବା ସହିତ ସୂଚନା ଅଧିକାର ଆଇନ ବଳରେ ଅନେକ ତଥ୍ୟ ପଦାକୁ ଅ ।ଣିବା ପରେ ଜିଲ୍ଲାପାଳ ସତ୍ୟ କୁମାର ମଲ୍ଲିକ ପ୍ରଥମେ ଏହାକୁ ଗୁରୁତର ଭାବେ ଗ୍ରହଣ କରିଥିଲେ । ତାଙ୍କ ନିର୍ଦ୍ଦେଶରେ ଯାଜପୁର ଖଣି ଉପନିର୍ଦ୍ଦେଶକ ସରଜମିନ ତଦନ୍ତ କରିବା ସହିତ ଉତ୍ତୋଳିତ ହୋଇଥିବା ଖଣିଜ ପଦାର୍ଥର ବିଜ୍ଞାନସମ୍ମତ ଆକଳନ କରିଥ ଡଙ୍କାରୀ ପାହାଡ଼ରୁ ଅନ୍ୟୁନ ୭୩ ଲକ୍ଷ ଘନ ମିଟରର କଳା ପଥର ଖୋଳି ନିଆଯାଇଛି ବୋଲି ରିପୋର୍ଟ ଦେଇଥିଲେ । ଖଣି ଉପନିର୍ଦ୍ଦେଶକଙ୍କ ରିପୋର୍ଟ ଆଧାରରେ ବକେୟା ରାଜସ୍ୱ ଭରଣା କରିବାକୁ ତହସିଲଦାର ଲିଜ୍ଧାରୀ ଶ୍ରୀବସ ଯେନାଙ୍କ ଉପରେ ନୋଟିସ ଜାରି କରିଥିଲେ । ଏହା ୨୦୧୬ ମେ ୨୮ ତାରିଖର ଘଟଣା । କିନ୍ତୁ ଏହା ପରେ କ'ଣ ହେଲା କେଜାଣି ତହସିଲଦାର, ଖଣି ଉପନିର୍ଦ୍ଦେଶକ ଓ ଜିଲ୍ଲାପାଳ ଚୁପ ହୋଇଯାଇଛନ୍ତି । ଶୁଣାଯାଉଛି ଡଙ୍କାରୀ କଳା ପଥର ଖାଦାନ ନେଇ ପ୍ରଶାସନର ସର୍ବୋଚ୍ଚ ସ୍ତରରୁ ଜିଲ୍ଲାପାଳଙ୍କ ଅଫିସକୁ ଜରୁରୀ ଫୋନ୍ ଯିବା ପରେ ପ୍ରଶାସନର ଲୁଟ୍ ବିରୋଧୀ ଆଭିମୁଖ୍ୟ ବଦଳିଯାଇଛି । ଏବେ ତହସିଲ ଅଫିସ ପୁଣି ଥରେ ଡଙ୍କାରୀ ଲୁଟେରାଙ୍କ ଅଫିସରେ ପରିଣତ ହୋଇଛି । ସୂଚନାଯୋଗ୍ୟ ଯେ ଭୁବନେଶ୍ୱର ବଜାରରେ ଏବେ ଚିପ୍ସ ଓ ବଜୁରୀ ଦର ଘନ ମିଟର ୧୮୦୦ ଟଙ୍କା ରହିଥିବାବେଳେ ରାଜ୍ୟର ଅନ୍ୟତ୍ର ଏହା ଘନ ମିଟର ପ୍ରତି ୧୨୦୦-୧୫୦୦ ଟଙ୍କା ଭିତରେ ମିଳୁଛି । ଏହା ପରେ ପରିବହନ ଖର୍ଚ୍ଚ ଅଲଗା । ଡଙ୍କାରୀ ପାହାଡ଼ ପାଖାପାଖି ଓ ଜିଲ୍ଲାର ଅନ୍ୟ କେତେକ କଳାପଥର ଖାଦାନ ଘନ ମିଟର ୨୧୦ ଟଙ୍କା ରାଜସ୍ୱ ଚୁକ୍ତିରେ ଲିଜ ଦିଆଯାଇଛି । କିନ୍ତୁ ଡଙ୍କାରୀ ଲିଜ୍ ଦିଅ ।ଯାଇଥିଲା ଘନ ମିଟର ପ୍ରତି ୯୯ ଟଙ୍କା ରାଜସ୍ୱ ଚୁକ୍ତିରେ । ଡଙ୍କାରୀରୁ ଉଠିଛି ୭୩ ଲକ୍ଷ ଘନ ମିଟରର କଳା ପଥର । ଘନ ମିଟର ୧୦୦୦ ଟଙ୍କା ହିସାବରେ ମୋଟ ଉଠିଥିବା କଳା ପଥର ମୂଲ୍ୟ ହେବ ୭୩୦ କୋଟି ଟଙ୍କା । ଘନ ମିଟର ୧୫୦୦ ଟଙ୍କା ହିସାବ ହେଲେ ମୋଟ ୧୧୦୦ କୋଟି ଟଙ୍କାର କଳାପଥର ଲୁଟ୍‍ ହୋଇଛି ବୋଲି ଧରିବାକୁ ହେବ । ୱାଗନ ଡ୍ରିଲିଂ ପ୍ରକ୍ରିୟାରେ ଏହି ପାହାଡ଼ରୁ ଦୈନନ୍ଦିନ ହଜାର ହଜାର ଟନ୍‍ର କଳା ପଥର ଖୋଳି ନିଆଯାଉଛି । ଏହା ଚାରି ପଟେ ଏବେ ପ୍ରାୟ ୩୦ଟି ବଡ଼ ବଡ଼ କ୍ରସର ବସିଛି । ଏସବୁ ଯାକ କ୍ରସରକୁ ଏହି ପାହାଡ଼ରୁ ପଥର ଯୋଗାଇ ଦିଆଯାଉଛି । ଏସବୁ କ୍ରସରର ମାଲିକ ହେଉଛନ୍ତି ବହୁ ନାମୀଦାମୀ କମ୍ପାନୀ ।

Share :