ବୁଡ଼ିଯିବ ଲଣ୍ଡନ, ନ୍ୟୁୟର୍କ, ଟୋକିଓ, କୋଲକାତା!

ବୁଡ଼ିଯିବ ଲଣ୍ଡନ, ନ୍ୟୁୟର୍କ, ଟୋକିଓ, କୋଲକାତା!

Share :

ପୃଥିବୀରେ ଯେତେ ପରିମାଣର ଜୀବାଶ୍ମ ଇନ୍ଧନ ଗଚ୍ଛିତ ଅଛି ତାହାକୁ ଯଦି ସାରି ଦିଆଯାଏ ତେବେ ଲଣ୍ଡନ, ନ୍ୟୁୟର୍କ, ଟୋକିଓ, ହଂ କଂ ଓ କୋଲକାତା ପରି ବିଶ୍ୱର ଅନେକ ବୃହତ୍‍ ସହର ବୁଡ଼ିଯିବ ବୋଲି ବୈଜ୍ଞାନିକମାନେ ଯେଉଁ ଆଶଙ୍କା ପ୍ରକାଶ କରିଛନ୍ତି ତାହାକୁ ବିଶ୍ୱବାସୀ ଓ ରାଷ୍ଟ୍ରନେତାମାନେ ହାଲୁକା ଭାବେ ଗ୍ରହଣ କରିବା ଉଚିତ ନୁହେଁ । ଏଭଳି ଆଶଙ୍କା ଆଦୌ ଅମୂଳକ ନୁହେଁ । ପୁଣି କୌଣସି ଭଣ୍ଡ ବାବା ବା ଭାଣ୍ଡ ପରିବେଶ କର୍ମୀ ଏଭଳି ଆଶଙକା କରି ନାହାନ୍ତି । ବିଜ୍ଞାନ ସମ୍ମତ ଗବେଷଣା ପଦ୍ଧତି ଅନୁସରଣ କରି ଏଭଳି ନିଷ୍କର୍ଷରେ ପହଂଚିଛନ୍ତି ବିଶ୍ୱର କେତେକ ବିଖ୍ୟାତ ବିଜ୍ଞାନ ଗବେଷଣା ସଂସ୍ଥାର କେତେ ଜଣ ଲବ୍ଧ ପ୍ରତିଷ୍ଠିତ ବୈଜ୍ଞାନିକ । ସେମାନଙ୍କ ଆଶଙ୍କା ମାଳିକାର ଭବିଷ୍ୟବାଣୀ ନୁହେଁ କି କୌଣସି ପାଂଜିର ପାଣିପାଗ ସୂଚନା ନୁହେଁ । ବିଶ୍ୱନେତାମାନେ ଏହାକୁ ଗୁରୁତ୍ୱର ସହିତ ଗ୍ରହଣ କରିବା ସହିତ ଏଭଳି ପରିସ୍ଥିତିକୁ କିଭଳି ରୋକି ହେବ ସେ ଦିଗରେ ନେଡ଼ି ଗୁଡ଼ କହୁଣୀକୁ ବୋହିଯିବା ଆଗରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ବୈଜ୍ଞାନିକମାନଙ୍କ ମତରେ ଯଦି ପୃଥିବୀ ବକ୍ଷରେ ଗଚ୍ଛିତ ପେଟ୍ରୋଲିୟମ, କୋଇଲା ଓ ଗ୍ୟାସ୍‍ ଭଣ୍ଡାରକୁ ମଣିଷ ଜାତି ସାରି ଦିଏ ତେବେ ସେହି ପ୍ରକ୍ରିୟାରେ ଯେତେ ପରିମାଣର ଅଙ୍ଗାରକ ଉତ୍ପନ୍ନ ହେବ ତାହା ଏତେ ଉତ୍ତାପ ସୃଷ୍ଟି କରିବ ଯେ ସେଥିରେ ଆଣ୍ଟାର୍କଟିକାର ସମସ୍ତ ବରଫ ତରଳିଯିବ । ଏତେ ବରଫ ତରଳିଲେ ସେଥିରୁ ଉତ୍ପନ୍ନ ଜଳରାଶି ସମୁଦ୍ରରେ ମିଶିବ । ସେଥିଯୋଗୁଁ ଜଳସ୍ତର ୬୦ ମିଟର ବା ପ୍ରାୟ ୧୮୦ ଫୁଟ ଉପରକୁ ଉଠିଯିବ । ଏପରି ହେଲେ ବିଶ୍ୱର ପ୍ରାୟ ୧୦୦ କୋଟି ଲୋକଙ୍କ ଘର ସଂପୂର୍ଣ୍ଣ ବୁଡ଼ିଯିବ । ଏଯାବତ ପଶ୍ଚିମ ଆଣ୍ଟାର୍କଟିକାର ବରଫ ସ୍ତର ଉପରେ ବୈଜ୍ଞାନିକଙ୍କ ଧ୍ୟାନ କେନ୍ଦ୍ରୀଭୂତ ରହିଥିଲା । କିନ୍ତୁ ଏହି ନୂଆ ଗବେଷଣାରେ ବୈଜ୍ଞାନିକମାନେ ସମଗ୍ର ଆଣ୍ଟାର୍କଟିକାର ସଂପୂର୍ଣ୍ଣ ବରଫ ସ୍ତର ତରଳିବାର ପରିଣତି ଉପରେ ଅନୁଧ୍ୟାନ କରିଛନ୍ତି । ଏହି ଦଳର ସଦସ୍ୟ ଥିବା ପୋଟ୍‍ସଡ୍ୟାମ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ କ୍ଲାଇମେଟ୍‍ ଇମ୍ପାକ୍ଟ ରିସର୍ଚ୍ଚର ପ୍ରଫେସର ଆନ୍ଦ୍ରେ ଲେଭରମାନ୍ନଙ୍କ ମତରେ, ପଶ୍ଚିମ ଆଣ୍ଟାର୍କଟିକାର ବରଫ ତରଳିବା ପ୍ରକ୍ରିୟାକୁ ଆଉ ରୋକି ହେବ ନାହିଁ । କିନ୍ତୁ ଆମେ ଯଦି ନ୍ୟୁୟର୍କ, ଲଣ୍ଡନ, ଟୋକିଓ, ହଂ କଂ, ଶାଙ୍ଘାଇ, କୋଲକାତା ଓ ହାମବର୍ଗ ଆଦି ସହରକୁ ଆଧୁନିକ ବିଶ୍ୱର ଐତିହ୍ୟ ଭାବେ ବଞ୍ଚାଇ ରଖିବାକୁ ଚାହିଁବା ତେବେ ପୂର୍ବ ଆଣ୍ଟାର୍କଟିକାର ବରଫ ସ୍ତରର ସଂରକ୍ଷଣ ନିହାତି ଜରୁରୀ । କାର୍ନେଗି ଇନ୍‍ଷ୍ଟିଚ୍ୟୁସନ୍‍ ଅଫ୍‍ ସାଇନ୍ସର କେନ୍‍ କାଲ୍‍ଦେରା ମଧ୍ୟ ଏହି ମତକୁ ସମର୍ଥନ କରି କହିଛନ୍ତି ଯେ ଏଯାଏଁ ଆଣ୍ଟାର୍କଟିକାର ପୂର୍ବ ଭାଗ ଉପରେ ଅନେକ ଗବେଷଣା ହୋଇଛି । ଆମ ଗବେଷଣାରେ ପୂର୍ବ ଆଣ୍ଟାର୍କଟିକାର ବରଫର ଭବିଷ୍ୟତ ଉପରେ ଅନୁଧ୍ୟାନ କରାଯାଇଛି । କୋଇଲା, ତେଲ ଓ ଗ୍ୟାସ୍‍ ଜଳାଇବା ଦ୍ୱାରା ପୂର୍ବ ଆଣ୍ଟାର୍କଟିକାର ତୁଷାର ସ୍ତର ମଧ୍ୟ ଅଚିରେ ତରଳିଯିବାର ଆଶଙ୍କା ରହିଛି । ତାଙ୍କ ମତରେ ଆମେ ଯଦି ଆଣ୍ଟାର୍କଟିକା ତରଳିଯାଉ ବୋଲି ଚାହାନ୍ତି ନାହିଁ ତେବେ ଆମେ ଜୀବାଶ୍ମ ଇନ୍ଧନର ଅଙ୍ଗାରକକୁ ଅଙ୍ଗାରକାମ୍ଳରେ ପରିଣତ କରି ଆକାଶକୁ ଛାଡ଼ିବା ପ୍ରକ୍ରିୟାରେ ପୂର୍ଣ୍ଣଚ୍ଛେଦ ପକାଇବା ଦରକାର । ତା’ ନହେଲେ ଆମ ମାଟିର ଶତାଧିକ କୋଟି ଲୋକଙ୍କର ଜଳ ସମାଧି ହେବା ନିଶ୍ଚିତ । ପ୍ରଫେସର ଆନ୍ଦ୍ରେ କହିଛନ୍ତି ଯେ ଆମେ ଏଯାଏଁ ଯେଉଁ ହାରରେ ଜୀବାଶ୍ମ ଇନ୍ଧନ ଜାଳି ଚାଲିଛୁ ସେହି ହାରରେ ଭଣ୍ଡାର ଖାଲି କରି ଚାଲିଲେ ଆସନ୍ତା ୧୫୦ ବର୍ଷ ଭିତରେ ଆମର ଭଣ୍ଡାର ଖାଲି ହୋଇଯିବ । ପ୍ରଚଳିତ ହାରରେ ଅଙ୍ଗାରକ ନିର୍ଗତ ହୋଇଚାଲିଲେ ଆସନ୍ତା ୭୦-୮୦ ବର୍ଷ ଭିତରେ ପଶ୍ଚିମ ଆଣ୍ଟାର୍କଟିକାର ତୁଷାର ସ୍ତରର ଚିହ୍ନବର୍ଣ୍ଣ ମିଳିବ ନାହିଁ । ଯଦି ସବୁ ଜୀବାଶ୍ମ ଇନ୍ଧନ ଜାଳି ଦିଆଯାଏ ତେବେ ୧୦ ଲକ୍ଷ କୋଟି ଟନ୍‍ ଅଙ୍ଗାରକାମ୍ଳ ସୃଷ୍ଟି ହେବ । ଏବେ ଏହାର ୬-୮ ପ୍ରତିଶତ ହାରରେ ଅଙ୍ଗାରକାମ୍ଳ ନିର୍ଗମନ ହେଉଛି । ବର୍ତ୍ତମାନ ହାରରେ ଜୀବାଶ୍ମ ଇନ୍ଧନ ଜଳନ ଯୋଗୁଁ ଆସନ୍ତା ୧୦୦୦ ବର୍ଷ ମଧ୍ୟରେ ପ୍ରତିବର୍ଷ ୩ ସେଣ୍ଟିମିଟର ହାରରେ ସମୁଦ୍ର ପତନ ବୃଦ୍ଧି ପାଇବ । ଏହି ହିସାବରେ ଚଳିତ ସହସ୍ରାବ୍ଦୀ ଶେଷ ସୁଦ୍ଧା ସମୁଦ୍ର ଜଳସ୍ତରର ଉଚ୍ଚତା ୩୦ ମିଟର ବା ପ୍ରାୟ ୯୦ ଫୁଟ୍‍ ବୃଦ୍ଧି ପାଇଥିବ । ସେତିକିରେ ବି ବିଶ୍ୱର ଅନେକ ସହର ବୁଡ଼ିଯିବ, କୋଟିକୋଟି ଲୋକ ଜଳସମାଧି ନେବେ । ବିଶ୍ୱବାସୀ କ’ଣ ଏଇଆ ଚାହାନ୍ତି? ରାଷ୍ଟ୍ରନେତାମାନେ କ’ଣ ଏହି ପରିଣତି ପାଇଁ ତଥାକଥିତ ବସ୍ତୁବାଦୀ ବିକାଶ ଉପରେ ଗୁରୁତ୍ୱ ଦେଇ ଚାଲିଛନ୍ତି?

Share :